Unknown

 

 

 

 

 

 

 

 

 

 

ତପସ୍ୱିନୀ

ସ୍ୱଭାବକବି ଗଂଗାଧର ମେହେର

 

ସୂଚୀପତ୍ର

 

ବିଷୟ

୧.

ପ୍ରଥମ ସର୍ଗ

୨.

ଦ୍ୱିତୀୟ ସର୍ଗ

୩.

ତୃତୀୟ ସର୍ଗ

୪.

ଚତୁର୍ଥ ସର୍ଗ

୫.

ପଞ୍ଚମ ସର୍ଗ

୬.

ଷଷ୍ଠ ସର୍ଗ

୭.

ସପ୍ତମ ସର୍ଗ

୮.

ଅଷ୍ଟମ ସର୍ଗ

୯.

ନବମ ସର୍ଗ

୧୦.

ଦଶମ ସର୍ଗ

୧୧.

ଏକାଦଶ ସର୍ଗ

 

ଭକ୍ତିଭାଜନ ଶ୍ରୀମାନ୍‍ ରାମନାରାୟଣ ମିଶ୍ର, M A,; B.L.

ମହୋଦୟେଷୁ

ସବିନୟ ନିବେଦନମିଦମ୍‍

ମହାତ୍ମନ !

ଆପଣ ଅନେକ ଦରିଦ୍ର ଛାତ୍ରଙ୍କୁ ଅର୍ଥ ସାହାଯ୍ୟ କରି ସେମାନଙ୍କର ଶିକ୍ଷାର ପଥ ପ୍ରଶସ୍ତ ଓ ସୁଗମ କରୁଥିବାରୁ ମୁଁ ଅବଗତ ହୋଇଅଛି । ପଥପାର୍ଶ୍ୱରେ ରୋପଣ କରିବା ନିମନ୍ତେ ନାନାପ୍ରକାର ବାଳ ପାଦପ ଆବଶ୍ୟକ ହୋଇଥାଏ, ଏହା ଭାବି ମୁଁ ଏହି ତପସ୍ୱନୀ ନାମୀ ପୁସ୍ତିକାକୁ ଆପଣଙ୍କ କରକମଳରେ ଅର୍ପଣ କଲି । ଫଳପୁଷ୍ପର ଆଶା ନଥିଲେ ସୁଦ୍ଧା ଆପଣ ଏହାକୁ ସାମାନ୍ୟ ଛାୟାର ଉପଯୋଗୀ ବାଳ-ତରୁ ରୂପେ ଗ୍ରହଣ କରି ମୋତେ କୃତାର୍ଥ କରିବା ହେବେ ।

 

ପଦ୍ମପୁର

ତା୦୫/୧୦/୧୯୧୪

ଭବଦୀୟ ଚିର-କୃତଜ୍ଞ

ଶ୍ରୀ ଗଙ୍ଗାଧର ମେହେର

 

ମୁଖବନ୍ଧ

ପିତୃସତ୍ୟ ରକ୍ଷା ନିମନ୍ତେ ବନବାସୀ ହେବାରୁ ରାମଙ୍କର ଓ ସ୍ୱାମୀଙ୍କର ଅନୁଗାମିନୀ ହେବାରୁ ସୀତାଙ୍କର ଯେଉଁ ମାହାତ୍ମ୍ୟ ପରିସ୍ଫୁଟ ହୋଇଥିଲା, ସୀତାଙ୍କର ନିର୍ବାସନରେ ତାହା ସୌରଭମୟ ହେଲା । ନିର୍ବାସନ କଷ୍ଟ ସହିବାଦ୍ୱାରା ସୀତାଙ୍କର ପତିଭକ୍ତି ଯେପରି ତେଜୋମୟୀ ହୋଇଗଲା, ତାଙ୍କର ହିରଣ୍ମୟୀ ପ୍ରତିକୃତି ରଖି ଅଶ୍ୱମେଧ-ଯଜ୍ଞ ନିର୍ବାହ କରିବାଦ୍ୱାରା ରାମଙ୍କର ପତ୍ନୀ-ପ୍ରେମ ସେହିପରି ପ୍ରଦୀପ୍ତ ହୋଇଉଠିଲା । ଉପଯୁକ୍ତ ପତିଙ୍କର ଉପଯୁକ୍ତ ପତ୍ନୀ ସୀତା ମିଥ୍ୟାପବାଦରେ ସ୍ୱାମୀକର୍ତ୍ତୃକ ପରିତ୍ୟକ୍ତା ହୋଇଥିଲେ ହେଁ ସ୍ୱାମୀଙ୍କ ହୃଦୟର ପ୍ରେମ ବୁଝି ପାରିଥିଲେ । ସେ ନିର୍ବାସନକୁ ନିଜର ଭାଗ୍ୟଦୋଷ ବୋଲି ପତିଭକ୍ତିକୁ କିପରି ଦୃଢ଼ତର ଓ ଉଚ୍ଚତର କରିଥିଲେ, ବନବାସକୁ ପତି-ହିତ-ସାଧିନୀ ତପସ୍ୟାରେ ପରିଣତ କରି ତପସ୍ୱିନୀରୂପେ କିପରି ଦିନ ଯାପନ କରିଥିଲେ, ତାହା ପ୍ରକଟ କରିବା ଏହି ପୁସ୍ତକର ପ୍ରଧାନ ଉଦ୍ଦେଶ୍ୟ । ସୀତା ଯେପରି ସ୍ୱାମୀଙ୍କର କରୁଣାଲାଭର ଆଶା ତ୍ୟାଗ କରିଥିଲେ, ମୁଁ ସେହିପରି ତାଙ୍କର ଉଚ୍ଚ ଚରିତ୍ର ପ୍ରକଟ କରିବାରେ କୃତକାର୍ଯ୍ୟ ହେବାର ଆଶା ତ୍ୟାଗ କରିଅଛି । ତେବେ ରାମ ତପସ୍ୱିନୀ ସୀତାଙ୍କ ପରିବର୍ତ୍ତରେ ହୃଦୟ ଜ୍ୟୋସ୍ନାକୁ ମନୋହାରିଣୀ ମୂର୍ତ୍ତି କରି ଯଜ୍ଞ ସମାଧାନ କରିଥିଲେ । ବିଜ୍ଞ ପାଠକବୃନ୍ଦ, ଏଥିରେ ମୋର କୃତିତ୍ୱକୁ ଲକ୍ଷ୍ୟ ନକରି ନିଜ ନିଜର ହୃଦୟସ୍ଥଃ ସୀତାଙ୍କର ଉଜ୍ୱଳ, ନିର୍ମଳ ଓ ପବିତ୍ର ଚରିତ୍ରର ଚିତ୍ରିତ ସ୍ମୃତିପଟକୁ ଥରେ ଥରେ ଉଦ୍‍ଘାଟନ କରି ନାରୀ ହୃଦୟର ଉନ୍ନତି ବିଧାନ କରିବେ, ଏହିମାତ୍ର ଆଶା ।

 

ଉପସଂହାରରେ ବକ୍ତବ୍ୟ ଏହି ଯେ, ମୋର ପ୍ରିୟ ସୁହୃଦ ଶ୍ରୀଯୁକ୍ତ ବ୍ରଜମୋହନ ପଣ୍ଡା ଏହି ପୁସ୍ତକ ରଚନା ନିମନ୍ତେ ମୋତେ ଯେଉଁ ଓଜସ୍ୱୀ ଉତ୍ସାହ ଦେଇଅଛନ୍ତି, ତାହା ସର୍ବଥା ଅତୁଳନୀୟ । ମୁଁ ତହିଁ ନିମନ୍ତେ ତାଙ୍କଠାରେ ଗଭୀର କୃତଜ୍ଞତା ପ୍ରକାଶ କରୁଅଛି । ଇତି ।

 

ପଦ୍ମପୁର

ତା ୦୫/୧୦/୧୯୯୪

ବିନୀତ

ଶ୍ରୀ ଗଙ୍ଗାଧର ମେହେର

 

ଗଙ୍ଗାଧରଙ୍କ ମାନସକନ୍ୟା ‘‘ତପସ୍ୱିନୀ’’

କବି ଗଙ୍ଗାଧର ମେହେରଙ୍କର ସର୍ବଶ୍ରେଷ୍ଠ କୃତି ତପସ୍ୱିନୀ । ମାତ୍ର ଏହାର ଜନ୍ମଜାତକ ପରୀକ୍ଷା କଲେ କବିଙ୍କର ସାଧନାପୂତ ଜୀବନର ଇତିବୃତ୍ତ ସଂପର୍କରେ ଅନେକ ସୂଚନା ମିଳିଥାଏ । କବି ଥିଲେ ଅତ୍ୟନ୍ତ ଦରିଦ୍ର ପରିବାରର ସନ୍ତାନ । ତେଣୁ ଜୀବନରେ ଅନ୍ନଚିନ୍ତା ଥିଲା ପ୍ରଧାନ ତପସ୍ୟା । ଉଚ୍ଚ ଶିକ୍ଷାଲାଭ କରିବାପାଇଁ ସେ ଆଦୌ ସୁଯୋଗ ଲାଭ କରିପାରି ନଥିଲେ । ତେବେ ଏ ସବୁ ସତ୍ୱେ ତାଙ୍କର ମନୋରାଜ୍ୟରେ ଭବିଷ୍ୟତର ଅନାଗତ ତପସ୍ୱିନୀ ପାଇଁ ସତେ ଯେପରି ଏକ ପରିବେଶ ସୃଷ୍ଟି ହୋଇ ଯାଉଥିଲା ।

 

୧୮୭୫ ଖ୍ରୀଷ୍ଟାବ୍ଦରେ ବରଗଡ଼ ତହସିଲଦାରଙ୍କ ପ୍ରରୋଚନାରେ ଗଙ୍ଗାଧର ବରପାଲି ସ୍କୁଲରେ ଭର୍ତ୍ତି ହୋଇଥିଲେ । ଏହି କାଳର ଅନୁଭୂତି କବି ନିଜର ସଂକ୍ଷିପ୍ତ ଆତ୍ମଜୀବନୀରେ ଏହିପରି ଲେଖିଅଛନ୍ତି:-

 

ପ୍ରଥମେ ବ୍ରାଞ୍ଚ ସ୍କୁଲକୁ କିଛିଦିନ ନିୟମିତ ରୂପେ ଗଲି । ପରେ ମଧ୍ୟାହ୍ନ ସମୟରେ ପଡ଼ାରେ ବଳରାମ ଦାସଙ୍କ ରାମାୟଣ ପାଠ ହେଉଥିବାରୁ ତାହା ଶୁଣିବାର ଶ୍ରଦ୍ଧାରେ ଓ ଅବହେଳାରେ କିଛିଦିନ ଅନୁପସ୍ଥିତି ମଧ୍ୟ ହେଲି । କିନ୍ତୁ ପିତାଙ୍କର ପ୍ରେରଣାରେ ପୁନର୍ବାର ଉପସ୍ଥିତ ହେଲି । ବ୍ରାଞ୍ଚସ୍କୁଲ ଶିକ୍ଷକ ଆମ୍ଭମାନଙ୍କୁ ପଢ଼ାଉଥିବା ସମୟରେ ଆମ୍ଭମାନଙ୍କୁ ପାଠ ଘୋଷିବାକୁ କହି କେତେକ ଦିନ ‘‘ସୀତା ବନବାସ’’ (ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ବଙ୍ଗଳା ପୁସ୍ତକ, ଯାହା ବିଚ୍ଛନ୍ଦ ପଟ୍ଟନାୟକଙ୍କ ଦ୍ୱାରା ଓଡ଼ିଆରେ ଅନୁବାଦିତ ହୋଇଥିଲା) ପାଠ କରିଥିଲେ । ମୁଁ ତାହା ଶୁଣି ତହିଁରୁ ଅନେକ କଥା ବୁଝିପାରିଥିଲି ।’’----

(ଆତ୍ମଜୀବନୀ-ଗ୍ରନ୍ଥାବଳୀ)

 

ତେବେ ସୁଯୋଗକ୍ରମେ ଗଙ୍ଗାଧର କାଳିଦାସଙ୍କ ରଚିତ ରାମାୟଣ ଅବଲମ୍ବିତ କାବ୍ୟ ‘‘ରଘୁବଂଶ’’ ମଧ୍ୟ ପାଠ କରିଥିଲେ ବାଲ୍ୟଜୀବନରେ । ଓଡ଼ିଆ ରାମାୟଣ, ବିଦ୍ୟାସାଗରଙ୍କ ‘ସୀତା ବନବାସ’ ସହିତ ମହାକବି କାଳିଦାସଙ୍କର ମନୋଜ୍ଞ କାବ୍ୟରସ ପାଠ କରିବା ଫଳରେ ମେହେରଙ୍କ କବିପ୍ରାଣ ଉଲ୍ଲସିତ ହୋଇ ଉଠୁଥିଲା । ତାଙ୍କର ମାନସ-ହ୍ରଦରେ ସେତେବେଳେ ଯେଉଁ ତରଙ୍ଗ ସୃଷ୍ଟି ହୋଇଥିଲା, ତାହାର ବର୍ଣିଳ-ରୂପଚ୍ଛଟା ସତେଯେପରି ‘‘ତପସ୍ୱିନୀ’’ କାବ୍ୟରୂପେ ରୂପ ପରିଗ୍ରହ କଲା ।

 

‘‘ତପସ୍ୱିନୀ’’ର ଆଦ୍ୟ ଝଙ୍କାର

ସେ ହେଉଛି ୧୮୯୨ ଖ୍ରୀଷ୍ଟାବ୍ଦର କଥା । ଗଙ୍ଗାଧରଙ୍କ କବିପ୍ରାଣ ଉଲ୍ଲସି ଉଠିଲା । ସେ ସଂସ୍କୃତ ସାହିତ୍ୟ ଦ୍ୱାରା ପରିପୃଷ୍ଟ ହୋଇଥିଲେ । ତେଣୁ ସେହି ସାହିତ୍ୟର ଶାର୍ଦ୍ଦୁଳ ବିତ୍ରୀଡ଼ିତ ଛନ୍ଦରେ ‘‘ଅହଲ୍ୟାସ୍ତବ’’ ରଚନା କରିଥିଲେ । ଏଥିରେ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ମହତ୍ତ୍ୱ କୀର୍ତ୍ତିତ ହୋଇଥିଲା । ଭକ୍ତିପ୍ରାଣ କବି ଅହଲ୍ୟା ଉଦ୍ଧାରକର୍ତ୍ତା ରାମଚନ୍ଦ୍ରଙ୍କର ଗୁଣଗାନ କରିବାପାଇଁ ଆଗ୍ରହୀ ହୋଇଥିଲେ । ରାମଚନ୍ଦ୍ରଙ୍କର ଦୁଃଖପୂର୍ଣ୍ଣ ଜୀବନ କବିଙ୍କ ମନକୁ ବିଚଳିତ କରିଥିଲା । ବିଶେଷକରି ସୀତାଙ୍କ ଅପହରଣ ଯୋଗୁ ତାଙ୍କ ବିରହରେ ଯେଉଁ ମର୍ମନ୍ତୁଦ ଯାତନା ଅନୁଭବ କରିଥିଲେ ତାହା ଥିଲା କଳ୍ପନାତୀତ । ଏହି କଥାବସ୍ତୁ ଅବଲମ୍ୱନରେ ସେ ଲେଖିଳେ ‘‘ବିରହବ୍ୟଥିତ ରାମ’’ କବି ମେହେର ରାଧାନାଥଙ୍କ ଅଭିମତ ପାଇଁ ପ୍ରେରଣ କରିଥିଲେ ଏବଂ ୧୮୯୩ ସାଲ ଜାନୁଆରୀ ମାସ ୩୧ ତାରିଖରେ ରାଧାନାଥ ତାହାର ପ୍ରାପ୍ତି ସ୍ୱୀକାର କରିଥିଲେ । ମାତ୍ର ସଂସ୍କୃତର ଏହି ଛନ୍ଦ ଲୋକପ୍ରିୟ ହୋଇ ପାରିବ ନାହିଁ ବୋଲି ରାଧାନାଥ ସନ୍ଦେହ ପ୍ରକାଶ କରିଥିବାରୁ ପରେ କବି ଗଙ୍ଗାଧର ‘‘ଅହଲ୍ୟାସ୍ତବ’’ ଲେଖିଥିଲେ ବଙ୍ଗଳାଶ୍ରୀ ରାଗରେ । ସେହିପରି ‘ବିରହବ୍ୟଥିତ ରାମ’ ମଧ୍ୟ ଏହି କାଳରେ ଶାର୍ଦ୍ଦୁଳ ବିତ୍ରୀଡିତ ବୃତ୍ତରେ ଲିଖିତ ହୋଇଥିଲା । ଉଦାହରଣ ସ୍ୱରୂପ—

 

‘‘କେ ଆସି ପ୍ରିୟ            ପତ୍ନୀକି କପଟେ ମୋ

ଅଜ୍ଞାତେ ନେଇଗଲା,

ଆନନ୍ଦାଚଳେ ମୋ            ନିଦାରୁଣ ପଣେ

କୁଳିଶ ବର୍ଷା କଲା,

କାହାକୁ କହିବି            ମନୋଗତ କଥା

ମୋ ଦୁଃଖ କେ ବୁଝିବ

ଶାନ୍ତି ବାରିକି            ଶୋକତପ୍ତ ହୃଦରେ

ଆହ୍ଲାଦେ କେ ସିଞ୍ଚିବ ।

ହା ଶିରୀଷ             ସୁକୋମଲାଙ୍ଗି ! ନଳିନୀ—

ନେତ୍ରି ! ଧରାମଣ୍ଡନେ !

ହା ବିମ୍ୱାଧରି !            ହା ଚିକୁର ଶୋଭିନି !

ଦୁଃଖବଳୀ ଖଣ୍ଡନେ !

ହା ପ୍ରିୟେ ! ସ୍ମିତହାସିନି ! ସୁବଚନି !

ହା ପୂର୍ଣ୍ଣଚନ୍ଦ୍ରାନନେ ।

ବନ୍ଧୁ ତୋ ବିନୁ            ଶୋକସିନ୍ଧୁ ଜଳରେ

ଭାସିଲି ମୁଁ କାନନେ ।’’

 

ଉନବିଂଶ ଶତାବ୍ଦୀର ଶେଷ ଦଶକରେ ଯେଉଁ କବିତ୍ୱ-ବୀଜ ବିପିତ ହୋଇଥିଲା, ତାହା କିପରି ‘ତପସ୍ୱିନୀ’ର ବିଶାଳ ମହୀରୂହରେ ପରିରତ ହୋଇ ରାମ ହୃଦୟର ଉଚ୍ଛ୍ୱାସକୁ ଅତ୍ୟନ୍ତ ରସାଳ ଏବଂ ମାର୍ମିକ ଭାବରେ ରୂପାୟିତ କରିପାରିଥିଲା ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରେ, (ତପସ୍ୱିନୀ କାବ୍ୟ ୧୯୧୪ ସାଲରେ ପୁସ୍ତକ ଆକାରରେ ପ୍ରକାଶିତ ହୋଇଥିଲା ।) ତାହା ଏହି କାବ୍ୟର କେବଳ ରାମଙ୍କ ବିରହ-ବ୍ୟଥା ସଂପର୍କରେ କେତେକ ପଂକ୍ତି ଉଦାହରଣ ଦେଲେ ହୃଦୟଙ୍ଗମ ହୋଇପାରିବ ।

 

‘‘ନାହିଁ ସିନା ଘରେ            ହୃଦ-ପ୍ରେମ-ସରେ

ମୋ ପ୍ରିୟା-କମଳ-କଳି

ପଡ଼ିଅଛି ଫୁଟି,            ମକରନ୍ଦ ଲୁଟି

କରୁଅଛି ମନ-ଅଳି ।

ନୟନ ଯୁଗଳ            କାହିଁକି ବିକଳ

ହୋଇ ଛାଡ଼ୁଅଛ ଜଳ,

ଶୁଖିଗଲେ ସର            କମଳିନୀ ମୋର

ହୋଇଯିବ ଟଳ ଟଳ ।

ବକ୍ଷ ତୁ ପଥର            ବନ୍ଧ ହୋଇ କର

ରୁଦ୍ଧ ନେତ୍ର-ଜଳ-ନାଳୀ,

ନାସିକା ପବନ            ନ ବହିବୁ ଘନ

କମ୍ପିବ ପ୍ରାଣ ସଙ୍ଖାଳୀ ।’’

(ତପସ୍ୱିନୀ ତୃତୀୟ ସର୍ଗ)

 

ତପସ୍ୱିନୀର ପରିକଳ୍ପନା

ଗଙ୍ଗାଧର ୧୮୯୪-୧୯୦୪ ଖ୍ରୀଷ୍ଟାବ୍ଦ ମଧ୍ୟରେ ‘ମହିମା’ ଓ ‘କୀଚକବଧ’ ପ୍ରକାଶ କରିଥିଲେ । ଏ ଦୁଇଟି କାବ୍ୟ ଓଡ଼ିଶାର ରସିକ ପାଠକମଣ୍ଡଳୀ ନିକଟରେ କବିଙ୍କୁ ଚିହ୍ନାଇ ଦେଇଥିଲା । ବାସ୍ତବିକ ସେ କାଳର ସାହିତ୍ୟରଥୀଗଣ ସମ୍ୱଲପୁରର ଏହି ଦରିଦ୍ର ଅବହେଳିତ କବି ପୁରୁଷଙ୍କର ଭାବ-କଳ୍ପନା ସନ୍ଦର୍ଶନ କରି ଅତ୍ୟନ୍ତ ମୁଗ୍‍ଧ ହୋଇ ପଡ଼ିଥିଲେ ଏବଂ ଏହି ବ୍ୟକ୍ତିତ୍ୱ ଯେ ନିଜେ ଓଡ଼ିଆ ଭାଷା ଓ ସାହିତ୍ୟର ମୁଖ ଉଜ୍ୱଳ କରିବ ଏପରି ଆଶା ପୋଷଣ କରିବା ମଧ୍ୟ ସ୍ୱାଭାବିକ ହୋଇଥିଲା । ଜୀବନର ଉତ୍ତର କାଳରେ ଏହି ପ୍ରତିଭା ଯେ ବାସ୍ତବିକ ବିକଶିତ ହୋଇଥିଲା, ଏହା ତାଙ୍କର ସାହିତ୍ୟ ସୃଷ୍ଟି ପ୍ରମାଣିତ କରିଅଛି ।

 

୧୯୦୯ ସାଲ ପୂର୍ବରୁ କେହି କେହି ବନ୍ଧୁ କବିଙ୍କୁ ରାମାୟଣର ଅନୁବାଦ କରିବା ପାଇଁ ପ୍ରସ୍ତାବ କରିଥିଲେ । ସେମାନେ ମନେ କରିଥିଲେ, ଗଙ୍ଗାଧର ନିଜର ସ୍ୱଭାବସୁନ୍ଦର ଶୈଳୀ ମାଧ୍ୟମରେ ବହୁ ଜନପ୍ରିୟ ରାମାୟଣର ଅନୁବାଦ କଲେ ତାହା ପାଠକ କୁଳର ଅଧିକ ଶ୍ରେୟ ହୋଇପାରିବ । ମାତ୍ର ଗଙ୍ଗାଧର ଥିଲେ ବାସ୍ତବିକ ଚିହ୍ନରା ଗ୍ରାହକ । ସେ ରାମାୟଣ ମହାସାଗରରୁ ତପସ୍ୱିନୀ ହୀରା ସଂଗ୍ରହ କରିବାକୁ କ୍ଷମ ହୋଇଥିଲେ । ରାମାୟଣର ଉତ୍ତାଳ ତରଙ୍ଗ ବିକ୍ଷୁବ୍‍ଧ ରାଜ୍ୟରେ ସେ ଦିଗ୍‍ଭ୍ରାନ୍ତ ହୋଇ ଥାଆନ୍ତେ କାହିଁକି ?

 

୨୭-୧୨-୧୯୦୯ ଖ୍ରୀଷ୍ଟାବ୍ଦରେ ସେ ତାଙ୍କର ବନ୍ଧୁଙ୍କ ନିକଟକୁ ଯେଉଁ ପତ୍ର ଲେଖିଥିଲେ, ତହିଁରୁ କବିଙ୍କର କଳ୍ପନା ରାଜ୍ୟର ଆନ୍ଦୋଳନ ସମ୍ପର୍କରେ ସମ୍ୟକ ପରିଚୟ ମିଳିପାରିବ ।

 

‘‘ମୁଁ ନିଜର ଦୁରବସ୍ଥା, ମନଃପୀଡ଼ା ଓ ସୁବିଧାର ପ୍ରତିକୂଳତା ଯୋଗୁ କିଛି ଲେଖିପାରି ନାହିଁ-। ରାମାୟଣ ଅନୁବାଦ କରି ନାହିଁ କି କରୁନାହିଁ । ଫକୀରମୋହନ ବାବୁ ରାମାୟଣ ଅନୁବାଦ କରି ପ୍ରକାଶ କରି ସାରିଥିବାସ୍ଥଳେ ଆଉ ସେହି ଅନୁବାଦର ବିଶେଷ କିଛି ଫଳ ହେବ ବୋଲି ବୋଧ କରେନାହିଁ । ଶ୍ରୀକୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ଅନୁବାଦିତ ରାମାୟଣ ମଧ୍ୟ ଅତି ସୁନ୍ଦର ଅଟେ । ମହାଭାରତର କଥା ମଧ୍ୟ ତା ହିଁ । ତେବେ ଉକ୍ତ ଗ୍ରନ୍ଥ ଦ୍ୱୟର କୌଣସି ଉପାଖ୍ୟାନ ସୁନ୍ଦରତର କଲେ କିଛି ଫଳ ଲାଭ ହୋଇପାରେ ।’’

(ଗଙ୍ଗାଧର ପତ୍ରାବଳୀ – ଶିବପ୍ରସାଦ ଦାସ – ୧୯୫୫)

ଆଲୋଚ୍ୟ ଚିଠିରୁ ଗଙ୍ଗାଧରଙ୍କର ରସପାୟୀ ମନ କିପରି ଚିହ୍ନରା ଗ୍ରାହକ ରୂପରେ ଆତ୍ମପ୍ରତିଷ୍ଠା କରୁଥିଲା, ତାହାର ପ୍ରମାଣ ମିଳେ । ଏହି ଚିନ୍ତା ଓ ଚିନ୍ତନରୁ ପରବର୍ତ୍ତୀ କାଳରେ ବାସ୍ତବିକ ମହାଭାରତ ଓ ରାମାୟଣ କଥା ଅଧିକ ସୁନ୍ଦରତର ହୋଇ ପ୍ରଣୟବଲ୍ଲରୀ ଓ ତପସ୍ୱିନୀ ରୂପରେ ଆତ୍ମପ୍ରକାଶ କରିପାରିଥିଲା ।

 

ତପସ୍ୱିନୀର ଐଶ୍ୱର୍ଯ୍ୟ

କାବ୍ୟରେ କବିର ଜୀବନଦର୍ଶନ ପ୍ରତିଫଳିତ ହୁଏ । ତାହାହିଁ ଥିଲା ପ୍ରାଚୀନ କବିତାର ଆଦର୍ଶ । ତପସ୍ୱିନୀର କାବ୍ୟ-ପୀଠିକା ଆଲୋଚନା ପ୍ରସଙ୍ଗରେ କବି ଗଙ୍ଗାଧରଙ୍କର ଜାଗତିକ ମନୋଭାବକୁ ଉପେକ୍ଷା କରାଯାଇପାରିବ ନାହିଁ । କବି ଦରିଦ୍ରକୁଳରେ ଜନ୍ମଗ୍ରହଣ କରିଥିଲେ । ନାନା ଦୁଃଖ ଦୁର୍ଦିନ ମଧ୍ୟରେ ତାଙ୍କର ଜୀବନ ଅତିବାହିତ ହୋଇଥିଲା । ତଥାପି ସେ କେବେହେଲେ ଭୌତିକ ଐଶ୍ଚର୍ଯ୍ୟ ଓ ପ୍ରତିପତ୍ତିକୁ ବଡ଼ ମନେ କରି ନ ଥିଲେ । ଭାରତୀୟ ପ୍ରାଚୀନ ସଂସ୍କୃତିର ଉଜ୍ଜ୍ୱଳ ଆଦର୍ଶ ତାଙ୍କୁ ସର୍ବଦା ପ୍ରେରଣା ଯୋଗାଇ ଆସିଥିଲା । କଠୋର ତ୍ୟାଗପୂ ଶୃଙ୍ଖଳିତ ଜୀବନ ଏବଂ ନୈତିକ ଜୀବନର ମୂଲ୍ୟବୋଧ ମେହେର କବିଙ୍କ ପକ୍ଷରେ ଥିଲା ଅତ୍ୟନ୍ତ ମୂଲ୍ୟବାନ । ତେଣୁ ଥରେ ପ୍ରସଙ୍ଗକ୍ରମେ ନିଜ ମନୋଭାବ ବ୍ୟକ୍ତି କରି ସେ ୧୧-୧-୧୯୧୦ ଚିଠିରେ ଲେଖିଥିଲେ ।

‘‘...ଅର୍ଥ ବଡ଼ ନୁହେଁ, ଆଉ ବଡ଼ ଅଟେ । ଯେଉଁମାନଙ୍କର ଧନର ସମବ୍ୟବହାର ହେଉଅଛି ସେମାନେ ପ୍ରକୃତ ଧନୀ । ଦୈବଧନ ଓ ଅସୁର ଧନ – ଏପରି ଦୁଇ ପ୍ରକାର ଧନ ଅଛି । ଦୈବଧନରେ ସଂସାର କଲ୍ୟାଣ ସାଧିତ ହୁଏ । ଜଗତ ସେହି ଧନରେ ଆଶ୍ରିତ । ଆଉ ଅସୁର ଧନରେ ଲୋକର ଭୁରି ଭୁରି ଅନିଷ୍ଟ ହୁଏ । ତହିଁରେ ଜଗତ ଭୀତ । ଦୈବଧନର ଅଧିକାରୀକୁ ସଜ୍ଜନମାନେ ପୁଜା କରନ୍ତି ।’’

(ଗଙ୍ଗାଧର ପତ୍ରାବଳୀ—ଶିବପ୍ରସାଦ ଦାସ – ୧୯୫୫)

ଏହି ଚିଠି ଲେଖିବାର ଚାରିଟି ବର୍ଷ ପରେ ତପସ୍ୱିନୀ କାବ୍ୟ ପ୍ରକାଶିତ ହୋଇଥିଲା । କେଉଁ ପରିକଳ୍ପନା ହୃଦୟରେ ରଖି ତପସ୍ୱିନୀ କାବ୍ୟର କଙ୍କାଳ ନିର୍ମିତ ହୋଇଥିଲା, ସେଇ କଥାର ସୂଚନା ପ୍ରଦାନ କରି କବି ମୁଖବନ୍ଧରେ ଲେଖିଥିଲେ ଏହିପରି –

‘‘ପିତୃସତ୍ୟ ରକ୍ଷା ନିମନ୍ତେ ବନବାସୀ ହେବାରୁ ରାମଙ୍କର ଓ ସ୍ୱାମୀଙ୍କର ଅନୁଗାମିନୀ ହେବାର ସୀତାଙ୍କର ଯେଉଁ ମାହାତ୍ମ୍ୟ ପରିସ୍ଫୁଟ ହୋଇଥିଲା, ସୀତାଙ୍କର ନିର୍ବାସନରେ ତାହା ସୌରଭମୟ ହେଲା । ନିର୍ବାସନ କଷ୍ଟ ସହିବା ଦ୍ୱାରା ସୀତାଙ୍କର ପତିଭକ୍ତି ଯେପରି ତେଜୋମୟୀ ହୋଇଗଲା, ତାଙ୍କର ହିରଣ୍ମୟୀ ପ୍ରତିକୃତି ରଖି ଅଶ୍ୱମେଧ-ଯଜ୍ଞ ନିର୍ବାହ କରିବା ଦ୍ୱାରା ରାମଙ୍କର ପତ୍ନୀପ୍ରେମ ସେହିପରି ପ୍ରଦୀପ୍ତ ହୋଇଉଠିଲା । ଉପଯୁକ୍ତ ପତିଙ୍କର ଉପଯୁକ୍ତ ପତ୍ନୀ । ସୀତା ମିଥ୍ୟାପବାଦରେ ସ୍ୱାମୀକର୍ତ୍ତୃକ ପରିତ୍ୟକ୍ତା ହୋଇଥିଲେ ହେଁ ସ୍ୱାମୀଙ୍କର ହୃଦୟର ପ୍ରେମ ବୁଝିପାରିଥିଲେ । ସେ ନିର୍ବାସନକୁ ନିଜର ଭାଗ୍ୟଦୋଷ ବୋଲି ପତିଭକ୍ତିକୁ କିପରି ଦୃଢ଼ତର ଓ ଉଚ୍ଚତର କରିଥିଲେ – ବନବାସକୁ ପତି ହିତ ସାଧିନୀ ତପସ୍ୟାରେ ପରିଣତ କରି ତପସ୍ୱିନୀ ରୂପେ କିପରି ଦିନ ଯାପନ କରିଥିଲେ, ତାହା ପ୍ରକଟିତ କରିବା ଏହି ପୁସ୍ତକର ପ୍ରଧାନ ଉଦ୍ଦେଶ୍ୟ ।’’

ମହାମୁନି ବାଲ୍ମୀକି ସୀତାଙ୍କୁ ବର୍ଣ୍ଣନା କରି ଲେଖିଥିଲେ – ଧର୍ମପତ୍ନୀ ପ୍ରିୟା ନିତ୍ୟଂ ଭର୍ତ୍ତୁଃ ପ୍ରିୟହିତେ ରତା ।’’

ରାମଚନ୍ଦ୍ର ବନବାସ ଉଦ୍ଦେଶ୍ୟରେ ସୀତାଙ୍କ ମନ୍ଦିରରେ ପ୍ରବେଶ କରି ତାଙ୍କଠାରୁ ବିଦାୟ ମାଗିଲେ । ଏହି ସମୟରେ ସେ ଦୀର୍ଘ ଚଉଦ ବର୍ଷକାଳ ବ୍ରତ, ଉପବାସ, ଦେବପୂଜା ପ୍ରଭୃତି କରି ଆତ୍ମନିୟୋଗ କରିବେ, ଏ ସମ୍ପର୍କରେ ରାମଚନ୍ଦ୍ର ପରାମର୍ଶ ଦେଇଥିଲେ । ମାତ୍ର ଏହି ପ୍ରସ୍ତାବର ଉତ୍ତରରେ ସତୀ ସୀତା ତାଙ୍କୁ କହିଲେ ଯେ ଭାରତୀୟ ସଂସ୍କୃତି ଓ ସଭ୍ୟତାର ପରମ୍ପରାରେ ନାରୀ ନିଜ ସ୍ୱାମୀର କର୍ମଫଳ ଭୋଗ କରେ ବୋଲି ସେ ବିଶ୍ୱାସ କରନ୍ତି । ଏଣୁ ପତିଙ୍କ ସହିତ ବନବାସ ହିଁ ତାଙ୍କର ଏକମାତ୍ର ଧ୍ୟେୟ । ଏହି ଦୃଷ୍ଟିରୁ ବନବାସ କ୍ଲେଶକୁ ସୀତା ଅକାତରେ ସହ୍ୟ କରି ପାରିଥିଲେ ।

ତେବେ ଅଶୋକ ବନରେ ବନ୍ଦିନୀ ଅବସ୍ଥାରେ ସୀତା ଅତ୍ୟନ୍ତ ମର୍ମାହତ ହୋଇ ଏପରି କେତେକ ଭାବ ପ୍ରକାଶ କରିଥିଲେ, ଯାହା ତାହାଙ୍କୁ ସାଧାରଣ ମାନବୀ ସ୍ତରକୁ ଓହ୍ଲାଇ ଆଣିଛି । ଏକଦା ବିଳାପ କରୁ କରୁ ସୀତାଙ୍କ ମୁଖରେ ଏହିପରି ବାକ୍ୟ ରାମାୟଣକାର ମହର୍ଷି ବାଲ୍ମୀକି ଶୁଣାଇଛନ୍ତି –

ପିତୃର୍ନିର୍ଦେଶଂ ନିୟମେନ କୃତ୍ୱା

ବନାନ୍ନିବୃତଶ୍ଚରିତବ୍ରତଶ୍ଚ

ସ୍ତ୍ରୀଭିସ୍ତ ମନ୍ୟେ ବିପୁଳେ କ୍ଷଣାଭିଃ

ସଂରସ୍ୟାସେ ବୀତଭୟଃ କୃତାର୍ଥ । ଇତ୍ୟାଦି

 

ହେ ବୀର ରାମଚନ୍ଦ, ମୋର ମନେ ହେଉଛି, ପିତାଙ୍କ ଆଦେଶ ପାଳନ ପୂର୍ବକ ବନରୁ ଫେରିଯାଇ ତୁମେ ଅତ୍ୟନ୍ତ ସନ୍ତୋଷ ସହକାରେ ସୁନ୍ଦରୀ ରମଣୀମାନଙ୍କ ସହିତ କାମକ୍ରୀଡ଼ାରେ ରତ ରହିବ । ମୁଁ କେବଳ ଆପଣଙ୍କର ଅନୁରକ୍ତା । ମୋର ତପସ୍ୟା ଓ ବ୍ରତ ବୋଧହୁଏ ବିଫଳ ହୋଇଅଛି । ଏହି ଦୁଃଖେ ମୁଁ ଜୀବନ ହାରିଦେବି ।’’

 

ସେ ଯାହାହେଉ, ଏଠାରେ ବାଲ୍ମୀକିଙ୍କ ସୀତା ରାମଙ୍କ ପବିତ୍ର ଚରିତ୍ରରେ ସନ୍ଦେହ ଆରୋପ କରିଛନ୍ତି । ଅତୀବରେ ବନ ମଧ୍ୟରେ ଲକ୍ଷ୍ମଣଙ୍କୁ ମଧ୍ୟ ସେ ସନ୍ଦେହ କରିଥିଲେ । କାରଣ ସ୍ୱର୍ଣ୍ଣମୃଗ ଶିକାର କରିବା ପାଇଁ ରାମଚନ୍ଦ୍ର ବହିର୍ଗତ ହେଲା ପରେ ମାୟାବୀ ରାକ୍ଷସର ‘‘ଲକ୍ଷ୍ମଣ ରଖ’’ ଶବ୍ଦ ଶୁଣୀ ସୀତା ବିଚଳିତା ହୋଇପଡ଼ିଥିଲେ ଏବଂ ସେ ଲକ୍ଷ୍ମଣଙ୍କୁ ରାମଙ୍କ ସମୀପକୁ ଯିବାପାଇଁ ଅନୁରୋଧ କଲେ । ମାତ୍ର ଲକ୍ଷଣ ତାହା ରାମଙ୍କର ବାକ୍ୟ ନୁହେଁ ବୋଲି ଯେତେ ବୁଝାଇ କହିଲେ ମଧ୍ୟ ବିଚଳିତା ସୀତା ଇତରା ନାରୀଙ୍କ ପରି ଲକ୍ଷ୍ମଣଙ୍କୁ ଅତ୍ୟନ୍ତ ଅଭିଯୋଗ ବାକ୍ୟମାନ ଶୁଣାଇଥିଲେ ।

ବାଲ୍ମୀକି ଲେଖିଛନ୍ତି ଏହିପରି –

ତମୁବାଚ ତତ ସ୍ତତ୍ର କ୍ଷୁଭିତା ଜନକାତ୍ମଜା

ସୌମିତ୍ରେ ମିତ୍ରରୂପେଣ ଭ୍ରାତୃସ୍ତ୍ୱମସି ଶତ୍ରୁବତ୍‌ ।

 

ଲକ୍ଷ୍ମଣଙ୍କୁ ଅବିଚଳିତ ଦେଖି ସୀତା ଅତ୍ୟନ୍ତ କ୍ରୋଧ ପରବଶ ହୋଇ କହିଲେ ହେ ଲକ୍ଷ୍ମଣ-! ଏହି ପ୍ରକାର ବିପଦରେ ତୁମେ ବଡ଼ଭାଇଙ୍କର ସାହାଯ୍ୟ ପାଇଁ ଅଗ୍ରସର ହେଉନାହିଁ । ଏଥିରୁ ଜଣାଗଲା ତୁମେ ପ୍ରକାଶ୍ୟରେ ମିତ୍ରଭାବ ଅବଲମ୍ୱନ କରି ଗୋପନରେ ତାଙ୍କର ପରମ ଶତ୍ରୁତା ଆଚରଣ କରୁଅଛ । ବୋଧହୁଏ ମୋ ପ୍ରତି ଲୋଭପରବଶ ହୋଇ ତୁମେ ରାମକୁ ବିନାଶ କରିବାକୁ ଇଚ୍ଛା କରୁଛ ।

 

ପୂନର୍ବାର ସେ କହିଛନ୍ତି –

ଅନାର୍ଯ୍ୟ କରୁଣାରମ୍ଭ ନୃଶଂସ କୂଳପାଂସନ

ଅହଂ ତବ ପ୍ରିୟଂ ମନ୍ୟେ ରାମସ୍ୟ ବ୍ୟସନଂ ମହତ୍‌’’

 

ସୀତାଙ୍କୁ ଏକାକୀ ବନରେ ରଖି ଲକ୍ଷ୍ମଣ ଯିବେ ନାହିଁ ବୋଲି କହିବାରୁ ସୀତାଦେବୀ ଲକ୍ଷ୍ମଣକୁ ନିର୍ଦ୍ଦୟ, ଅନାର୍ଯ୍ୟ ବୋଲି ସଂବୋଧନ କରିଛନ୍ତି । ଏପରି ଅନୁକମ୍ପା ପ୍ରଦର୍ଶନ ମୂଳରେ ଯେ ଲକ୍ଷ୍ମଣଙ୍କର ନିଶ୍ଚୟ ଅସଦ୍‌ ଅଭିପ୍ରାୟ ନିହତ ଅଛି, ଏହାହିଁ ସୀତାଙ୍କର ଅଭିଯୋଗ । ତାଙ୍କପରି କଦର୍ଯ୍ୟ ଗୁପ୍ତ ଶତ୍ରୁ ମନରେ ଯେ ନିଶ୍ଚୟ ଅସଦ୍‌ ଅଭିପ୍ରାୟ ଲୁକ୍‌କାୟିତ ଥିବ ଏଥିରେ ବିଚିତ୍ରତା କଣ ଅଛି ।

 

ଲଙ୍କାଯୁଦ୍ଧର ଅବସାନ ପରେ ରାମ ଅସୁର ଓ ବାନରଗଣ, ସମସ୍ତଙ୍କ ସମ୍ୱନ୍ଧରେ ସୀତାଙ୍କ ଚରିତ୍ରରେ ସନ୍ଦେହ ପ୍ରକାଶ କରି ତାହାଙ୍କୁ ପରିତ୍ୟାଗ କରିଛନ୍ତି ବୋଲି କହିଲେ । କାରଣ ସେ ଏତେକାଳ ଅସୁର ଗୃହରେ ବନ୍ଦିନୀ ଥାଇ ଦୂଷିତା ହୋଇପଡ଼ିଥିବା ସ୍ୱାଭାବିକ । ଏଥିରେ ବାଲ୍ମୀକିଙ୍କ ସୀତା ଅତ୍ୟନ୍ତ ଲଜ୍ଜା ଓ କୋଧରେ ରାମଚନ୍ଦ୍ରଙ୍କୁ ଧିକ୍‌କାର କରିଛନ୍ତି –

 

କିଂ ମାନସଦୃଶଂ ଶ୍ରୋତ୍ରଦାରୁଣମ୍‌

ରକ୍ଷଂ ଶ୍ରାବୟସେ ବୀର ପ୍ରାକୃତଃ ପ୍ରକୃତାମିବ ।’’

 

ହେ ବୀର ରାମଚନ୍ଦ୍ର ! ନିମ୍ନ ଶ୍ରେଣୀର ନାରୀକୁ ଯେରୂପେ କହି ଥାଆନ୍ତି, ଆପଣ ମୋତେ ସେହିପରି କଠୋର, ଅନୁଚିତ ଓ ଶ୍ରୁତିକଟୂ ବାକ୍ୟ ଶୁଣାଉଛନ୍ତି । ମୁଁ ଶପଥ କରି କହିବି । ମୋ ଚିତ୍ତ ଆପଣଙ୍କ ପ୍ରତି ସ୍ଥିର ରହିଅଛି ।

 

ଯାହାହେଉ, ସେ ଲକ୍ଷ୍ମଣଙ୍କୁ ଉଦ୍ଦେଶ୍ୟ କରି କହିଛନ୍ତି ଯେ ସ୍ୱାମୀ ପରିତ୍ୟକ୍ତା ଓ ଅପବାଦଗ୍ରସ୍ତା ସୀତାର ଜୀବନରେ ରହିବାର ଆଉ କି ମୂଲ୍ୟ ଅଛି । ହେ ଲକ୍ଷ୍ମଣ । ତୁମେ ଅଗ୍ନି ପ୍ରସ୍ତୁତ କର । ତହିଁରେ ପ୍ରବେଶ କରି ମୋର କର୍ମଫଳ ଭୋଗ କରିବି ।

 

ରାମାୟଣର ଉପସଂହାର ଅତ୍ୟନ୍ତ ଦୁଃଖପ୍ରଦ । ଦୁଃଖିନୀ ସୀତା ଦୀର୍ଘ ବାରବର୍ଷ କାଳ ବାଲ୍ମୀକି ଆଶ୍ରମରେ ପତିପରିତ୍ୟକ୍ତା ହୋଇ ଜୀବନ ଯାପନ କାଳରେ ଅଶ୍ୱମେଧ ଯଜ୍ଞ ସ୍ଥଳରେ ବାଲ୍ମୀକି ମହର୍ଷି ତାଙ୍କର ସତୀତ୍ୱ ଏବଂ ନିଷ୍ପାପ ଜୀବନ ସଂପର୍କରେ ସାଧାରଣ ସଭାସ୍ଥଳରେ ବିବୃତି ଦେବାରୁ ମନେ ହେଉଥିଲା, ବୋଧହୁଏ ଏଣିକି ସୀତାଙ୍କର ଦୁଖାନ୍ଧକାର ଅପସରିଯିବ । ମାତ୍ର ସେଠାରେ ମଧ୍ୟ ରାମଚନ୍ଦ୍ର ପ୍ରଜାନୁରଞ୍ଜନ ଉଦ୍ଦେଶ୍ୟରେ ସୀତାଙ୍କର ସତୀତ୍ୱର ପରୀକ୍ଷା ମାଗିଲେ । ତେଣୁ ସେ ଦାରୁଣ ଅଭିମାନରେ ପୃଥିବୀ ଗର୍ଭରେ ଲୀନ ହୋଇଗଲେ ବୋଲି ରାମାୟଣ ଲିପିବଦ୍ଧ କରିଯାଇଅଛନ୍ତି ।

 

‘‘ଯଥାହଂ ରାଘବାଜନ୍ୟଂ ମାନସାପି ନ ଚିନ୍ତୟେ ।

ତଥା ମେ ମାଧବୀ ଦେବୀ ବିବରଂ ଦାତୁମର୍ହତି

ମନସା କର୍ମଣା ବାଚା ଯଥା ରାମଂ ସମଚ୍ଚୟେ

ତଥା ମେ ମାଧବୀ ବେଦୀ ବିବରଂ ଦାତୁମର୍ହତି

ଯଥୈତତ୍ସତ୍ୟମୁକ୍ତଂ ମେ ବେଦି ରାମାତ୍‌ ପରଂ ନ ଚ

ତଥା ମେ ମାଧବୀ ଦେବୀ ବିବରଂ ଦାତୁ ମର୍ହତି ।

 

ସୀତା କହିଛନ୍ତି – ରାମଚନ୍ଦ୍ରଙ୍କ ଭିନ୍ନ ଅନ୍ୟ କୌଣସି ପୁରୁଷକୁ ସ୍ୱପ୍ନରେ ସୁଦ୍ଧା ସ୍ଥାନ ଦେଇନାହିଁ । ମନରେ, ବଚନରେ, କର୍ମରେ କେବଳ ରାମଙ୍କର ଆରାଧନା କରିଆସିଛି । ରାମଚନ୍ଦ୍ରଙ୍କ ବିନା ଆଉ କାହାକୁ ଜାଣେ ନାହିଁ । ଯେବେ ଏହା ସତ୍ୟ, ତେବେ ହେ ପୃଥିବୀମାତା ମୋତେ କୋଳରେ ସ୍ଥାନ ଦିଅ ।

 

ରଘୁବଂଶରେ ସୀତାଙ୍କର ଆକ୍ଷେପ

ବାଚ୍ୟସ୍ତ୍ୱୟା ମଦ୍‌ବଚନାତ୍ସ ରାଜା ବହ୍ନୌ ବିଶୁଦ୍ଧାମପି ଯତ୍ସମକ୍ଷଣମ୍‌

ମାଂ ଲୋକବାଦ ଶ୍ରବଣାଦହାସୀଃ ଶ୍ରୁତସ୍ୟ କିଂ ତତ୍ସଦୃଶଂ କୁଳସ୍ୟ

(ରଘୁବଂଶ)

ଲକ୍ଷଣ ଅତ୍ୟନ୍ତ ଦୁଃଖପୂର୍ଣ୍ଣ ହୃଦୟରେ ସୀତାଙ୍କୁ ରାମଚନ୍ଦ୍ର ପରିତ୍ୟାଗ କରିଛନ୍ତି ବୋଲି ଜଣାଇଲେ । ଲୋକାପବାଦ ଭୟରେ ରାମଚନ୍ଦ୍ର ପତ୍ନୀଙ୍କୁ ବିସର୍ଜନ କରିଥିବାରୁ କାଳିଦାସଙ୍କର ସୀତା ପ୍ରବଳ ପ୍ରତିବାଦ କରିଛନ୍ତି । ସେ ଲକ୍ଷ୍ମଣଙ୍କୁ ଅନୁରୋଧ କରିଛନ୍ତି ରାମଚନ୍ଦ୍ରଙ୍କୁ ଏହି ବାର୍ତ୍ତା ଜଣାଇବା ପାଇଁ – ‘‘ରାମଚନ୍ଦ୍ର ଲଙ୍କାପୁରୀରେ ସୀତାଙ୍କୁ ଅଗ୍ନିରେ ପରୀକ୍ଷା କରିଥିଲେ । ଅଗ୍ନିସ୍ନାନ କରି ସୀତାଦେବୀ ନିଜର ବିଶୁଦ୍ଧତା ସଂପର୍କରେ ଦେବତା, ବାନର ଏବଂ ଅସୁରମାନଙ୍କର ଆଗରେ ରାମଚନ୍ଦ୍ରଙ୍କୁ ପ୍ରମାଣ ପ୍ରଦାନ କରିଥିଲେ । ଏ ସବୁ ସତ୍ୱେ ଜନ ଅପବାଦ ଭୟରେ ରାମଚନ୍ଦ୍ର ସୀତାଙ୍କୁ ପରିତ୍ୟାଗ କରିବା ଆଦୌ ସମୀଚୀନ ହୋଇନାହିଁ । ରାମଚନ୍ଦ୍ର ବିଖ୍ୟାତ ସୂର୍ଯ୍ୟବଂଶର ଦାୟାଦ୍‌ । ସେହି ବଂଶର ଅଧିକାରୀ ହୋଇ ଏପରି ଅନ୍ୟାୟ କର୍ମ କରିବା ଆଦୌ ବିଧିସଙ୍ଗତ ହୋଇନାହିଁ ।

 

ରାମାୟଣରେ ମଧ୍ୟ ସୀତା ରାମଚନ୍ଦ୍ରଙ୍କୁ ନୀଚଜାତିର ପୁରୁଷ ପରି ରୁକ୍ଷ ବଚନ କହୁଛନ୍ତି ବୋଲି ଅଭିଯୋଗ କରିଥିଲେ । ମାତ୍ର ଗଙ୍ଗାଧର ମେହେର ତପସ୍ୱିନୀରେ ସୀତାଙ୍କୁ ଅତ୍ୟନ୍ତ ମହନୀୟା ଏବଂ ଆଦର୍ଶସ୍ଥାନୀୟ ରମଣୀ ଭାବରେ ଚିତ୍ରଣ କରିଛନ୍ତି ।

 

ତପସ୍ୱିନୀରେ ସୀତାଙ୍କର ଆଦର୍ଶ

ସମଗ୍ର ବାଲ୍ମୀକି ରାମାୟଣ ଏକ ଦୁଃଖାତ୍ମକ କାବ୍ୟ । ଏଥିରେ ରାମଚନ୍ଦ୍ର ବେଳେ ବେଳେ ଦୁଃଖର ଭାରରେ ବିଚଳିତ ହୋଇ ଭାଗ୍ୟବାଦୀ ହୋଇ ପଡ଼ିଛନ୍ତି । ରାମାୟଣର ପ୍ରାୟ ପ୍ରତ୍ୟେକଟି ଚରିତ୍ର ଏଥିରୁ ମୁକ୍ତ ହୋଇ ପାରିନାହାନ୍ତି । କିନ୍ତୁ ତପସ୍ୱିନୀର ସୀତା ଏଥିରେ ସଂପୂର୍ଣ୍ଣ ବ୍ୟତିକ୍ରମ କହିଳେ ଅତ୍ୟୁକ୍ତି ହେବ ନାହିଁ । ସେ ଧୀରଚିତ୍ତରେ ନିଜ ଜୀବନର ଦୁଃରାଶିର ସମ୍ମୁଖୀନ ହୋଇଛନ୍ତି-। ଏଥିପାଇଁ ଗଭୀର ଆତ୍ମସମୀକ୍ଷା କରି ନିଜର କ୍ରିୟାକଳାପର ହିସାବନିକାଶ କରିଛନ୍ତି-। ସେଠାରେ ଅନ୍ୟକୁ ଅଭିଯୋଗ କରି ସେ ଚାରିତ୍ରିକ ଦୁର୍ବଳତା ଅଥବା ଚିତ୍ତ-ଚଞ୍ଚଳତା ପ୍ରକାଶ କରି ନାହାନ୍ତି ବରଂ ଅନୁତାପ-ଅଗ୍ନିରେ ବାରମ୍ୱାର ନିଜକୁ ପରଖ କରିଛନ୍ତି ।

 

ସେଥିପାଇଁ ଆଶ୍ରମରେ ସଖୀ ଆଗରେ ନିଜର ଜୀବନର କାହାଣୀ ବର୍ଣ୍ଣନା କଲାବେଳେ ସୀତା ଘୋଷଣା କରିଛନ୍ତି –

 

‘‘ବୋଇଲେ ସତୀ, ସଖି, ମୋ’ ଦୁର୍ବିପାକ

ଘଟାଇଅଛି ଏକା ମୋ’ ଦୁଃଖଯାକ;

ମୋ କର୍ମ ପାଇଁ ଦୋଷୀ ନୁହନ୍ତି ବିଧି,

କାନ୍ତ ତ ସ୍ୱଭାବେ ମୋ କରୁଣାନିଧି ଗୋ ।’’

 

ମେହେରୀୟ ସୀତାଙ୍କ ଦୃଷ୍ଟିରେ ରାମଚନ୍ଦ୍ର କରୁଣାର ଅବତାର । ସେ କେବେହେଲେ କାହାରି ପ୍ରତି ଅବିଚାର କରିବା ସମ୍ଭବ ନୁହେ । ପରିତ୍ୟକ୍ତା ଜୀବନର ଦୁଃଖରେ ସୀତା ଜର୍ଜରିତା ହେଉଥିଲେ ହେଁ ଆଦୌ ବିଧି-ନିନ୍ଦା କରିନାହାନ୍ତି । ବରଂ ଏଥିପାଇଁ ସେ ନିଜର କର୍ମକୁ ଦାୟୀ କରିଛନ୍ତି । ପ୍ରିୟସଖୀ ଆଶ୍ଚର୍ଯ୍ୟ ହୋଇ ମତାମତ ଦେଇଛି –

 

‘‘ତୋ ପରି ସାଧ୍ୱୀ ପାଇ ଦାରୁଣ ବ୍ୟଥା

ନ ନିନ୍ଦୁ ବିଧି, ଏ ତ ବିଚିତ୍ର କଥା ଗୋ ।’’

 

ସୀତା ସତୀକୁଳର ଅଗ୍ରଗଣ୍ୟା ମହାନୀୟା ନାରୀ । ସେ ନିଜେ ଆଶ୍ଚର୍ଯ୍ୟ ହୋଇଛନ୍ତି ଯେତେବେଳେ ରାବଣ ତାଙ୍କୁ ଅପହରଣ କରିନେଲା, ରାମଙ୍କର ଆବର୍ତ୍ତମାନରେ ସେ ଦେହ ଧାରଣ କରି ବଞ୍ଚିଲେ କିପରି ? ଏହି ପାପର ଦୁଃଖ ସେ ଭୋଗ କରୁନାହାନ୍ତି କି ? ସତୀ ସୀତା ସର୍ବଦା ରାମଗତପ୍ରାଣା ଥିଲେ । ଆଜୀବନ ତାଙ୍କର ଏହି ନିଷ୍ଠା ଚିରଜାଗ୍ରତ ଥିଲା । ତେଣୁ ସେ ସ୍ମରଣ କରିଛନ୍ତି –

 

‘‘ଯାବତ ଜୀବନେ ମୋ ଥିବ ସ୍ମରଣ

କୌଶଲ୍ୟାସୁତ ଏକା ମୋର ସ୍ମରଣ ।’’

 

ଭାରତୀୟ ସଂସ୍କୃତିରେ ସତୀ ସ୍ତ୍ରୀ ପକ୍ଷରେ ପତିଆନୁଗତ୍ୟ ଓ ବିଶ୍ୱାସ ପ୍ରଣୟ ରାଜ୍ୟରେ ସର୍ବଶ୍ରେଷ୍ଠ ସାଧିକା ।

 

ସୀତା ଏଠାରେ ଶକ୍ତିରୂପିଣୀ ଦୁର୍ଗା । ସେ ସାଧାରଣ ଦୁର୍ବଳା ନାରୀପରି ବିଚଳିତା ହୋଇ ନାହାନ୍ତି କିମ୍ବା ଅଭିଯୋଗ କରିନାହାନ୍ତି । ସୂର୍ଯ୍ୟବଂଶର ଯୋଗ୍ୟ ଦାୟାଦ୍‌ ରୂପେ କୀର୍ତ୍ତି ପ୍ରତିଷ୍ଠା କରିଛନ୍ତି ବୋଲି ସେ ରାମଙ୍କୁ ସ୍ମରଣ କରି ଗର୍ବିତା ହୋଇଛନ୍ତି । ତେଣୁ ନିର୍ବାସୀତା ସୀତା ଜଗତ ସମକ୍ଷରେ ବୁଝାଇଛନ୍ତି –

 

‘‘କୀର୍ତ୍ତି ଅନୁରୋଧେ ସିନା କଲ ମୋତେ ତ୍ୟାଗ

ଏ ତୁମ୍ଭର ଉପଯୁକ୍ତ କର୍ମ ମହାଭାଗ ।’’

 

ବରଂ ରାମଚନ୍ଦ୍ରଙ୍କ ସହଧର୍ମିଣୀ ଭାବରେ ସେ ତାଙ୍କର ବହୁ ଦୁଃଖର କାରଣ ହୋଇଥିବାରୁ ବିଚଳିତା ହୋଇଛନ୍ତି । ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଅକଳଙ୍କ ହେଳେହେଁ ତାଙ୍କର କୀର୍ତ୍ତିରୂପକ ପତାକାରେ ସୀତାଙ୍କର କଳଙ୍କିତ ଜୀବନର ଚିତ୍ର ଲିପିବଦ୍ଧ ହୋଇଯିବାର ଆଶଙ୍କା ପୋଷଣ କରି ସେ ନିଜକୁ ଧିକ୍‌କାର କରିଛନ୍ତି । ବନ୍ଦନୀୟା ସୀତାଙ୍କର ସ୍ୱାମୀ ଅନୁରକ୍ତି ବାସ୍ତବିକ ଅନନ୍ୟ ସାଧାରଣ । ସେ ନିଜର ଅପବାଦ ବିଷୟରେ ଆଦୌ କ୍ଷୁବ୍‌ଧା ହୋଇନାହାନ୍ତି । ଅଗ୍ନିପରୀକ୍ଷା ଦ୍ୱାରା ନିଜର ସତୀତ୍ୱର ପରାକାଷ୍ଠା ପ୍ରଦର୍ଶିତ ହୋଇଛି ବୋଲି ସେ ସର୍ବଦା ସଚେତନ । ବରଂ ସ୍ୱାମୀଙ୍କ ପାଇଁ ସେ ଯେ କୌଣସି ପ୍ରକାର ଦୁଃଖ ବରଣ କରିବେ ବୋଲି ପ୍ରତିଶ୍ରୂତା ହୋଇଛନ୍ତି । ତାଙ୍କର କାମନା ଏହିପରି –

 

‘‘ମୁଁ କି ଛାର, ହେଉ ତୁମ୍ଭ ପ୍ରକୃତି–ରଞ୍ଜନ

ମୁଁ ମରେ, ତୁମ୍ଭର ହେଉ କଳଙ୍କ-ଭଞ୍ଜନ ।’’

 

ସୀତା ଜାଣନ୍ତି ଯେ ରାମଚନ୍ଦ୍ର ତାଙ୍କର ଅବର୍ତ୍ତମାନରେ ଅତ୍ୟନ୍ତ ଦୁଃଖ ଅନୁଭବ କରୁଥିବେ-। କର୍ତ୍ତବ୍ୟର ଅନୁରୋଧରେ ସୀତାଙ୍କୁ ପରିତ୍ୟାଗ କଲେ ହେଁ ସେ ବାରମ୍ୱାର ବିବେକ ଦଂଶନ ଦୁଃଖରେ ବିଚଳିତ ହୋଇପଡ଼ୁଥିବେ । ରାମଙ୍କର ସେହି ଦୁଃଖାନୁଭୂତି ‘‘ଉତ୍ତର ରାମଚରିତରେ’’ରେ ସାର୍ଥକ ଭାବରେ ବର୍ଣ୍ଣିତ ହୋଇଅଛି ।

 

‘‘ଶୋକେ ବିଦଳିତ ହୃଦୟ ଯାଉନାହିଁ ତ ଫାଟି’’

ମୋହେ ବାରମ୍ବାର ପୀଡ଼ିତ ସଂଜ୍ଞା ନ ଯାଏ ତୁଟି ।

ଅନ୍ତର୍ଦାହେ ସଦା ସନ୍ତପ୍ତ ଭସ୍ମ ନୋହିଲା ତନୁ

ମର୍ମ କରତୁଛି ଦଇବ ମାରୁନାହିଁ ଜୀବନୁ ।’’

(ଅନୁବାଦ – ମଧୁସୂଦନ ରାଓ)

ତେଣୁ ମେହେରଙ୍କର ସୀତା ରାମଙ୍କୁ କାତର ଭାବରେ ଅନୁରୋଧ କରିଛନ୍ତି ତାଙ୍କୁ ସଂପୂର୍ଣ୍ଣ ଭୁଲିଯିବା ପାଇଁ । ରାମଙ୍କର ଦୁଃଖ ତାଙ୍କ ପକ୍ଷରେ ଏକାନ୍ତ ଅସହ୍ୟ ।

 

ମୂଳ ରାମାୟଣ ଓ ଅତୀତର ରାମାୟଣ-କଥା ଗୁଡ଼ିକରେ ସୀତା ରାମଚନ୍ଦ୍ରଙ୍କୁ ଧିକ୍‌କାର କରିବାବେଳେ ଗଙ୍ଗାଧର ସୀତାଙ୍କୁ କରିଛନ୍ତି ସହନଶୀଳତା ଓ ଉଦାରତାର ଅପୂର୍ବ ଦେବୀମୂର୍ତ୍ତି । ବରଂ ତାଙ୍କ ଦୃଷ୍ଟିରେ ରାମଚନ୍ଦ୍ର ଅମୃତର ଝରଣା । ସୀତା ଅପବାଦ ସଂବାଦ ଶ୍ରବଣ କଲେ ହେଁ ଏବଂ ସେଥିପାଇଁ ହୃଦୟରେ ଅମାପ ଅଶାନ୍ତି ଭୋଗ କଲେ ହେଁ ସେ ସୀତାଙ୍କ ପ୍ରତି ଆଦୌ କଠୋର କାବ୍ୟ ପ୍ରୟୋଗ କରିନାହାନ୍ତି । ବରଂ ମଧୁମୟୀ ଭାଷା ଶୁଣାଇ ସେ ସୀତାଙ୍କୁ ବିଦାୟ ପ୍ରଦାନ କରିଛନ୍ତି । ମନୁଷ୍ୟ ହେଉଛି ଅବସ୍ଥାର ଦାସ ଏବଂ ସର୍ବଦା କର୍ମଫଳ ଭୋଗ କରିବାକୁ ବାଧ୍ୟ-। ସୀତା ଏହି ଦର୍ଶନରେ ସର୍ବଦା ବିଶ୍ୱାସ କରିଆସିଛନ୍ତି । ତେଣୁ ଭାଗ୍ୟକୁ ନିନ୍ଦା ନ କରି ସେ କହିଛନ୍ତି –

 

‘‘ ମୋ ଅର୍ଜିତ ପାପ ମୋର ଦୁଃଖର କାରଣ

ସେହି ପାପ ଏବେ ମୋର ହେଉଛି ସ୍ମରଣ ।’’

 

କାରଣ ସ୍ନେହର ଦୁର୍ବଳତା ବଶତଃ ସେ ସେ ରାମଚନ୍ଦ୍ରଙ୍କ ପରି ଅଲୌକିକ ବ୍ୟକ୍ତିତ୍ୱ ପୁରୁଷୋତ୍ତମଙ୍କୁ ସାଧାରଣ ମାନବ ବୋଲି ବିଚାରିବା ଏକ ଗର୍ହିତ ଅପରାଧ । ସ୍ୱର୍ଣ୍ଣମୃଗରୂପୀ ଅସୁର ଯେ ତାଙ୍କର କିଛି କ୍ଷତି ସାଧନ କରିନପାରେ, ଏକଥା ସୀତା ଭାବିପାରିଲେ ନାହିଁ । ପୁନଶ୍ଚ ଅକଳଙ୍କ ଲକ୍ଷ୍ମଣଙ୍କୁ ନିନ୍ଦିତ କରିବାର ପ୍ରତିଫଳ ଭୋଗ କରୁଛନ୍ତି ବୋଲି ସେ ସ୍ୱୀକାର କରୁଛନ୍ତି । ତେଣୁ ସୀତା କହିଛନ୍ତି –

 

‘‘ଦୋଷହୀନ ଲକ୍ଷ୍ମଣଙ୍କୁ, ଯେଉଁ ତିରସ୍କାର

ଦେଇଥିଲି, ପାଇଲି ତା’ ଯୋଗ୍ୟ ପୁରସ୍କାର ।’’

 

କେବଳ ସେତିକି ନୁହେଁ, ଲଙ୍କାପୁରୀରେ ଅଶୋକ ବନରେ ବନ୍ଦିନୀ ସୀତାଙ୍କୁ ପ୍ରହସ୍ତ ଅସୁର ମାୟା ପ୍ରଦର୍ଶନ ପୂର୍ବକ ରାମଙ୍କର ଛନ୍ନଶିର ପ୍ରଦର୍ଶନ କରିଥିଲା । ସେଥିରେ ସୀତା ବିଚଳିତ ହୋଇ କ୍ରନ୍ଦନ କରିଥିଲେ । ସାମାନ୍ୟ ଅସୁର ଯେ ରାମଙ୍କର କିଛି କ୍ଷତି କରିପାରିବ ନାହିଁ, ସୀତା ଏକଥା ସେହି ଦୁର୍ବଳ ମୁହୂର୍ତ୍ତରେ ହୃଦୟଙ୍ଗମ କରିପାରିଲେ ନାହି । ସେଥିପାଇଁ ଅବା ସୀତାଙ୍କର ନିର୍ବାସନ ଦୁଃଖ ହେଲା କି ?

 

‘‘ସ୍ୱାମୀଙ୍କର ଛିନ୍ନ ଶିର ବୋଲି ମୁଁ ଅଧୀରେ

କାନ୍ଦିଲି ବିକଳ ପ୍ରାଣେ ଭାସି ନେତ୍ରନୀରେ

 

ସେ ଶିର ଅନାଇ ଯାହା ନ ମଲି ବହନ

ସେହି ପାପେ ହେଲି ଏବେ ଜୀବନ୍ତ ଦହନ ।’’

 

କେବଳ ସେତିକି ନୁହେ, ସତୀ ସ୍ତ୍ରୀ ପକ୍ଷରେ ସ୍ୱାମୀ ହେଉଛି ସ୍ୱର୍ଗ, ସମସ୍ତ ସୁଖର ମୂଳାଧାର । ଅଥତ ସୀତା ଆଶ୍ରମ-ଦର୍ଶନ ସୁଖ ଅଭିଳାଷ କବି ରାମଚନ୍ଦ୍ରଙ୍କର ଅନୁମତି ପ୍ରାର୍ଥନା କରିଥିଲେ । ସେହି ଦୋଷରୁ ବୋଧହୁଏ ତାଙ୍କୁ ପରିତ୍ୟକ୍ତାର ଦୁଃଖମୟ ଜୀବନ ଯାପନ କରିବାକୁ ହୋଇଥିଲା । ତେବେ ସୀତା ଯେଉଁଠାରେ ଅବସ୍ଥାନ କରନ୍ତୁ ନା କାହିଁକି, ରାମଙ୍କ ସ୍ୱାର୍ଥପାଇଁ ସେ ଚରମ ତ୍ୟାଗ ସ୍ୱୀକାର କରିବାକୁ ପ୍ରସ୍ତୁତ । ସେ ତାଙ୍କର ଉପଯୁକ୍ତ ସହକର୍ମିଣୀ ଏବଂ ସହଧର୍ମିଣୀ ହେବାକୁ ଇଚ୍ଛା କରିଛନ୍ତି । ସୀତାଙ୍କୁ ପରିତ୍ୟାଗ କରିବା ଫଳରେ ଯଦି ପ୍ରଜାରଞ୍ଜନ ଆଦର୍ଶ ନରପତି ରାମଚନ୍ଦ୍ରଙ୍କର ବ୍ରତ ରକ୍ଷା ହୁଏ, ତାହା ହେବ ସୀତାଙ୍କର ସର୍ବଶ୍ରେଷ୍ଠ ଆନନ୍ଦ ।

 

ସୀତା ଥିଲେ ଧର୍ମପରାୟଣା, ସତ୍ୟପଥରେ ନ୍ୟାୟ-ନିଷ୍ଠ ସାଧିକା । ସତୀତ୍ୱ ଆଲୋକର ଉଜ୍ୱଳ ମହିମାରେ ସେ ଉଦ୍ଭାସିତ । ପୂଣ୍ୟ ଆଚରଣ ଏବଂ ନିଷ୍ଠାପର ଜୀବନ ଥିଲା ତାଙ୍କର ଭାବୀ ତପସ୍ୟା । ତେଣୁ ରାମଚନ୍ଦ୍ର ସୀତାଙ୍କର ମହତ୍ତ୍ୱ କୀର୍ତ୍ତନ କରି କହିଥିଲେ ଅଯୋଧ୍ୟାର ରାଜଲକ୍ଷ୍ମୀ ସୀତାଙ୍କର ପଦବନ୍ଦନା କରି ଧନ୍ୟା ହେବ ।

 

‘‘ସେ ବୋଇଲେ, ‘ସ୍ୱାଭାବିକ ହେଲେ ହେଁ ସେ କଥା

ସୀତା ପଦେ ନତ ହୁଏ ରାଜଲକ୍ଷ୍ମୀ ମଥା ।’’

 

ପର୍ବତ ପ୍ରମାଣେ ତୂଳା ଥିଲେ ହେଁ ସାମାନ୍ୟ ପୁଣ୍ୟଅଗ୍ନିରେ ତାହା ଭସ୍ମୀଭୂତ ହୋଇଯାଏ-। ତେଣୁ ସୀତାଦେବୀ ଅଗ୍ନିପ୍ରବେଶକୁ ଆଦୌ ଭୟ କରି ନ ଥିଲେ । ଅଗ୍ନିସ୍ନାନ ପାଇଁ ତାଙ୍କର ଆଦୌ କୁଣ୍ଠିତ ଭାବ ପ୍ରକାଶିତ ହୋଇନାହିଁ ।

 

ବାଲ୍ମୀକି ଅଗ୍ନପ୍ରବେଶ କାଳରେ ସୀତା ଏହିପରି ପ୍ରାର୍ଥନା କରୁଥିବା ଜଣାଇଛନ୍ତି –

 

‘‘ଯଥା ମେ ହୃଦୟଂ ନିତ୍ୟଂ ନାପସର୍ପତି ରାଘବାତ୍‌

ତଥା ଲୋକସ୍ୟ ସାକ୍ଷୀ ମାଂ ସର୍ବତଃ ପାତୁ ପାବକଃ ।’’ ଇତ୍ୟାଦି

 

ସୀତାଙ୍କର ପ୍ରାର୍ଥନା ହେଲା – ମୋର ମନ ଯଦି କେବେହେଲେ ରାଘବଙ୍କଠାରୁ ବିଚଳିତ ହୋଇନାହିଁ, ତେବେ ହେ ଲୋକସାକ୍ଷୀ ଅଗ୍ନିଦେବ, ମୋତେ ସର୍ବୋତଭାବରେ ରକ୍ଷାକର । ମୋର ଚରିତ୍ର ଯଥାର୍ଥ ବିଶୁଦ୍ଧ ସତ୍ୱେ ପ୍ରଭୁ ରାମଚନ୍ଦ୍ର ମୋତେ ଯଦି ସନ୍ଦେହ କରନ୍ତି, ତେବେ ସକଳ ପାପପୂଣ୍ୟର ସାକ୍ଷୀ ଅଗ୍ନିଦେବ ମୋତେ ରକ୍ଷାକର । କାୟମନୋବାକ୍ୟରେ ରଘୁନନ୍ଦଙ୍କ ବ୍ୟତୀତ ଅନ୍ୟ କାହାକୁ ଚିନ୍ତା କରିନାହିଁ । ତେଣୁ ହେ ଅଗ୍ନିଦେବ, ମୋତେ ରକ୍ଷାକର । ସମସ୍ତ ଦିଗ୍‌ପାଳ, ସୂର୍ଯ୍ୟ ଚନ୍ଦ୍ର ଇତ୍ୟାଦି ଯଦି ମୋତେ ପତିବ୍ରତା ବୋଲି ଜାଣନ୍ତି, ତେବେ ହେ ଅଗ୍ନିଦେବ, ମୋତେ ରକ୍ଷାକର ।

 

କିନ୍ତୁ ‘ତପସ୍ୱିନୀ’ କାବ୍ୟରେ ସୀତା ନିଜର ତନୁ ବଞ୍ଚାଇବା ପାଇଁ ଆଦୌ ବ୍ୟାକୁଳ ହୋଇନାହାନ୍ତି । ସେ ଆଜୀବନ ଧର୍ମ ଓ ସତ୍ୟ ପଥରେ ପଥିକା । ସେହି ଲକ୍ଷ୍ୟରେ ଅଟଳ ଥାଇ ଯଦି ତାଙ୍କର ଦେହର ଅବସାନ ହୋଇଯାଏ ଚିରକାଳ ପାଇଁ, ତେବେ ସେ ନିଜକୁ ଧନ୍ୟା ମନେ କରିବେ । ସେ ଅନୁଭବ କରୁଥିଲେ ଯେ ସତ୍ୟ ଓ ଧର୍ମର ଅନୁରୋଧରେ ନିଜର ଏହି ମାଟିର ଦେହକୁ ହସି ହସି ଅଗ୍ନିଗର୍ଭରେ ଆହୁତି ଦେଇ ପାରିଲେ ସେ ପରମପୁରୁଷ ଶ୍ରୀରାମଚନ୍ଦ୍ରଙ୍କର ଅଙ୍ଗରେ ଲୀନ ହୋଇଯିବେ, ତାଙ୍କର ଅପାର କରୁଣାର ଅଧିକାରିଣୀ ହୋଇପାରିବେ । କାରଣ ରାମଙ୍କର ପାଦସ୍ପର୍ଶ କରିବା ପାଇଁ ଯଦି ସେ ଯୋଗ୍ୟା ହେଲେ ନାହିଁ, ତେବେ ବଞ୍ଚିରହିବା ନିରର୍ଥକ-। ସତୀ ନାରୀର ପତିସେବା ହେଉଛି ପରମ ସାଧନା । ଯଦି ସେ ସୌଭାଗ୍ୟ ନ ମିଳିଲା, ତେବେ ବରଂ ରାମଙ୍କୁ ଦର୍ଶନ କରି ଅଗ୍ନିଗର୍ଭରେ ଝାସ ଦେଲେ ତାଙ୍କର ଜୀବନ ସାର୍ଥକ ହୋଇଯିବ-। ସୀତାଙ୍କର ଏ ଆତ୍ମତ୍ୟାଗର ତୁଳନା ନାହିଁ ।

 

‘‘ଦହିବି ଦେହ ଚାହିଁ ଚାହିଁ ଶ୍ରୀମୁଖ

ଏଥୁଁ ଅଧିକ ମୋର କି ଅଛି ସୁଖ ?

ଦଗ୍‌ଧ ହେଲେ ଦେହ, ଅବଶ୍ୟ ପ୍ରାଣ

ପ୍ରଭୂ ଶ୍ରୀଅଙ୍ଗେ ଯାଇ ପାଇବ ସ୍ଥାନ ଗୋ ।’’

 

ଅବଶ୍ୟ ସୀତା ଦୁଃଖବାଦିନୀ ନୁହଁନ୍ତି । ହା ହୁତାଶ ଓ ଅବିଶ୍ୱାସରେ ସେ ଭାଙ୍ଗିପଡ଼ି ନାହାନ୍ତି । ତାଙ୍କର ହୃଦୟକୁ କୌଣସି ପ୍ରକାର ଗ୍ଲାନି ସ୍ପର୍ଶ କରି ନାହିଁ । ସାରା ଜଗତ ଯଦି ବି ତାଙ୍କୁ ଅବିଶ୍ୱାସ କରେ, ସେ ଜାଣନ୍ତି ଯେ ପ୍ରଭୂ ରାମଚନ୍ଦ୍ର ହିଁ ତାଙ୍କର ଏକମାତ୍ର ତପସ୍ୟା । ଏହି ତପସ୍ୟାରେ ଦେହ ଧ୍ୱଂସ ହେଲେ ଯେତିକି ଲାଭ, ରକ୍ଷା ହେଲେ ମଧ୍ୟ ସେତିକି ଲାଭ । ତେଣୁ ଧର୍ମରେ ଅସ୍ଥା ସ୍ଥାପନ କରି ସେ କାମନା କରିଛନ୍ତି –

 

‘‘ଧରମ ବେଳେ ଯେବେ ରହିବ ଦେହ

ଲଭିବି ପ୍ରଭୁଙ୍କର ଦ୍ୱିଗୁଣ ସ୍ନେହ ।’’

 

ମେହେର କବି ସର୍ବତ୍ର ଧର୍ମର ଜୟଜୟକାର ଘୋଷଣା କରିଛନ୍ତି । ସୀତାଦେବୀଙ୍କର ଐକାନ୍ତିକ କାମନା, ଯଦି ବାସ୍ତବିକ ଲଙ୍କାପୁରୀରେ ତାଙ୍କର ମନ ତିଳେମାତ୍ର କଳୁଷିତ ହୋଇଥାଏ, ଯଦି ରାମଚନ୍ଦ୍ରଙ୍କ ବିନା ସେ ମୁହୂର୍ତ୍ତକ ପାଇଁ ଆଉ କାହାକୁ ହୃଦୟରେ ସ୍ଥାନ ଦେଇଥାଆନ୍ତି, ତେବେ ହେ ଅଗ୍ନିଦେବ, ତୁମେ ମୋତେ ଜାଳିପୋଡ଼ି ଧ୍ୱଂସ କରିଦିଅ । କିନ୍ତୁ ସେ ଜାଣନ୍ତି ସେ ଅଗ୍ନି, ଜଳ, ଆକାଶ ଯେଉଁଠାରେ ରହନ୍ତୁ, ସର୍ବତ୍ର ଧର୍ମଦେବ ତାଙ୍କ ସହିତ ନିଶ୍ଚୟ ରହିବେ । ସେହି ଧର୍ମ ବଳରେ ସେ ଏହି ମହାନ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ବୋଲି ବିଶ୍ୱାସ କରିଛନ୍ତି । ପରିଶେଷରେ ସତୀତ୍ୱର ପରାକାଷ୍ଠା ଘୋଷିତ ହୋଇଛି ।

 

‘‘ଅନଳ ଧର୍ମ ବଶେ ହେଲା ନିର୍ବାଣ

ବଞ୍ଚିଲା ଧର୍ମବଳେ ତହିଁ ମୋ ପ୍ରାଣ ଗୋ’’

 

ଆହାରଣରେ ସ୍ୱକୀୟ ମହିମା :

ବିନା ଆଶ୍ରୟରେ କବିତା, ବନିତା, ଲତା, ବିକଶିତ, ପରିବର୍ଦ୍ଧିତ ହେବା ସମ୍ଭବ ନୁହେ । ତେଣୁ ଗଙ୍ଗାଧରଙ୍କର କାବ୍ୟଲତିକା ଯଦି କାହାରି ଆଶ୍ରୟରେ ପ୍ରତିପାଳିତା ହୁଏ, ଏଥିରେ କେବଳ ପରଂପରାର ସ୍ୱୀକୃତି ଲକ୍ଷ୍ୟ କରାଯାଏ । ତପସ୍ୱିନୀର କଥାବସ୍ତୁ ଭାରତୀୟ ସମାଜରେ ନୂତନ ନୁହେ । ପୁରାଣସେବିତ ଭାରତବର୍ଷରେ ରାମାୟଣ କଥାକୁ ଅବଲମ୍ୱନ କରି ଯୁଗେ ଯୁଗେ ବହୁ କାବ୍ୟ, ନାଟକ, ପୁରାଣ ରଚିତ ହୋଇଯାଇଅଛି । ଗଙ୍ଗାଧର ବାଲ୍ମୀକିଙ୍କ ରଚନା ଦ୍ୱାରା କେବଳ ପ୍ରଭାବିତ ହୋଇ ନାହାନ୍ତି, ସେ ମହାକବି କାଳିଦାସ ଏବଂ ଭକ୍ତକବି ତୁଳସୀଦାସଙ୍କ ଦ୍ୱାରା ରଚିତ ରାମକଥା ଅବଲମ୍ୱିତ କାବ୍ୟାବଳୀ ଦ୍ୱାରା ମଧ୍ୟ ଅନୁପ୍ରାଣିତ ହୋଇଛନ୍ତି । ନିମ୍ନରେ କେତେକ ସମଧର୍ମୀ ପଦ ତୁଳନାତ୍ମକ ବିଚାରରେ ଉଦ୍ଧାର କରାଗଲା –

 

‘‘ସେହି ବାଲମିକ ଋଷି ଆସିଥିଲେ ବନେ

ସଂଗ୍ରହ କରିବା ପାଇଁ କୁଶ ହୋମ କାଠ

ଶୁଣି ସମୀପରେ ଏହି କ୍ରନ୍ଦନର ଧ୍ୱନି

ସୀତାଙ୍କ ନିକଟେ ଆସି ହେଲେ ଉପସ୍ଥିତ ।’’

(ରଘୁବଂଶ – ବଳଭଦ୍ର ଗ୍ରନ୍ଥାବଳୀ)

କାଳିଦାସ ବାଲ୍ମୀକି ଆଶ୍ରମରେ ପରିତ୍ୟକ୍ତା ସୀତାଙ୍କ ସହିତ ପ୍ରଥମେ ବାଲ୍ମୀକିଙ୍କୁ ଭେଟ କରାଇଛନ୍ତି ।

 

ସ୍ୱୟଂ ବାଲ୍ମୀକି ତାଙ୍କ ରାମାୟଣରେ ପ୍ରଥମେ ମୁନିକୁମାରମାନଙ୍କ ସହିତ ସୀତାଙ୍କୁ ଭେଟ କରାଇଛନ୍ତି । ସେମାନେ ମୁନିଶ୍ରେଷ୍ଟ ବାଲ୍ମୀକିଙ୍କୁ ଅନୁରୋଧ କରନ୍ତେ, ସେ ଆସି ସୀତାଙ୍କୁ ଆଶ୍ୱାସନା ପ୍ରଦାନ କରିଥିବା ଜଣାଯାଏ ।

 

‘‘ଶୁଣି ସେ ବିଳାପଧ୍ୱନି ତାପସ- ସନ୍ତାନେ

ଦେଖିଲେ କାନ୍ଦଇ ଏକ ନାରୀ ସେ ବିଜନେ

ଚଳିଲେ ସରବେ ତହୁଁ ବାଲ୍ମୀକିଙ୍କ ପାଶେ

ଭାଷିଲେ ପ୍ରଣମି ତାଙ୍କ ଶ୍ରୀପଦ ସାରସେ

ନାରୀ ଏକ କାହୁଁ ଆସି ହେ ମୁନିପ୍ରବର

କାନ୍ଦୁଛି ଆକୁଳେ ଏଥି ଉଚ୍ଚେ ତୋଳି ସ୍ୱର ।’’

(ସାରସ୍ୱତ ରାମାୟଣ ଉତ୍ତରାକାଣ୍ଡ)

 

 

ମାତ୍ର କବି ଗଙ୍ଗାଧର ଏ ସବୁ କଥାବସ୍ତୁର ବ୍ୟତିକ୍ରମ କରିଛନ୍ତି । ତାଙ୍କର ଋଷିକୁମାରମାନେ ପ୍ରଥମେ ଆସି ଦୁଃଖିନୀ ସୀତାଙ୍କୁ ସାକ୍ଷାତ କରିଛନ୍ତି । ନାରୀର ଦୁଃଖ ନାରୀଗଣ ଅଧିକ ବୁଝନ୍ତି । ଏଥିପାଇଁ ବୋଧହୁଏ ସୀତାଙ୍କ ଦୁଃଖରେ ସମଦୁଃଖିନୀ ହେବା ପାଇଁ କବି ମେହେର ଲେଖିଛନ୍ତି –

 

‘‘କୁମାରୀଏ ଯାଇ ଅନତିଦୂରରେ କଲେ ଦର୍ଶନ

ଅପୂର୍ବ ନାରୀଏ କରୁଛି ଘୋର ଅଶ୍ରୁବର୍ଷଣ ।’’

ଭାବି ଭାବି ମୁନିସୁତାଏ ଗଲେ ଜାନକୀ ପାଖ

ସାହସ ନ ହେଲା ଦେବାକୁ କିନ୍ତୁ ତାକୁ ଆଶ୍ୱାସ ।’’

ସହୀ ଏକ ସହି ନ ପାରି ଯାଇ ବାଲ୍ମୀକି ପାଶେ

ଜଣାଇଲା ଖେଦପୂରିତ କ୍ଲେଶ ଚଞ୍ଚଳା ଭାଷେ ।

 

ନିଜର ଶିଷ୍ୟଶିଷ୍ୟା ପରିବେଷ୍ଟିତ ହୋଇ ମହର୍ଷି ବାଲ୍ମୀକି ଆଶ୍ରମର ଉପବନରେ ସୀତାଦେବୀଙ୍କୁ ସ୍ୱାଗତ କରିଛନ୍ତି । ରାମାୟଣରେ କୁହଯାଇଛି –

 

ସ୍ନୁଷା ଦଶରଥସ୍ୟ ତ୍ୱଂ ରାମସ୍ୟ ମହିଷୀ ପ୍ରିୟା

ଜନକସ୍ୟ ସୁତା ରାଜ୍ଞ ସ୍ୱାଗତଂ ତେ ପତିବ୍ରତେ ।

(ଉତ୍ତରାକାଣ୍ଡ)

 

ହେ ପତିବ୍ରତେ ! ତୁମେ ଦଶରଥଙ୍କର ପୁତ୍ରବଧୂ ଅଟେ । ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ପ୍ରିୟ ପଟ୍ଟମହିଷୀ ଏବଂ ରାଜର୍ଷି ଜନକଙ୍କର କନ୍ୟା ଅଟ । ମୁଁ ତୁମକୁ ସ୍ୱାଗତ କରୁଅଛି ।

 

ମହାକବି କାଳିଦାସ ରଘୁବଂଶରେ କହିଛନ୍ତି –

ତବୋରୁକୀର୍ତ୍ତିଃ ଶ୍ୱଶୁରଃ ସଖାମେ

ସତାଂ ଭବୋଚ୍ଛେଦକରଃ ପିତା ତେ

ଧୁରି ସ୍ଥିତା ତ୍ୱଂ ପତି ଦେବତାନାଂ

କିଂ ତନ୍ନ ଯେ ନାସି ମମାନୁକମ୍ପା ’’

 

ଗଙ୍ଗାଧର ‘ତପସ୍ୱିନୀ’ କାବ୍ୟରେ କବି କାଳିଦାସଙ୍କୁ ଅନୁସରଣ କରିଥିବା ମନେ ହୁଏ ।

‘‘ଶ୍ୱଶୁର ତୋ ମୋର ସୁହୃଦ,

ସେହିପରି ତୋ ପିତା :

ଅସଂକୋଚେ ରବ ଆଶ୍ରମେ

ମଣି ସଂସାର ପିତା ।

 

ତପସ୍ୱିନୀରେ ବାଲ୍ମୀକିଙ୍କର ଏହି କଥାଗୁଡ଼ିକ ଅଧିକ ଆନ୍ତରିକତାପୂର୍ଣ୍ଣ ଏବଂ ଦୁଃଖିନୀ ମନରେ ଶାନ୍ତିର ପ୍ରଳେପ ଦେବା ପାଇଁ ଅଧିକ କ୍ଷମ ।

 

ପରିଶେଷରେ ରାମାୟଣର କବି କହିଁଛନ୍ତି –

ଆଶ୍ରମସ୍ୟାବିଦୂରେ ମେ ତାପସ୍ୟସ୍ତପସି ସ୍ଥିତାଃ

ତା ସ୍ତ୍ୱାଂ ବତ୍ସେ ଯଥା ବତ୍ସଂ ପାଳୟିଷ୍ୟନ୍ତି ନିତ୍ୟଶଃ ।

(ଉତ୍ତରାକାଣ୍ଡ)

ମୋ ଆଶ୍ରମ ନିକଟରେ ଅନେକ ତପସ୍ୱିନୀ ତପଃ କରୁଛନ୍ତି । ସେମାନେ କନ୍ୟାସମ ତୋତେ ପାଳନ କରିବେ । ତେଣୁ ଏହି ଆଶ୍ରମକୁ ନିଜର ଘର ପରି ମନେ କରି ରହ । କିନ୍ତୁ ଗଙ୍ଗାଧର ଅତ୍ୟନ୍ତ ଚତୁରତାର ସହିତ ମୁନିପତ୍ନିମାନଙ୍କ କଥା ଏଡ଼ାଇଦେଇ ଋଷିଙ୍କ ମୁହଁରେ କୁହାଇଛନ୍ତି –

 

‘‘ପୁନଶ୍ଚ ବୋଇଲ, ‘‘ଆସ ମା,

      ଆଉ ନ କର ମଠ !

କୁମାରୀମଣ୍ଡଳ ମଧ୍ୟରେ

      ରହି ମଣ୍ଡ ଗୋ ମଠ !’’

 

ନିଜର ସମବୟସୀମାନଙ୍କ ଗହଣରେ ରହିବା ପାଇଁ ସୂଚନା ଦିଆଯାଇଛି । ସ୍ୱଭାବତଃ ନିଜର ବନ୍ଧୁଗହଣରେ ମନ କଥା କହି ଲୋକେ ଦୁଃଖ ଭୁଲିଥାଆନ୍ତି, ତପସ୍ୱିନୀରେ ଏହିପରି ଜଣେ ସଖୀ ଆଗରେ ସମଗ୍ର ଜୀବନଚରିତ ବର୍ଣ୍ଣନା କରି ସୀତା ଶାନ୍ତି ଲାଭ କରିଛନ୍ତି ।

 

ଦୁଃଖ ଭୁଲିବାକୁ ହେଲେ ସର୍ବଦା କର୍ମରତ ହେବା ଆବଶ୍ୟକ । ଆଶ୍ରମର ଉପବନରେ ପ୍ରକୃତିର କୋଳରେ ଏଥିପାଇଁ ଅପୂର୍ବ ସୁଯୋଗ ପଡ଼ି ରହିଛି ବୋଲି ମହର୍ଷି ଉପଦେଶ ଦେଇଛନ୍ତି । କାଳିଦାସ କହିଛନ୍ତି—

 

‘‘ପୟୋଘଟୈରାଶ୍ରମବାଳବୃକ୍ଷାନ୍‌ ସଂବର୍ଦ୍ଧୟନ୍ତୀ ସ୍ୱବଳାନୁରୁପୈଃ

ଅସଂଶୟଂ ପ୍ରାକ୍‌ ତନୟୋପତ୍ତେଃ, ସ୍ତନନ୍ଧୟ ପ୍ରୀତି ମବାପ୍‌ସ୍ୟସି ତ୍ୱନ୍‌ ।’’

(ରଘୁବଂଶ – ୧୪/୨୮)

ତୋର ଶକ୍ତି ଅନୁସାରେ ମାଠିଆରେ ପାଣି ବହନ କରି ଆଶ୍ରମଜାତ ଶିଶୁବୃକ୍ଷମାନଙ୍କୁ ପାଳନ କରିବୁ । ତେଣୁ ସନ୍ତାନବତୀ ହେବାପୂର୍ବରୁ ନିଃସନ୍ଦେହ ରୂପେ ସନ୍ତାନ ପାଳନର ସୁଖ ଉପଲବ୍‌ଧି ହୋଇପାରିବ ।

ଭକ୍ତକବି ମଧୁସୂଦନ ଏହି ଭାବକୁ ଚମତ୍କାର ଭାବରେ ଉଲ୍ଲେଖ କରିଛନ୍ତି –

 

‘‘ଆଶ୍ରମର ତରୁଣ ତରୁ ନିକର

ଯତନେ ବଢ଼ାଇଣ ଘଟ ଜଳର

ନିରେଖିବା ଆଗରୁ ତନୟ ମୁଖ

ଲଭିବୁ ତନୟର ପାଳନ ସୁଖ ।’’

(ସୀତା ବନବାସ)

ଗଙ୍ଗାଧର ସେହି ପଥର ପଥିକ ହେଲେ ହେଁ ସେ ସାମାନ୍ୟ ଅଗ୍ରସର ହୋଇ ଅନଭିଜ୍ଞା ସୀତାଙ୍କ ସହିତ ସାହାଯ୍ୟ କରିବା ପାଇଁ ପଦେ ପଦେ ବୃଦ୍ଧା ତପସ୍ୱିନୀ ଅନୁକମ୍ପା ଥିବେ ବୋଲି ଭରସା ଦେଇଛନ୍ତି । ପରିତ୍ୟକ୍ତା ସୀତାଙ୍କ ପାଇଁ ଏହି ସଙ୍ଗିନୀମାନଙ୍କର ସ୍ନେହ ଏବଂ ଅନୁକମ୍ପାର ମାତୃବତ୍ସଳତା ଦୁଃଖ ଲାଘବ କହିବାରେ ଯଥେଷ୍ଟ ସାହାଯ୍ୟ କରିଅଛି । ତେଣୁ ‘ତପସ୍ୱିନୀ’ର କଳ୍ପନା ଅଧିକ ହୃଦ୍ୟ ହୋଇଅଛି ।

 

‘‘ନନ୍ଦିନି ! ତୁ ଏ ଆଶ୍ରମେ            ପାଦପଙ୍କୁ ସ୍ନେହ ଶ୍ରମ

ପୟୋଗେ ନନ୍ଦନୋପମ କର ଯତନ,

ସେ ଭାବେ ତୋ ଅନୁଭବ      ସ୍ୱଭାବେ ହେବ ସମ୍ଭବ

ଭାବେ କେମନ୍ତ ଦୁର୍ଲଭ ସୁତ-ରତନ,

ଅନୁକମ୍ପା ଥିବେ ନିୟତ

ସକଳ ଅଭାବ ତୋର ମୋଚନେ ରତ ।’’

 

ଗଙ୍ଗାଧର ଥିଲେ ସ୍ୱଭାବତଃ କବି । ସେ ସଂସ୍କୃତ କାବ୍ୟକାନନରେ ଭ୍ରମଣ କରି ଯେଉଁ ରସୋପଲବ୍‌ଧି କରିଥିଲେ ତାହା ଉତ୍କଳୀୟ ପାଠକମାନଙ୍କ ଉଦ୍ଦେଶ୍ୟରେ ପରିବେଷଣ କରିଅଛି ।

 

ତପସ୍ୱିନୀ କାବ୍ୟରେ ପ୍ରକୃତ ପ୍ରାଣତା ଅନବଦ୍ୟ । ସେଠାରେ ପ୍ରକୃତି ଚଳନଶୀଳ ବ୍ୟକ୍ତିତ୍ୱ । ମନୁଷ୍ୟ ସୁଖ ଦୁଃଖରେ ସେମାନେ ହୋଇଛନ୍ତି ସମଦୁଃଖୀ । ଏ କ୍ଷେତ୍ରରେ ରାଧାନାଥ ମଧୁସୂଦନ, ନନ୍ଦକିଶୋର ପ୍ରଭୃତି ଆଧୁନିକ ଯଗର କବିଗଣ ପାଶ୍ଚତ୍ୟ ସାହିତ୍ୟଦ୍ୱାରା ପ୍ରଭାବିତ ହୋଇଥିବା ଜଣାଯାଏ । ମାତ୍ର ଗଙ୍ଗାଧର ପାଶ୍ଚାତ୍ୟ ଶିକ୍ଷାରୁ ବଞ୍ଚିତ ଥିଲେ । ତାଙ୍କ ପାଇଁ ସଂସ୍କୃତ ସାହିତ୍ୟ ପ୍ରଚୁର ପ୍ରେରଣାର କ୍ଷେତ୍ର ଯୋଗାଇ ଦେଇଥିଲା । ଏଠାରେ ଉଦାହରଣ ପାଇଁ ରାମାୟଣର ଏକ ଉଦାହରଣ ଦିଆଯାଇ ପାରେ ।

 

‘‘ଜଳପ୍ରପାତା ଶ୍ରୁମୁଖାଃ ଶୃଙ୍ଗରୁଚ୍ଛିତବାହବଃ

ସୀତାୟଂ ହ୍ରୀୟମାଣାୟାଂ ବିକ୍ରୋଶନ୍ତୀବ ପର୍ବତାଃ ।’’

(ଅରଣ୍ୟକାଣ୍ଡ)

ରାବଣ ବଳପ୍ରୟୋଗ କରି ସୀତାଙ୍କୁ ଅପହରଣ କରି ନେଉଥିଲା । ସେ ଅନୁଶୋଚନାରେ କ୍ରନ୍ଦନ କରି ସମଗ୍ର ପ୍ରକୃତି ସଂସାରକୁ ବିଚଳିତା କରିଦେଲେ । ସେମାନେ ମଧ୍ୟ ସହାନୁଭୂତି ପ୍ରଦର୍ଶନ କରି ଅଶ୍ରୁବର୍ଷଣ କଲେ । ଏଠାରେ ଦୁଃଖୀ ପର୍ବତଶ୍ରେଣୀ ଶିଖରରୂପକ ଭୁଜତୋଳି ନିର୍ଝର ଛଳରେ ଅଶ୍ରୁମୋଚନ କରୁଛନ୍ତି ବୋଲି କବି କଳ୍ପନା କରିଛନ୍ତି । ତପସ୍ୱିନୀରେ ପ୍ରକୃତିର ଏହିପରି ସମଦର୍ଶିତାର ରାଶି ରାଶି ଉଦାହରଣ ଦିଆଯାଇପାରିବ । ଗଙ୍ଗାଧରଙ୍କ କଳ୍ପନାରେ କେବଳ ଆଶ୍ରମର ପ୍ରକୃତି ବାବଦୁକ ହୋଇନାହାନ୍ତି । ଅଯୋଧ୍ୟା, ତମସା, ଚିତ୍ରକୂଟ, ଗୋଦାବରୀ, ମହାନଦୀ ପ୍ରଭୃତି ସମସ୍ତ ବ୍ୟକ୍ତିତ୍ୱମୟୀ ହୋଇଛନ୍ତି ।

 

କବିତ୍ୱ, କଳ୍ପନାବିଳାସ, ଉପମା, ଅନୁପ୍ରାସ ଓ ଅଳଙ୍କାରର ଯଥାର୍ଥ ସଂଯୋଜନା ଏବଂ ବିଭିନ୍ନ ରସର ଅବତାରଣା ପାଇଁ ତପସ୍ୱିନୀ ଏକ ଅନବଦ୍ୟ କାବ୍ୟରୂପେ ସ୍ୱୀକୃତି ଲାଭ କରିଅଛି । ବିଶେଷକରି ତପସ୍ୱିନୀ ଏକ ଟ୍ରାଜିକ କାବ୍ୟ । ଏଥିରେ ଶୋକଗୀତି ପ୍ରଚୁର । ତଥାପି ପ୍ରାଚୀନ ପାରିବାରିକ ଆଦର୍ଶ ଅନୁସରଣ କରି ସେ କାବ୍ୟଟିକୁ ବିୟୋଗାନ୍ତକ କରିନାହାନ୍ତି । ସୀତାଙ୍କର ମହାଯାତ୍ରା ହିଁ ସର୍ବଶେଷ କଥା ହୋଇଥିଲେ ହେଁ ଗଙ୍ଗାଧର ଯୋଗମାୟାଙ୍କର ଅବତାରଣା କରି ରାମସୀତାଙ୍କର ଏକ ଅପୂର୍ବ ମିଳନର ଚିତ୍ର ଉପସ୍ଥାପନ କରିଛନ୍ତି । ଦୁଃଖିନୀ ସୀତାଙ୍କୁ ସ୍ୱପ୍ନର ଇନ୍ଦ୍ରଜାଲ ମଧ୍ୟରେ ଅଲୌକିକ ବିଭୂତି ଅର୍ପଣ କରିଛନ୍ତି ଯୋଗମାୟା । ତେଣୁ ସୀତାଙ୍କର ସ୍ୱପ୍ନ ଏହିପରି ସାର୍ଥକତା ଲାଭ କରିଅଛି –

 

‘‘ଦିଶିଲା ଜାନକୀ ହୋଇଛନ୍ତି ଜ୍ୟୋତିର୍ମୟୀ

ତାଙ୍କ ଜ୍ୟୋତି ଆଲୋକିତ କରୁଅଛି ମହୀ ।

ଜ୍ୟୋତିର୍ମୟ ରାମଚନ୍ଦ୍ର ରତ୍ନ-ସିଂହାସନେ

ବସିଛନ୍ତି ଘେନି ତାଙ୍କୁ ପ୍ରସନ୍ନ ଆନନେ ।

ରାମଚନ୍ଦ୍ର-କୋଳେ କୁଶ ସୀତା କୋଳେ ଲବ

ଛତ୍ର ଧରି ପାଶେ ଉଭା ଉର୍ମିଳା ବଲ୍ଲଭ ।

 

ଦୁଃଖିନୀ ସୀତାଙ୍କର ମନରେ ହାସ୍ୟ ଉକୁଟାଇ କବି ଏହି କାବ୍ୟର ଉପସଂହାର କରିଛନ୍ତି-। ଏହି ପ୍ରସଙ୍ଗରେ ମହାକବି ଭବଭୁତିଙ୍କର ନିର୍ଦ୍ଦେଶ ଅଧିକ ସ୍ମରଣୀୟ । କାବ୍ୟ ସଂସାରରେ ଗୋଟିଏ ରସ ହେଉଛି ମୁଖ୍ୟ । ତାହା ହେଉଛି କରୁଣ । ଏହି ରସପରି ହୃଦ୍ୟ ଏବଂ ସ୍ୱାଦ୍ୟ ରସ ଆଉ ନାହିଁ ।

 

‘‘ଏକୋରସଃ କରୁଣ ଏକ ନିମତ୍ତ ଭେଦାତ୍ତ୍‍

ଭିନ୍ନଃ ପୃଥକ୍‍ ପୃଥଗିବ ଶ୍ରୟତେ ବିବର୍ତ୍ତାନ

ଆବର୍ତ୍ତ ବୁଦ ବୁଦ୍‍ ତରଙ୍ଗ ମୟାନ ବିକରାନ୍‍

ଆମ୍ଭେ ଯଥା ସଳିଳମେବ ହିତତ୍‍ ସମସ୍ତଂ ।

(ଭବଭୂତି)

ଜଳ ଏକ ମାତ୍ର, ରୂପଭେଦରେ ତାହା ଭଉଁରୀ, ବୁଦ୍‍ବୁଦ୍‍, ତରଙ୍ଗ ଆଦି ନାମରେ କଥିତ ହୋଇଥାଏ । ସେହିପରି ରସ ମଧ୍ୟ ଗୋଟିଏ । ତାହାହେଲା କରୁଣ ରସ । ବିଷୟ ଭେଦରେ ତାହା ଭିନ୍ନ ରୂପ ଧାରଣ କରିଥାଏ ମାତ୍ର ।

 

ବାସ୍ତବିକ ‘ତପସ୍ୱିନୀ’ କରୁଣରସାଶ୍ରିତ ଏକ ସାର୍ଥକ କାବ୍ୟ ଓଡ଼ିଆ କାବ୍ୟ ସଂସାରରେ ଏହାର ସ୍ଥାନ ଅନନ୍ୟସାଧାରଣ ।

 

ପ୍ରଥମ ସର୍ଗ

ରାଗ: ମଙ୍ଗଳ ଗୁଜ୍ଜରୀ

କିଏ ଗୋ ତୁ ଜ୍ୟୋତିର୍ମୟୀ ଶୁଦ୍ଧ-ଶୁଭ-ବେଶା,
ଇନ୍ଦ୍ରନୀଳ-ଦ୍ୟୁତି-ଜିତ-ମନୋହର-କେଶା? | ୧ |
ତନୁକାନ୍ତି ଭେଦି ତୋର ଶୁଭ୍ର ସୂକ୍ଷ୍ମ ବାସ,
ଆହ୍ଲାଦ ଦେଉଛି ତୋର ହୃଦେ ହୋଇ ସୁପ୍ରକାଶ | ୨ |


କୌମୁଦୀ କି ଘନ ହୋଇ ବହିଛୁ ଶରୀର ?
କେଶଛଳେ ଚରଣେ ତୋ ଲୋଟୁଛି ତିମିର | ୩ |
ସୁବିରଳ ସମୁଜ୍ଜ୍ୱଳ ଚାରୁ ତାରାଗ୍ରହ,
ମଣ୍ଡିଛନ୍ତି-ରତ୍ନ-ଭୂଷା-ରୂପେ ତୋ ବିଗ୍ରହ | ୪ |

 

୧ । ଜ୍ୟୋତିର୍ମୟୀ – ଆଲୋକମୟୀ, ଶୁଦ୍ଧ-ପବିତ୍ର, ଇନ୍ଦ୍ରନୀଳ-ଦ୍ୟୁତଜିତ-ଇନ୍ଦ୍ରନୀଳ ମଣିକୁ ଜିଣିଥିବା ଶୋଭା ।

୨ । ତନୁକାନ୍ତି – ଶରୀରର ଜ୍ୟୋତି, ସୂକ୍ଷ୍ମବାସ – ଅତି ସରୁ ଲୁଗା ।

୩ । କୌମୁଦୀ – ଚନ୍ଦ୍ରକିରଣ, ତିମିର – ଅନ୍ଧକାର ।

୪ । ସୁବିରଳ – ଛଡ଼ାଛଡ଼ି, ରତ୍ନଭୂଷା – ସ୍ୱର୍ଣ୍ଣ ଅଳଙ୍କାର, ବିଗ୍ରହ – ଶରୀର ।

 

ଅସଂଖ୍ୟ ଧବଳ ପୁଷ୍ପହାର ଶୋଭେ ଗଳେ,
ଗ୍ରଥିତ ହୋଇଛି ସବୁ ଅଦ୍ଭୁତ କୌଶଳେ | ୫ |
ଶ୍ରୀଅଙ୍ଗ-ସୌରଭେ ମୁଗ୍ଧ ହେଉଛି ଜଗତ,
ପ୍ରଫୁଲ୍ଲତା ହେଉଅଛି ପ୍ରାଣେ ଉପଗତ | ୬ |


କି ଢାଳୁଛୁ କରେ ଧରି, ଲୋକେ କରି ପାନ,
ଦୈବତ ସଦୃଶ ହେଉଛନ୍ତି ତେଜୀୟାନ | ୭ |
କି ମନ୍ତ୍ର ଦେଇଛୁ ପୁଣି ବାଛି ବାଛି ଲୋକ,
ତମ ନାଶି ସୃଜୁଛନ୍ତି ସେମାନେ ଆଲୋକ | ୮ |


ପଦାଙ୍କେ ତୋ ଫୁଟୁଅଛି ଶ୍ୱେତ ଶତଦଳ,
କୌମୁଦୀ ବୋଲିବା ତେଣୁ ନୋହୁଛି ସଫଳ | ୯ |
ଦରିଦ୍ରତା-ପଙ୍କ-ପୂର୍ଣ୍ଣ ମୋ' ଜୀବନ-ସର,
ଜଞ୍ଜାଳ-ଜଳଦ-ଜଳେ ଆବିଳ ଉଦର | ୧୦ |


ଶରଦ ସଦୃଶ ତୋତେ କରି ଦରଶନ,
ହୋଇ ଯାଉଅଛି ସେ ତ ସ୍ୱତଃ ପରସନ୍ନ | ୧୧ |
ବିକଶିତ ହେଉଅଛି ହୃଦୟ-କମଳ,
ସତେ କି ପାଇଲା ଦେବି, ତୋ ପଦ-ସମ୍ବଳ? ୧୨ |


ପୟର-ସ୍ପରଶେ ପ୍ରାଣ ହେଲାଣି ମୋହିତ,
ଇଚ୍ଛାମତେ କର ଯାହା ବିଚାରୁ ବିହିତ | ୧୩ |

୫ । ଗ୍ରଥିତ – ଗୁନ୍ଥା ହୋଇଛି ।

୬ । ଉପଗତ – ପ୍ରାପ୍ତ ।

୭ । ଦୈବତ – ଦେବତାଙ୍କ ପରି ।

୯ । ଶତଦଳ – ପଦ୍ମ, ପଦାଙ୍କେ – ପାଦ ଚିହ୍ନରେ ।

୧୦ । ଜୀବନ ସର – ଜୀବନ ରୂପକ ପୁଷ୍କରିଣୀ, ଜଳିଦ – ମେଘ, ଆବିଳ – କଳୁଷିତ ।

୧୧ । ଶରଦ – ଶରତକାଳୀନ, ପରସନ୍ନ – ପ୍ରଫୁଲ୍ଲ ।

୧୩ । ପୟର – ପାଦ, ବିହତ – ଉପଯୁକ୍ତ ।


ବାଲମୀକି ଆଶ୍ରମକୁ ଧାଇଁଅଛି ମନ,
କରିବାକୁ ନିର୍ବାସିତା ସୀତାକୁ ଦର୍ଶନ | ୧୪ |
କେମନ୍ତେ ସେ କଲେ ଜୀର୍ଣ୍ଣ ହୃଦୟ ସୀବନ ?
କାହା ସଙ୍ଗେ କେମନ୍ତେ ବା ଯାପିଲେ ଜୀବନ? ୧୫ |


କୃପା ବହି କୃପାମୟୀ, ଶକ୍ତି ଦାନ କର,
ପବିତ୍ର ହେଉ ମୋ ମନ ଦେଖି, ଲେଖି କର | ୧୬ |
ବହୁଅଛି ଭାଗୀରଥୀ ବିପିନ ଭିତରେ,
ତଡ଼ି ତାଡ଼ି ତରଙ୍ଗ ତା ପଶ୍ଚିମ ତଟରେ | ୧୭ |


ବନ-ଦୃଶ୍ୟ ଦେଖିବାକୁ ହୋଇ ଅଗ୍ରସର,
ବିକଳ ଜୀବନେ ଯେହ୍ନେ ଚାଲୁଛି ପୟର | ୧୮ |
ସେହି କୁଳେ ବଇଦେହୀ ଗାଢ଼ ମନୋଦୁଃଖେ,
ଉଭା ହୋଇ ଚାହୁଁ ଥିଲେ ପୂର୍ବ-ଅଭିମୁଖେ | ୧୯ |


ଅବିରଳ ବହି ତାଙ୍କ ନେତ୍ର-ନୀର-ଝର,
ଅବିରତ ପଡୁଥିଲା ବକ୍ଷର ଉପର | ୨୦ |
ଉଠି ଯେହ୍ନେ ଜଳଧର ପଶ୍ଚିମ-ଆଶାରେ,
ଅସ୍ତାଚଳ ପ୍ଳାବି ଦିଏ ଅଜସ୍ର-ଆସାରେ | ୨୧ |

୧୪ । ନିର୍ବାସିତା – ପରିତ୍ୟକ୍ତା ।

୧୫ । ଜୀର୍ଣ୍ଣ – ଖଣ୍ଡବିଖଣ୍ଡିତ, ସୀବନ – ସିଲାଇ ।

୧୭ । ଭାଗୀରଥୀ – ଗଙ୍ଗା, ବିପିନ – ବର ।

*ବାଲ୍ମୀକି ଆଶ୍ରମ ଗରୋୟାଳ ନିକଟରେ ଗଙ୍ଗା ଦକ୍ଷିଣବାହିନୀ । ସେଠାରୁ ଅଯୋଧ୍ୟା ପୂର୍ବଦିଗ ।

୧୯ । ବଇଦାହୀ – ବିଦେହ ରାଜକନ୍ୟା ସୀତା ।

୨୦ । ଅବିରତ – ଅନବରତ ।

୨୧ । ଜଳଧର ମେଘ, ପଶ୍ଚିମ ଆଶାରେ – ପଶ୍ଚିମ ଦିଗରେ, ଅସ୍ତାଚଳ – ଅସ୍ତପର୍ବତ, ଆସାରେ – ଜଳଧାରାରେ ।


କରୀନ୍ଦ୍ର-କର-ଶୀକର ସରସୀ-ଉରସେ,
ପଡ଼ି ସିକ୍ତକରେ କରେ ପ୍ରଦୋଷ-ସାରସେ | ୨୨ |
"ହା ନାଥ" ଉଚ୍ଚାରି ଦେବୀ ବ୍ୟାକୁଳେ କୋମଳେ,
ଅବଶରେ ବସୁଁ ବସୁଁ ବସୁନ୍ଧରା ତଳେ | ୨୩ |


ସଂଜ୍ଞାବିରହିତ ହୋଇ ପଡ଼ିଲେ ଉତ୍ତାନେ,
ନ ଥିଲେ ଧରିବା ପାଇଁ କେହି ସନ୍ନିଧାନେ | ୨୪ |
ଶତ ଶତ ସେବିକା ଯା ସେବୁଥିଲେ ପଦ,
ଜଣେ ନ ଦେଖିଲେ ତାଙ୍କ ଦାରୁଣ ଆପଦ | ୨୫ |


ଆହେ! ନିୟତିର ଏହି ଭୟଙ୍କର ରୀତି,
ଦେଖିଲେ କାହାର ହୃଦେ ନ ଆସିବ ଭୀତି ? ୨୬ |
ତା ଚାହିଁ ବିହଙ୍ଗ-ମୁଖେ କାନ୍ଦିଲା ସେ ବନ,
ବହିଲା ନିଃଶ୍ୱାସ ରୂପେ ସର ସର ସ୍ୱର;
କାରୁଣ୍ୟ ଲହରୀ ପ୍ରାୟେ ଚଳିଲେ ପତର | ୨୮ |


ଏଦିଗେ ସେ ଦିଗେ ଚାହିଁ ଚକିତ-ଲୋଚନେ,
ମୃଗମାନେ ରହିଗଲେ ବିଚଳିତ ମନେ |୨୯ |
ଜନନୀ-ରୋଦନ ଚାହିଁ ନ ବୁଝି ତା ମାନେ,
ବ୍ୟସ୍ତ ଯଥା ହୋଇଥାନ୍ତି ତା ସନ୍ତାନମାନେ | ୩୦ |

 

୨୨ । କରୀ-କର-ଶୀକର- ହସ୍ତିଶୁଣ୍ଡ ଜଳ, ସରସୀ – ପୁଷ୍କରିଣୀ, ପ୍ରଦୋଷ-ସାରସେ – ସନ୍ଧ୍ୟାକାଳୀନ ପଦ୍ମ ଉପରେ ।

୨୩ । ଅବଶ – ନିସ୍ତେଜ, ବସୁନ୍ଧରା – ପୃଥିବୀ ।

୨୪ । ସଂଜ୍ଞାବିରହତ – ଚେତାଶୂନ୍ୟ, ଉତ୍ତାନେ – ଚିତ୍‍ହୋଇ ।

୨୫ । ଦାରୁଣ ଆପଦ – ଭୟଙ୍କର ଦୁଃଖ ।

୨୬ । ନିୟତି – ଭାଗ୍ୟ ।

୨୭ । ବିହଙ୍ଗ ।


କରିବାକୁ ନିୟତିର ସହିତ ସମର,
ତୃଣରାଜ ଖଡ଼ଗ‌-କରେ ଗର୍ଜିଲା ପ୍ରଖର | ୩୧ |
ବାୟାବସା ତୂଣୀରକୁ ଝାଡ଼ି ବାରମ୍ବାର,
ପତ୍ର-କଙ୍କପତ୍ର କଲା କି ଅବା ବାହାର | ୩୨ |


କମ୍ପିତ ସରିତ-ବୀଚି-ଉତଥିତ ଶୀକର,
ପଡ଼ିଲା ପୁଳିନେ ତେଜି ତରଙ୍ଗ ଶିଖର | ୩୩ |
ଭରି କି ସୀସକ-ଗୁଳି ତରଙ୍ଗର ତୋପେ
ନିୟତିକି ଭାଗୀରଥୀ ପ୍ରହାରିଲା କୋପେ ? ୩୪ |


କମଳ ସକଳ ହୋଇ ବିଚଳିତ ସରେ,
ପଦ୍ମ-ବ୍ୟୂହ ରଚି ଯୁଦ୍ଧ କଲେ ଅଳି ଶରେ | ୩୫ |
ବନଫୁଲେ ବୃନ୍ତ ତେଜି ଭୂମିତଳେ ପଡ଼ି,
ଧୂଳି ମାଖି ମଲ୍ଲଯୁଦ୍ଧେ ହେଲେ ଗଡ଼ାଗଡ଼ି | ୩୬ |


ଲତା ଲୂତା-ତନ୍ତୁ-ରୂପ ନିୟତି-ବନ୍ଧନ
ଛିନ୍ନ କରି କ୍ରୋଧଭରେ କଲା ଆସ୍ଫାଳନ | ୩୭ |
ବ୍ୟାହତ ହୃଦୟ ଶୀର୍ଣ୍ଣ ଶରୀର ବାଦଲ,
ଦଉଡ଼ି ଆସିଲା କୋପେ ଘେନି ଦଳବଳ | ୩୮ |


ଚକ୍ଷୁ ଚମକାଇ, କରି ଗଭୀର ଗର୍ଜ୍ଜନ,
ଦେଖାଇଲା ନିୟତିର ଉପରେ ତର୍ଜନ | ୩୯ |
ସତୀ-ମୁଖେ ସୁଶୀତଳ ବିନ୍ଦୁ ବିନ୍ଦୁ ପାଣି,
ସିଞ୍ଚି ସିଞ୍ଚି ଜୀବନରେ ସଂଜ୍ଞା ଦେଲା ଆଣି | ୪୦ |

 

୩୧ । ତୃଣରାଜ – ତାଳବୃକ୍ଷ, ତୁଣୀର – ଶରମୁଣା ।

୩୨ । କଙ୍କପତ୍ର – ବାଣ ।

୩୩ । ଶୀକର – ଜଳକଣା, ପୁଲିନେ – ଉପକୂଳରେ ।

୩୫ । ପଦ୍ମବ୍ୟୁହ – ପ୍ରାଚୀନକାଳରେ ସୈନ୍ୟ-ସଜ୍ଜାର କୌଶଳ ।

୩୭ । ଲୂତା – ମାଙ୍କଡ଼ସା ।


ସାଧ୍ୱୀ କୁଳବଧୂଙ୍କର ଦୁର୍ବିପାକ ଚାହିଁ,
ଲଜ୍ଜାଭରେ ଭାନୁ ଦେଲେ ବଦନ ଲୁଚାଇ | ୪୧ |
ଦିଗବଧୁସକଳ ବସି ବିଷର୍ଣ୍ଣ ବଦନେ
ନଭ ବିକମ୍ପିତ କଲେ ସ୍ତନିତ ରୋଦନେ | ୪୨ |


ସଂଜ୍ଞା ଲଭି ମହାଦେବୀ କେତେକାଳ ପରେ
ଅନାଇଲେ ଦଶ ଦିଶ ନିରାଶେ କାତରେ | ୪୩ |
ଦିଶିଲା ସକଳ ଦିଗ ରାମଚନ୍ଦ୍ରମୟ |
ବସିଛନ୍ତି ପ୍ରଭୁ ହୋଇ ବିଷର୍ଣ୍ଣ ହୃଦୟ | ୪୪ |


ଯୁଗ୍ମକରେ ଆଗେ ଉଭା ସୁଧୀର ଲକ୍ଷ୍ମଣ,
ହୋଇଛି ଦୁହିଁଙ୍କ ନେତ୍ର ଲୋତକ-ଝରଣ | ୪୫ |
ନ ପାରନ୍ତି ପୁଚ୍ଛି ରାମ ସୀତାର ଖବର,
କହିବାକୁ ବାକ୍ୟ ସ୍ଫୁରୁ ନାହିଁ ଲକ୍ଷ୍ମଣର | ୪୬ |


ରବି କି ଚାହାନ୍ତେ, ରବି କୋଳେ ରଘୁନାଥ
ନତମୁଖେ ବସିଛନ୍ତି ଶିରେ ଦେଇ ହାତ | ୪୭ |
ଦିଶିଲା ପଡ଼ନ୍ତେ ନେତ୍ର ଭାଗୀରଥି ପ୍ରତି,
ଚାଲିଛନ୍ତି ଭଗୀରଥ ପଛେ ରଘୁପତି | ୪୮ |


ଗଙ୍ଗାଧାର ସମ ରାମନେତ୍ର-ଜଳ-ରାଶି,
ତହିଁ ଯାନ୍ତି ରାମ ଥରେ ମଜ୍ଜି, ଥରେ ଭାସି, ୪୯ |
ଫେରାଇ ତହିଁରୁ ସତୀ ଗର୍ଭେ ଦେଇ ଦୃଷ୍ଟି
ଅନର୍ଗଳ ଧାରେ ନିଜେ କଲେ ଅଶ୍ରୁ ବୃଷ୍ଟି | ୫୦ |


ଶ୍ୟାମଦୂର୍ବା ଚାହିଁ ସୀତା ହୋଇ ସଙ୍କୁଚିତ
ପାଷାଣକୁ ଯିବାପାଇଁ ବଳାଇଲେ ଚିତ୍ତ | ୫୧ |

 

୪୧ । ସାଧ୍ୱୀ – ସତୀ, ଦୁର୍ବିପାକ – ବିପଦ, ମନ୍ଦ ଅବସ୍ଥା, କୁଳବଧୂ – ସୂର୍ଯ୍ୟବଂଶର ବୋହୂ ସୀତା, ଭାନୁ – ସୂର୍ଯ୍ୟ ।

୪୨ । ସ୍ତନିତ – ମେଘ ଗର୍ଜନ ।


ନ ଗଲେ ତେଣିକି ମଧ୍ୟ ମନରେ କି ଭାଳି;
ନ ପାରିଲେ ରୋଦନର ଆବେଗ ସମ୍ଭାଳି | ୫୨ |


ଆରତ ବିକଳ ସ୍ୱରେ ବିଦଗ୍‌ଧ ଲପନେ
ବନ ସ୍ତବ୍ଧ କରିଦେଲେ ଘୋର ବିଳପନେ | ୫୩ |
ବୋଲୁଥାନ୍ତି ସେ ଦୁଃଖିନୀ, "ହା ହା ପ୍ରାଣେଶ୍ୱର !
କରୁଣା-ସରିତ-ପତି, ସ୍ନେହ ଜଳଧର, ୫୪ |


କି କୁଲଗ୍ନେ ଧରିଥିଲ ଅଭାଗିନୀ କର |
ତା ଲାଗି ଆଳୟ ହେଲୀ ଦାରୁଣ ଦୁଃଖର | ୫୫ |
ନ ଜାଣି ମୁଁ ପ୍ରଭୁଙ୍କର ପ୍ରଭୂତ ମହିମା,
ଧନୁଟିଏ ରଖିଥିଲି ଆବରି ଗରିମା | ୫୬ |


ଭାଙ୍ଗିଦେଇ ସେ ଧନୁକୁ ଇକ୍ଷୁ-ଦଣ୍ଡପରି,
ତା'ରସ-ମାଧୁର୍ଯ୍ୟ ମୋତେ ଥିଲ ମନେ କରି | ୫୭ |
କାନନ ଭ୍ରମଣେ ପଦ-ଶୃଙ୍ଖଳ ନ ମଣି,
ସ୍ନେହେ ସଙ୍ଗେ ନେଲ ମୋତେ ବୀର ଚୂଡ଼ାମଣି | ୫୮ |


ପଦ ଶାଙ୍କୁଳିକୁ କରି ହୃଦୟର ହାର,
କଲ ପୁଣ୍ୟ-ତୀର୍ଥ ପୁଣ୍ୟ-ଆଶ୍ରମ ବିହାର | ୫୯ |
କେତେ ସ୍ନେହ ଢାଳୁଥିଲ ମୋ ଉପରେ ବନେ,
କେମନ୍ତେ ଭୁଲିବି ତାହା ଭେଦିଛି ଜୀବନେ | ୬୦ |


ଛାର ଦାସୀ ହେବ ବୋଲି କ୍ଷୁଧାରେ ଆକୁଳ;
ଗହନେ ସହଳେ ଆଣୁଥିଲ ଫଳମୂଳ | ୬୧ |

 

୫୩ । ଲପନ – ମୁଖ ।

୫୪ । ଅଭାଗିନୀ – ଭାଗ୍ୟହୀନା ।

୫୫ । ଆଳୟ – ଗୃହ ।

୫୬ । ଗରିମା – ଅଭିମାନ ।

୬୧ । ଗହନ – ଜଙ୍ଗଳ, ସହଳ – ଚଞ୍ଚଳ ।


ପଲ୍ଲବ-ଆସନେ ସୁପ୍ତି ହେବନାହିଁ ବୋଲି,
ଅଙ୍କ-ପଲଙ୍କେ ତାପାଇଁ ସାଜୁଥିଲ ଦୋଳି | ୬୨ |


ଛାର ମୋହ ସ୍ନେହେ ପଡ଼ି ଲଙ୍ଘି ମହାର୍ଣ୍ଣବ
ଦଶବଦନର ସଙ୍ଗେ କଲ ମହାହବ | ୬୩ |
ସହିଲ ତହିଁରେ କେତେ ମହାସ୍ତ୍ର-ପ୍ରହାର,
ମଣୁଥିଲ ତା' କ୍ଷତକୁ ହୃଦୟର ହାର | ୬୪ |


ସେ ହାର-ପଦକ ପାଇଁ ଉପଯୁକ୍ତ ମଣି |
ମୋତେ ରଖୁଥିଲ ତହିଁ କରି ମଧ୍ୟ-ମଣି | ୬୫ |
କ୍ଷତ-ଚିହ୍ନ-ଚାହିଁ ମୋର କ୍ଷୋଭ ହେଲେ ମନେ,
ତୋଷୁଥିଲ ସଦା ସୁଧା-ପୂରିତ ବଚନେ | ୬୬ |


ବୋଲୁଥିଲ, 'ରଣଯଜ୍ଞେ ଦେଇ ରକ୍ତାହୁତି
ଲଭିଅଛି ପରା ତୋତେ ଦୁର୍ଲଭ ବିଭୂତି !' ୬୭ |
ମେଣ୍ଟିନାହିଁ ଅଦ୍ୟାପି ସେ ଶର-ମୁଖ-ଚିହ୍ନ,
ମୁହିଁ ଅଭାଗିନୀ ହାୟ ହୋଇଗଲି ଭିନ୍ନ ! ୬୮ |


ମୋ ସ୍ମୃତି ମେଣ୍ଟାଇ ଦେବ ହୃଦୟ-ଫଳକେ,
ତା' ନ କଲେ ଦୁଃଖ ହେବ ପଲକେ ପଲକେ | ୬୯ |
ମୁଁ କି ଛାର, ହେଉ ତୁମ ପ୍ରକୃତି-ରଞ୍ଜନ,
ମୁଁ ମରେ, ତୁମ୍ଭର ହେଉ କଳଙ୍କ-ଭଞ୍ଜନ | ୭୦ |


ଏଥିରୁ ଜନ୍ମିବ ଯେଉଁ ଅକ୍ଷୟ କୀରତି,
ହୃଦେ ରଖ ଗଢ଼ି ତାର ଅଲୟ ମୂରତି | ୭୧ |

 

୬୨ । ସୁପ୍ତି – ନିଦ୍ରା ।

୬୩ । ମହାର୍ଣ୍ଣବ – ମହାସାଗର, ମହାହବ – ଘୋରତର ଯୁଦ୍ଧ ।

୬୯ । ଫଳକ – ପଟା, ପଲକେ – କ୍ଷଣମାତ୍ର ।

୭୦ । ପ୍ରକୃତି ରଞ୍ଜନ – ପ୍ରଜାମାନଙ୍କର ସୁଖବିଧାନ ।


ବଂଶର ଜନକ ତୁମ୍ଭ ଏହି ଦିବାକର,
ଭୁବନ-ମଙ୍ଗଳ ଦାନେ ସଦା ମୁକ୍ତକର | ୭୨ |


ଧରା-ଧାତ୍ରୀ-ସ୍ୱରୂପିଣୀ ଏହି ଭାଗୀରଥୀ;
ତୁମ୍ଭରି ବଂଶର ଚିର-ବିଖ୍ୟାତ କୀରତି | ୭୩ |
କୀର୍ତ୍ତି ଅନୁରୋଧେ ସିନା କଲ ମୋତେ ତ୍ୟାଗ,
ଏ ତୁମ୍ଭର ଉପଯୁକ୍ତ କର୍ମ ମହାଭାଗ | ୭୪ |


ଏହି କୀର୍ତ୍ତି-ପତାକାରେ ପାପିନୀର ଚିତ୍ର,
ରହିଯିବ, ଏହା କିନ୍ତୁ ବିଷମ ବିଚିତ୍ର | ୭୫ |
ଧିକ ମୋ ଜୀବନ, ନାଥ ! ଏକା ମୋହ ଲାଗି,
ଅକଳଙ୍କ ଥାଇ ହେଲ ଅପଯଶଭାଗୀ | ୭୬ |


ତୁମ ଶ୍ରୀଚରଣ ତେଜି କାହିଁରେ ରହିବି ?
ଅନଳ ନ ଦହେ ତନୁ, କାହିଁରେ ଦହିବି ? ୭୭ |
ତୁମ୍ଭ କାନ୍ତି ଧରିଛନ୍ତି ଏହି ଦୂର୍ବାଚୟ;
ତାଙ୍କୁ ଚାଡ଼ି ବନେ ନେବି କାହାର ଆଶ୍ରୟ ? ୭୮ |


ପାଷାଣେ ଫଳିତ ହୁଏ ତୁମ୍ଭ ଅନୁଗ୍ରହ;
ମୋତେ ଘେନି କାହିଁକି ସେ ଲଭିବେ ନିଗ୍ରହ ? ୭୯ |
ଗର୍ଭେ ମୋର ଥୋଇଅଛ ଯେ ରତ୍ନନିଧାନ,
ନ କହିଲ ତା' ରକ୍ଷଣେ କି ପ୍ରତିବିଧାନ | ୮୦ |

 

୭୨ । ଦବାକା – ସୂର୍ଯ୍ୟ ।

୭୩ । ଧରା ଧାତ୍ରୀ ସ୍ୱରୂପଣୀ ପୃଥିବୀର ସେବିକା ସ୍ୱରୂପା, ସୂର୍ଯ୍ୟବଂଶର ପୂର୍ବପୁରୁଷ ଭଗୀରଥ ତପସ୍ୟା ବଳରେ ଗଙ୍ଗାକୁ ଆନୟନ କରିଥିଲେ ।

୭୭ । ଲଙ୍କାରେ ଅଗ୍ନି ପରୀକ୍ଷାରେ ସୀତା ଦଗ୍‍ଧ ହୋଇ ନଥିଲେ ।

୭୯ । ରାମଚନ୍ଦ୍ର ପାଷାଣ ପାଲଟିଥିବା ଅହଲ୍ୟାକୁ ଉଦ୍ଧାର କରିଥିଲେ, ନିଗ୍ରହ – ନିନ୍ଦା ।

୮୦ । ପ୍ରତିବିଧାନ – ପ୍ରତିକାର ।


ଦୃଢ଼ ଆଶା ଥିଲା ମୋର ହୃଦୟେ ପୋଷିତ,
ପ୍ରଭୁକୋଳ କରିଥାନ୍ତି ଏ ରତ୍ନେ ଭୂଷିତ | ୮୧ |
ଆକାଶ-କୁସୁମ ହେଲା ଆଶା-ପରିଣାମ,
ଧନ୍ୟରେ ଦଇବ ତୋତେ ସହସ୍ର ପ୍ରଣାମ | ୮୨ |


ପିତା ଯାର ମହାରାଜ ମହୀ-ମହାଯଶା,
କି କରିବୁ ବିଧି ତାଙ୍କ କୁମରର ଦଶା ! ୮୩ |
ଗିରି-ଅଙ୍ଗେ ହୁଏ ସିନା ବଜ୍ରର ପ୍ରହାର,
ହା ହା ତହିଁ ସଙ୍ଗେ ଗିରିବାସୀର ସଂହାର | ୮୪ |


ଧନ୍ୟ ନାଥ, ମୁଖ ତୁମ୍ଭ ପୀୟୁଷ-ନିର୍ଝର,
ହୃଦୟାଦ୍ରି ସୁଧା ହିମ ଶିଳାର ଆକାର | ୮୫ |
ହେଲେ ହେଁ ସେ ହୃଦୟରେ ସନ୍ତାପ ପତିତ,
ଅନ୍ୟ ନ ବାହାରେ ମୁଖେ ଅମୃତ ବ୍ୟତୀତ | ୮୬ |


ସହସା ଶୁଣିଲ ମୋର ଅପବାଦ କଥା,
ଅବଶ୍ୟ ହୃଦୟେ ଲାଗିଥିବ ମହାବ୍ୟଥା | ୮୭ |
ତଥାପି ନ କହି ପଦେ ନିଦାରୁଣ ଭାଷା,
ତ୍ୟାଗକଲ ଦେଇ ମୋତେ ମଧୁମୟୀ ଆଶା | ୮୮ |


ମୋ ଅର୍ଜିତ ପାପ ମୋର ଦୁଃଖର କାରଣ,
ସେହି ପାପ ଏବେ ମୋର ହେଉଛି ସ୍ମରଣ | ୮୯ |
ମହିମାସାଗର ନାଥେ ମଣି ମୁଁ ଇତର,
ତ୍ରାହିରେ ଲକ୍ଷଣ ରାବ ମଣିଲି ତାଙ୍କର | ୯୦ |

 

୮୩ । ବିଧି – ଦୈବ, ନିୟତି ।

୮୫ । ପୀୟୁଷ – ଅମୃତ, ହୃଦୟାଦ୍ରି – ହୃଦୟ ରୂପକ ପର୍ବତ ।

୮୬ । ସନ୍ତାପ – ଦୁଃଖ ।

୮୮ । ନିଦାରୁଣ – ନିଷ୍ଠୁର ।

୯୦ । ଇତର – ପର ।


ନୀଚ ମନେ ଲକ୍ଷ୍ମଣଙ୍କୁ କରି ନୀଚ ଜ୍ଞାନ,
ବଳାତ୍କାରେ ପଠାଇଲି ପ୍ରଭୁ ସନ୍ନିଧାନ | ୯୧ |
ସେହି ପାପେ ସେ ନାଥଙ୍କ ମହିମା ବର୍ଦ୍ଧନ,
ଲାଗି ହେଲା ପାପିନୀର ଚିର ବିସର୍ଜନ ! ୯୨ |


ଦୋଷହୀନ ଲକ୍ଷ୍ମଣଙ୍କୁ ଯେଉଁ ତିରସ୍କାର,
ଦେଇଥିଲି, ପାଇଲି ତା ଯୋଗ୍ୟ ପୁରସ୍କାର | ୯୩ |
ଲକ୍ଷ୍ମଣଙ୍କୁ କରିବାକୁ ମୋ ନିକଟୁ ଦୂର,
ହୃଦେ ତାଙ୍କ ମାରିଥିଲି ବଚନ-ଭିଦୁର | ୯୪ |


ଭକ୍ତି ଭରେ ସେ ଲକ୍ଷ୍ମଣ ପଡ଼ି ମୋ ଚରଣେ,
ଦୂର କରିଦେଲେ ମୋତେ ବିନୟ ବଚନେ | ୯୫ |
ଛିନ୍ନ ଶିରଟିଏ ଆଣି ପାପୀ ଦଶାନନ,
ମୋ ପାପ ନୟନ ଅଗ୍ରେ କଲା ପ୍ରଦର୍ଶନ | ୯୬ |


ସ୍ୱମୀଙ୍କର ଛିନ୍ନ ଶିର ବୋଲି ମୁଁ ଅଧୀରେ,
କାନ୍ଦିଲି ବିକଳ ପ୍ରାଣେ ଭାସି ନେତ୍ରନୀରେ | ୯୭ |
ସେ ଶିର ଅନାଇ ଯାହା ନ ମରି ବହନ,
ସେ ପାପେ ହେଲି ଏବେ ଜୀବନ୍ତ ଦହନ | ୯୮ |


ତୁମ୍ଭ ପଦ-ସେବା-ସୁଖ ମଣି ମୁଁ ଉଶ୍ୱାସ,
ଆଶ୍ରମ-ଦର୍ଶନ ସୁଖ କଲି ଅଭିଳାଷ | ୯୯ |
ସେହି ପାପ ଶ୍ରୀଛାମୁରୁ କରାଇ ଅନ୍ତର,
ବୋଲୁଛି 'ପାପିନୀ', ଯାହା ଇଚ୍ଛା ତାହା କର | ୧୦୦ |


ଅଯୋଧ୍ୟାର ରାଜଲକ୍ଷ୍ମୀ-ପୀରତିରେ ବଶ,
ନହୋଇ ମୋ ସଙ୍ଗେ ଥିଲ ବହୁତ ଦିବସ | ୧୦୧ |

 

୯୩ । ତିରସ୍କାର – ଗାଳି, ଭିଦୁର – ବଜ୍ର, ବଚନ ଭିଦୁର – ଅତ୍ୟନ୍ତ ନିଷ୍ଠୁର କଥା ।

୯୯ । ଉଶ୍ୱାସ – ତୁଚ୍ଛ ।


ଅସୂୟାରେ ରାଜଲକ୍ଷ୍ମୀ ଲୋଡୁଥିଲା ଦାଉ,
ବହୁଦିନ ସମ୍ଭାଳି ତା' ନ ପାରିଲା ଆଉ | ୧୦୨ |


ତା' ଦୁଃଖର ସଙ୍ଗୀ ଥିଲେ ଯେଉଁ ପୁରଜନେ,
ତାଙ୍କୁ ହେତୁ କରାଇଲା ମୋର ବିସର୍ଜନେ | ୧୦୩ |
ଅଯୋଧ୍ୟାରେ ସପତ୍ନୀର ଶକ୍ତି ଗରୀୟସୀ,
ନ ପାରଇ ତାକୁ ପତି-ଶକ୍ତି ମହୀୟସୀ | ୧୦୪ |

 

କୈକେୟୀଙ୍କ ପରାକ୍ରମ ଫଳିବାର ଶେଷେ,
ରାଜଲକ୍ଷ୍ମୀ ବଳ ଉଭା ହେଲା ସେହି ଦେଶେ | ୧୦୫ |
"ପ୍ରକୃତି-ରଞ୍ଜନେ ଯେବେ ହୁଏ ପ୍ରୟୋଜନ,
କରିପାରେଁ ପ୍ରାଣସମା ସୀତା ବିସର୍ଜନ" | ୧୦୬ |


ଅଷ୍ଟାବକ୍ର ମୁନି ଆଗେ ଯାହା ଭାଷିଥିଲ,
ସୁରୁଥିବ ସେ ପ୍ରତିଜ୍ଞା ନ କରି ଶିଥିଳ | ୧୦୭ |
ପିତୃ-ବାକ୍ୟ ପାଳନରେ ତୁମ୍ଭେ ଅବିମୁଖ,
ପତିବାକ୍ୟ ପାଳନରେ ନ ହେଲେ ମୋ ଦୁଃଖ, | ୧୦୮ |

 

୧୦୨ । ଅସୂୟା – ଦ୍ୱେଷ, ଦାଉ – ପ୍ରତିଶୋଧ ନେବା ।

୧୦୪ । ସପତ୍ନୀ – ସଉତୁଣୀ, କୈକେୟୀଙ୍କ କଥାରେ ପରିଚାଳିତ ହୋଇ ରାଜା ଦଶରଥ ଜ୍ୟୋଷ୍ଠପୁତ୍ର ରାମଚନ୍ଦ୍ରଙ୍କ ବନବାସର କାରଣ ହୋଇଥିଲେ ।

୧୦୭ । ଅଷ୍ଟାବକ୍ର – ମହାଭାରତ ମତରେ ଋଷି ଅଷ୍ଟାବକ୍ର କହୋଡ଼ ଋଷିଙ୍କ ଔରସରେ ସୁଜାତାଙ୍କ ଗର୍ଭରୁ ଜନ୍ମ । ଗର୍ଭରେ ଥାଇ ପିତାଙ୍କ ଅଧ୍ୟାପନାକୁ ସମାଲୋଚନା କରିବାରୁ ପିତୃ ଅଭିଶାପରେ ତାଙ୍କର ଶରୀର ଆଠଟି ସ୍ଥାନରେ ବକ୍ର ହୋଇ ଯାଇଥିଲା । ଥରେ ପିତା କହୋଡ଼ ଜନକଙ୍କ ରାଜସଭାରେ ବନ୍ଦୀ ହେବାରୁ ଅଷ୍ଟାବକ୍ର, ରାଜସଭାରେ ଯୁକ୍ତିତର୍କ କରି ପିତାଙ୍କୁ ଉଦ୍ଧାର କରିଥିଲେ ତାହା ‘ଅଷ୍ଟାବକ୍ର-ସଂହିତା’ ନାମରେ ପରିଚିତ ।

୧୦୮ । ଅବିମୁଖ – ପ୍ରସନ୍ନ ।


ତେବେ ସିନା ତୁମ୍ଭ ପତ୍ନୀ ପଦର ଭାଜନ,
ମୁଁ ହେବି, ଏକଥା ନିଶ୍ଚେ ବୁଝିବ ମୋ ମନ | ୧୦୯ |
ପରଜାରଞ୍ଜନ ବ୍ରତେ ଅଟ ତୁମ୍ଭେ ବ୍ରତୀ,
ମୁଁ ସହଧର୍ମିଣୀ ତୁମ୍ଭ ପଦାଙ୍କେ ମୋ ଗତି | ୧୧୦ |


ହେଉ ମୋର ନିର୍ବାସନ ପ୍ରକୃତିର ତୋଷ,
ପ୍ରଭୁଙ୍କର ବ୍ରତ ହେଉ ସଂପୂର୍ଣ୍ଣ ନିର୍ଦ୍ଦୋଷ" | ୧୧୧|
ସତୀଙ୍କ ରୋଦନେ ଗତି ସମ୍ଭିଲା ବାତର,
ଜଳ ସ୍ଥଳ ଘେନି ହେଲେ ନିସର୍ଗ କାତର | ୧୧୨ |


ସ୍ତମ୍ଭିଗଲା ଜାହ୍ନବୀର ତରଙ୍ଗ-ଆବଳୀ,
ବନ୍ଦ ହୋଇଗଲା ବନେ ବିହଙ୍ଗ କାକଳି | ୧୧୩ |
ନ ହଲିଲା ପାଦପର ଗୋଟିଏ ପତର,
ନ ଚଳିଲା ଲୀଳା-ଶିଳା-ବଲ୍ଲୀ-କଳେବର | ୧୧୪ |


ଡାଳେ ଡାଳେ ବସି ପକ୍ଷୀ ପାତିଲେ ଶ୍ରବଣ,
ତାଳେ ତାଳେ ପ୍ରାଣେ ଭରି ଶୋକ-ପ୍ରସ୍ରବଣ | ୧୧୫ |
ମୃଗଶିଶୁ ଜନନୀର ସ୍ତନ ମୁଖେ ଧରି,
ନିଶ୍ଚଳେ ରହିଲା କ୍ଷୀର ଶୋଷଣ ନ କରି | ୧୧୬ |

 

୧୦୯ । ଭାଜନ – ଯୋଗ୍ୟ ।

୧୧୧ । ପ୍ରକୃତିର ତୋଷ – ପ୍ରଜାମାନଙ୍କର ସନ୍ତୋଷ ବିଧାନ ।

୧୧୨ । ରୋଦନେ – କ୍ରନ୍ଦନରେ, ସ୍ତମ୍ଭିଲା – ଥମିଲା । ନିସର୍ଗ – ସୃଷ୍ଟି, କାତର – ବ୍ୟାକୁଳ ।

୧୧୩ । ଜାହ୍ନବୀ – ଗଙ୍ଗା, ଜହ୍ନୁ ଋଷିଙ୍କ ଅଙ୍ଗରୁ ଜାତ ହୋଇଥିବାରୁ ଗଙ୍ଗାଙ୍କ ଅନ୍ୟନାମ ଜାହ୍ନବୀ । ଆବଳୀ – ସମୂହ । ବିହଙ୍ଗକାକଳୀ – ପକ୍ଷୀମାନଙ୍କର କଳରବ ।

୧୧୫ । ପାତିଲେ ଶ୍ରବଣ – କାନ ଡେରିଲେ, ପ୍ରସ୍ରବଣ – ଝରଣା ।

 

ମୁଖ-ଦର୍ଭ ମୁଖେ ଧରି ମୃଗମୃଗୀମାନେ,
ଗ୍ରୀବା ଭାଙ୍ଗି ରହିଗଲେ ଶୋକ-ଧ୍ୱନି-ଧ୍ୟାନେ | ୧୧୭ |
ମୟୂର-ମୟୁରୀଗଣ ଶାବକ ସହିତ,
ଚିତ୍ରିତ ପରାୟେ ହେଲେ ଚାପଲ୍ୟରହିତ | ୧୧୮ |


କରଭ କରିଣୀ କରୀ ହୋଇ ଡିତ୍‌ଥ ପରି,
ପଥେ ରହିଗଲେ ଗଙ୍ଗା-ଗମନ ବିସ୍ମରି | ୧୧୯ |

 

୧୧୭ । ଦର୍ଭ – କୁଶ, ଗ୍ରୀବା – ବେକ ।

୧୧୮ । ଶାବକ – ଶିଶୁ, ଚିତ୍ରିତ ପରାୟେ – ନିଶ୍ଚଳ ।

୧୧୯ । କରଭ – ହାତୀଛୁଆ, କରୀ – ହାତୀ, ଡିତ୍‍ଥ – କାଠହାତୀ, ବିସ୍ମରୀ – ଭୁଲିଗଲେ ।

 

Unknown

ଦ୍ୱିତୀୟ ସର୍ଗ

ରାଗ: ରାମକେରୀ

ବାଲ୍ମୀକି-ଆଶ୍ରମ-ରାଜ୍ୟରେ

ଶାନ୍ତି ରାଜତ୍ୱ କରେ,

କୋଷ ପୂର୍ଣ୍ଣ କରି ପାଦପ-

ଦତ୍ତ ସୁଛାୟା କରେ | ୧ |

 

ଅକପଟେ ତାହା ଦିଅନ୍ତି,

ସେହି ପାଦପମାନେ,

ଅଯାଚିତେ ନିଜ ଶରୀର-

ମାନଦଣ୍ଡର ମାନେ | ୨ |

 

ପ୍ରକୃତି-ସମରେ ସେମାନେ

ପୁଣି ହୁଅନ୍ତି ସେନା,

ଆବରଣ କରି ଶରୀରେ

ଘନ-ପଲ୍ଲବ-ସେହ୍ନା | ୩ |

 

କରି ବରଷାର ବ୍ୟାୟାମେ

ଅଙ୍ଗ-ପୁଷ୍ଟି-ସାଧନ,

ଆତପକୁ ଜିଣି ଆଣନ୍ତି

ତାର ଆଲୋକ-ଧନ | ୪ |

 

୧ । ବାଲ୍ମୀକି – ଲୋକ ପ୍ରସିଦ୍ଧ ରାମାୟଣ ରଚିତା ମହାମୁନି, ଭାରତର ଆଦିକବି ରୂପେ ପରିଚିତ । ବିଖ୍ୟାତ ତମସାନଦୀ ତୀରେ ତାଙ୍କର ଆଶ୍ରମ ଥିଲା । କୋଷ-ଧନାଗାର, ପାଦପ – ବୃକ୍ଷ ।

୨ । ଅକପଟ – ସରଳ ।

୩ । ସେହ୍ନା – କବଚ ।

୪ । ଆତପ –ସୂର୍ଯ୍ୟ କିରଣ ।

 

ଶୀତ-ଆକ୍ରମଣୁ କରିବା

ପାଇଁ ରାଜ୍ୟକୁ ତ୍ରାଣ,

ଧୁନିରୂପେ ପୁଣି ହୁଅନ୍ତି

କେତେ ଅନଳ ବାଣ | ୫ |

 

ବିଜିତ ପ୍ରକୃତି ସମୟ

ଜାଣି ସମ୍ପାଦେ ତୋଷ,

ପାଦପଙ୍କ କରେ ସମର୍ପି

ଫଳ-ପ୍ରସୂନ-କୋଷ | ୬ |

 

ଗର୍ଭେ ଧରି ତାରା-ରତନ

ପୂର୍ଣ୍ଣ-ଗଗନ-ସିନ୍ଧୁ,

ଅଗସ୍ତ୍ୟ-ଗାରିମା ଶୋଷନ୍ତି

ପ୍ରତି ଶିଶିର-ବିନ୍ଦୁ | ୭ |

 

ସାଗର ଗରବେ ପାଦପ

ଆଳବାଳର ଜଳ,

ପୋଷି ରଖୁଥିଲେ ଗରଭେ

ସୁଧାକର ମଣ୍ଡଳ | ୮ |

 

୬ । ସମ୍ପାଦେ – ନିର୍ବାହ କରେ ।

୭ । ଅଗସ୍ତ୍ୟ – ମିତ୍ରାବଋଣ ଋଷିଙ୍କର ପୁତ୍ର । ତାଙ୍କୁ କୁମ୍ଭସୁତ ମଧ୍ୟ କୁହାଯାଏ । ବୁତ୍ରାସୁରର ନିଧନ ପରେ କାଳକେୟ ଅସୁରଗଣ ସମୁଦ୍ରରେ ଆତ୍ମଗୋପନ କରି ସ୍ୱର୍ଗପୁରକୁ ବାରମ୍ବାର ଆକ୍ରମଣ କଲେ ଏବଂ ମର୍ତ୍ତ୍ୟଭୂମିର ଋଷିମାନଙ୍କୁ ପରାଭବ ଦେଲେ । ଦେବତାମାନଙ୍କ ଅନୁରୋଧ କ୍ରମେ ମହାତପସ୍ୱୀ ଅଗସ୍ତ୍ୟ ସମୁଦ୍ରକୁ ଚଳୁ କରି ଦେବାରୁ ନିରାଶ୍ରୟ ଅସୁରଗଣଙ୍କୁ ହତ୍ୟା କରିବା ସହଜ ହୋଇଥିଲା । ଇଜ୍ୱଳ ଓ ବାତାପି ଦୁଇ ମାୟାବୀ ଅସୁରଙ୍କୁ ମଧ୍ୟ ଅଗସ୍ତ୍ୟ ଧ୍ୱଂସ କରି ଦେଇଥିଲେ ।

୮ । ଆଳବାଳ – ଗଛମୂଳର ମନ୍ଦା, ସୁଧାକର – ଚନ୍ଦ୍ର ।

 

ଅକସ୍ମାତ କରି ପ୍ରବେଶ

ରାମବଧୂ-ରୋଦନ

ଘନ ଘନ କରା କମ୍ପିତ

ଶାନ୍ତି-ଦେବୀ-ସଦନ | ୯ |

 

ବିଚଳିତ ହୋଇ କରୁଣା

ବତୀ ଶାନ୍ତି ବାହନ,

ଲୋଡ଼ିଲେ ରୋଦିନୀ-ଲକ୍ଷ୍ୟରେ

ଯିବାପାଇଁ ବହନ | ୧୦ |

 

ମୁନି-କୁମାରୀଏ ବାହାରି

ଲାଗିଥିଲେ ସେ କ୍ଷଣେ,

ବାତ-ବ୍ୟସ୍ତ ନବ ବିଟପି-

ବଲ୍ଲୀ ପର୍ଯ୍ୟବେକ୍ଷଣ | ୧୧ |

 

ନବ ରବ ଏକ କର୍ଣ୍ଣରେ

ତାଙ୍କ ଯିବାରୁ ଲାଗି,

ମନ ନିଯୋଜିଲେ ତାହାକୁ

ଧରି ଚିହ୍ନିବା ଲାଗି | ୧୨ |

 

ଧରି ମନ ତାକୁ ଦେଖିଲା

ନୁହେଁ କପୋତ-ସ୍ୱନ,

ନୁହଇ କୋକିଳ-କାକଳି,

କିମ୍ବା ବୀଣା-ନିକ୍ୱଣ | ୧୩ |

 

ନୁହେଁ ଶଙ୍ଖନାଦ, ନୁହଇ

ପୁଣି ମୟୂର କେକା,

ଲଳନା କରୁଣ-କଣ୍ଠର

ସ୍ୱର-ନିର୍ଝର ଏକା | ୧୪ |

 

୯ । ରାମବଧୂ – ସୀତା ।

୧୧ । ଇତିପୂର୍ବେ ପ୍ରଖର ପବନ ପ୍ରବାହିତ ହୋଇଥିବା ବିଷୟ ଉଲ୍ଲେଖ ଅଛି ।

 

ସେହି କୁମାରୀଙ୍କ ହୃଦୟ-

ରଥେ ବସି ଚଞ୍ଚଳ

ଚଳାଇଲା ଶାନ୍ତି, ଉଡ଼ିଲା

ଧ୍ୱଜ-ବଲକଳାଞ୍ଚଳ | ୧୫ |

 

ରୋଦନ-ତରଙ୍ଗ ଦର୍ଶନେ

ଶାନ୍ତି ଚକିତ ହେଲା,

ତଥାପି ସମୀପେ ଯିବାକୁ

ଲବେ ନ କଲା ହେଳା | ୧୬ |

 

କୁମାରୀଏ ଯାଇ ଅନତି-

ଦୂରେ କଲେ ଦର୍ଶନ,

ଅପୂର୍ବ ନାରୀଏ କରୁଛି

ଘୋର ଅଶ୍ରୁ-ବର୍ଷଣ | ୧୭ |

 

ଚକିତ ଚିତ୍ତେ କେ ଭାବିଲା,

"ଏ ତ ବିଚିତ୍ର କଥା,

ଏ ବନେ ଏଭଳି ମାନବୀ

ଅସମ୍ଭବ ସର୍ବଥା | ୧୮ |

 

ସ୍ୱର୍ଗ-ପୁରୁ କେଉଁ ଦେବୀ କି

ସଦ୍ୟ ଶାପର ଫଳେ,

ସଦେହରେ ଖସିପଡ଼ିଛି

ଆସି ଅବନୀ-ତଳେ ? ୧୯ |

 

ଭ୍ରମୁ ଭ୍ରମୁ କିବା ଅଭ୍ରରେ

ଅଭ୍ରମାତଙ୍ଗ ଚଢ଼ି,

ପୁରନ୍ଦର-ପୁର-ଶୋଭିନୀ

ପଡ଼ିଅଛନ୍ତି ଗଡ଼ି ?" ୨୦ |

 

୧୯ । ଅବନୀ – ପୃଥିବୀ ।

୨୦ । ଅଭ୍ର – ଆକାଶ, ଅଭ୍ରମାତଙ୍ଗ – ଐରାବତ ହସ୍ତୀ ।

୨୧ । ପୁରନ୍ଦର – ପୁର – ଶୋଭିନୀ – ଶଚ୍ଚୀଦେବୀ ।

 

କିଏ ବା ଭାବିଲା, "ଜାହ୍ନବୀ

ଅବା ମୂର୍ତ୍ତିମତୀ କି,

ଲୋତକ କଲ୍ଲୋଳ ଭସାଉ-

ଛନ୍ତି ବସୁମତୀ କି ? ୨୧ |

 

କରକା ପରାୟେ କରୁଣା

କିମ୍ବା ସ୍ୱର୍ଗରୁ ଗଳି,

ପର-ଦୁଃଖ ତାପେ କ୍ରମଶଃ

ଭବେ ଯାଉଛି ଗଳି ? ୨୨ |

 

ନ ହେଲେ ଏ ଘନ-କୁନ୍ତଳା

ଘନ ସହିତ ତାରା,

ଖସି ପଡ଼ିବାରୁ ଧରାରେ

ବହିଯାଉଛି ଧାରା | ୨୩ |

 

ହୋଇଥାନ୍ତା ଯଦି ରୋଦନ-

ଧ୍ୱନି ଚମକପ୍ରଦା,

ବୋଲନ୍ତୁ ଆସିଛି ଜଳଦ-

ସଙ୍ଗେ ଏ ଶତହ୍ରଦା | ୨୪ |

 

ଶିଶିର-ବର୍ଷିଣୀ ଚନ୍ଦ୍ରିକା

ପିକ-ସ୍ୱର-ମୁଖରା,

କାହିଁ, କାହିଁ ଝିଲ୍ଲୀ-ରାବିଣୀ

ଖର ନିଦାଘ ଖରା ? ୨୫ |

 

୨୨ । କରକା – କୁଆପଥର, ଏହା ଭୂମିରେ ପଡ଼ିବା ସଙ୍ଗେ ସଙ୍ଗେ ମିଳାଇ ଯାଏ ।

୨୩ । ଘନ – କୁନ୍ତଳା-ମେଘବର୍ଣ୍ଣର କେଶ ଯାହାଙ୍କର ।

୨୪ । ଶତହ୍ରଦା – ବିଜୁଳି ।

୨୫ । ଖର – ନିଷ୍ଠୁର, ନିଦାଘ – ଗ୍ରୀଷ୍ମକାଳ ।

 

ବୀଣା ଥାନ୍ତା ଯଦି ହସ୍ତରେ

ବୋଲିଥାନ୍ତୁ ଭାରତୀ,

କାନ୍ଦୁଚନ୍ତି ବିଷ୍ଣୁ-ବିରହେ

ଅବା ହୋଇ ଆରତୀ ! ୨୬ |

 

ଭାବି ଭାବି ମୁନିସୁତାଏ

ଗଲେ ଜାନକୀ ପାଶ,

ସାହସ ନ ହେଲା ଦେବାକୁ

କିନ୍ତୁ ତାଙ୍କୁ ଆଶ୍ୱାସ | ୨୭ |

 

ବରଷାର ମହାନଦୀର

ଗାଢ଼ ଆବିଳ ଜଳ,

ସ୍ୱଚ୍ଛ କରିବାକୁ କି ରୂପେ

ହେବ ନିର୍ମଳା ବଳ ? ୨୮ |

 

ଇବ, ଅଙ୍ଗ ତେଲ ସଙ୍ଗରେ

ସେହି ନଦୀ ଯେସନ,

କୁମାରୀଙ୍କି ପାଇ ବଢ଼ିଲା

ସୀତା-ଶୋକ ତେସନ | ୨୯ |

 

କିଛି ନ ପଚାରି କୁମାରୀ-

ମାନେ ରହିଲେ ବେଢ଼ି,

ଯାଇ ନ ପାରିଲେ ସେନେହ

ହେଲା ପାଦକୁ ବେଡ଼ି | ୩୦ |

 

୨୬ । ଭାରତୀ – ସରସ୍ୱତୀ, ଆରତୀ-ବିହ୍ୱଳ ହୋଇ ।

୨୭ । ଜାନକୀ – ଜାନକୀ ମହର୍ଷିଙ୍କର କନ୍ୟା ସୀତା, ଆଶ୍ୱାସ ସାନ୍ତ୍ୱନା ।

୨୮ । ଆବିଳ – ଗୋଳିଆ, ନିର୍ମଳା – ଏକପ୍ରକାର ଫଳ ।

୨୯ । ଇବ, ଅଙ୍ଗ, ତେଲ, ଜିରା, ରସ, କମେଇ, ରଣ – ଏହି ଛଅଟି ମହାନଦୀର ପ୍ରଧାନ ଉପନଦୀ

ଭାବରେ ଖ୍ୟାତ ।

୩୦ । ବେଡ଼ି – ଶିକୁଳି ।

 

ବିକଳେ ଅନାଇ କେବଳ

ତାଙ୍କ ଶାନ୍ତ ଲୋଚନ,

କଲା କ୍ଷୁବ୍ଧ-ହୃଦ ବେଦନା-

ବୀଚି-ଜଳ-ମୋଚନ | ୩୧ |

 

ଲୋତକ-ପ୍ଲାବିତା କୁମାରୀ-

ବୃନ୍ଦ ମଧ୍ୟରେ ସତୀ,

ବିକଳ ପରାଣେ ବିଳପି

ଶୋକ-ଜଳେ ଭାସନ୍ତି | ୩୨ |

 

ଚକ୍ରବାତ-ଜାତ ପୃଷତ-

ସ୍ନାତ ପଦ୍ମିନୀବନେ,

କଳରାଜହଂସୀ କୂଜଇ

କିବା ଆରତ-ସ୍ୱନେ | ୩୩ |

 

ସହୀ ଏକ ସହି ନ ପରି

ଯାଇ ବାଲ୍ମୀକି ପାଶେ,

ଜଣାଇଲା ଖେଦପୂରିତ

କ୍ଲେଶ-ଚଞ୍ଚଳା ଭାଷେ | ୩୪ |

 

"ଭୋ ତାତ ଏ ବନେ ନାରୀଏ

ନବନୀତ-ପିତୁଳୀ-

ସମ ଦିଶେ, ଆସି କାନ୍ଦୁଛି

ଯେହ୍ନେ ହୋଇ ବାତୁଳୀ | ୩୫ |

 

ସମ୍ବୋଧନ କରି ଥରକୁ-

ଥର ତା ପ୍ରିୟ କାନ୍ତେ,

୩୨ । ବିଳପି – କ୍ରନ୍ଦନ କରି ।

୩୩ । ପୃଷତ – ଜଳକଣା, ଆରତ ସ୍ୱନେ – ବିକଳ ସ୍ୱରରେ ଚକ୍ରବାତ – ଘୂର୍ଣ୍ଣିବାୟୁ ।

୩୫ । ନବନୀତ – ଲହୁଣୀ ।

 

ପତି-ଗୁଣ, ପତି-ବାତ୍ସଲ୍ୟ

ସ୍ମରୁଅଛି ଏକାନ୍ତେ | ୩୬ |

ଲଳିତ ଦିଶୁଛି ଲଲାଟେ

ତାର ସିନ୍ଦୂର-ବିନ୍ଦ,

 

ମୁଖ-କମଳକୁ ହୋଇଛି

ଯେହ୍ନେ ପୂର୍ଣ୍ଣିମା ଇନ୍ଦୁ | ୩୭ |

 

କରଯୁଗଳରେ ଶୋଭୁଛି

ଚାରୁ ରତନ ଚୂଡ଼,

ବିଷାଦ-ସାଗର-ପୁଲିନେ

ଝକୁଅଛି ନ ବୁଡ଼ି | ୩୮ |

 

ଦରବିକଶିତ କମଳେ

ବରାଟକ ପରାଏ,

ଶତଦଳ-ରୁଚି ରୁଚିର

ଚେଲେ ସେ ଶୋଭାପାଏ | ୩୯ |

 

ତିନ୍ତାଇ ଦେଉଛି ବାସକୁ

ତାର ନୟନ-ବାରି,

ଦେବୀ କି ମାନବୀ ସହଜେ

ହେଉ ନାହିଁ ତ ବାରି |" ୪୦ |

 

ଶୁଣି ମୁନିବର ମଉନେ

ନିମୀଳିତ ଈକ୍ଷଣେ,

କାୟ, ଶିର, ଗ୍ରବା, ସଳଖି

ବସି ରହିଲେ କ୍ଷଣେ | ୪୧ |

୩୬ । ଏକାନ୍ତେ

୩୯ । ବରାଟକ – ପଦ୍ମର ବୀଜକୋଷ, ଶତଦଳ – ପଦ୍ମ, ରୁଚି – କାନ୍ତି, ରୁଚିର – ସୁନ୍ଦର, ଚେଳେ – ପରିଚ୍ଛଦ ।

୪୦ । ବାସ – ପିନ୍ଧାଲୁଗା, ବାରିହେଉ ନାହିଁ ଜଣାଯାଉ ନାହିଁ ।

୪୧ । ବାସ – ପିନ୍ଧାଲୁଗା, ବାରିହେଉ ନାହିଁ – ଜଣାଯାଉ ନାହିଁ ।

୪୧ । ନିମୀଳିତ ଇକ୍ଷଣେ – ଆଖି ବୁଜି କରି ।

 

ଉଠି ପୁଣି "ଚାଲ ଦେଖିବା"

ବୋଲି ହେଲେ ବାହାର,

ମୁନି ପଛେ ପଛେ ଚାଲିଲେ

ବହୁ ମୁନି କୁମାର | ୪୨ |

 

କୌତୂହଳେ ଗଲେ ଯେ ଥିଲେ

ମଠେ ମୁନି ନନ୍ଦିନୀ,

ଡାକି ଆସିଥିଲା ଯେ ସଖୀ

ହୋଇ ତାର ସଙ୍ଗିନୀ | ୪୩ |

 

ଚାଲିଲେ ହରିଣ ହରିଣୀ

ତାଙ୍କ ସଙ୍ଗେ ସାବକ,

ବୃକ୍ଷୁଁ ବୃକ୍ଷେ ଡେଇଁ ଚଳିଲେ

ପିକ, ମୟୂର, ବକ | ୪୪ |

 

ସମୀର-ସାଗରେ ଛାଡ଼ିଲେ

ନିଜ ଶରୀର-ପୋତ,

ନୟନ-ରଞ୍ଜନ ଖଞ୍ଜନ,

ଶୁକ, ଶାରୀ, କପୋତ | ୪୫ |

 

ଅଭିଯାନ କଲା ଶାନ୍ତିର

ଏହା ବୀରବାହିନୀ,

ସୀତା-ଶୋକ-ଶିଳା ଶ୍ରେଣୀକୁ

ଯେହ୍ନେ ଘୋର ବାହିନୀ | ୪୬ |

 

ମହାନଦୀ ମହାନଦୀର

ମହା ପ୍ରବାହ ଆସି,

ରାମେଶ୍ୱର-ଶିଳା-ସବୁକୁ

ଦେଲେ ସଶିରେ ଗ୍ରାସି | ୪୭ |

୪୫ । ଖଞ୍ଜନ – ପକ୍ଷୀବିଶେଷ ।

୪୬ । ବାହିନୀ – ସେନା, ବାହିନୀ – ନଦୀ ।

୪୭ । ସମ୍ୱଲପୁର ନିକଟସ୍ଥ ମହାନଦୀର ଏକ ଭୟଙ୍କର ବିଷମ ସ୍ଥାନ ।

 

ଟଳିବେ କି ଶିଳା ସକଳ

ସ୍ରୋତ କମ୍ପିବ ସିନା,

ବିଘୁର୍ଣ୍ଣିତ ଶିରେ ପଡ଼ିବ

ଗତି ପଦ୍ଧତି ବିନା | ୪୮ |

 

ସେ ଦଶା ଭୋଗିବ ନାହିଁ ତ

ଶାନ୍ତି ଏ ଅଭିଯାନେ ?

ଲାଗୁ, ଲାଗୁଛି ତ ପ୍ରମତ୍ତ

ହୋଇ ସ୍ୱ-ଅଭିମାନେ | ୪୯ |

 

କିଛି ଦୂରେ ଯାଇ ମିଳିଲେ

ମୁନି ଜାନକୀ ପାଶେ,

ଆଉମାନେ ବେଢ଼ି ରହିଲେ

ତଳେ, ଡାଳେ, ଆକାଶେ | ୫୦ |

 

ଶ୍ୱତ ଶୂଶ୍ରୁ-କେଶ-ବିଭୁତି-

ବପୁ ସୌମ୍ୟ-ମୂରତି

ବାଲ୍ମୀକି ମହର୍ଷି ସମୀପେ

ହେମଗଉରୀ ସତୀ | ୫୧ |

 

ଦିଶିଲେ ଯେମନ୍ତ ତୁଷାର-

ତନୁ ହିମାଦ୍ରି-ତଳେ,

ତପସ୍ୱିନୀ ଉମା ମଉନେ

ରହିଛନ୍ତି ନିଶ୍ଚଳେ | ୫୨ |

 

ମୁନି ଆଗମନେ ଜାନକୀ

ଶୋକ କଲେ ନିବର୍ତ୍ତ,

ହୃଦୟରେ ହେଲା ସ୍ଥଗିତ

ଚିନ୍ତା-ଚକ୍ର-ଆବର୍ତ୍ତ | ୫୩ |

 

୫୨ । ଉମା – ପାର୍ବତୀ ।

୫୩ । ନିବର୍ତ୍ତ – କ୍ଷାନ୍ତ, ବିରତ, ଆବର୍ତ୍ତ – ଜଳଭଉଁରୀ ।

 

ବୋଇଲେ ମହର୍ଷି ସୀତାଙ୍କୁ,

"ବତ୍ସେ, ପାରିଛି ଜାଣି,

ବିରହ-ବିପଦ ତୋହର

ବହିଅଛି ଉଜାଣି | ୫୪ |

 

ସ୍ରୋତସ୍ୱତୀ-ଗତି ସହଜ

ଥାଏ ସାଗର ଆଶେ,

ଲଙ୍ଘେ ଶିଳା-ଶୈଳ-ସଙ୍କଟ,

ଯେବେ ବିରୁଦ୍ଧେ ଆସେ | ୫୫ |

 

ବାରିଧି-ସଙ୍ଗମେ ବିସ୍ମରେ

ସବୁ ବିଗତ କ୍ଲେଶ,

ଉଭୟ ଜୀବନେ ନ ରହେ

ଆଉ ପ୍ରଭେଦ ଲେଶ | ୫୬ |

 

ବିଧିବଶେ ଉଠି ମଧ୍ୟରେ

ଯେବେ ଊର୍ଦ୍ଧ୍ୱକୁ ଭେଦି,

ବାଲୁସ୍ତୂପ ଦିଏ ସରିତ

ସିନ୍ଧୁ-ହୃଦୟ ଛେଦି | ୫୭ |

 

ସରିତ ମରି ତ ନ ପାରେ

ତାର ଜୀବନ-ଭାର,

ହୃଦୟ ପ୍ରସାରି ରଖଇ

ହୋଇ ହ୍ରଦ ଆକାର | ୫୮ |

 

ଅବିକଳ ସେହି ଦଶା ମା

ଭବେ ଘଟିଛି ତୋର,

୫୫ । ସ୍ରୋତସ୍ୱତୀ – ନଦୀ ।

୫୬ । ବାରିଧି- ସାଗର, ବିସ୍ମରେ – ଭୁଲିଯାଏ ।

୫୮ । ଚିଲିକାରେ ପତିତ ନଦୀମାନଙ୍କର ଅବସ୍ଥା ଏହାର ପ୍ରମାଣ ।

 

ଚିନ୍ତାକୁ ତୁ ବୃଥା ନ କର

ଚିତା ସ୍ୱରୂପ ଘୋର | ୫୯ |

 

ଶ୍ୱଶୁର ତୋ ମୋର ସୁହୃଦ,

ସେହିପରି ତୋ ପିତା,

ଅସଂକୋଚେ ରହ ଆଶ୍ରମେ

ମଣି ସଂସାର ପିତା | ୬୦ |

 

ମୋ, ଆଶ୍ରମେ ତୋର ନ ଥିବ

କଉଣସି ଭାବନା,

ଜନମିବ ଯେଉଁ ସନ୍ତାନ

ତାର ପାଇଁ ଭାବନା |" ୬୧ |

 

ମୁନି-ବାଣୀ ଶୁଣି ଜାନକୀ

ମୁନି-ଚରଣ-ତଳେ,

ପଡ଼ି, ଉଠି ଗଣ୍ଡ ପୋଛିଲେ

ନିଜ ବସନାଞ୍ଚଳେ | ୬୨ |

 

"ବୀର ପ୍ରସବିନୀ ହୁଅ ମା"

ବୋଲି ଶୁଭ ଆଶିଷ,

ଦେଇ ଆଶ୍ୱାସିଲେ ମଧୁରେ

ମୁନି-ମଣ୍ଡଳାଧିଶ | ୬୩ |

 

ପୁନଶ୍ଚ ବୋଇଲେ, "ଆସ ମା,

ଆଉ ନ କର ମଠ;

କୁମାରୀମଣ୍ଡଳ ମଧ୍ୟରେ

ରହି ମଣ୍ଡ ମୋ' ମଠ |" ୬୪ |

 

୫୯ । ଚିତା – ଶ୍ମଶାନ, ଚିତା ସ୍ୱରୂପ ଘୋର – ଶ୍ମଶାନ ପରି ଭୟଙ୍କର ।

୬୦ । ସୁହୃଦ – ପରମ ବନ୍ଧୁ, ପିତା-ବାପା, ପିତା-ତିକ୍ତ ମନେକର ।

୬୩ । ମୁନି – ମଣ୍ଡଳାଧୀଶ – ମୁନିମାନଙ୍କ ମଧ୍ୟରେ ଶ୍ରେଷ୍ଠ ।

୬୪ । ମଣ୍ଡ – ଶୋଭାଯୁକ୍ତ କର ।

 

କିସ କିସ ଅଛି ଧର ଗୋ

ବେଗେ କୁମାରୀମାନେ,

ବୋଲନ୍ତେ ମହର୍ଷି, କନ୍ୟାଏ

ତାହା କଲେ ସମ୍ମାନେ | ୬୫ |

 

ଟଣାଟଣି ହୋଇ ସତୀଙ୍କ

ଚାରୁ ପେଟିକାମାନ,

ଧରି ବେଢ଼ି ତାଙ୍କୁ ସାଦରେ

କରାଇଲେ ପ୍ରସ୍ଥାନ | ୬୬ |

 

ପ୍ରହରି ପ୍ରହାରି ପାଦୁକା

ମୁନି ଦୁର୍ଗତି-ଶିରେ,

ରାମ-ହୃଦ-ପ୍ରେମ-ପ୍ରତିମା

ଆଗେ ଚାଲିଲେ ଧିରେ | ୬୭ |

 

କଷାୟ-ବସନ ମହର୍ଷି

ହେଲେ ଅନୁରୂପମ,

ପଛେ ବଇଦେହୀ ଦିଶିଲେ

ଭାନୁ-ଦୀଧିତି-ସମ | ୬୮ |

 

ବୁଡ଼ିଥିଲା ସେହି ଦୀଧିତି

ଦୁଃଖ-ଅର୍ଣ୍ଣବ-ଅର୍ଣ୍ଣେ,

ଅନୁରୁ ତହିଁରେ ବିରାଜୁ-

ଥିଲେ ଉଜ୍ଜ୍ୱଳ ବର୍ଣ୍ଣେ | ୬୯ |

 

୬୮ । କଷାୟ – ବସନ – ଗେରୁଆ ଲୁଗା, ଅନୁରୁ- ସୂର୍ଯ୍ୟଙ୍କର ସାରଥି, ବଇଦେହୀ - ସୀତା, ଭାନୁ – ସୂର୍ଯ୍ୟ, ଦୀଧତି – କିରଣ ।

୬୯ । ଅର୍ଣ୍ଣବ – ସାଗର, ଅର୍ଣ୍ଣ – ଜଳ ।

 

ମହାଯତି ମହାସତୀଙ୍କ

କଥାବାର୍ତ୍ତା ସକଳ,

ଶୁଣୁଥିଲେ ବସି ବିହଙ୍ଗ-

ଦଳ ନ କରି କଳ | ୭୦ |

 

ଦେଖନ୍ତେ ତାହାଙ୍କ ଆଶ୍ରମ-

ଅଭିମୁଖେ ଗମନ,

ପ୍ରମୋଦରେ କଲେ ନିସ୍ୱନ

ହୋଇ ପ୍ରଫୁଲ୍ଲ ମନ | ୭୧ |

 

ବାଜିଗଲା ପରା ଶାନ୍ତିର

ରଣ-ବିଜୟ-ଘୋଷ !

ନାଚି ନାଚି ମୃଗ-ଶାବକେ

କଲେ ପ୍ରକାଶ ତୋଷ | ୭୨ |

 

ନବ ଅତିଥିଙ୍କ ମୁଖକୁ

ମଣି ସ୍ନେହ-ସାଗର,

ସତୃଷ୍ଣ ନୟନେ ଅନାଉ-

ଥାନ୍ତି ଥରକୁ ଥର | ୭୩ |

 

ଜୟ-ଲକ୍ଷ୍ମୀ-ରୂପେ କରନ୍ତି

ଶାନ୍ତି-ପୁରକୁ ବିଜେ,

ଅଶାନ୍ତି-ସାଗର-ଉତ୍ଥିତା

ରାମ-ରମଣୀ ନିଜେ | ୭୪ |

 

ଟେକି ଚନ୍ଦ୍ରକିତ ବରହ

ବେନି ବୀଥିରେ ରହି,

ଚାଲିଲେ ଉଭୟ ପାର୍ଶ୍ୱରେ

ଶତ ଶତ ବରହୀ | ୭୫ |

୭୦ । କଳ – ପକ୍ଷୀମାନଙ୍କର ରବ ।

୭୩ । ସତୃଷ୍ଣ ନୟନେ – ଅତ୍ୟନ୍ତ ଆଗ୍ରହଯୁକ୍ତ ଦୃଷ୍ଟିରେ ।

୭୫ । ବରହ – ମୟୁର ପୁଚ୍ଛ, ବରହୀ-ମୟୁର, ଚନ୍ଦ୍ରକିତ – ମୟୁର ପୁଚ୍ଛର ଚନ୍ଦ୍ର ଚିହ୍ନ, ବୀଥି – ଉଭୟ ପାର୍ଶ୍ୱରେ ବୃକ୍ଷ ଥିବା ପଥ ।

 

ସୁକୁମାର କରି-ଶାବକେ

କରେ ଟେକି କମଳ,

ଠେଲାଠେଲି ହୋଇ ଚାଲିଲେ

ସଙ୍ଗେ ଦଳକୁ ଦଳ | ୭୬ |

 

ପାଦପେ ଝୁଲିଲା ପଲ୍ଲବ

ଶୋଭି ପୁଷ୍ପ-ସ୍ତବକେ,

ଧାଡ଼ି ଧାଡ଼ି ଶ୍ୱେତ ପତାକା

ତହିଁ ହୋଇଲେ ବକେ | ୭୭ |

 

ମଧୁରେ ଗାଇଲେ କୋକିଳ

କୁଳ ମଙ୍ଗଳ ଗୀତ,

ଅଳି-ସ୍ୱନେ ଜୟ-ଶଙ୍ଖର

ଧ୍ୱନି ହେଲା ବ୍ୟଞ୍ଜିତ | ୭୮ |

 

ବାରମ୍ବାର ଉଡ଼ି ବୃକ୍ଷରୁ

ହୋଇ ଯୁକତୃ-ମୁଷ୍ଟି,

ଶୁକ ସାରୀ ଦଳ ମାର୍ଗରେ

କଲେ କୁସୁମ-ବୃଷ୍ଟି | ୭୯ |

 

ବନ୍ଦାପନା-ଦୀପ ଜଳିଲା,

ଏଣେ ଗୋଧୂଳି-ତାରା,

ବିରାଜିଲେ ଋଷି-ଆଶ୍ରମେ

ରାମ-ନୟନ-ତାରା | ୮୦ |

 

ବାଲ୍ମୀକି ନିଦେଶେ ଉଟଜେ

ସବୁ ପେଟିକା ଥୋଇ,

କନ୍ୟା ଏକ ଦେନା ସତୀଙ୍କ

ମୁଖ-ମଣ୍ଡଳ ଧୋଇ | ୮୧ |

 

୮୧ । ଉଟଜେ – କୁଡ଼ିଆରେ, ନିଦେଶେ-ଆଦେଶରେ ।

 

କନ୍ୟା ଏକ ଜଳ-କଳସ

ଢାଳୁଁ ଢାଳୁଁ ଚରଣେ,

ତା' ହସ୍ତରୁ-ନେଇ ସ୍ୱପଦ

ପ୍ରକ୍ଷାଳିଲେ ଆପଣେ | ୮୨ |

 

ସତୀଙ୍କି ବସାଇ ସୁତାଏ

ମୃଦୁ ପଲ୍ଲବାସନେ,

ଫଳମୂଳ ଆଣି ସମକ୍ଷେ

ଦେଲା ପର୍ଣ୍ଣବାସନେ | ୮୩ |

 

ଅନୁକମ୍ପା ନାମେ ବୃଦ୍ଧାଏ

କରି ସତୀଙ୍କି କୋଳ,

ପୋଛି ଦେଲେ କର କମଳେ

ତାଙ୍କ ଭାଲ କପୋଳ | ୮୪ |

 

ମମତା-ପ୍ରପାତ-ସେନେହ

ସ୍ୱଚ୍ଛ ଉଜ୍ଜ୍ୱଳ ଜଳ,

ପକାଇ ସତୀଙ୍କ ପରାଣ

ପ୍ଳାବି କରି ଶୀତଳ | ୮୫ |

 

ମୁଖ ଚାହିଁ-ଚାହିଁ ବୋଇଲେ,

ଧୀର କୋମଳ ଭାଷେ,

"ମୋ ଭାଗ୍ୟକୁ ମାଆ ଆସିଛୁ

ଆଜି ତୁ ମୋର ପାଶେ | ୮୬ |

 

ରାଜ ରାଜେଶ୍ୱରୀ ମାଆ ତୁ

ସ୍ୱର୍ଣ୍ଣ ମନ୍ଦିର ତୋର,

ତମଃପୂର୍ଣ୍ଣ କରି ଉଜ୍ଜ୍ୱଳ

କଲୁ କୁଟୀର ମୋର | ୮୭ |

 

୮୨ । ପ୍ରକ୍ଷାଳିଲେ – ଧୋଇଲେ ।

 

ଦିନଯାକ କରି ନ ଥିବୁ

ପରା କିଛି ଆହାର,

ପୁଅ କରୁଥିବ ଗରଭେ

ଚଳି ପାଦ-ପ୍ରହାର | ୮୮ |

 

ଖାଆ ମା'! ଖାଆ ମା' | ମା' ଘରେ

ତୋର କି ଅଛି ଲାଜ,

ଚାହିଁ ରହିଛନ୍ତି ତୋତେ ତୋ'

ଏହି ସଖୀସମାଜ |" | ୮୯ |

 

ବୋଲି ନିଛି ଦେଇ ଧରାଇ

ଦେଲେ ନାରଙ୍ଗୀ-କଳି,

ଗୋଟି ଗୋଟି କରି କର୍ପୂର-

କାନ୍ତି ପକ୍ୱ କଦଳୀ | ୯୦ |

 

ବୀଜ ଭିନ୍ନ ବରି କୁଳକ

ଖଣ୍ଡ ଖଣ୍ଡ ପନସ,

ସୁମଧୁର ପିଣ୍ଡ ଖର୍ଜୁର

ସହକାର ସରସ |୯୧ |

 

ବାରମ୍ବାର ବୋଲି ମଧୁରେ

"ଧୀରେ ଭୁଞ୍ଜ ମା, ଭୁଞ୍ଜ"

କରେ ଦେଲେ ଭାଙ୍ଗି କରକ-

ମଞ୍ଜି ପୁଞ୍ଜକୁ ପୁଞ୍ଜ | ୯୨ |

୮୮ । ଚଳି – ରାଗରେ ।

୯୦ । ନିଛି – ଚୋପା ଛଡ଼ାଇଦେଇ ।

୯୧ । କୁଳକ – କେନ୍ଦୁ, ସହକାର – ଆମ୍ୱ ।

୯୨ । କରକ – ଡାଳିମ୍ୱ ଫଳ ।

 

ଅବଶେଷେ "ଆଉ ଦିଓଟି,

ଆଉ ଦିଓଟି" ବୋଲି;

ଭୁଞ୍ଜାଇଲେ ସେହୁ ସତୀଙ୍କି

 

ଆଠ ଦଶୋଟି କୋଳି | ୯୩ |

 

ମାତୃ-ସ୍ନେହ-ସୁଖ ନ ଥିଲେ

ବୁଝି ବାଲ୍ୟ-ଜୀବନେ,

ସେହି ସୁଖ ସତୀ ବୁଝିଲେ

ଆଜି ବାଲ୍ମୀକି-ବନେ | ୯୪ |

 

ଆଚମନ କରି ଜାନକୀ

ଫଳ-ଭୋଜନ-ଶେଷେ,

କାଷ୍ଠ ଆସନରେ ବସିଲେ

ତାପସୀଙ୍କ ନିଦେଶେ | ୯୫ |

 

କୁମାରୀ ଏ ଦେଲା କୋରଙ୍ଗୀ

ଫଳ ଦେବୀଙ୍କ କରେ,

ମୁଖେ ପକାଇଲେ ସୁମୁଖୀ

ତାହା ଘେନି ସାଦରେ | ୯୬ |

 

କନ୍ୟା ଏକ ଆଣି କୋମଳ

ଶୁଷ୍କ ନୀବାର ନାଳ,

ଶଯ୍ୟା କରିଦେଲା ତହିଁରେ

ପାରି ହରିଣ-ଛାଲ | ୯୭ |

 

ସଖୀ ଦୁଇ ତହିଁ ରହିଲେ

ବଇଦେହୀଙ୍କ ପାଶେ,

ଆଉମାନେ ହେଲେ ଅନ୍ତର

ନିଜ ନିଜ ଆବାସେ | ୯୮ |

 

ତୃତୀୟ ସର୍ଗ

(ରାଗ: ବଙ୍ଗଳାଶ୍ରୀ)

ଭାଗୀରଥୀ-କୂଳେ             ଲକ୍ଷ୍ମଣ ଯେ କାଳେ
ବୈଦେହୀ ବିସର୍ଜି ଗଲେ,
ବ୍ୟାପିଥିଲା ଖରା             ସସାଗରା ଧରା
ନିର୍ମଳ ଅମ୍ବର ତଳେ | ୧ |


ରାଘବ-ବଧୂର             ନିର୍ଯାତନ ସୁର-
ପୁରକୁ ଦିଶିଲେ ଲଜ୍ଜା
ହେବ ବୋଲି ଦିବା-             ନାଥଙ୍କ ସେ କିବା
ଶୁଭ୍ର ଯବନିକା-ସଜ୍ଜା | ୨ |


ଜାଣିସେ ରହସ୍ୟ             କରିବାକୁ ଦୃଶ୍ୟ
ଭାସ୍କର-ବଂଶର ଦୋଷ,
ଅଚିରେ ଅବନୀ             ପୃଷ୍ଠୁ ସେ ଯବନୀ
ଉଠାଇ ଦେଲା ପ୍ରଦୋଷ | ୩ |


ବିହଙ୍ଗମଗଣ             ଡାକନ୍ତେ ଗଗନ-
ପ୍ରାଙ୍ଗଣେ ତାରକାକୁଳ,
ଏକ ପଛେ ଏକ             ତା ପଛେ ଅନେକ
ଆସି ହୋଇଗଲେ ଠୁଳ | ୪ |

 

୧ । ଭଗୀରଥୀ – ଗଙ୍ଗା, ଅମ୍ୱର – ଆକାଶ ।

୨ । ରାଘବ – ବଧୂ-ସୀତା, ସୁରପୁର – ଇନ୍ଦ୍ରଙ୍କ ରାଜ୍ୟ, ସ୍ୱର୍ଗ ଭୁବନ । ନିର୍ଯ୍ୟାତନ – ଦୁଃଖ, ପୀଡ଼ା, ଯବନିକା – ପର୍ଦ୍ଦା ।

୩ । ଯବନୀ – ପରଦା, ପ୍ରଦୋଷ – ସନ୍ଧ୍ୟା,

 

ଦେଖିଲେ ବିଜନେ             ପ୍ରଶସ୍ତ ପ୍ରାଙ୍ଗଣେ
ରାମଚନ୍ଦ୍ର ରବି-ବଂଶୀ,
ବିଷଣ୍ଣ-ବଦନେ            ସଜଳ-ନୟନେ
ଏକାକୀ ଅଛନ୍ତି ବସି | ୫ |


ଭାବୁଥିଲେ ରାଜ-             ଅଧିକାର ବ୍ୟାଜ
ଅଟେ ମହାଦାସତ୍ୱର,
ଏହି ଉଚ୍ଚ ପଦେ             ପ୍ରକୃତିର ପଦେ
ଖଟିବା ହୁଏ ମାତର | ୬ |


ମିଥ୍ୟା କଥା ଯେବେ            ପ୍ରଜାଏ କହିବେ
ମେଳ ହୋଇ ଶତ ଶତ,
ମିଥ୍ୟା ଜାଣି ଜାଣି             ତାଙ୍କୁ ମାନି ମାନି
ବୋଲାଯାଏ ସତ ସତ | ୭ |


ପ୍ରକୃତିର ଶାନ୍ତି-             ଯଜ୍ଞରେ ନୃପତି-
ସୁଖଟି ସ୍ୱଭାବେ ବଳି,
ଦୃଢ଼ ଧର୍ମ-ଦାମେ            ବଦ୍ଧ ନିଜ କାମେ
ପାଦେ ନ ପାରଇ ଚଳି | ୮ |


ଅଭିଷେକ ଯାହା             କରିଥାନ୍ତି ତାହା
ପ୍ରୋକ୍ଷଣ ମାତର ସିନା,
ଚାମର ଢାଳିବା            ଅନ୍ୟ କି ବୋଲିବା
ମକ୍ଷିକା ତଡ଼ିବା ବିନା ? ୯ |


ସୁଖେ ନଇରାଶ୍ୟ             ନ ଥିବ ଅବଶ୍ୟ
ଦେବତା ହୃଦୟେ ସୁଦ୍ଧା,
ସେ ହେତୁ ମହତୀ             ଦେବତା ନୃପତି
ସେବଇ କୀରତି-ସୁଧା | ୧୦ |

 

୬ । ବ୍ୟାଜ – ଛଳ ।

୮ । ଦାମ – ଦଉଡ଼ି ।

୯ । ପ୍ରୋକ୍ଷଣ – ଶୁଦ୍ଧି ନିମିତ୍ତ ଜଳସେଚନ, ଚାମର – ଚଅଁର ।

 

ପ୍ରଜା ରକ୍ତ ଜଳ-             କଣିକା ପଟଳ
ସିନା ଉଚ୍ଚାସନ ପାଇ,
ଜଳଧର ରୂପ             ହୋଇଥାଏ ନୃପ
ପରଜାଙ୍କ ହିତ ପାଇଁ | ୧୧ |


ଭୂମିଜଳେ ବଜ୍ର             ନ ଥାଏ, ସହଜ
ମାତ୍ର ତାହା ଜଳଧରେ,
ପ୍ରଜା-କର-ଦଣ୍ଡ             ନ ହୁଁ ପ୍ରଚଣ୍ଡ
ପ୍ରଚଣ଼୍ଡ ନୃପତି କରେ | ୧୨ |


ହୃଦ ପଛେ ଜ୍ୱଳେ             ବିଦ୍ୟୁତ-ଅନଳେ
ଜଳାଦାନେ ଘନ ବାଧ୍ୟ,
ସୁଖ ତେଜି ରାଜା            ତୋଷିବ-ପରଜା
ତେବେ ତ ପରମାରାଧ୍ୟ | ୧୩ |


ସ୍ୱର୍ଗନିଶ୍ରେଣୀର             ସମୁନ୍ନତ ଶିର
ରାଜପଦ ଭୂମଣ୍ଡଳେ,
ହେଲେ ଲକ୍ଷ୍ୟଭ୍ରଷ୍ଟ,             ପଡ଼ି ହୁଏ ନଷ୍ଟ
ନୃପତି ଗଭୀର ତଳେ | ୧୪ |


ମାୟାକର ପରି             ଦଣ୍ଡଗୋଟି ଧରି
ସମ ଦୃଷ୍ଟି ସମ ଭାବେ,
ରାଜତ୍ୱ ରଜ୍ଜୁରେ            ବିଳସି ଋଜ୍ଜୁରେ
ନିଜ ଜୀବନ ନ ଭାବେ | ୧୫ |


ଯଦି ବାଜୀକର             ରଜ୍ଜୁରେ ପୟର
ଦେଲାରୁ ନ ଯିବ ଚାଳି,
ତାଳି ମାରି ଥୋକେ             ହସିଦେବେ ଲୋକ
ବାଦ୍ୟକାର ଦେବ ଗାଳି | ୧୬ |

 

୧୧ । ଜଳଧର – ମେଘ ।

୧୩ । ଘନ – ମେଘ ।

୧୪ । ଭୂମଣ୍ଡଳ – ପୃଥିବୀ ।

୧୫ । ଋଜୁ – ସରଳ, ବିଳସି – କ୍ରୀଡ଼ାକରି ।


ପ୍ରିୟା ମଇଥିଳୀ-             ବିରହେ ଶିଥିଳୀ
କୃତ କରି ପ୍ରାଣ ଯେବେ,
ନ କରିବ କାର୍ଯ୍ୟ             ମାନବ-ସମାଜ
ଆହୁରି ଗଞ୍ଜିବେ ତେବେ | ୧୭ |


ବୋଲିବ ସଂସାର             ରାମ କୁଳାଙ୍ଗାର
ଜନ୍ମ ଲଭି ରଘୁବଂଶେ,
ବିଚାର କୃପଣ             ହୋଇ ରାଜପଣ
ତ୍ୟାଗ କଲା ବଧୂବଶେ | ୧୮ |


ବାନପ୍ରସ୍ଥାଶ୍ରମ             ହେଲେ ହେଁ ଉତ୍ତମ
ସମୟ ମୋ ହୋଇ ନାହିଁ,
ମୋ କାର୍ଯେ ଭରତ            ହେବାକୁ ନିରତ
ସମ୍ମତ ବା ହେବ କାହିଁ | ୧୯ |


ଅଙ୍କତ୍ରବ୍ୟେ ପ୍ରୀତି            ହ୍ରାସ ନିତି ନିତି
ଦେଖି ଦେଖି ପୁନଃ ପୁନଃ,
ହେଲେ ଶୂନ୍ୟ ଅଙ୍କ            ଶୂନ୍ୟ ଯୋଗେ ଅଙ୍କ
ପରି ହୃଦପ୍ରୀତି ଗୁଣ | ୨୦ |


ସ୍ଥୂଳ କଳେବର             ନୁହଇ ଅମର,
ଅମର କେବଳ ମନ,
ମନେ ଯେବେ ସଙ୍ଗ             ହୋଇ ନାହିଁ ଭଙ୍ଗ
ସେହି ସୁଖ ସୁଖେ ଗଣ୍ୟ | ୨୧ |

 

୧୬ । ବାଜୀକର – ଐନ୍ଦ୍ରଜାଲିକ, କେଳା ।

୧୭ । ଗଞ୍ଜିବେ – ନିନ୍ଦା କରିବେ, ପୀଡ଼ା ଦେବେ ।

୧୯ । ବାନପ୍ରସ୍ଥାଶ୍ରମ – ପରିଣତ ବୟସରେ ସଂସାର ଜଞ୍ଜାଳରୁ ମୁକ୍ତ ହୋଇ ବନବାସ କରିବା । ନିରତ – ନିଯୁକ୍ତ ।

 

କେ ରହିଛି ଭବେ             ବାସ୍ତବ ବିଭବେ
ସୁବର୍ଣ୍ଣ ମୁକୁଟ ବାନ୍ଧି ?
ଯଶ ଅପଯଶ            ନୋହି କାଳବଶ
ହୁଅନ୍ତି ତା ପ୍ରତିବାଦୀ | ୨୨ |


ସ୍ୱରଗ-ନରକ-            ଗତି-ନିର୍ଦ୍ଧାରକ
ସ୍ୱଭାବେ ଜଗତ-ଜନ,
ଏଡ଼ି ଜନରବ            ଅନିତ୍ୟ ବାସ୍ତବ
ସୁଖ ଲୋଡ଼େ ନୀଚ ମନ | ୨୩ |


ନାହିଁ ସିନା ଘରେ             ହୃଦ-ପ୍ରେମ-ସରେ
ମୋ ପ୍ରିୟା-କମଳ-କଳି,
ପଡ଼ିଅଛି ଫୁଟି,            ମକରନ୍ଦ ଲୁଟି
କରୁଅଛି ମନ-ଅଳି | ୨୪ |


ନୟନ-ଯୁଗଳ            କାହିଁକି ବିକଳ
ହୋଇ ଛାଡ଼ୁଅଛି ଜଳ,
ଶୁଖିଗଲେ ସର            କମଳିନୀ ମୋର
ହୋଇଯିବ ଟଳଟଳ | ୨୫ |


ବକ୍ଷ ତୁ ପଥର-            ବନ୍ଧ ହୋଇ କର
ରୁଦ୍ଧ ନେତ୍ର-ଜଳ-ନାଳୀ,
ନାସିକା-ପବନ            ନ ବହିବୁ ଘନ
କମ୍ପିବ-ପ୍ରାଣ-ସଙ୍ଖାଳି | ୨୬ |


ଲକ୍ଷ୍ମଣ ଆସିବ            ସମସ୍ତ ଭାଷିବ
ଜୀବନ-ସଙ୍ଗିନୀ କଥା,
ଶ୍ରବଣ ଯୁଗଳ            ନ ହୁଅ ଚଞ୍ଚଳ
ଶୁଣିବ ମୁଞ୍ଚିବ ବ୍ୟଥା | ୨୭ |

 

୨୨ । ଭବେ – ସଂସାରରେ, ବିଭବ – ଐଶ୍ଚର୍ଯ୍ୟ, ପ୍ରତିବାଦୀ – ବିବାଦୀ ।

୨୩ । ଜନରବ – ଗୁଜବ, ଲୋକ ପ୍ରବାଦ ।

୨୪ । ମକରନ୍ଦ – ପଦ୍ମମଧୁ, ମନ ଅଳି – ମନ ରୂପକ ଭ୍ରମର ।

 

ରେ ସନ୍ତପ୍ତ ଚର୍ମ !            ନାଶିବ ତୋ ଘର୍ମ
ସମୀର ଆସୁଛି ବହି,
ସନ୍ତାପ ନାଶିନୀ            ସରେଜ ଯାମିନୀ
ଶ୍ରୀଅଙ୍ଗ-ସୌରଭ ବହି | ୨୮ |


ଆଉ ଏକ କଥା            କହୁଛି, ଏକତା
ବାନ୍ଧି ତୁମ୍ଭେ ମନ ସଙ୍ଗେ,
ଚାଲ ହୃଦସରେ            ଅନନ୍ତ ବାସରେ
ବିଳସିବ ରଙ୍ଗରସେ | ୨୯ |


ମୋ ପ୍ରାଣ-ସଙ୍ଗିନୀ            ନବ କମଳିନୀ
ଫୁଟି ରହିଅଛି ତହିଁ,
ସ୍ମରଣ-ଭାସ୍କର            ଚିର ତେଜସ୍କର
ଅସ୍ତ ତାର ନାହିଁ ଯହିଁ | ୩୦ |


ମୋ ବୋଲେ ରସନା            ତୁ ତହିଁ ରସ ନା,
ଖାଇଛୁ ପରଜା ବିତ୍ତ;
ଯା ଧନେ ପାଳିତ-            ତା ନାମେ ଚାଳିତ
ହେବାରେ ନୁହ ଭାବିତ | ୩୧ |


ଲୋକେ ଲୋକହିତ-            ସାଧନ ବିହିତ
ବୋଲି ସିନା ଅଛି ପ୍ରାଣ,
ନ ହେଲେ କି ପବି-            ଦ୍ରବ କରି ହବି
ପ୍ରାୟେ କରିଥାନ୍ତା ପାନ | ୩୨ |


ପିଞ୍ଜରୁ ବାହାରି            ଯିବେ ଶୁକ ସାରୀ,
ଛାଡ଼ିଦେବି ରାତି ପାହୁ,
ତୋତେ ଉତ୍ତେଜିତ            କରିବା ନିମିତ୍ତ
ନ ବୋଲିବେ "ସୀତା" ଆଉ | ୩୩ |

 

୨୭ । ଶ୍ରବଣ – କାନ, ମୁଞ୍ଚିବ – ଦୂର ହେବ ।

୨୮ । ଘର୍ମ – ଝାଳ, ସମୀର – ପବନ, ସନ୍ତାପ – ଦୁଃଖ, ସରୋଜ – ପଦ୍ମ ।

୩୨ । ପବି – ବଜ୍ର, ହବି – ଘତ, ଦ୍ରବ – ତରଳ ।


ହରିଣ-ଶାବକ            ଯିବ ସେ ଯାବକ-
ରଞ୍ଜିତ ଚରଣା ପାଶ,
ଅଲକ୍ତକ ଧାର            ଅଟେ ତା ଗଳାର
ରଙ୍ଗ ପାଟ-ଡୋରି-ଫାଶ | ୩୪ |


ମୟୂର-ଯୁଗଳ            ରାବି ଅନର୍ଗଳ
କାହିଁକି ରହିବେ ଆଉ,
ଉଚ୍ଚାରିବା ସ୍ୱନ            କା' ଅନୁକରଣ
କରି, ଭୀମରାଜ ଯାଉ | ୩୫ |


ସଙ୍ଗୀତ-ପ୍ରବୀଣା            କଣ୍ଠ ସଙ୍ଗ ବିନା
ପାଇବ ନାହିଁ ଗୌରବ ?
ବୀଣା ତାହା ଜାଣି            ଭାଗ୍ୟ-ଦୋଷ ମାନି
ରହିବ ହୋଇ ନୀରବ | ୩୬ |


ତହୁଁ ରାମ କ୍ଷଣେ            ମୁଦ୍ରିତ ଈକ୍ଷଣେ
ଚିନ୍ତାଚଳ-ଚୂଳେ ଚଢ଼ି,
ଦେଖିଲେ କାଳର            ସ୍ରୋତ ଭୟଙ୍କର
ବେଗେ ଯାଉଅଛି ଗଡ଼ି | ୩୭ |


ଚରାଚର ସର୍ବେ            ତା ଗଭୀର ଗର୍ଭେ
ଉଇଁ ହେଉଛନ୍ତି ଲୀନ,
ବୁଦବୁଦ ପରାଏ            କେହି କ୍ଷଣେ ଥାଏ
କେବା ରହେ କିଛି ଦିନ | ୩୮ |


କୀରତି-ଶଇଳ            ସେ ଘୋର ସଲିଳ-
ସ୍ରୋତ ମଧ୍ୟେ ଟେକି ଶିର,

 

୩୪ । ଯାବକ – ଅଳତା, ଅଲକ୍ତକ – ଅଳତା ।

୩୫ । ଭୀମରାଜ – କୃଷ୍ଣବର୍ଣ୍ଣ ପକ୍ଷୀ ବିଶେଷ ।

୩୮ । ବୁଦ୍‍ବୁଦ୍‍ - ପାଣି ଫୋଟକା ।


ନ ଗଣି ଆପଦ            ଚୁମ୍ବି ବିଷ୍ଣୁପଦ
ରହିଅଛି ହୋଇ ସ୍ଥିର | ୩୯ |


ଶୈଳ-ସାନୁଦେଶେ            ଜ୍ୟୋତିର୍ମୟ ବେଶେ
ପତି ସଙ୍ଗେ ସତୀଗଣ,
ହୋଇ ଯୁଗ ଯୁଗ            ସୁଖେ ଯୁଗ ଯୁଗ
କରୁଛନ୍ତି ବିଚରଣ | ୪୦ |


ଅନେକ ନୃପତି            ତହିଁ ପନ୍ତି ପନ୍ତି
ରତ୍ନମୟ-ସିଂହାସନେ,
ଅଛନ୍ତି ରାଜିତ            ହୋଇ ବିଭ୍ରାଜିତ
ଅମର-ପୁଷ୍ପ-ଭୂଷଣେ | ୪୧ |


ଅସାଧ୍ୟ ସାଧନ-            ଲବ୍ଧ ପୁଣ୍ୟଧନ
ବହିଛି ଯା' ତନୁ-ତରୀ,
ଶଇଳ ନିବାସୀ            କବିବୃନ୍ଦ ଆସି
ନେଉଛନ୍ତି କର ଧରି | ୪୨ |


ଧର୍ମ ନ ବିଚାରି            କେତେ ଦୁରାଚାରୀ
ଆରୋହି ତହିଁକି ବଳେ,
କବିଙ୍କର ପବି-            ସମ ମୁଷ୍ଟି ଲଭି
ରହୁଛନ୍ତି କଳବଳେ | ୪୩ |


ତାଙ୍କ ସେ ଦୁର୍ଦ୍ଦଶା            ଅନାଇ ସହାସା
ଦିଅନ୍ତେ ନୟନ ଫେଡ଼ି,
ଦେଖିଲେ ଶ୍ରୀରାମ            ବସୁନ୍ଧରା-ଧାମ
ରହିଛି ତିମିର ବେଢ଼ି | ୪୪ |


ସୁନୀଳ ଗଗନ            ମଣ୍ଡି ତାରାଗଣ
ଅଛନ୍ତି ଉଜ୍ଜ୍ୱଳ ମୁଖେ,
ନାହିଁ ସୁଧାକର            କିନ୍ତୁ ତାହାଙ୍କର
ବାଧା ହୋଇନାହିଁ ସୁଖେ | ୪୫ |

 

୩୯ । ବିଷ୍ଣୁପଦ – ଆକାଶ ।

୪୦ । ସାନ୍ନଦେଶ – ପର୍ବତର ଉପରସ୍ଥ ସମତଳ ଭୂମି ।

୪୧ । ରାଜିତ – ଶୋଭାଯୁକ୍ତ, ବିଭ୍ରାଜିତ – ଉଜ୍ୱଳୀକୃତ, ଦୀପ୍ତ ।


ବୋଇଲେ, "ହେ ତାରା-       ବୃନ୍ଦା ପ୍ରେମକାରା-
ବଦ୍ଧ ନୋହି ଚନ୍ଦ୍ରମାର,
ବିଧିର ବିଧାନ            ଘେନି ପ୍ରଣିଧାନ
ଚିତ୍ତେ ଭ୍ରମ ଶିଶୁମାର | ୪୬ |


ବଲ୍ଲଭ ବିରହ-            ବେଦନା ଦୁଃସହ
ହେଲେ ହେଁ ଜଗତ ଲାଗି,
ସେ ଦୁଃଖ ବିସ୍ମରି            କର୍ମ ଅନୁସରି
ଦ୍ୟୁତି-ଦାନେ ଅଛ ଲାଗି | ୪୭ |


ତୁମ୍ଭ ଧର୍ମ-ଦୀକ୍ଷା            ବେଗେ ଦିଅ ଶିକ୍ଷା
ବାଲ୍ମୀକି-ଆଶ୍ରମେ ଯାଇ,
ମୋ ହୃଦ-ଚନ୍ଦ୍ରିକା            ତହିଁ ବସି ଏକା
କାନ୍ଦୁଥିବ ମୋତେ ଧ୍ୟାୟି | ୪୮ |


ଏ ରାତ୍ର ସମୟେ            ବ୍ୟାକୁଳ ହୃଦୟେ
ରାବୁଥିଲେ ଚକ୍ରବାକୀ,
କରୁଣା-ପ୍ରବଣା            ହୋଇ ଜ୍ଞାନବଣା
ପ୍ରାଣ ନ ରଖିବ ବାକି | ୪୯ |


ସର ପ୍ରଦର୍ଶନ            କରି ନିଦର୍ଶନ
ଦେବ କୁମୁଦିନୀ ବନ,
ଚନ୍ଦ୍ରମା ଉଦୟ            ନ ହେଲେ ଅଥୟ
ନ କରି ଧରେ ଜୀବନ | ୫୦ |

 

୪୬ । ଶିଶୁମାର – ତାରାଚକ୍ର ।

୪୭ । ବଲ୍ଲଭ – ସ୍ୱାମୀ, ବିସ୍ମରି – ଭୁଲିଯାଇ, ଦ୍ୱୁତି – ଆଲୋକ ।


ପୁନଃ ସମାଗମ-            ବିଷୟ ବିଷମ
ସମସ୍ୟା ମଣିବ ନାହିଁ
ହୃଦୟ-ସଙ୍ଗମ             ଅତି ମନୋରମ
ଜାଣ ତ, ଦେବ ବୁଝାଇ | ୫୧ |


ଏ କଥାରେ ଦ୍ୱଧା            ଭାବିବା ସୁବିଧା
ନ ପାଇବ ସାରସାକ୍ଷୀ
କହିବ ନିଶ୍ଚୟ            ମୋ' ଭାବ ନିଚୟ
ଦେଖୁଛ ତ ହେବ ସାକ୍ଷୀ | ୫୨ |


ଅଧିକନ୍ତୁ ତାର            ଗର୍ଭେ ମୋ ଆତ୍ମାର
ସ୍ରୋତ ଲାଗିଅଛି ଯାଇଁ
କହିଲେ ଏ କଥା            କଦାଚ ଅଯଥା
ବୋଲି ସେ ପାରିବ ନାହିଁ | ୫୩ |


ଏଥିରେ ରାଘବ            ହୃଦକୁ ଲାଘବ
ସ୍ପରଶେ ଥିଲା କି କ୍ଷମ ?
ବୃଥା ତାରାଗଣ            କଲେ ନିରୀକ୍ଷଣ
ଦୃଷ୍ଟି ପଥେ ଆଣି ତମ | ୫୪ |


ଗୁଣୀର ସଦଗୁଣ            ନ ବୁଝି ନିପୁଣ
ହେଲେ ଦୋଷ ଦରଶନେ,
ବିଧି ବିଡ଼ମ୍ବନା            ଭୋଗ ସମ୍ଭାବନା
ହୁଏ ତାର ଉଚ୍ଚାସନେ | ୫୫ |


ଦେଖି ରାମ ଦୋଷ            ପାଇବେ ସନ୍ତୋଷ
ଭାବିଥିଲେ ତାରା-ତତି,
ହୃଦୟ-ଉଚ୍ଚତା            ଚାହିଁ ପୋତି ମଥା
ଲାଭ କଲେ ନୀଚ ଗତି | ୫୬ |

୫୫ । ବିଡ଼ମ୍ୱନା – ପ୍ରତାରଣା ।

୫୬ । ତତି – ସମୂହ ।


ଦାଶରଥି-ଦୁଃଖ-            ଦର୍ଶନ-ବିମୁଖ
ଖେଦ-ଖଣ୍ଡ-ହୃଦ-ବିଧୁ,
ନିଶୀଥ ସମୟ            ହେଲାରୁ ଉଦୟ
ହେଲେ ତେଜି କ୍ଷୀରସିନ୍ଧୁ | ୫୭ |


ଜୀବଞ୍ଜୀବ ଡାକ            ଦେଲା ଚକ୍ରବାକ-
ପ୍ରୀତି କରି ଉପହାସ,
ନ ଭାଳ, ନ ଭାଳ            ଲେଖାଅଛି ଭାଲ-
ପଟେ ତୋର ଉପବାସ | ୫୮ |


କିମ୍ପା ନ କହିବ            ଦେଇଛି ଦଇବ
ତା' ମୁଖେ ଅମୃତ ଢାଳି
ପରର ବିପତ୍ତି            ଚାହିଁଲେ ସମ୍ପତ୍ତି-
ଶାଳିଏ ମାରନ୍ତି ତାଳି | ୫୯ |


ଏଣେ ବିରହିଣୀ            ଶ୍ରୀରାମ ଗୃହିଣୀ
ମଣି ଦୀପ୍ତିମୟ ପୁର,
ଗଜେନ୍ଦ୍ର-ଦର୍ଶନ-            ରମ୍ୟ ସୁଖାସନ
ସୁଖ ଭୋଗୁଁ ହୋଇ ଦୂର | ୬୦ |


ପୂର୍ବ ପରିଚିତ            ପଲ୍ଲବ ରଚିତ
ଉଟଜେ ଅଜନାସନେ,
କରି ଅବସ୍ଥାନ            ପୂର୍ବ କଥାମାନ
ଭାବୁଛନ୍ତି ମନେ ମନେ | ୬୧ |


ପ୍ରାଣନାଥଙ୍କର            ପ୍ରେମ-ଜରଜର
ମଧୁମୟ ସମ୍ଭାଷଣ,
ହୃଦ ଫନୋଗ୍ରାଫେ            ପରବେଶି ଆପେ
ତୋଳୁଛି ନିର୍ମଳ ସ୍ୱନ | ୬୨ |

 

୫୭ । ଦାଶରଥି – ରାମଚନ୍ଦ୍ର ।

୫୮ । ଜୀବଞ୍ଜୀବ – ଚକୋର ।

୬୧ । ଅଜିନ – ମୃଗଚର୍ମ ।


ସର୍ବ ଭୟ-ହର            ସରଳ ସୁନ୍ଦର
ମରକତ-ପ୍ରଭୁ ବାହୁ,
ମାନସିକ ଧ୍ୟାନେ            ଶିର ସନ୍ନିଧ୍ୟାନେ
ଦିଶୁଅଛି ଦାଉ ଦାଉ | ୬୩ |


ନିଦ୍ରା ପରିହରି            ଥାଆନ୍ତି ପ୍ରହରୀ
ଯେ ରୂପେ ଲକ୍ଷ୍ମଣ ସଙ୍ଗୀ,
ସ୍ମରଣ-ମୁକୁରେ            ଦିଶନ୍ତି ଅଦୂରେ
ସେ ରୂପେ ହୋଇ-ନିଷଙ୍ଗୀ | ୬୪ |


ସେ ସ୍ୱାମୀ ଦେବର            କରିଛନ୍ତି ଦୂର
ଏ କଥା ଦେବାରୁ ଭାବି,
ହିମାକ୍ତ ନଳିନ            ସଦୃଶ ମଳିନ
ନେତ୍ର ହେଲା ନୀରସ୍ରାବୀ | ୬୫ |


ଖଜୁରିଆ କର-            ବିକ୍ଷତ ଖର୍ଜୁର

ନୀରବେ ନିଶ୍ଚଳେ ଯଥା,

ରତ ତ୍ୟାଗ କରେ            କ୍ଷୋଭ ଆଘାତରେ
ସତୀ ଦଶା ହେଲା ତଥା | ୬୬ |


ଏହି ରୂପେ ପ୍ରିୟ            ପ୍ରିୟାଭାବ ପ୍ରିୟ-
ଭାବ ପ୍ରିୟା ସ୍ମରି ସ୍ମରି,
ଦୁଃଖାସନେ ବସି            ଧରି ଧୈର୍ଯ୍ୟ-ଅସି
କାଟୁଥିଲେ ବିଭାବରୀ | ୬୭ |


ଆତ୍ମା ଶିର-ଶ୍ରମ            ସମୁଦ୍ଭୂତ ଘର୍ମ
ବହି ବହି ଅବିରଳ,
ପକ୍ଷ୍ମ-ଗୁଳ୍ମ-ରାଶି            ଧୌତ କରି ଆସି
ପ୍ଳାବୁଥିଲା ଗଣ୍ଡସ୍ଥଳ | ୬୮ |

 

୬୪ । ମୁକୁର – ଦର୍ପଣ, ନିଷଙ୍ଗୀ – ଧନୁର୍ଦ୍ଧାରୀ ।

୬୭ । ବିଭାବରୀ – ରାତି ।

୬୮ । ଶର୍ବରୀ – ରାତି ।


ରାବିଲା ଶର୍ବରୀ            ପେଚା-ବେଶ ଧରି
କ୍ରମେ ହୋଇ କ୍ଷୀଣପ୍ରାଣ,
ରକତେ ଗଗନ            ପ୍ଲାବି ପଳାୟନ
ଉପାୟେ ପାଇଲା ତ୍ରାଣ | ୬୯ |


ପ୍ରେମିକ ପ୍ରେମିକା            ପଦେ ଅହମିକା
ବିକି ଦେଇ ତାରାଗଣ,
ପୁଷ୍ପ ବେଶେ ଝଡ଼ି            ଅବନୀରେ ପଡ଼ି
ଲୋଡ଼ିଲେ ତାଙ୍କ ଶରଣ | ୭୦ |


ଶରଣ-ବତ୍ସଳ            ରଘୁନାଥ ଛଳି
ନ ଧରି ରଖିଲେ ମାନ,
ଦେଲେ ଏହି ବର-            "ଯୁଗ ଯୁଗାନ୍ତର
ମସ୍ତକେ ପାଇବ ସ୍ଥାନ |" ୭୧ |

୭୧ । ଅହମିକା – ଅହଂକାର ।

 

ଚତୁର୍ଥ ସର୍ଗ

ରାଗ: ଚୋଖି

ମଙ୍ଗଳେ ଅଇଲା ଉଷା            ବିକଚ-ରାଜୀବ ଦୃଶା
ଜାନକୀ-ଦର୍ଶନ-ତୃଷା ହୃଦୟେ ବହି,
କରପଲ୍ଲବେ ନୀହାର-            ମୁକ୍ତା ଧରି ଉପହାର
ସତୀଙ୍କ ବାସ-ବାହାର-ପ୍ରାଙ୍ଗଣେ ରହି,
କଳକଣ୍ଠ-କଣ୍ଠେ-କହିଲା,
"ଦରଶନ ଦିଅ ସତୀ, ରାତି ପାଇଲା" | ୧ |


ଅରୁଣ କଷାୟବାସ,            କୁସୁମ କାନ୍ତି-ବିକାଶ
ପ୍ରଶାନ୍ତ-ରୂପ, ବିଶ୍ୱସ ଦିଅନ୍ତି ମନେ,
କେଉଁ ଯୋଗେଶ୍ୱରୀ ଆସି      ମଧୁର ଭାଷେ ଆଶ୍ୱାସି
ଡାକୁଛନ୍ତି ଦୁଃଖରାଶି-ଉପଶମନେ,
ଦେବା ପାଇଁ ନବ ଜୀବନ
ସ୍ୱର୍ଗୁଁ କି ଓହ୍ଲାଇଛନ୍ତି ମର୍ତ୍ତ୍ୟଭୁବନେ | ୨ |

 

୧ । ବିକଚ – ପ୍ରସ୍ଫୁଟିତ, ରାଜୀବ – ପଦ୍ମ, ତୃଷା – ଇଚ୍ଛା, ନୀହାର – କାକର, ପ୍ରାଙ୍ଗର – ଅଗଣା, କଳକଣ୍ଠ – କୋକିଳ ।

୨ । କଷାୟ – ରକ୍ତବର୍ଣ୍ଣବିଶିଷ୍ଟ, ଉପଶମ – ଦୂର କରିବା, ଯୋଗେଶ୍ୱରୀ – ଦେବୀ ।


ସମୀର ସଙ୍ଗୀତ ଗାଏ,            ଭ୍ରମର ବୀଣା ବଜାଏ,
ସୁରଭି ନର୍ତ୍ତନେ ଥାଏ ଉଷା ନିଦେଶେ,
କୁମ୍ଭାଟୁଆ ହୋଇ ଭାଟ            ଆରମ୍ଭିଲା ସ୍ତବ ପାଠ
କଳିଙ୍ଗ ଅଇଲା ପାଟ ମାଗଧ ବେଶେ,
ଲଳିତ ମଧୁରେ କହିଲା,
"ଉଠ ସତୀ ରାଜ୍ୟ-ରାଣୀ, ରାତି ପାହିଲା" | ୩ |


ମୁନି-ମୁଖ-ବେଦ-ସ୍ୱନ            ପୂର୍ଣ୍ଣ କଲା ଶ୍ୟାମବନ
ଉଠିଲା ଭେଦି ଗଗନ ଉଚ୍ଚ ଓଁକାର,
ବୈକୁଣ୍ଠେ ଦେଇ ତୃପତି      ଅନନ୍ତ ଶ୍ରୂତିକି ଗତି
ବିହିଲା କି ସରସ୍ୱତୀ ବୀଣା ଝଙ୍କାର;
ବେଳୁଁ ବେଳ ବନ ଉଜ୍ଜ୍ୱଳ,
ମନ୍ତ୍ରବଳେ ଯେହ୍ନେ ବଢ଼ି ଆସିନା ବଳ | ୪ |


ଏକାଳେ ବ୍ରହ୍ମଚାରିଣୀ            ଅନୁକମ୍ପା ତପସ୍ୱିନୀ
ଆସି ଜନକନନ୍ଦିନୀ ପାଶେ ଗମ୍ଭୀରେ,
ବୋଇଲେ, "ଉଠ ବୈଦେହୀ,      ଉଷା ସୁକୁମାର ଦେହୀ
ଆସିଛି, ଦର୍ଶନ ଦେଇ ତୋଷ ବିଧିରେ,
ତମସା ରହିଛି ଅନାଇ
କୋଳ କରି ଥରେ ସୁଖ ଲଭିବା ପାଇଁ |" ୫ |

 

୩ । ସୁରଭି – ସୁଗନ୍ଧ, ଭାଟ – ସ୍ତୁତିପାଠକ, କଳିଙ୍ଗ – କଜଳପାତୀ ପକ୍ଷୀ, ପାଟ – ଶ୍ରେଷ୍ଠ, ମାଗଧ – ଭାଟ ।

୪ । ବୈକୁଣ୍ଠ – ବିଷ୍ଣୁ, ବଳ – ଶକ୍ତି, ଅନନ୍ତ – ଅସଂଖ୍ୟ, ଗତି – ମୁକ୍ତି ।

୫ । ତମସା – ବାଲ୍ମୀକି ଆଶ୍ରମ ନିକଟରେ ପ୍ରବାହିତ ପବିତ୍ର ନଦୀ ।


ପଦ୍ମିନୀ-ହୃଦ-ଶିଶିର-            ବିନ୍ଦୁରେ ଖର-ରଶ୍ମିର
ପ୍ରତିବିମ୍ବ ପରି, ବୀର ରାମ ମୂରତି,
ଶୋକ ଜର୍ଜରିତ ଚିତ୍ତ-            ଫଳକେ କରି ଚିତ୍ରିତ
ହେଲେ ଆସନୁଉତ୍ଥିତ ଜାନକୀ-ସତୀ;
ନମି ଅନକମ୍ପା ପୟରେ
ବନ୍ଦିଲେ ଉଷାର ପଦ ସବିନୟରେ | ୬ |


ବୋଇଲେ ତାକୁ ପ୍ରଶଂସି,      "ତୁମ୍ଭେ ତିମିର-ବିଧ୍ୱଂସି
ରବି-ଆଗମନ-ଶଂସୀ ହୁଅ ସଂସାରେ,
ତୁମ୍ଭ କୋମଳ ଚରଣ            କରେ ଜ୍ୟୋତି ଆହରଣ
ତହିଁ ଯାଉଛି ଶରଣ ଦୃଢ଼ ଆଶାରେ,
ଶୁଭ୍ର-ସଉରଭ ରସିକେ,
ଶୁଭ ସମ୍ପାଦିନୀ ହୁଅ ରଘୁବଂଶିକେ | ୭ |


ଉତ୍ସୁକ ହୃଦୟେ ରାତ୍ରୀ            ଶେଷରେ ଆଶ୍ରମ ଧାତ୍ରୀ
ତମସା ନିର୍ମଳ-ଗାତ୍ରୀ ପବିତ୍ର-ଧରା
ପ୍ରାଙ୍ଗଣେ କୁସୁମ ବିଞ୍ଚି            ସୁବାସିତ ନୀର ସିଞ୍ଚି
ମଙ୍ଗଳପ୍ରଦୀପ ରଚି ପ୍ରଭାତୀ ତାରା,
ମୁହୁର୍ମୁହୁଃ ମୀନ-ନୟନେ
ଚାହୁଁଥିଲା ସୀତା-ସତୀ-ଶୁଭାଗମନେ | ୮ |

 

୬ । ଖରରଶ୍ମି – ସୂର୍ଯ୍ୟ, ପ୍ରତିବିମ୍ୱ - ଛାୟା, ଫଳକେ – ପଟାରେ ।

୭ । ଆହରଣ – ଆୟୋଜନ, ଶୁଭ – ମଙ୍ଗଳ ।

୮ । ଉତ୍ସୁକ – ଉତ୍କଣ୍ଠିତ, ବ୍ୟଗ୍ର ।


ଉଟଜୁ ତାପସ-କନ୍ୟା-            ଗଣଙ୍କ ଆଦର ବନ୍ୟା
ପ୍ଲାବନେ ଜଗତ-ଧନ୍ୟା-ସତୀ-ରତନ
ବାହାରି ଅବଗାହନେ            ଅନୁକମ୍ପାଙ୍କ ଗହଣେ
ତମସା ଧାର ବହନେ କଲେ ଗମନ;
ସତୀଙ୍କି ତମସା ଅଙ୍କରେ
ଘେନି ସ୍ନେହେ ଆଲିଙ୍ଗିଲା ତରଙ୍ଗ-କରେ | ୯ |


ଅମୃତ ମଧୁର ସ୍ୱରେ            ଭାଷିଲା ପରିତୋଷରେ,
"ମାଆ ଗୋ, ମୋ ମାନସରେ ନ ଥିଲା ଆଶା,
କରିବ ଅଙ୍କେ ବିହାର            ରାଜଲକ୍ଷ୍ମୀ-ହୃଦହାର
ସୀତା କରି ପରିହାର ଭୋଗ-ପିପାସା,
ଭାଗ୍ୟବତୀ ମୋତେ ସଂସାରେ
ବୋଲିବେ ତୋ' ଯୋଗୁଁ ଏକା ପରସଂସାରେ | ୧୦ |


ବନେ ବନେ ଭ୍ରମି ଭ୍ରମି            ଗଣ୍ଡ-କୁହୁକେ ନ ଭ୍ରମି
ବହୁ ବାଧା ଅତିକ୍ରମି ସ୍ୱଚ୍ଛ ଜୀବନେ,
ଅନ୍ଧାର ଦୁଃଖ ନ ଗଣି            ଆଲୋକ ସୁଖ ନ ମଣି
ଚାଲିଛିଁ ଦୂର ସରଣୀ ନତ ବଦନେ;
ଜନମ କରୁଛି ସଫଳ
ତୋୟ ଦାନେ ତୋଷି ତୀରବାସୀ ସକଳ | ୧୧ |


ମନ୍ଦାକିନୀ, ଗୋଦାବରୀ      ସେସବୁ ଗୁଣେ ମୋ' ସରି
ତଥାପି ବର୍ଦ୍ଧନ କରିଛନ୍ତି ଗୌରବ
ଲଭି ତୋ ପବିତ୍ର ପଦ            ଚିହ୍ନ ଅକ୍ଷୟ ସମ୍ପଦ
ଦିବିଷଦ-ପଦ-ପ୍ରଦ ଅଙ୍କ ସୌରଭ,
ତାହା ଥିଲା ମୋର ବାଞ୍ଛିତ,
ତଦଭାବେ ହେଉଁଥିଲି ମନେ ଲାଞ୍ଛିତ | ୧୨ |

 

୯ । ଅବଗାହନେ – ସ୍ନାନ କରିବାପାଇଁ, ଗହଣେ – ସହିତ, ଅଙ୍କରେ – କୋଳରେ ।

୧୦ । ପରିହାର – ପରିତ୍ୟାଗ କରି ।

୧୧ । ସ୍ୱଚ୍ଛ – ପବିତ୍ର, ନିର୍ମଳ, ସରଣୀ – ପଥ, ତୋୟ – ପାଣି ।

୧୨ । ମନ୍ଦାକିନୀ – ଚିତ୍ରକୁଟର ଗିରିନଦୀ, ଦିବିଷଦ – ଦେବତା ।


କରିଥିଲି ଶୁଭ କର୍ମ            ବୋଲି ଆଣିଦେଲା ଧର୍ମ
ସମୟେ ତୋତେ ମୋ ମର୍ମବାସନା ଜାଣି,
ପାଇଛି ଦୁର୍ଲଭ ଧନ            କରିବି ତୃପ୍ତି ସାଧନ
ନିତି କରି ସମ୍ବୋଧନ କୋଳକୁ ଆଣି;
ଅଙ୍ଗ ପରିମଳ ତୋହର
ହେବ ମୋର ଜୀବନର କଳୁଷ-ହର | ୧୩ |


ମୋ କୋଳ-କେଳି            ଚପଳ ସାରସ ମରାଳଦଳ
କୋକ ଯୁଗଳ ଯୁଗଳ ବକ ପଂକତି
ତୋ ପୁଣ୍ୟମୟ ଶରୀର      କ୍ଷାଳନେ ପୂତ ମୋ' ନୀର
ପାନେ ବଞ୍ଚିଥିବେ ଚିରଦିନ ମୋ କତି,
କଳନାଦ ଛଳେ ତୋ ଯଶଃ
ଗାଇ ମୋ ଶ୍ରୂତିକି ତୋଷୁଥିବେ ଅଜସ୍ର | ୧୪ |


ପତିବ୍ରତା ଅଙ୍ଗେ ଲାଗି            ପବିତ୍ର ହେବାର ଲାଗି
ବ୍ରତତୀ-ବାସ-ବିରାଗୀ ପ୍ରସୂନମାନ
ଦୂରୁଁ ଦୂରୁଁ ଝାସି ଝାସି            ଧାଇଁଥିବେ ଭାସି ଭାସି
ଭ୍ରମୁଥିବେ ଆସି ଆସି ତୋ ସନ୍ନିଧନ;
ସ୍ନାନ ସମୟେ ମୋ ପୟରେ
ଦୟାମୟି ! ନ ପେଲିବୁ ତାଙ୍କୁ ପୟରେ | ୧୫ |

 

୧୩ । କଳୁଷ ହର – ପାପହାରକ, ପରିମଳ – ପବିତ୍ର ସୌରଭଯୁକ୍ତ ।

୧୪ । ସାରସ – ଜଳଚର ପକ୍ଷୀ, ମରାଳ – ରାଜହଂସ, କୋକ – ଚକ୍ରବାକ, ବକ – ବଗ, କ୍ଷାଳନେ – ଧୋଇବା ଫଳରେ, କତି – ନିକଟରେ, ଶ୍ରୁତି – କର୍ଣ୍ଣ ।

୧୫ । ପ୍ରସୂନ – ଫୁଲ, ବ୍ରତତୀ ବାସ ବିରାଗୀ – ଲତାରୁ ଖସିପଡ଼ୁଥିବା । ସନ୍ନିଧାନ – ନିକଟ, ପୟରେ – ପାଣିରେ, ପୟରେ – ପାଦରେ ।


ମୋ କୂଳେ ଚାଳି ଚରଣ       କରିବୁ ମୋ ବିଚରଣ
ବ୍ୟପଦେଶେ ବିତରିଣ ଅମରକାନ୍ତି,
ତା' ଲଭି ବନ ପାଦପ-      ରାଜି ହୋଇ ଦପଦପ
ବହିବେ ଅମର-ଦର୍ପ ବିହିବେ ଶାନ୍ତି,
ପଲ୍ଲଲେ ପାଟଳ ଶ୍ୟାମଳ,
ରୁଚିର ରୁଚି ରହିବ ଚିର ନିର୍ମଳ |" ୧୬ |


ସୀତା ବୋଇଲେ, "ପନୀର-      ମଧୁର ଏ ସ୍ୱଚ୍ଛନୀର;
ନୀର ନୁହେଁ, ଜନନୀର କ୍ଷୀର ପ୍ରତ୍ୟକ୍ଷେ,
ଗିରି-ସ୍ତନୁ ବିନିସୃତ            ହୋଇ ଆସୁଛି ଅମୃତ
ଧାରା ପରି ସୀତାମୃତକଳପା ଲକ୍ଷେ,
ଓହୋ ତୁ ତ ମୋ ମା ଏ ଦେଶେ,
ମୋ' ଦୁଃଖେ ବିଦୀର୍ଣ୍ଣ-ବକ୍ଷା ତମସା ବେଶେ | ୧୭ |


ଛେଦ ଭେଦିଅଛି ପୃଷ୍ଠ            ସେ ପାଖ ହେଉଛି ଦୃଷ୍ଟ
ତଥାପି ସୁତାକୁ ତୁଷ୍ଟ କରିବା ପାଇଁ
ଫିଟାଇ ସ୍ନେହ-ଲୋଚନ      ପ୍ରୀତି-ମଧୁର-ବଚନ
ବିନ୍ୟାସେ ଚାଟୁ ରଚନ କରୁ ଗେହ୍ଲାଇଁ;
ଧନ୍ୟ ଧନ୍ୟ ମା ତୋ ହୃଦୟ,
ମୋ'ଦୁଃଖ-ଆତପ ପାଇଁ ବାଲୁକାମୟ | ୧୮ |

 

୧୬ । ବ୍ୟପଦେଶେ – ଛଳରେ, ବିତରଣ – ବାଣ୍ଟିବୁ, ଅମରକାନ୍ତି – ସ୍ୱର୍ଗୀୟ ବିଭୂତି, ପାଦପରାଜି – ବୃକ୍ଷ ସମୂହ, ପାଟଳ – ଗୋଲାପୀ ରଙ୍ଗ ।

୧୭ । ପନୀର – ନାରୀକେଳ ଜଳ, ବିନିସୃତ – ଝରିଆସିଛି, ଲକ୍ଷେ – ଉଦ୍ଦେଶ୍ୟରେ, ସୀତାମୃତକଳପା – ମୃତକଳ୍ପା ସୀତାଙ୍କ ପାଇଁ ।

୧୮ । ଆତପ – ଝରା, ଛେଦ – ପଥର କାଟିବା ।


ରାମ-ସାମ୍ରାଜ୍ୟେ ଯେ ସୀତା      ଲୋକ-ଲୋଚନେ ଦୂଷିତା
ହୋଇ ଚିର ନିର୍ବାସିତା ସେ ତୋର ମତେ |
ନିଜ ପତିବ୍ରତା ଧର୍ମ-            ବଳେ ସ୍ଥାବରଜଙ୍ଗମ
ପବିତ୍ରକରଣେ କ୍ଷମ ହେବ ଜଗତେ;
ମାତା ବୁଝେ ସୁତା ବେଦନା
ମାତା-ନେତ୍ରେ-ଦଗ୍ଧ ମୁଖୀ ଚନ୍ଦ୍ରବଦନା | ୧୯ |


ତୋ' ତୀର ଚିର ଆଶ୍ରୟ      ହେଲାଣି ମୋର ନିଶ୍ଚୟ;
ଭରସା ତୋ' ଶାନ୍ତିମୟ ପଦକମଳେ;
ଶୂନ୍ୟ ଯାର ଚରାଚର            ଜନନୀ କୋଳ ମାତର
ତାର ଆଦର-ଆକର ମହୀମଣ୍ଡଳେ,
ଜନନୀ ଯା ରତ୍ନଗରଭା,
କାହିଁକି ସେ ଅନ୍ୟ ସ୍ଥନ ଲୋଡ଼ିବ ଅବା" | ୨୦ |

 

୧୯ । ଲୋକ – ଲୋଚନେ ପ୍ରଜାମାନଙ୍କ ଦୃଷ୍ଟିରେ, ଦୂଷିତା – ଅପବାଦ ଗ୍ରସ୍ତ । ସ୍ଥାବର – ଅଚଳ, ଜଙ୍ଗମ – ଗତିଶୀଳ ।

୨୦ । ଆକର – ଖଣି, ଲୋଡ଼ିବ – ଇଚ୍ଛା କରିବ ।


ସୁଶୀତଳ ସୁନିର୍ମଳ            ପବିତ୍ର ତମସା-ଜଳ
ତଥା ସ୍ୱଭାବ ସକଳ ମୁନିସୁତାଙ୍କ,
ସ୍ନେହେ ତମସା ଚଞ୍ଚଳ            କରି ପ୍ରତିବିମ୍ବ ଛଳ
ହୋଇଗଲା ଅବିକଳ ସ୍ୱରୂପ ତାଙ୍କ,
ଆଲିଙ୍ଗନେ ତାଙ୍କ ବିଗ୍ରହେ
ବିଗ୍ରହ ମିଶାଇ ଦେଲା            ଶୀଘ୍ର ସାଗ୍ରହେ | ୨୧ |

 

ସତତ ସୀତା ସକାଶ            ରହି ଚାହିଁବା ସକାଶ
ପାଇ ଶୁଭ ଅବକାଶ ଏହି ଉପାୟେ,
ହୋଇ ବହୁନେତ୍ରବତୀ            ବହୁ ହୃଦ ବହୁ ମତି
ଲାଭ କଲା, ବୁଦ୍ଧିମତୀ, ଅନେକ କାୟେ;
ସମଧର୍ମ ସମଗୁଣରେ
ମିଶି ମନ ତୋଷ ଲଭେ ବହୁ ଗୁଣରେ | ୨୨ |


ସମସ୍ତେ ଅବଗାହନ            ବଢ଼ାଇ ପ୍ରତ୍ୟାଗମନ
କରି ବାଲ୍ମୀକି ଚରଣ କଲେ ବନ୍ଦନା;
ଆଶିଷେ ମୁନି-ପୁଙ୍ଗବ ବୋଇଲେ; " ଜ୍ଞାନ ବିଭବ-
ଅର୍ଜନେ ସୁସିଦ୍ଧି ଲଭ କରି ସାଧନ;"
ବିଶେଷେ ସୀତାଙ୍କୁ ସାଦରେ
ବୋଇଲେ, ବୀରସୂ ହୁଅ ଅପ୍ରମାଦରେ | ୨୩ |


ନନ୍ଦିନି ! ତୁ ଏ ଆଶ୍ରମ-      ପାଦପଙ୍କୁ ସ୍ନହ-ଶ୍ରମ
ପ୍ରୟୋଗେ ନନ୍ଦନୋପମ କର ଯତନ,
ସେ ଭାବେ ତୋ ଅନୁଭବ      ସ୍ୱଭାବେ ହେବ ସମ୍ଭବ
ଭବେ କେମନ୍ତ ଦୁର୍ଲଭ ସୁତ-ରତନ;
ଅନୁକମ୍ପା ଥିବେ ନିୟତ
ସକଳ ଅଭାବ ତୋର ମୋଚନେ ରତ |" ୨୪ |


ମୁନୀନ୍ଦ୍ର-ଆଦେଶ-ମତେ      ତହୁଁ ଚଳିଲେ ସମସ୍ତେ
କମଳ-କୋମଳ ହସ୍ତେ କଳସୀ ଧରି,
କନ୍ୟାମଣ୍ଡଳେ ଜନକ-            ସୁତା-କାନ୍ତି ଜକଜକ
ସ୍ଫଟିକ ମଧ୍ୟେ ହୀରକ-ପ୍ରତିଭା ପରି,
ଉପବନେ କଲେ ଗମନ,
ବଢ଼ାଇଲା ବନ-ଶୋଭା ପାଇ ସେ ଧନ | ୨୫ |

 

୨୨ । ସକାଶ – ନିକଟ, ନିମିତ୍ତ ।

୨୩ । ପ୍ରତ୍ୟାଗମନ – ଫେରିଆସି, ବୀରସୂ – ବୀରଜନନୀ, ଅପ୍ରମାଦରେ – ନିର୍ବିଘ୍ନରେ ।

୨୪ । ମୋଚନେ – ଦୂର କରିବାପାଇଁ ।

୨୫ । ସ୍ଫଟିକ – ଶୁଭ୍ର ସ୍ୱଚ୍ଛ ପ୍ରସ୍ତର ବିଶେଷ ।


ବନ-ଲକ୍ଷ୍ମୀ-ଦ୍ୱାରେ ସୀତା      ରାଜନ୍ତେ ସେ ଉଲ୍ଲସିତା
ମତିରେ ହୋଇ ଭୂଷିତା ରବି-କିରଣେ,
ହାସ-ପଲ୍ଲବ ଅଧରେ            ମଞ୍ଜୁ ମଧୁକରଦରେ
ମଣ୍ଡି ଲାଗିଲା ଆଦରେ ଚିତ୍ତ ହରଣେ;
ଅର୍ଘ୍ୟ ଦେଇ ରଙ୍ଗ ସାଳ୍ମଳୀ,
ପାଦ୍ୟ ଦେଲା ଦୁର୍ବାଦଳ ହିମ-ପଟଳୀ | ୨୬ |


ସ୍ଥଳକମଳ ଆସନ-             ଦେଇ, ପ୍ରୀତି ସମ୍ଭାଷଣ
କଲା, ଶାରିକା ଭାଷଣ ଛଳେ ମଧୁରେ;
ଶରଦ ସରସୀ ଜଳ            ଫୁଟାଇ ନବକମଳ
ଅଳିସ୍ୱନେ ଯଥା କଳହଂସ-ବଧୂରେ;
ବୋଇଲା, "ପାହିଲା ସଜନିଚ
ତୋ-ପଦ ଅରୁଣେ ମୋର ଖେଦ-ରଜନୀ | ୨୭ |

 

୨୬ । ରାଜନ୍ତେ – ଶୋଭା ପାଆନ୍ତେ, ଦୁର୍ବାଦଳ – ଘାସ । ମଧୂକ – ମହୁଲ ।

୨୭ । ଶରଦ – ଶରଦକାଳୀନ ।


ତୋତେ ମୁଁ ଭାଗ୍ୟବଶତଃ      ଲଭି ନଭପୁଷ୍ପ ସତ-
କରି ଅସୀମ ଉଷତ ଅନ୍ତଃକରଣେ,
ଚିତ୍ରକୂଟ ଉପତ୍ୟକା            ସିଦ୍ଧ ସେବିତ ଦଣ୍ଡକା
ପାରାବାର ପାର ଲଙ୍କା ଅଶୋକାରଣ୍ୟେ,
ଆଗେ ଥୋଇ ତୋତେ ଆଦର୍ଶ,
ଗଢ଼ିଲି ପ୍ରୀତି ପ୍ରତିମା ଚଉଦ ବର୍ଷ | ୨୮ |


ଯେତେବେଳେ ପୁଷ୍ପକରେ      ବାହୁଡ଼ିଗଲୁ ପୁଷ୍କରେ
ଉଭା ହୋଇ ପୁଷ୍ପକରେ ମୃଗନୟନେ,
ଊର୍ଦ୍ଧ୍ୱେ ଚାହିଁ ବିଷାଦରେ      ତୋତେ ମୟୂରୀନାଦରେ
ଡାକୁ ଯେ ଥିଲି ସାଦରେ ଦୀର୍ଘ ଅୟନେ,
ସଖୀ କଥା ସ୍ମରି ମନରେ
ଆସିଲୁ କି ସଖି ! ଆଜି ଏତେ ଦିନରେ | ୨୯ |

 

୨୯ । ପୁଷ୍ପକରେ – ପୁଷ୍ପକ ରଥରେ ଓ ପୁଷ୍ପ ହସ୍ତରେ, ପୁଷ୍କର – ଆକାଶ, ଅୟନେ – ମାର୍ଗରେ ।

୩୨ । ଦାବ – ଅଗ୍ନି, ପ୍ରତୀୟମାନ – ବୋଧ ହେଉଅଛି ।

 

ଦୀର୍ଘ ବିରହ ବିଶେଷ            ସହି, ମୁଁ ନ ସହି ଶେଷ
ଚିନ୍ତାରେ ତାପସୀ ବେଶ କରି ଧାରଣ,
ତୋ ହୃଦୟ ଆଦରଶେ      ପ୍ରତିବିମ୍ବି ସ୍ନେହରସେ
ମଜ୍ଜାଇ ତୋତେ ହରଷେ କଲି ବରଣ;
ଧନ୍ୟବାଦ କର ଗ୍ରହଣ;
ଶ୍ରଦ୍ଧା ସହ କଲୁ ଯା' ମୋ' ବାଞ୍ଛା ପୂରଣ | ୩୦ |


ପାଇଥିଲେ ସାଧୁ ସଙ୍ଗ            ସଦ୍ଭାବ ଚିର ଅଭଙ୍ଗ
ରହେ, ସ୍ଥିର ନୀଳରଙ୍ଗ ଯଦା ଗଗନେ,
ସାଧୁ ମିତ୍ରେ ମନୋରଥ      କଦାଚ ନ ହୁଏ ବ୍ୟର୍ଥ
ତେଣୁ ମୁଁ ହେଲି ସମର୍ଥ ତୋର ଦର୍ଶନେ;
ଭାଗ୍ୟେ ଥିଲେ ହୁଏ ଏ ଲାଭ,
ଭାଗ୍ୟବତୀ କଲା ସଖି ! ମତେ ତୋ ଭାବ" | ୩୧ |


ବନଶ୍ରୀ ମଧୁ ମୋହନ            ସୀତା ହୃଦୟ ଗହନ
ବିରହ ଦାବ ଦହନ ଶାନ୍ତି କରଣେ,
ନବୀନ ଉଦୀୟମାନ            ଘନ ପଟଳ ସମାନ
ମାନସେ ପ୍ରତୀୟମାନ ହେଲା ସେ କ୍ଷଣେ,
ବୋଇଲେ ଜନକନନ୍ଦିନୀ"
"ଆଜୀବନ ହେଲି ତୋର କାରା-ବନ୍ଦିନୀ" | ୩୨ |

 

ପଞ୍ଚମ ସର୍ଗ

(ରସକୁଲ୍ୟା)

ରାଜୋଦ୍ୟାନ-ଶୋଭା ସିନ୍ଧୁ ଲହରୀ
ଶିରେ-ପୁଷ୍ପ ଫେନପଟଳ ଧରି,
ଯା' ପଦପୁଲିନ ନଖ-ମୁକୁତା
ଜ୍ୟୋତି ସେବନରେ ଥିଲା ଯୁକୁତା,
ତାଙ୍କ ଶୁଭ ଆଗମନ
ଚାହିଁ ଉଲ୍ଲସିଲେ                  ମୁନି-ଉଦ୍ୟାନର
ବିଟପି-ବଲ୍ଲୀ-ସୁମନ | ୧ |


ଏକେ ତ ମଧୁର ବସନ୍ତ କାଳ,
ବାଳଭାନୁ ହେମ କିରଣ ଜାଳ,
ପ୍ରସରି ଶିଶିରଜର୍ଜର ପର୍ଣ୍ଣେ,
ଲିଳା କରୁଅଛି ବିବିଧ ବର୍ଣ୍ଣେ,
ଶିଶିରବିନ୍ଦୁରେ ପଡ଼ି
ହୀରା ନୀଳା ମୋତି            ମାଣିକ୍ୟପଟଳ
ବିଚିତ୍ର ଦେଉଛି ଗଢ଼ି | ୨ |

୧ । ବିଟପି – ବଟବୃକ୍ଷ ।

୨ । ପ୍ରସରି – ବିସ୍ତାରିତ ।

ଭାସ୍କର ଭାସ୍ୱର ମଣି ମଣ୍ଡନ,
ଦଶବଦନର ଦଶବଦନ-
ଜ୍ୟୋତି ଗର୍ବ କରିଥିଲା ହରଣ
ସତୀରତନଙ୍କ ଯେଉଁ ଚରଣ,
ଆଜି ସେ ପୟର ଆସି
ମୁନି ଉପବନେ            ବଞ୍ଚିଦେଲା କିବା
ସେହି ମଣି ଗର୍ବରାଶି | ୩ |


ସତୀ ହୃଦ ଶ୍ୟାମ ଶ୍ରୀରାମମୟ,
ସେ ହୃଦୟ ହରି ପଦପଚୟ
କ୍ରମେ ହେଲେ ଘନ ଶ୍ୟାମବରଣ,
ପତି ଏକା ସତୀ ମତି ଶରଣ
ଅବୟବ କାନ୍ତିମାନ
ଆକର୍ଷିତ ହୋଇ            କୁସୁମେ କୁସୁମେ
କ୍ରମେ ଯାଇ କଲେ ସ୍ଥାନ | ୪ |


କେଶକାନ୍ତି ମାତ୍ର ନେଲା ଷଟ୍ପପଦ,
ଚମ୍ପା ନେଲା ତନୁ କାନ୍ତି ସମ୍ପଦ,
ମନ୍ଦାରକୁ ଗଲା ଅଧର ରୁଚି,
ଆଉ ସକଳକୁ ଯହିଁ ଯା ରୁଚି,
ସର୍ବେ ହେଲେ କାନ୍ତିମୟ,
ସ୍ୱର୍ଗଲକ୍ଷ୍ମୀ କିବା            ମର୍ତ୍ତେ ଆସି କଲା
ଉଦ୍ୟାନକୁ ଲୀଳାଳୟ | ୫ |

 

୩ । ଭାସ୍କର – ସୂର୍ଯ୍ୟ, ଭାସ୍ୱର – ଦୀପ୍ୟମାନ, ସୂର୍ଯ୍ୟବଂଶର ଗୌରବ ।

୪ । ଅବୟବ – ଶରୀର ।

୫ । ଷଟପଦ – ଭ୍ରମର, ରୁଚି – ସୌନ୍ଦର୍ଯ୍ୟ, ରୁଚି – ଇଚ୍ଛାନୁସାରେ ।


ସତୀ କାନ୍ତି ଥିଲା ଅମୃତ ସମ,
ପୁଷ୍ପେ ହେଲା ମଧୁ ଅମୃତୋପମ,
ମାର୍ଦବ ମାଞ୍ଜବ ସେ ରୂପେ ଯାଇ
ହେଲେ ପୁଷ୍ପକୁଳ ଅଙ୍ଗରେ ସ୍ଥାୟୀ,
ସତୀ ହୋଇ ତପସ୍ୱିନୀ
ନୀରସ ଜୀବନେ            ନିଷ୍ପ୍ରଭ ଶରୀରେ
ହେଲେ ବନବିଳାସିନୀ | ୬ |


ସତୀ ସତକାର କରିବାଲାଗି
ଲୂତାଗଣ ସାରା ଶର୍ବରୀ ଲାଗି,
ଚାରୁ ଚନ୍ଦ୍ରତାପ କରି ମଣ୍ଡନ
ରଚିଥିଲେ ହେମ ପୁଷ୍ପେ ଲମ୍ବନ,
ପକ୍ୱ ନାଗରଙ୍ଗମାନ
ସୁବର୍ଣ୍ଣ ଗୋଲକ-            ରୂପେ ଶତ ଶତ
ହେଉଥିଲେ ଲମ୍ବମାନ | ୭ |


ଉଭା ହୋଇଥିଲା ରମ୍ଭା ସୁନ୍ଦରୀ
ପଂକ୍ତି ପଂକ୍ତି ପତ୍ର-ପତାକା ଧରି,
ଚାରୁ ମୁଚୁକୁନ୍ଦ କୁନ୍ଦ ବକୁଳ,
ନିଆଳୀ ମାଧବୀ ବଲ୍ଲରୀକୁଳ
ଚାହୁଁଥିଲେ ଧରି ଫୁଲ
ନବୀନା ନବୀନା            ଥିଲା ତାଙ୍କ ପାଶେ
କୁସୁମେ ସଜାଇ ଚୂଳ | ୮ |

 

୬ । ମାର୍ଦବ – ମୃଦୁତା, ମାଞ୍ଜବ ମନୋହାରିତା ।

୭ । ସତକାର – ଅଭ୍ୟର୍ଥନା, ଚର୍ଚ୍ଚା, ଲତାଗଣ ବୁଢ଼ିଆଣିମାନେ, ଶର୍ବରୀ ଲାଗି – ରାତିଯାକ, ଚାରୁଚନ୍ଦ୍ରାତପ – ସୁନ୍ଦର ଚାନ୍ଦୁଆପରି ବୁଢ଼ିଆଣି ଜାଲ ।

୮ । ରମ୍ଭା ସୁନ୍ଦରୀ – କଦଳୀ ବୃକ୍ଷ, ମୁଚୁକୁନ୍ଦ – ବୃକ୍ଷବିଶେଷ, କୁନ୍ଦ – ଧଳାଫୁଲ ବିଶେଷ, ବକୁଳ – ବଉଳ ଗଛ, ନିଆଳୀ – ବଣମଲ୍ଲୀ, ମାଧବୀ – ପ୍ରସିଦ୍ଧ ପୁଷ୍ପଲତା, ନବୀନା – ରଜନୀଗନ୍ଧା ।


ସଖୀଗଣ ସଙ୍ଗେ ଜାନକୀ ସତୀ
ତାଙ୍କ ନିକଟକୁ କରନ୍ତେ ଗତି,
ପୁଲକିତ ହୋଇ ମୃତୁ ସମୀରେ
ଫୁଲମାନ ବିଞ୍ଚି ସତୀଙ୍କ ଶିରେ
କେ କଲା ଶିର ଚୁମ୍ବନ
କେ ଦର ମର୍ଦନ            କେ ବା ଆଲିଙ୍ଗନ
କେହି ବା ପଦ ବନ୍ଦନ | ୯ |


ସୁରଙ୍ଗ-ଚରଣ-ଲୋହନ ପାଇଁ
ପାରିଜାତ ଦେଲା ଜିଭ ଲମ୍ବାଇ,
ମୋତି ଜ୍ୟୋତି-ନଖ ଚୁମ୍ବନ ଆଶେ
ଡାଳିମ୍ବ ରହିଲା ବିବୃତ ଆସ୍ୟେ,
କରୁଣା-ଋଣ-ଆଶାୟୀ
ଚିନିଚମ୍ପା ହେଲା            ହରିତବରଣ
ରାମରୂପ ଅନୁଯାୟୀ | ୧୦ |


ସ୍ଥାନେ ସ୍ଥାନେ ଚନ୍ଦ୍ରକଳା କୋମଳ
ମନୋହର ବାଳତରୁ ସକଳ
ବାଡ଼ ଉପରକୁ ମସ୍ତକ ଟେକି
ସତୀଙ୍କି ସତୃଷ୍ଣେ ଥାନ୍ତି ନିରେଖି
ପାଇଲା ନାହିଁ ଯା ଶିର
ବାଡ଼ ମଧ୍ୟେ ରହି            ରନ୍ଧ୍ର ପଥେ ପଥେ
ଦର୍ଶନେ ହେଲେ ଅସ୍ଥିର | ୧୧ |

 

୧୦ । ଲେହନ – ଚାଟିବାପାଇଁ, ପାରିଜାତ ମନ୍ଦାର ଜାତୀୟ ପୁଷ୍ପ ବିଶେଷ (ଯାହାର ଗର୍ଭକେଶର ବାହାରକୁ ଲମ୍ୱିଥାଏ) ଆସ୍ୟ-ମୁଖ, ଚିନିଚମ୍ପା – ଶାଗୁଆବର୍ଣ୍ଣ ପୁଷ୍ପବିଶେଷ ।


ଚାଞ୍ଚୀ ଫୁଲଚୁଇଁ ପାଦପ ବାଡ଼େ
ବସି ଚାହିଁ ଥାନ୍ତି ସତୀଙ୍କ ଆଡ଼େ,
କରୁଥାନ୍ତି ଥରେ ଥରେ କାକଳି
ମୁଦେ ଯାଉଥାଏ ଲାଙ୍ଗୁଳ ହଲି
ସତି; ଢାଳିଦେଲେ ପୟ,
ମନେ କରିଛନ୍ତି            ଆଳବାଳେ ବସି
ପିଇବେ ହୋଇ ନିର୍ଭୟ | ୧୨ |


ଊର୍ଣ୍ଣନାଭ ଥରେ ସତୀ-ପୟରେ
ପଡ଼ି ପୁଣି ଉଠେ ତରୁ ଉପରେ,
ବୃକ୍ଷୁଁ ବୃକ୍ଷେ ପୁଣି ଡେଇଁ ଚଞ୍ଚଳ
ଦେଖାଉଛି ନିଜ କାରୁ-କୌଶଳ,
ଭାନୁ ହୋଇ ଚିତ୍ରକର
ବିବିଧ ରଙ୍ଗରେ            ରଞ୍ଜି ଦେଉଛନ୍ତି
ତା ସୂକ୍ଷ୍ମ ସୂତ୍ରନିକର | ୧୩ |


ସ୍ୱଭାବେ ପାଦପ ଶ୍ୟାମଳ ଦଳ,
ମରକତ ଜ୍ୟୋତି ଠିଣ୍ଠିଣୀଦଳ
ତରୁ ଶିରେ କାହିଁ ବସି ଚଞ୍ଚଳ
ଚଞ୍ଚୁ ମାର୍ଜନରେ ହୋଇ ଉଜ୍ଜ୍ୱଳ
ଦିଶୁଥାନ୍ତୁ ମନୋହର,
ଶ୍ୟାମ ଜଳନିଧି-            ତରଙ୍ଗେ ଲୁଣ୍ଠିତ
ଯେହ୍ନେ ଦିବାକର କର | ୧୪ |

 

୧୨ । ଚାଞ୍ଚୀ – ପକ୍ଷୀ ବିଶେଷ, ଫୁଲଚୁଇଁ – ପକ୍ଷୀ ବିଶେଷ, ଆଳବାଳେ – ଫୁଲ ମନ୍ଦାରେ ।

୧୩ । ଉର୍ଣ୍ଣନାଭ – ବୁଢ଼ିଆଣୀ ।

୧୪ । ଠିଣ୍ଠିଣୀ – ଶ୍ୟାମଳର୍ଣ୍ଣ ପକ୍ଷୀ ବିଶେଷ ।


ପ୍ରେମ-ପ୍ରଭାମୟ ରାମ-ହୃଦୟ
ରାଜ-ସିଂହାସନେ ହୋଇ ଅଥୟ
ଉଦ୍ୟାନକୁ କିବା ଆସିଛି ଧାଇଁ
ସତୀଙ୍କ ଯାତନା ନାଶିବା ପାଇଁ,
ସେ ନେତ୍ର ସୁଭଗ ଜ୍ୟୋତି
ସ୍ୱାତୀ-ଜଳ ପରି            ସତୀ ହୃଦୟରେ
ସୃଜୁଥାଏ ପ୍ରେମ-ମୋତି | ୧୫ |


କେଉଁ ଦିଗେ ଘନ ପନସ ବନ,
କାହିଁ ଚୂତବନ ଚୁମ୍ବେ ଗଗନ,
ଚୂତବନ ତଳ-ପ୍ରାନ୍ତେ ଆକାଶ
ଦିଶେ ଦେବଖାତ ଜଳ-ସଂକାଶ;
ତରୁସ୍କନ୍ଧ ଶତ ଶତ
ଦିଶନ୍ତି ଯେସନ            ତୋଳିଛନ୍ତି ବନ
ସର୍ବେ ହୋଇ ଏକମତ | ୧୬ |


ଶାନ୍ତି ସରୋବର ବିବିକ୍ତ-କୂଳ
ଆଶ୍ରିଛନ୍ତି କିବା ତାପସକୁଳ,
ଗୁରୁ ବିଘ୍ନ ଭାର ମସ୍ତକେ ବହି
ନୀରବେ ନିଶ୍ଚଳେ ଗମ୍ଭୀରେ ରହି
ସତେ କି ଅଛନ୍ତି ଚାହିଁ,
ସୀତା ଶୀତାତପ                  ତପନ-କିରଣ
ସନ୍ତାପ ଶମିବା ପାଇଁ | ୧୭ |

 

୧୫ । ସ୍ୱାତୀ ନକ୍ଷତ୍ରରେ ବର୍ଷା ହେଲେ ମୁକ୍ତା ଜାତ ହେବା କଥା ପୁରାଣ ପ୍ରବାଦ । ସୁଭଗ – ସୁନ୍ଦର ।

୧୬ । ଦେବଖାତ – ଅକୃତିମ ଜଳାଶୟ ।

୧୭ । ବିବକ୍ତ – ନିର୍ଜନ । ଶୀତତାପ – ଚନ୍ଦ୍ର ।


ପ୍ରିୟଙ୍ଗୁ ମଣ୍ଡିତ ଇଙ୍ଗୂଦୀ ବନ
କାହିଁ ତୋଳିଛନ୍ତି ଶ୍ୟାମ ସଦନ,
ଶ୍ୟାମା ହୋଇ ତହିଁ ନବୀନା ବଧୂ
ଢାଳି ଦେଉଅଛି ସୁସ୍ୱର ମଧୁ,
ଇନ୍ଦ୍ରନୀଳେ ପୁର ରଚି
ଇନ୍ଦ୍ରାଦେଶେ କିବା            ପୂଜିବାକୁ ଆସି
ସତୀଙ୍କି ଡାକୁଛି ଶଚୀ | ୧୮ |


ଉଜ୍ଜ୍ୱଳ ଚିକ୍କଣ ନୀଳ ପତର
ପୁନ୍ନାଗ-କାନନ ଶ୍ୟାମଳତର
ଉଡ଼ି ଉଡ଼ିଶାରୁ ଥିଲା କି ଯାଇ,
ଦେଇଥିଲା ସତୀ ମନ ରଞ୍ଜାଇ;
ନୀଳାଚଳ ରୂପ ଧରି
ବିଜେ ଅବା ରାମ            ଲଭିବାକୁ ସୀତା
ପ୍ରୀତି-ସାଗର-ଲହରୀ | ୧୯ |


ସଙ୍ଗେ ଘେନି ସତୀ ସଙ୍ଗିନୀଗଣ
ଉଦ୍ୟାନରେ ଥରେ କଲେ ଭ୍ରମଣ
ଆର୍ଯ୍ୟାବର୍ତ୍ତ-ଉରେ କି ଭାଗୀରଥୀ
ଚଲେ ଲଭି ସଖୀବୃନ୍ଦ-ସଙ୍ଗତି !
ଅଳଂକୃତ ହେଲା ପଥ
ଉପହାସ କରି            ଗନ୍ଧର୍ବ-ଯୁବତୀ
ବିଳସିତ ଚୈତ୍ରରଥ | ୨୦ |

 

୧୮ । ପ୍ରିୟଙ୍ଗୁ – ଲତା ବିଶେଷ । ଇଙ୍ଗୁଦୀ- ତାପସ ବୃକ୍ଷ । ଶ୍ୟାମା – ପକ୍ଷୀ ବିଶେଷ । ଶଚୀ – ଇନ୍ଦ୍ରଙ୍କର ପତ୍ନୀ ।

୧୯ । ପୁନ୍ନାଗ – ପୋଲାଙ୍ଗ, ନୀଳାଚଳ – ଜଗନ୍ନାଥଙ୍କ ପୀଠ (ସମୁଦ୍ରକୂଳରେ ଅବସ୍ଥିତ) ।

୨୦ । ଆର୍ଯ୍ୟାବର୍ତ୍ତ – ହିମାଳୟ ଓ ବିନ୍ଧ୍ୟ ପର୍ବତର ମଧ୍ୟବର୍ତ୍ତୀ ଦେଶ, ଭାଗୀରଥୀ – ଗଙ୍ଗା, ଅଳଂକୃତ – ଶୋଭିତ, ଚୈତ୍ରରଥ – କୁବେରଙ୍କ ଉଦ୍ୟାନ ।


ତହୁଁ ସର୍ବେ ବହି ତମସା ଜଳ
ପୂର୍ଣ୍ଣ କଲେ ଆଳବାଳ ସକଳ;
ସ୍ୱର୍ଣ୍ଣତୀ ସଲିଳ ସ୍ୱର୍ଗ-ସୁନ୍ଦରୀ-
କନ୍ୟାଏ ନନ୍ଦନେ ଢାଳିଲା ପରି;
କି ଅବା ସାଗର-ନୀର
ତୋଳି କାଦମ୍ବିନୀ            ପ୍ଲାବି ଦେଇଥାଏ
ଯଥା ବକ୍ଷ ଅବନୀର | ୨୧ |


କଟିତଟେ ଭିଡ଼ି ବାସ-ଅଞ୍ଚଳ
ଗତି କରୁଥାନ୍ତି ହୋଇ ଚଞ୍ଚଳ,
ରୁକ୍ଷ-କେଶ ଶିରେ କଳଶ ବହି
ସ୍ୱଦ ଯାଉଥାଏ ଲଲାଟେ ବହି;
ପୋଛି ଦେଉଥାନ୍ତି କରେ
ମନ୍ଥର-ଗମନା            ରାଜନନ୍ଦନାଙ୍କୁ
ଟାକି ଟାକି ଥରେ ଥରେ | ୨୨ |


ଅନୁକମ୍ପା ଏହି ସମୟେ ଆସି
ବୋଇଲେ ମଧୁର ବାତ୍ସଲ୍ୟେ ଭାଷି
"ସୀତା ମୋର ଜଳ ବହି ନ ଜାଣେ,
କଷ୍ଟ ହେଉଥିବ କୋମଳ ପ୍ରାଣେ,
ନ କରୁ ଅଧିକ ଶ୍ରମ,
ଉଦ୍ୟାନକୁ ଥରେ            ଦେଖିନେଉ ମାତ୍ର
ଆସିଛି ହୋଉ ପ୍ରଥମ | ୨୩ |

 

୨୧ । ସ୍ୱର୍ଣ୍ଣଦୀ – ସ୍ୱର୍ଗର ଗଙ୍ଗା, ନନ୍ଦନ – ଇନ୍ଦ୍ରଙ୍କର ପ୍ରମୋଦ ଉଦ୍ୟାନ, କାଦମ୍ୱନୀ – ମେଘମାଳା, ଅବନୀର – ପୃଥିବୀର ।


ଆସ ମା, ଶୀତଳ ଛାୟାକୁ ଆସ,
ବସିବା, ନ କର ଅନ୍ୟ ପ୍ରୟାସ,
କହିଦେବି କିଛି ଆଶ୍ରମ ରୀତି,"
ବୋଲି ଘେନିଗଲେ ଦେଖାଇ ପ୍ରୀତି,
ଅନୁକମ୍ପା ସଙ୍ଗେ ସତୀ
ବସିଲେ ଛାୟାରେ            ଜଳ-ଆନୟନେ
ଲାଗିଲେ ତାପସୀତତି | ୨୪ |


ଅନୁକମ୍ପା ତହିଁ ବୋଇଲେ, "ସୀତେ,
କାର୍ଯ୍ୟ କରେ ଲୋକ ଶ୍ରଦ୍ଧା ସହିତେ,
ଫୁଲେ ଫୁଲେ ଯଥା ବିଭିନ୍ନ ବାସ,
ଜୀବନେ ଜୀବନେ ଶ୍ରଦ୍ଧା ନିବାସ,
ଶରଧା ସ୍ୱଭାବବଶୁ
ଦଇବୀ ମାନବୀ            ଆସୁରୀ ଭେଦରେ
ହୋଇଥାଏ ଫଳପ୍ରସୂ | ୨୫ |


ଦମ୍ଭେ ଅହଂକାରେ କାମ ପୋଷଣେ,
ରାଗେ ଦେହବଳେ ଆତ୍ମା-କର୍ଷଣେ,
ତପ କରିଥାନ୍ତି ଅସୁର ଭାବେ
ସମ୍ଭବ ନୁହେଁ ତା' ତୋର ସ୍ୱଭାବେ;
ଦେବ ଦ୍ୱିଜ ଗୁରୁ ବୁଧେ
ଶଉଚ ଆର୍ଜବ            ଶ୍ରଦ୍ଧା ସମନ୍ୱୟେ
ପୂଜି ଥାଉ ଚିତ୍ତଶୁଦ୍ଧେ | ୨୬ |

 

୨୪ । ସତୀ – ସୀତା, ତାପସୀ ତତି – ଋଷିକୁମାରୀ ସମୂହ ।

୨୬ । ଆର୍ଜବ – ସରଳତା, ଦ୍ୱିଜ – ବ୍ରାହ୍ମଣ, ବୁଧ – ପଣ୍ଡିତ ।


ଶାନ୍ତିପ୍ରଦ ସତ୍ୟ ପ୍ରିୟଭାଷଣ,
ଜୀବନର ତୋର ପ୍ରିୟ ଭୂଷଣ,
ମନକୁ ତୋ ଛୁଇଁ ନାହିଁ କପଟ,
ମାୟା କି ପାରିବ ପଶି ନିକଟ?
ତୋ ରମ୍ୟ ସୌମ୍ୟ ମୂରତି
କହି ଦେଉଅଛି            ବିଷୟ ଗହନେ
ନାହିଁ ଆଉ ଆନୁରକ୍ତି | ୨୭ |


ଦଇବ ସ୍ୱଭାବେ ତୁ ତପସ୍ୱିନୀ,
ଦର୍ଶନମାତ୍ରେ ମୁଁ ପାରିଛି ଚିହ୍ନି,
ପବିତ୍ର ପ୍ରାଣ ତୋ ଅତି କୋମଳ,
ଘୋର ତପସ୍ୟାର ଦୁର୍ଲଭ ଫଳ,
ପୁଣ୍ୟ ଲତିକାର ଫୁଲ,
ନବ ତାପସୀଙ୍କ            ଆଚରତ ଶ୍ରମ
ନୁହଇ ତା' ଅନୁକୂଳ | ୨୮ |


କୁମାରୀମାନଙ୍କ ସଙ୍ଗରେ ରହି
ଜଳ ଆଣୁଥିବୁ ତୁମ୍ବୀରେ ବହି,
ତେଜୁଥିବୁ ତାଙ୍କ ଉତ୍ସାହ ଦୀପ,
ତେଜୁ ନ ଥିବେ ସେ ତୋର ସମୀପ,
ଦେଇଛି ମୁଁ ତାଙ୍କୁ କହି;
ପାନ-ଭୋଜନରେ            ଲଜ୍ଜା ନ କରିବୁ
ପିପାସା-ବୁଭୃକ୍ଷା ସହି | ୨୯ |

 

୨୭ । ଭୂଷଣ – ଅଳଙ୍କାର, ବିଷୟ ଗହନେ ସାଂସାରିକ ଜଞ୍ଜାଳ, ଅନୁରକ୍ତି – ଆକର୍ଷଣ ।

୨୯ । ସମୀପ – ପାଖ, ପିପାସା – ପିଇବାର ଇଚ୍ଛା, ବୁବୁକ୍ଷା – ଖାଇବାର ଇଚ୍ଛା ।


କନ୍ୟାମାନେ କେବେ କେବେ ଆରାମେ
କାର୍ଯ୍ୟ ଥିଲେ ତୁହି ଥିବୁ ଆରାମେ
ଯେବେ ଯେଉଁ ଦ୍ରବ୍ୟେ ହେବ ତୋ' ମନ
ଅବିଳମ୍ବେ ଦେବେ କୁମାରୀଗଣ,
ନିଜେ ଭ୍ରମି ଉପବନେ
ଇଚ୍ଛାମତ ଫୁଲ-            ଫଳ ତୋଳିବାରେ
ଶଙ୍କା ନ ରଖିବୁ ମନେ" | ୩୦ |


ଦିନ ହୋଇଗଳା ସପ୍ତ ଘଟିକା,
କନ୍ୟାଗଣ ଘେନି ଶୂନ୍ୟ ଘଟିକା
ଅନୁକମ୍ପା-ପାଶେ ସ୍ୱିନ୍ନ ଶରୀରେ
ଜଣ ଜଣ ହୋଇ ବସିଲେ ଧୀରେ,
ପ୍ରଫୁଲ୍ଲ ଧୁସ୍ତର ଫୁଲ
ପାଶେ ଯଥା ଫଳ-            ରାଶି ତହିଁ ପାଶେ
ହିମାକ୍ତ କୁଟ୍ମଳକୁଳ | ୩୧ |


ତହୁଁ ଉଠି ସର୍ବେ ଦ୍ୱିତୀୟ ସ୍ନାନ
କରି ବାହୁଡ଼ିଲେ ଆବାସସ୍ଥାନ,
ଫଳ-ମୂଳ ଯାହା ତାପସଗଣ
ଆଣିଥିଲେ, ସର୍ବେ କଲେ ଭୋଜନ,
ଅଧ୍ୟୟନ ଅଧ୍ୟାପନ-
କରି ବିଧିମତେ            ତାପସ ତାପସୀ
ମଧ୍ୟାହ୍ନ କଲେ ଯାପନ | ୩୨ |

 

୩୦ । ଆରାମ – ଉପବନ, ଆରାମ – ସ୍ୱାଚ୍ଛନ୍ଦ୍ୟ, ଅବିଲମ୍ୱେ – ତତ୍‍କ୍ଷଣାତ୍‍, ଶଙ୍କା – ସଂଶୟ ।

୩୧ । ଘଟିକା – ଘଣ୍ଟା, ଘଟିକା – କୁମ୍ଭ, ସ୍ୱନ୍ନଶରୀରେ – ଝାଳ ଦେହରେ, ଧୁସ୍ତର – ଧୁତୁରା, କୁଟୁଳ – ମୁକୁଳ ଅର୍ଥାତ୍‍ କଢ଼ି ।

୩୨ । ମଧ୍ୟାହ୍ନ – ଦ୍ୱିପ୍ରହର ।


ତାପସ-ତାପସୀ-ସେନେହ-ସୁଖ
ତଡ଼ିଦେଲା ସତୀ-ମାନସ-ଦୁଃଖ,
ରାଜ-ସୁଖ ତାଙ୍କ ସ୍ମୃତି-ପଥରେ
ଭ୍ରମରେ ସୁଦ୍ଧା ନ ପଡ଼ିଲା ଥରେ;
ନିର୍ମଳ ହୃଦୟ-ସରେ
ମନୋହର-ରୂପ            ରାମ-ରାଜହଂସ
କ୍ରୀଡ଼ୁଥାନ୍ତି ନିରନ୍ତରେ | ୩୩ |

 

ଷଷ୍ଠ ସର୍ଗ

(ଚତୁର୍ଦ୍ଦଶାକ୍ଷର ଛନ୍ଦ)

ଚିତ୍ରା ସହ ଶଶୀ ଦିନେ ଉଠିଲେ ଗଗନେ,
ବିକଶିତ ହେଲା ନବ-ମାଳିକା ଗହନେ | ୧ |
ଧୀରେ ଧୀରେ ଆଶ୍ରମର ମଲ୍ଲୀ-ବଲ୍ଲୀଚୟ,
ପ୍ରଫୁଲ୍ଲ-କୁସୁମ-ପୁଞ୍ଜ ହେଲେ ମୁଦମୟ | ୨ |


ମାଧବୀ ବକୁଳ ମଲ୍ଲୀ ନିଆଳୀ ସୁଗନ୍ଧ-
ଭାରେ ଗନ୍ଧବହ ଗତି କରି ମନ୍ଦ ମନ୍ଦ | ୩ |
ତମସା-ପୁଲିନେ ସ୍ୱଚ୍ଛ ଚନ୍ଦ୍ରମା-କିରଣ,
ଆଲିଙ୍ଗୀ ସ୍ୱଚ୍ଛନ୍ଦେ କରୁଥିଲା ବିଚରଣ | ୪ |


ଜାନକୀ କୁଟୀର ପାଶେ ବିବିଧ ଆକାରେ
ଖଣ୍ଡ ଖଣ୍ଡ ଚନ୍ଦ୍ରକର ପାଦପ-ଛାୟାରେ | ୫ |
ଧୀରେ ଧୀରେ ପୂର୍ବଦିଗେ ହୋଇ ଅଗ୍ରସର
ହ୍ରାସ, ବୃଦ୍ଧି, ଲୋପ କରୁଥିଲେ କଳେବର | ୬ |

 

୧ । ଚିତ୍ରା – ନକ୍ଷତ୍ର ବିଶେଷ, ଗହନେ – ବଣରେ, ବିକଶିତ – ଫୁଟିଲା ।

୨ । ମୃଦମୟ – ହର୍ଷଯୁକ୍ତ ।

୩ । ଅଗ୍ରସର – ଗମନ ।


କୁଟୀରୁଁ ଅଳପ ଦୂରେ ଶୀତଭାନୁ-କରେ
ବସିଥାନ୍ତି ବଇଦେହୀ ସଜନୀ ସଙ୍ଗରେ | ୭ |
ସତୀ ପାଶେ ଦିଶୁଥିଲା ସୁଧାଂଶୁ କିରଣ
ସତୀ ଅଙ୍ଗୁ ହେଉଅଛି ଯେହ୍ନେ ବିକିରଣ | ୮ |


ଖଦ୍ୟୋତ ଦିଓଟି ଆଶ୍ରି ଗୋଟିଏ ପତର
କାନ୍ତି କରୁଥାନ୍ତି ଚନ୍ଦ୍ରଠାରୁ ମଞ୍ଜୁତର | ୯ |
ଚାହିଁ ତାଙ୍କୁ ବୋଲୁଥାନ୍ତି ସତି ମନେ ମନେ,
"ଧନ୍ୟରେ ଖଦ୍ୟୋତେ ! ତୁମ୍ଭେ ପତଙ୍ଗଜୀବନେ | ୧୦ |


ଅଛନ୍ତି ଜଗତେ ଜୀବ ତୁମ୍ଭଠାରୁ ବଳି,
ଅଛିକିରେ ଆଉ କାହା କାନ୍ତି ତୁମ୍ଭ ଭଳି | ୧୧ |
ବଡ଼ ଭାଗ୍ୟେ ପାଇଥିଲ ବିଶ୍ୱପତି-ବର,
ତେଣୁ ତୁମ୍ଭ ଦ୍ୟୁତି ଲୋକ-ନେତ୍ର-ପ୍ରୀତିକର |" ୧୨ |


ଏ ସମୟେ ଶ୍ରୁତ ହେଲା ଚକ୍ରବାକ ସ୍ୱନ,
ମୁହୁର୍ମୁହୁଃ ହେଉଅଛି କରୁଣବର୍ଷଣ | ୧୩ |
କରୁଣା-ସଲିଳ ସତୀ-ନୟନ-ସରିତ-
କପୋଳ କୂଳକୁ ବଳେ ହେଲା ପ୍ରସାରିତ | ୧୪ |


ଚଞ୍ଚଳେ ଜାନକୀ କରି ସଖୀକି ଗୋପନ,
ଅଞ୍ଚଳେ ଘରମ ଛଳେ ପୋଛିଲେ ଲପନ | ୧୫ |
ଜାଣି ସଖୀ ପଚାରିଲା, "କହ ତ ସୁଶୀଳେ,
କିମ୍ପା ଚକ୍ରବାକ ରାବେ ରଜନୀ ଆସିଲେ ? ୧୬ |

 

୭ । ଶୀତଭାନୁ – ଚନ୍ଦ୍ର, କରେ – କିରଣରେ ।

୯ । ଖଦ୍ୟୋଦ – ଜୁଳୁଜୁଳିଆ ପୋକ, ମଞ୍ଜୁତର – ଅଧିକ ସୁନ୍ଦର ।

୧୨ । ବିଶ୍ୱପତି – ଭଗବାନ, ଦ୍ୟୁତି – ତେଜ ।

୧୫ । ଘରମ – ଝାଳ, ଲପନ – ମୁଖ ।


ଥାନ୍ତି କି ଏ ବିହଙ୍ଗମ ନଗର ଭିତରେ ?
ଭାବନ୍ତି କି ତହିଁ ମଧ୍ୟରାତ୍ରିରେ କାତରେ | ୧୭ |
ରାବନ୍ତି ଯଦ୍ୟପି ତାହା ନାଗରିକ ଜନେ;
ଆକର୍ଣ୍ଣନ କରି କିସ ଭାବିଥାନ୍ତି ମନେ ?" | ୧୮ |


ଶୁଣି ସତୀ ନ ପାରିଲେ ସମ୍ଭାଳି ଲୋତକ,
କଣ୍ଠସ୍ୱର ହେଲା ତହିଁ ବଚନ-ରୋଧକ | ୧୯ |
ତା' ଚାହିଁ କହିଲା ସଖୀ, "ଛାଡ଼ ସେହି କଥା,
ଚାପଲ୍ୟ ମୋ କ୍ଷମା କର, ବୃଥା ଦେଲି ବ୍ୟଥା |" ୨୦ |


ବୋଇଲା ଜାନକୀ, "ସଖି, ଆତ୍ମପରିଚୟ
ନ ଦେଇ ପରାଣ ମୋର ହେଉଛି ଅଥୟ | ୨୧ |
ଭରସା କରିଛିଁ, ମୋର ଅନ୍ତିମ ଜୀବନ,
ତୁମ୍ଭ ସହକାରେ ଏଥି କରିବି ଯାପନ | ୨୨ |


ନ କହିବି ନିଜ କଥା ଯଦି ତୁମ୍ଭ ପାଶ,
କରିବ କିରୂପେ ତୁମ୍ଭ ମୋ ପ୍ରତି ବିଶ୍ୱାସ ? ୨୩ |
କହିଦେଲେ ଲଘୁ ହେବ ମୋର ଦୁଃଖଭାର,
ବୁଝିବ ତହିଁରେ ତୁମ୍ଭେ କିପରି ସଂସାର | ୨୪ |


ମୁଁ ରାଜନନ୍ଦିନୀ ସଖି, ସମ୍ପଦର ଦୋଲେ
ବଢ଼ିଲି ରାଜେନ୍ଦ୍ର-ପରେ-ମଧୁମୟ କୋଳେ | ୨୫ |
ମରାଳ ମୟୂର ପିକ ଶୁକ ଶାରୀ ସ୍ୱର-
କରୁଥାଏ ରାଜପୁର ମଦୁର ମୁଖର | ୨୬ |


ରାବିଥାଏ ଚକ୍ରବାକ ରଜନୀ ସମୟେ,
ନୋହୁଥିଲା ଦୁଃଖ ତହିଁ ମୋ ବାଲ୍ୟ-ହୃଦୟେ | ୨୭ |
ଶୈଶବାନ୍ତେ ହେଲା ସଖୀ, ଯେବେ ମୋ ଯୌବନ
ଦେଖିଲି ଆସିଲେ ଦେଶୁଁ ଦେଶୁଁ ରାଜାଗଣ | ୨୮ |

 

୨୨ । ସହକାରେ – ସାହାଯ୍ୟରେ, ଯାପନ – ଅତିବାହିତ ।

୨୪ । ଲଘୁ – ହାଲୁକା ।


ରତ୍ନମୟ ଧନୁଟିଏ ଜନକ ମୋହର
ରଖିଥାନ୍ତି, ଦିଶୁଥାଏ ଅତି ମନୋହର | ୨୯ |
ଜଣେ ଜଣେ ହୋଇ ଧନୁ ଧରି ନୃପଗଣ
ଟାଣି ଥରେ କରୁଥାନ୍ତି ଆସନ ଗ୍ରହଣ | ୩୦ |


ରତନ-କିରୀଟେ ଢାଙ୍କି ଧବଳ କୁନ୍ତଳ
କେତେ ନରପତି ତହିଁ ଦେଖାଇଲେ ବଳ | ୩୧ |
କେତେ ବା ଯୁବକ ନୃପ-କିଶୋର-କେଶରୀ
ଠାଣି ଧରି ଧନୁ ଛୁଇଁଗଲେ ଅପସରି | ୩୨ |


ସଦର୍ପ ଗମନ ତାଙ୍କ ନିଷ୍ଫଳ ସାହସ
ଚାହିଁ ସଖି, ସେତେବେଳେ ମାଡ଼ୁଥାଏ ହସ | ୩୩ |
ପ୍ରସାଦ ଉପରେ ରହି ବହି କୁତୂହଳ
ସଖୀଙ୍କ ସହିତ ଦେଖୁଥାଏଁ ସେ ସକଳ | ୩୪ |


ଶେଷେ ଜଣେ କ୍ଷତ୍ରି କୁଳ-ଚୂଳ ଆଭରଣ
ମରକତ-ବର-କାନ୍ତି-ଗଞ୍ଜନ-ବରଣ | ୩୫ |
ଧନୁ ସନ୍ନିଧାନେ ଆସି ହେଲେ ଶୋଭାକର
ସତେ ଯେହ୍ନେ ରାଜପୁତ୍ର ରୂପେ ଦିବାକର | ୩୬ |


ଚାହିଁ ତାଙ୍କୁ ହୃଦ ମୋର ସ୍ୱତଃ ହେଲା ଦ୍ରବ
ତାପସ,-ଜୀବନେ ନାହିଁ ସେହି ଅନୁଭବ | ୩୭ |
ନୃପବୃନ୍ଦେ କରିଥିଲି କେତେ ଉପହାସ,
ସବୁ ଚପଳତା ଜବେ ହୋଇଗଲା ହ୍ରାସ | ୩୮ |


ସେପରି ସୁନ୍ଦର ରୂପ ପାଇବ ନୟନ,
କେବେ ତ ସଜନି, ଭାବି ନ ଥିଲା ମୋ ମନ | ୩୯ |
ଭକ୍ତି-ପ୍ରୀତି-ସହିତ ମୋ ନିର୍ମଳ ହୃଦୟ
ବିନୟେ ବନ୍ଦିଲା ତାଙ୍କ ରଙ୍ଗ ପଦଦ୍ୱୟ | ୪୦ |

 

୩୧ । ଧବଳ କୁନ୍ତଳ – ପାଚିଲା ବାଳ ।

୩୭ । ଦ୍ରବ – ବିଗଳିତ ହେଲା ।

୩୮ । ଜବେ – ଶୀଘ୍ର ।


ଯେ ଭାଙ୍ଗିବ ଧନୁ ତାକୁ ମୋ କର ଅର୍ପଣ,
କରିବାକୁ ପିତା ମୋର କରିଥିଲେ ପଣ | ୪୧ |
ମୁଁ ଭାବିଲି, ସେହିଦିନ ପଣ ହେଲା ଶେଷ,
ତପସ୍ୱନୀ ହେବି ନେଇ ପିତାଙ୍କ ଆଦେଶ | ୪୨ |


କେ ଭାଙ୍ଗିବ ଧନୁ, ତାହା କି ଅଛି ନିଶ୍ଚୟ ?
ଏ ବୀରେନ୍ଦ୍ର ନେଲେଣି ମୋ ମନ କରି କ୍ରୟ | ୪୩ |
ମନ ଥିବ ଏକେ, ଅନ୍ୟ ହେବ ଯେବେ ପତି,
ଜୀବନେ ମରଣେ ହେବ ଭୀଷଣ ଦୁର୍ଗତି | ୪୪ |


କମନୀୟ କର ଯାର ପୁଷ୍ପଧନୁପାତ୍ର,
ଏ ଧନୁ ଧରିବା ତାଙ୍କ ଅପମାନ ମାତ୍ର | ୪୫ |
ମୋହ ଭାଗ୍ୟ ବଳେ ବୀର ସେ ଦୁର୍ଦ୍ଧର ଚାପ
ସଙ୍ଗେ ସଙ୍ଗେ ଭାଙ୍ଗି ଦେଲେ ମୋ ହୃଦ-ସନ୍ତାପ | ୪୬ |


ବୀରେନ୍ଦ୍ର ସହିତ ହେଲା ମୋର ପରିଣୟ,
ଧନ୍ୟ ହେଲି ଲଭି ତାଙ୍କ ସ୍ୱର୍ଗୀୟ ପ୍ରଣୟ | ୪୭ |
ଅନୁଜ ତ୍ରିତୟ ଥିଲେ ବୀରମଣିଙ୍କର,
ଧଇଲେ ମୋହର ତିନି ଭଗିନୀଙ୍କ କର | ୪୮ |


ପିତୃପୁରୁ ପତିପୁର ଗମନ ପଥରେ
ତେଜୋମୟ ଧନୁଟିଏ ପୁଣି କାନ୍ତକରେ | ୪୯ |
କ୍ଷତ୍ରିୟ କୁଳର କେତୁ ଭାର୍ଗବପ୍ରବର
ଅର୍ପିବାର ଦେଖି ମୋର ମନେ ହେଲା ଡର | ୫୦ |

 

୪୪ । ଦୁର୍ଗତି – ଦୁର୍ଦ୍ଦଶା ।

୪୬ । ଚାପ – ଧନୁ, ଦୁର୍ଦ୍ଧର – ଯାହା ଧରି ରଖିବା କଷ୍ଟକର ।

୪୮ । ଅନୁଜତ୍ରିତୟ – ସାନ ତିନି ଭାଇ, ଉର୍ମିଳା, ମାଣ୍ଡୁକୀ, ଶ୍ରୁତକେଶୀଙ୍କୁ ସାନ ତିନି ଭାଇ ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ବିବାହ କରିଥିଲେ ।

୫୦ । କେତୁ – ଶତ୍ରୁ, ଧୂମକେତୁ, ଭାର୍ଗବପ୍ରବର – ପରଶୁରାମ ।


ପୁଣି ବା ଲଭିବେ କାନ୍ତ ତେଜୋମୟୀ ନାରୀ,
ହେବ ଅବା ମୋହର ସେ ପ୍ରଣୟ-ଭଗାରି | ୫୧ |
ଚଢ଼ାନ୍ତେ ମୋ କାନ୍ତ ସେହି ଶରାସନେ ଶର,
ଭାର୍ଗବୀ ବୀରଶ୍ରୀ ତାଙ୍କୁ ବରିଲା ସତ୍ୱର | ୫୨ |


ପଦ୍ମିନୀର ପ୍ରତି ଯଥା ଦ୍ୟୁମଣି-ଦିଧିତି,
ସେ ବୀରଶ୍ରୀ ବଢ଼ାଇଲା ମୋ ହୃଦୟ-ପ୍ରୀତି | ୫୩ |
ଭାବିଥାଏ ମନ ଏକ, ଫଳ ହୁଏ ଆନ,
ବୁଝି ନୁହେଁ ସଖି, ଭବେ ବିଧିର ବିଧାନ | ୫୪ |


ତେଜୋମୟୀ ବୀର-ବାନା ଉଡ଼ାଇ ଗଗନେ
ବିଜେ କଲେ ବୀରବର ପ୍ରଫୁଲ୍ଲିତ ମନେ | ୫୫ |
ସମ୍ପଦର ବନ ମୋର ଶ୍ୱଶୁର-ନିଳୟ,
ପ୍ରବେଶନ୍ତେ ତହିଁ ଶୁଭ-ସମ୍ବାଦ-ମଳୟ; | ୫୬ |


ଶୋଭା-ବୃକ୍ଷେ ଫୁଟିଗଲା ଆନନ୍ଦ-ସୁମନ,
ପ୍ରଭାର ପଲ୍ଲବ ହରିନେଲା ଜନମନ | ୫୭ |
ନବ ପରିଣୀତ ବୀରଭ୍ରାତା ଚତୁଷ୍ଟୟ
ରତନ ଭୂଷଣଚୟେ ହେଇ ଦୀପ୍ତିମୟ | ୫୮ |


ତହିଁରୁ ଅଧିକେ ସାଜି ବଧୂଙ୍କର ବେଶ
ମହୋଲ୍ଲାସେ ହେଲେ ସେହି ଭବନେ ପ୍ରବେଶ | ୫୯ |
ବୃଦ୍ଧା ଏକ ଥିଲା ସଖି, ସେ ରାଜଭବନେ
ସେକାଳେ ହୋଇଲା ହର୍ଷବର୍ଷଣ ବଚନେ | ୬୦ |


ଋକ୍ଷରାଜି ବିଭ୍ରାଜିତ ଚୌଦିଗ-ଗଗନ
ମଣ୍ଡିଲେ ବିରାଜି ଆଜି ରାଜେନ୍ଦ୍ର ସଦନ | ୬୧ |
ଦେଖିଲି ମୋ ଭଗିନୀଙ୍କ ବଦନମଣ୍ଡଳ
ହୋଇଥିଲା ନବ ପ୍ରେମ-ମନ୍ଦାକ୍ଷେ ପାଟଳ | ୬୨ |

 

୫୨ । ଭାର୍ଗବୀ – ପାର୍ବତୀ, ଲକ୍ଷ୍ମୀ ।

୫୩ । ଦ୍ୟୁମଣି – ଦିଧତି, ସୂର୍ଯ୍ୟକିରଣ ।

୬୧ । ଋକ୍ଷରାଜି – ନକ୍ଷତ୍ର ସମୂହ, ବିଭ୍ରାଜିତ – ଶୋଭିତ ।


ଉପୁଜି ତହିଁରେ ନବ ଘର୍ଣକଣାଚୟ
ରତନ ଜ୍ୟୋତିରେ ହୋଇଗଲା ଜ୍ୟୋତିର୍ମୟ | ୬୩ |
ତୋ ସ୍ୱିନ୍ନ ଲଲାଟେ ଆଜି ସୁଧାଂଶୁକିରଣ
ଦେଖି ସଖି, ହେଉଅଛି ସେକଥା ସ୍ମରଣ | ୬୪ |


ସ୍ୱର୍ଗର ସମ୍ପଦ ଯାହା କହିଥାନ୍ତି ଜନେ,
ଶ୍ରୁତି-ସତ୍ୟ ମଣି ତାକୁ ଲୋଭ ଦିଏ ମନେ | ୬୫ |
ସ୍ୱର୍ଗ ଲୋଭେ ରାଜା ତେଜି ରାଜସିଂହାସନ,
ତପ କରେ ବନେ କରି ଫଳମୂଳାଶନ | ୬୬ |


ମୁଁ ଯାହା ଦେଖିଲି ସଖି, ଶ୍ୱଶୁରଙ୍କ ଘରେ;
ଭାବିଲି ନ ଥିବ ତାହା ସୁରେନ୍ଦ୍ର-ନବରେ | ୬୭ |
ଶ୍ୱଶୁର ଶାଶୁଙ୍କ ସ୍ନେହ, ସ୍ୱାମୀଙ୍କ ପୀରତି
ତୁଚ୍ଛ ଜ୍ଞାନ କରାଇଲା ମୋତେ ସ୍ୱର୍ଗ ପ୍ରତି | ୬୮ |


କେତେ ହେଲା ନବ ନବ ମହୋତ୍ସବମାନ,
ଜଗତେ ତା ହୁଏ ବୋଲି ନ ଥିଲା ମୋ ଜ୍ଞାନ | ୬୯ |
ପତି-ପ୍ରୀତି-ରତ୍ନ ରାଜ-ଭବନ-ରତନ-
ଆଲୋକ ସୁଖରେ କଲି କାଳ କରତନ | ୭୦ |


ଶୁଣିବାକୁ ତହିଁ ଦୀନ ଚକ୍ରବାକ ସ୍ୱର
ଥିଲା ନାହିଁ ରାତ୍ର ଦିନେ ମୋତେ ଅବସର | ୭୧ |
ଚାଲିଗଲା ସେହିୁରୂପେ ଦ୍ୱାଦଶ ବତ୍ସର,
ବାରଦିନ ପରି ହେଲା ମୋ ମନେ ଗୋଚର | ୭୨ |

 

୬୨ । ମନ୍ଦାକ୍ଷେ – ଲାଜରେ, ପାଟଳ – ଗୋଳାପୀ ରଙ୍ଗ ।

୬୭ । ସୁରେନ୍ଦ୍ର ନଗରେ – ସ୍ୱର୍ଗପୁରରେ ।

୭୧ । ଅବସର – ବିଶ୍ରାମ ।


ଦିନେ କାନ୍ତ ଆସି ମୋତେ ବୋଇଲେ ସାହାସେ,
'ବାନ୍ଧବୀ, ରହିବା ଆଜି ରାତ୍ରି ଅଧିବାସେ | ୭୩ |
କରିବାର ଆଶେ ତେ ତେ ହୃଦ-ଆଭରଣ
ରାଜଲକ୍ଷ୍ମୀ କାଲି ମୋତେ କରିବେ ବରଣ |' | ୭୪ |


ମୁଁ ବୋଇଲି, 'ନାଥ, ତୁମ୍ଭ ଦିବ୍ୟ ଅନୁରାଗ
ପୂର୍ଣ୍ଣ ଥିଲା ମୋଠାରେ ଯା ନ ହେବ ତ ଭାଗ ? ୭୫ |
ସେ ବୋଇଲେ, 'ସ୍ୱାଭାବିକ ହେଲେହେଁ ସେ କଥା
ସତୀ-ପଦେ ନତ ହୁଏ ରାଜଲକ୍ଷ୍ମୀ-ମଥା | ୭୬ |


ସାଗର-ସଲିଳ ଉଠି ଘନ ହୁଏ ନଭେ
ଲୋକହିତ ସାଧି ପଶେ ସାଗର-ଗରଭେ |' ୭୭ |
ମଙ୍ଗଳ ବିଧିରେ ସେହି ରାତ୍ରି ହେଲା ଶେଷ,
ମଙ୍ଗଳବାଜଣା ପ୍ରାତେ ଶୁଭିଲା ବିଶେଷ | ୭୮ |


ସଚିବ ସହିତ କାନ୍ତ ଗଲେ ପିତା ପାଶେ,
ଲେଉଟି ବୋଇଲେ ମୋତେ ଦୁଃଖ ଭରି ଭାଷେ | ୭୯ |
ଜୀବନସଙ୍ଗିନୀ ! ରଖି ତୋ ପାଶେ ଜୀବନ,
ପିତାଙ୍କ ଆଦେଶେ ଆଜି ଯାଉଅଛି ବନ | ୮୦ |


ଯୁବରାଜ ହେବେ ପ୍ରିୟ ଭାଇ ମୋ ଭରତ,
ରାଜଲକ୍ଷ୍ମୀ ହେଲେ ତାଙ୍କ ପ୍ରଣୟରେ ରତ | ୮୧ |
ନ ରଖି ମାନିନି, ନିଜ ଜ୍ୟେଷ୍ଠା ଅଭିମାନ
ଭରତେ କରିବୁ ରାଜ ମାନ୍ୟରେ ସମ୍ମାନ |' ୮୨ |


ଦେଖିଲି ମୁଁ ସ୍ୱାମୀଙ୍କର ବଦନମଣ୍ଡଳ
ଦିଶୁଥିଲା ପୂର୍ବପରି ଶାନ୍ତିରେ ଉଜ୍ଜ୍ୱଳ | ୮୩ |
ହେଉଥାଏ ମନ ବନ-ଗମନେ ଚଞ୍ଚଳ,
କିନ୍ତୁ ଯେହ୍ନେ ମୋହ ପାଇଁ ହୃଦୟ ବିକଳ | ୮୪ |

 

୭୩ । ଅଧିବାସ – ଶୁଭକର୍ମ ଆରମ୍ଭରେ ହେଉଥିବା ମାଙ୍ଗଳିକ କର୍ମ ।

୭୯ । ସଚିବ – ମନ୍ତ୍ରୀ ।


ସ୍ୱମୀଙ୍କ ବଚନ ମଣିଥାନ୍ତି ପରିହାସ,
ଉଠିଗଲା ଚଉଦିଗେ ରୋଦନ ଉଚ୍ଛ୍ୱାସ | ୮୫ |
ହାହାକାର ରବେ ହେଲା ନବର କମ୍ପନ,
ବିସ୍ମୟେ ଭାବିଲି, ଏ କି ଅଦ୍ଭୁତ ସ୍ୱପନ | ୮୬ |


ଚକିତେ ବୋଇଲି, 'ନାଥ, ତୁମ୍ଭେ ଗଲେ ବନ
ରାଜପୁରେ ଏ ଦାସୀର କିସ ପ୍ରୟୋଜନ ? ୮୭ |
ହୋଇଥାନ୍ତି ରାଜରାଣୀ ହେବି ଭିକାରୁଣୀ
ଶ୍ରୀପଦ ସେବିବି ହେଇ କାନନ ଚାରିଣୀ | ୮୮ |


ଶ୍ରୀଚରଣେ ମତି ମୋର, ଶ୍ରୀଚରଣେ ଗତି,
ତୁମ୍ଭ ବିନା ନ ବାଞ୍ଛଇ ସ୍ୱରଗ-ସମ୍ପତ୍ତି | ୮୯ |
ତୁମ୍ଭ ପ୍ରିୟ ଅବରଜ ଯୁବରାଜ ହେବେ
ହସି ହସି ବନଗାମୀ ତୁମ୍ଭେ ହେବ ଯେବେ | ୯୦ |


ଯୁବରାଜ୍ଞୀ ହବ ମୋର ମାଣ୍ଡବୀ ଭଗିନୀ,
ମୁଁ କିମ୍ପା ନ ହେବି ତୁମ୍ଭ ପଦାଙ୍କଗାମିନୀ ? | ୯୧ |
ସେ ସୁଖ ବଞ୍ଚିତା ହେଲେ ନ ବଞ୍ଚିବ ସୀତା,
ପ୍ରଭୁପାଦ-ସେବା ବିନା ବିଶ୍ୱ ତାକୁ ପିତା | ୯୨ |


ଯା' କିଛି ବିଷାଦ ଥିଲା ସ୍ୱାମୀଙ୍କର ମନେ,
ଦୂର ହୋଇଗଲା ଜବେ ମୋର ସେ ବଚନେ | ୯୩ |
ପିତା ମାତା ଭ୍ରାତା ବନ୍ଧୁ ଭୃତ୍ୟ ପରିଜନ
ତେଜି କାନ୍ତ ମୋତେ ସଙ୍ଗେ ଘେନିଗଲେ ବନ | ୯୪ |

 

୮୫ । ପରିହାସ – ଥଟ୍ଟା ।

୯୩ । ଅବରଜ – କନିଷ୍ଠ ଭ୍ରାତା ।

୯୪ । ଭୃତ୍ୟ – ଚାକର, ପରିଜନ – ସ୍ୱଜନ ।


କେବଳ ଲକ୍ଷ୍ମଣ ନାମେ ଥିଲେ ମୋ ଦେବର
ହେଲେ ସ୍ୱାମୀଙ୍କର ବନବାସ ସହଚର | ୯୫ |
ଫିଙ୍ଗି ଦେଇ ରାଜସୁଖ ବିସ୍ମୃତିର ନଦେ
ଭ୍ରମିଲୁଁ ଗହନ ଗିରି ନବୀନ ଆନନ୍ଦେ | ୯୬ |


ସଖୀରୂପେ ପାଇ ବନେ ମୁନି କନ୍ୟାଗଣ
ତାଙ୍କ ସ୍ନେହ-ସୁଖ-ଜଳେ ହେଲି ନିମଗନ | ୯୭ |
ଅନେକ ଦିବସ ଥିଲୁଁ ପଞ୍ଚବଟୀ ବନେ,
ଗୋଦାବରୀ-ପୂତ-ତୀରେ ପ୍ରଫୁଲ୍ଲ ଜୀବନେ | ୯୮ |


ନିଶାନ୍ତେ ପବନ ବନ-ପୁଷ୍ପବାସ ହରି,
ମନ୍ଦ ମନ୍ଦ ଆସି ଦିଏ କୁଟୀରକୁ ଭରି | ୯୯ |
ଶ୍ରବଣ-କୁହରେ ଢାଳେ ମନୋରମ ସ୍ୱର
ରାଜ ବୈତାଳିକ ରୂପେ ଆସି ପିକବର | ୧୦୦ |


ମୟୂର ମୟୂରୀ ହୋଇ ନୃତ୍ୟ ପରାୟଣ
ମଣ୍ଡନ୍ତି ପ୍ରଭାତେ ମୋର କୁଟୀର ପ୍ରାଙ୍ଗଣ | ୧୦୧ |
ଆସିଥାନ୍ତି କଉତୁକେ ମୃଗ ଶିଶୁଗଣ
କରିବାକୁ ମୋହ କରୁଁ ନୀବାର ଭକ୍ଷଣ | ୧୦୨ |


ଜନନୀର କୋଳ ତେଜି କଲଭ କଲଭୀ
ଖେଳନ୍ତି ମୋ ପାଶେ ମୋର କୁଁ ଖାଦ୍ୟ ଲଭି | ୧୦୩ |
ବିବିଧ କୁସୁମେ ଗୁନ୍ଥି ମନୋହର ହାର
ଦେଉଥାଏ କାନ୍ତ ଗଳେ ପ୍ରୀତି-ଉପହାର | ୧୦୪ |

 

୯୫ । ଦେବର – ଦିଅର ।

୧୦୦ । ବୈତାଳିକ – ସ୍ତୁତିପାଠ ।

୧୦୨ । ନୀବାର – ବାଳୁଙ୍ଗା ଧାନ ।

୧୦୩ । କଲଭ କଲଭୀ – ହାତୀ ଛୁଆ ।


କୌତୁକେ କୁସୁମେ କାନ୍ତ ମଣ୍ଡି ମୋର ବେଣୀ
ଭ୍ରମନ୍ତି କୁସୁମବନେ ସଙ୍ଗେ ମୋତେ ଘେନି | ୧୦୫ |
ବୋଲୁଥାନ୍ତି, 'ସଖି, ତୁ ମୋ' ପ୍ରଣୟ ପ୍ରତିମା,
ପ୍ରାଣର ସଙ୍ଗିନୀ ସ୍ୱର୍ଗ-ସୁଖର ଗାରିମା | ୧୦୬ |


ମୁଁ ବୋଲେଁ, 'ପ୍ରାଣେଶ, ତୁମ୍ଭ ପ୍ରେମ ଅଧିକାର
ସଙ୍ଗେ ନୁହେଁ ତୁଳନୀୟ ସ୍ୱର୍ଗ-ସୁଖ ଛାର' | ୧୦୭ |
ଦିନେ ଫୁଲେ ଚନ୍ଦ୍ରାତପ ଫଳମୟ ସ୍ତମ୍ଭ
ସିଂହାସନ ରଚି ଖଚି କୁସୁମ କଦମ୍ବ | ୧୦୮ |


ଫୁଲମୟ ଛତ୍ର କରି ଫୁଲର ଚାମର
ବିଚିତ୍ର ବ୍ୟଜନ ଫୁଲେ କରି ଶୋଭାକର | ୧୦୯ |
କେତକୀ ଦଳରେ କଲି କିରୀଟ ନିର୍ମାଣ
ଖଚି ରତ୍ନରୂପେ ରମ୍ୟ ରମ୍ୟ ଫୁଲମାନ | ୧୧୦ |


ବିନୟେ ବୋଇଲି, 'ନାଥ, ପୂଜିବି ପୟର,
କୃପା ବହି ସିଂହାସନେ ଥରେ ବିଜେ କର | ୧୧୧ |
ସସ୍ମିତେ ବୋଇଲେ ମୋତେ କାନ୍ତ ମହାମନା,
'ରାଜ-ଉପଚାର ସଖି ଅଛି ମୋତେ ମନା | ୧୧୨ |


ତୋତେ ମୁଁ କରିବି ଆଜି ବନ-ଫୁଲେଶ୍ୱରୀ
ବୋଲି ଫୁଲେ ସଜାଇଲେ ବଳେ କର ଧରି | ୧୧୩ |
ତାଙ୍କ ରାଣ ଭାଷେ ଖଣ୍ଡି ମୋହର ଆପତ୍ତି
ଅଗ୍ରେ ଉଭା ଭୋଇ ଦୃଷ୍ଟି ଦେଲେ ମୋର ପ୍ରତି | ୧୧୪ |


ମନ୍ଦାକ୍ଷରେ ନେତ୍ର ମୋର ହେଲା ନିମୀଳିତ
ରହିଲି ସେ ପୁଷ୍ପାସନେ ହୋଇ ବିଦ୍ରବିତ | ୧୧୫ |
ଆନନ୍ଦେ ବୋଇଲେ କାନ୍ତ ରସିକକେଶରୀ,
'କରୁଣା କଟାକ୍ଷପାତ କର ଫୁଲେଶ୍ୱରୀ !' ୧୧୬ |


ହରଷ-ପ୍ରଫୁଲ୍ଲ ମୁଖ ଅନାଇ ତାଙ୍କର,
ବୋଇଲି, ଅବିଧି ହେଲା ବିବେକିଶେଖର | ୧୧୭ |
ନୁହଇ ଯା' ପ୍ରଭୁପଦ ଅର୍ଚ୍ଚନାର ଯୋଗ୍ୟ
କେବେ କି ତା' ହୋଇଥାଏ ଦାସୀଛାର ଭୋଗ୍ୟ ?' ୧୧୮ |

 

୧୦୬ । ଗରିମା – ଗୁରୁତ୍ୱ ।

୧୧୫ । ନିମୀଳିତ – ବୁଜି ହୋଇଗଲା, ବିଦ୍ରବିତ – ତରଳିତ ।


ସେ ବୋଇଲେ, 'ପ୍ରଣୟିନୀ ପ୍ରଣୟୀର ରୀତି
ବଢ଼ାଇ ଏକର ମାନ ଅନ୍ୟ ଲଭେ ପ୍ରୀତି |' ୧୧୯ |
ସ୍ୱାମୀଙ୍କ ବଦନୁ ତାଙ୍କ ପ୍ରୀତି କଥା ଶୁଣି
ନିଜ ଭାଗ୍ୟ ଧନ୍ୟ ମଣି ମୁଦେ ହେଲି ତୁନୀ | ୧୨୦ |


ସନ୍ଧ୍ୟା ହେଲା କ୍ରମେ ନଭେ ହେଲେ ସୁଧାକର;
ବିହରିଲେ କାନ୍ତ ବନେ ଧରି ମୋର କର | ୧୨୧ |
କରିବାକୁ ପୁଣି ମୋର ମାନସ ରଞ୍ଜନ
କରୁଥିଲେ ବନବାସ ସୁଖର ବର୍ଣ୍ଣନ | ୧୨୨ |


ସେ କାଳେ ଅଦୂରେ ଶୁଣି ଚକ୍ରବାକ-ସ୍ୱନ
ସହସା ପ୍ରାଣେଶ କଲେ ମୋ ମୁଖ ଚୁମ୍ବନ | ୧୨୩ |
କଉତୁକେ ପଚାରନ୍ତେ ତହିଁର କାରଣ,
ସେ ଯାହା କହିଲେ ଏବେ ହେଉଛି ସ୍ମରଣ | ୧୨୪ |


ବୋଇଲେ, 'ପ୍ରେୟସି' ଏହି କାନ୍ତାବିରହିତ
ଚକ୍ରବାକ ଦୁଃଖାନଳେ ହେଉଛି ଦହିତ | ୧୨୫ |
ଦିନଯାକ ଥାଏ ପ୍ରିୟା ସଙ୍ଗସୁଖେ ସିକ୍ତ,
ତା ବିନା ମଣୁଛି ଏବେ ଜୀବନକୁ ତିକ୍ତ | ୧୨୬ |


ତୁ ନ ଥାନ୍ତୁ ଯଦି ମୋର ବନ-ସହଚରୀ,
ଦୁଃଖେ ଦଗ୍ଧ ହେଉଥାନ୍ତି ବିପିନେ ବିଚରି | ୧୨୭ |
ଯାହା ଯାହା ବୋଲୁଅଛି ବନବାସ ସୁଖ,
ସେ ସକଳ କରୁଥାନ୍ତେ ମୋ ଜୀବନ ଶୁଷ୍କ | ୧୨୮ |


କାନ୍ତା ବିନା କାନ୍ତ-ପ୍ରାଣ ସ୍ୱଭାବେ ବିକଳ,
ବିକଳ ଜୀବନ ମଣେ ଜଗତ ବିଫଳ | ୧୨୯ |
ଭାସୁଥାଏ ଜୀବ ଯଦି ସଂସାର-ସାଗରେ,
ତରିବା ଭରସା ଥାଏ ବନିତା-ନାବରେ | ୧୩୦ |

 

୧୨୭ । ବିପିନେ – ବଣରେ, ବିଚରି – ଭ୍ରମଣ କରି ।


ନ ଥିଲା ମୋ' ଅନୁଭବ ବିରହ-ବେଦନେ;
ତା' ଶୁଣି ହସିଲି ଲଜ୍ଜାବନତ ବଦନେ | ୧୩୧ |
ହାୟ ! କିଛି କାଳ ପରେ ସେ ଘୋର କଷଣ
ଜୀବନେ ମୋ' ଅଧିକାର କଲା ଷୋଳପଣ | ୧୩୨ |


ଭୁକ୍ତଭୋଗୀ କରେ ପର ଦୁଃଖ ଅନୁଭବ,
ଅଶ୍ରୁ ଆଜି ବୁହାଇଲା ମୋ ରଥାଙ୍ଗରବ |" ୧୩୩ |
ତାପସୀ ବୋଇଲେ 'ସଖି' ବୁଝିଲି ନିଶ୍ଚୟ,
ତବ କାନ୍ତ ହୃଦ-ପ୍ରେମ-ପୀୟୁଷ-ନିଳୟ | ୧୩୪ |


କାନ୍ଦୁଥିବେ ନରମଣି ଚକ୍ରବାକ ପରି,
ପହିଯାଉ ବେଗେ ତୁମ୍ଭ-ବିପଦ-ଶର୍ବରୀ | ୧୩୫ |
ସୁନାର ସଂସାର ହୋଇଅଛି ଛାରଖାର,
କାହିଁକି ଘଟିଲା ଏହି ଘୋର ଦୁର୍ବିଚାର ? ୧୩୬ |


କରିଥିଲେ ରାଜା ଯାକୁ ଜୀବନର ଧନ,
କେମନ୍ତେ ବଳିଲା ତାଙ୍କୁ ଛାଡ଼ିବାକୁ ମନ | ୧୩୭ |
ବିଧିବିଚାରକୁ ଧିକ, କାହିଁ କଲା କିସ,
ଅମୃତ ଉପରେ ଆଣି ଢାଳିଦେଲା ବିଷ | ୧୩୮ |

 

୧୩୩ । ରଥାଙ୍ଗ – ଚକ୍ରବାକ ।

୧୩୪ । ପୀୟୁଷ – ଅମୃତ, ନିଳୟ – ଘର ।

୧୩୫ । ଶର୍ବରୀ – ରାତି ।

 

Unknown

ସପ୍ତମ ବର୍ଗ

(ରାଗ: କଳହଂସ କେଦାର)

ବୋଇଲେ ସତୀ, "ସଖି, ମୋ' ଦୁର୍ବିପାକ
ଘଟାଇ ଅଛି ଏକା ମୋ ଦୁଃଖଯାକ;
ମୋ କର୍ମ ପାଇଁ ଦୋଷୀ ନୁହନ୍ତି ବିଧି
କାନ୍ତ ତ ସ୍ୱଭାବେ ମୋ କରୁଣାନିଧି ଗୋ ! ୧ |


କାନ୍ତ ବିଚ୍ଛେଦେ ରହିପାରେ ଜୀବନ,
ଏମନ୍ତ କ୍ଷଣେ ଭାବି ନ ଥିଲା ମନ;
ସହିଲି ସହି, ଘୋର ଦୁଃସହ ଦୁଃଖ,
ଦେଖିବି ବୋଲି ଏକା ସ୍ୱମୀ-ଶ୍ରୀମୁଖ ଗୋ ! ୨ |


ସେକାଳେ ଆଶା ମୋର କର୍ଣ୍ଣକୁହରେ
ଆଶ୍ୱାସ ମନ୍ତ୍ର ଦେଇ ମୁମୂର୍ଷା ହରେ,
ଏବେ ସେ ଆଶା ନିଜେ ଯାଇଛି ମରି;
ଦଗ୍ଧ ହେଉଛି ପ୍ରାଣ ତାହାକୁ ସ୍ମରି ଗୋ !" । ୩ |

 

୧ । ଦୁର୍ବିପାକ – ଦୁର୍ଘଟଣା, ମନ୍ଦ ପରିଣାମ; ବିଧି – ସୃଷ୍ଟିକର୍ତ୍ତା, କରୁଣାନିଧି – ଦୟାର ଅବତାର ।

୨ । ବିଚ୍ଛେଦ – ବିରହରେ, ଦୁଃସହ – ଅସହନୀୟ ।

୩ । ମୁମୂର୍ଷା – ମରଣ ପାଇଁ ଇଚ୍ଛା, ହରେ – ହରଣ କରେ ।


ସଖୀ ବୋଇଲେ; 'ସଖି', ବୁଝିଲି ନାହିଁ,
କେମନ୍ତେ ଥିଲା ଆଶା ମଲା କିପାଇଁ ?
ତୋ ପରି ସାଧ୍ୱୀ ପାଇ ଦାରୁଣ ବ୍ୟଥା,
ନ ନିନ୍ଦୁ ବିଧୁ, ଏତ ବିଚିତ୍ର କଥା ଗୋ !" । ୪ |


ବୋଇଲେ ସତୀ, "ମୋର ଦୁଃଖ-କାହାଣୀ
ଶୁଣି ସଜନି, ସବୁ ପାରିବୁ ଜାଣି,
ଯେମନ୍ତେ ଆମନ୍ତ୍ରିଲି ଘୋର କଷଣ,
ଯେମନ୍ତେ ଆଶାର ମୋ ହେଲା ମରଣ ଗୋ ! ୫ |


ପଞ୍ଚବଟୀରେ ଦିନେ କୁଟୀର ପାଶେ
ଖେଳିଲା ସ୍ୱର୍ଣ୍ଣମୃଗ ଏକ ଉଲ୍ଲାସେ,

ଚିକ୍‍କଣ ଚାରୁ ତାର ଚିତ୍ରିତ ଅଙ୍ଗ,

ଝଲିଲା ଲଭି-ରବି-କିରଣ ସଙ୍ଗ ଗୋ ! ୬ |


ହେମାଙ୍ଗେ ଚିତ୍ରବିନ୍ଦୁ ଚୟର କାନ୍ତି
ନେତ୍ରେ ଆଣିଲା ମୋର ରତନଭ୍ରାନ୍ତି,
ସେ ଜାତି ମୃଗ ଦେଖି ନ ଥିଲି ଦିନେ
ନଗରେ, ରାଜପୁରେ ଅବା ବିପିନେ ଗୋ ! ୭ |


ଭାବିଲି, ବାହୁଡ଼ିବି ଯେବେ ନଗରେ
ସୁଚାରୁ ମୃଗଟିକି ନେବି ସଙ୍ଗରେ,
ଚକିତ କରାଇବି ପୂରବାସୀଙ୍କି
ତା ସଙ୍ଗେ ବର୍ଣ୍ଣି ବନଶୋଭାରାଶିକି ଗୋ ! ୮ |

 

୪ । ସାଧ୍ୱୀ – ପତିବ୍ରତା ।

୫ । କଷଣ – ଦୁଃଖ ।

୬ । ଉଲ୍ଲାସ – ଆନନ୍ଦ, ପଞ୍ଚବଟୀ ଦଣ୍ଡକାରଣ୍ୟ ଅନ୍ତର୍ଗତ ଗୋଦାବରୀ ନଦୀକୂଳରେ ଜନସ୍ଥାନ ମଧ୍ୟବର୍ତ୍ତୀ ବନ ବିଶେଷ । ଏହି ଠାରେ ରାମଚନ୍ଦ୍ରଙ୍କ

 


ଆହାର ଦେଖାଇଲି ଧରିବା ଆଶେ
ଚମକି ମୃଗବର ପାଶେ ନ ଆଶେ,
ମନ ଲୋଭଇ ମୋର ନେତ୍ର ରଞ୍ଜାଇ
ପଶିଲା ବାରମ୍ବାର ବିପିନେ ଯାଇ ଗୋ ! ୯ |


ତା' ପାଇଁ ବ୍ୟସ୍ତ ହେବା ଦେଖି ମୋ ମନ
କାନ୍ତ ବୋଇଲେ ସ୍ନେହବହି ବହନ,
'ସୁନ୍ଦର ମୃଗଟିକୁ ଆଣି ମୁଁ ତୂର୍ଣ୍ଣ
ସଖି, ତୋ କୁତୂହଳ କରିବି ପୂର୍ଣ୍ଣ ଗୋ ! ୧୦ |


ଧନୁ ଆଶୁଗ ଧରି ଆଶୁ ଗମନେ
ଚଳିଲେ କାନ୍ତ ତାର ଅନୁଧାବନେ,
ମୃଗାନୁସାରୀ କାନ୍ତ ଅତି ସତ୍ୱର
ଦୃଷ୍ଟି-ସୀମାରୁ ମୋର ହେଲେ ଅନ୍ତର ଗୋ ! ୧୧ |


ଶୁଭିଲା ବନ ମଧ୍ୟେ "ରଖ ଲକ୍ଷ୍ମଣ"
ସେ ଡାକେ ବିଚଳିତ ହେଲା ମୋ ମନ,
ମନ ସହିତ ତହିଁ ଦେଲି ଶ୍ରବଣ |
ପୁଣି ଉଠିଲା ରବ 'ରଖ ଲକ୍ଷ୍ମଣ' ଗୋ ! ୧୨ |


ଲକ୍ଷ୍ମଣ ବୀର ଥିଲେ ମୋର ନିକଟ
ବୋଇଲି, 'ଦେଖ ବତ୍ସ, ହେଲା ସଙ୍କଟ |'
ବୋଇଲେ କରିବାକୁ ମୋ ମନ ଥୟ,
'ରାଘବୀ ଭାଷା ନୁହେଁ ନ କର ଭୟ ଗୋ !' ୧୩ |

 

୮ । ଚକିତ – ଆଶ୍ଚର୍ଯ୍ୟ ।

୧୦ । ବହନ – ଶୀଘ୍ର, । ତୂର୍ଣ୍ଣ – ଚର୍ଣ୍ଣଳ, କୁତୂହଳ – ଇଚ୍ଛା ।

୧୧ । ଆଶୁଗ – ଶର, ଆଶୁ – ତୁରନ୍ତ, ଅନୁଧାବନ – ଅନୁସରଣ ।

୧୩ । ଥୟ – ସ୍ଥିର, ରାଘବୀ – ରାମଚନ୍ଦ୍ର ।


ବୀର ସ୍ୱଭାବ ସଖି, ବୁଝନ୍ତି ବୀର,
ଦେଖିଲି ଲକ୍ଷ୍ମଣଙ୍କୁ ଧୀର ଗମ୍ଭୀର |
ନାରୀ-ହୃଦୟ ସତେ ଅତି ଦୁର୍ବଳ;
ଅଧିକ ହେଲି ତାଙ୍କ ବାକ୍ୟେ ବିକଳ ଗୋ ! ୧୪ |


ବିନୟ ପରେ କରି କଟୁ ଭାଷଣ
ସ୍ୱାମୀ ସମୀପେ ତାଙ୍କୁ କଲି ପ୍ରେଷଣ,
ମୋ ସୁଖ-ସଉଭାଗ୍ୟ ସମ୍ପଦରାଶି
ଗଲେ ଲକ୍ଷ୍ମଣ ଗତି-ସ୍ରୋତରେ ଭାସି ଗୋ ! ୧୫ |


ବିପଦ ହୋଇ ଏଣେ ବିଗ୍ରହଧାରୀ
ଯୋଗୀନ୍ଦ୍ର ବେଶେ ଦ୍ୱାରେ ହେଲା ଭିଖାରୀ,
ସ୍ୱାମୀ ଆସିବା ଯାଏ ନ ଟାକି ମନ୍ଦ
ଭିକ୍ଷା ନିମନ୍ତେ କଲା ଘୋର ନିର୍ବନ୍ଧ ଗୋ ! ୧୬ |


ଭିକ୍ଷା ଦିଅନ୍ତେ ବଳେ ଧରି ମୋ କର
ବିମାନେ ବସାଇଲା ନେଇ ସତ୍ୱର,
କଲି ବିନୟ କେତେ, କେତେ ତର୍ଜ୍ଜନ
ନ କଲା କର୍ଣ୍ଣପାତ ତହିଁ ଦୁର୍ଜନ ଗୋ ! ୧୭ |

 

୧୪ । ବିକଳ – ଅଧୀର ।

୧୫ । ପ୍ରେଷଣ – ପଠାଇବା ।

୧୬ । ବିଗ୍ରହଧାରୀ – ରୂପଧାରଣ କରି, ଯୋଗୀନ୍ଦ୍ର – ସୀତାଙ୍କୁ ହରର କରିବା ପାଇଁ ଲଙ୍କାର ରାଜା ରାବଣ ଯତି ବେଶରେ ଉପସ୍ଥିତ ହୋଇଥିଲା, ନ ଟାକି – ଅପେକ୍ଷା ନ କରି, ମନ୍ଦ – ଦୁଷ୍ଟବୁଦ୍ଧି, ନିର୍ବନ୍ଧ – କଟାଳ ।

୧୭ । ବିମାନ – ରଥ, ସତ୍ୱର – ସଙ୍ଗେ ସଙ୍ଗେ, ବିନୟ – ନେହୁରା, ତର୍ଜ୍ଜନ – ଭର୍ତ୍ସନ ଓ ଭୟ ପ୍ରଦର୍ଶନ, କର୍ଣ୍ଣପାତ – ଶୁଣିବା, ଦୁର୍ଜନ – ଦୁଷ୍ଟ ।


ଜାଣିଲି ବେଶ ନୁହେ ଗୁଣର ଚିହ୍ନ
ବାହାରେ ସାଧୁବେଶ, ଭିତରେ ଭିନ୍ନ,
ମଣନ୍ତି ଲୋକେ ସର୍ବଶୁଭଦ ଧର୍ମ;
କେ ଜାଣେ ଧର୍ମ ନାମ ବହଇ ଯମ ଗୋ ! ୧୮ |


ଦକ୍ଷିଣ-ମୁଖେ ଖଳ ବାହିଲା ରଥ
କମ୍ପାଇ ଘନ ଘୋଷେ ଗଗନପଥ;
କାନ୍ଦିଲି ଯେତେ ଯେତେ ଉଚ୍ଚ ଆରବେ,
ବିଲୀନ ହେଲା ରଥ-ଘୋଷ-ଗରଭେ ଗୋ ! ୧୯ |


ଦେଖିଲି ତଳେ ବନ ମୟୂରଗଣ
ଅନାଇ ମୋତେ କରୁଥିଲେ ରୋଦନ;
ହରିଣ ଯୂଥ ଯୂଥ ଊର୍ଦ୍ଧ୍ୱ ନୟନେ
ଚକିତ ଦୃଷ୍ଟି ଦେଇଥାନ୍ତି ସ୍ୟନ୍ଦନେ ଗୋ ! ୨୦ |


ପକ୍ଷୀଏ ପଥ ରୋଧି କଲା ସମର
ତା' ପକ୍ଷ ପକାଇଲା ଛେଦି ପାମର;
ପବନ ପ୍ରତିକୂଳ ହୋଇ ଗତିକି
ନିବାରି ନ ପାରିଲା ମନ୍ଦମତିକି ଗୋ ! ୨୧ |

 

୧୮ । ସର୍ବଶୁଭଦ – ସମସ୍ତ ମଙ୍ଗଳମୟ, ଯମ – ମୃତ୍ୟୁର ଦେବତା ।

୧୯ । ଘନ ଘୋଷେ – ମେଘ ଗର୍ଜନ ପରି, ଆରବେ – ସ୍ୱରରେ,

୨୦ । ରୋଦନ – କ୍ରନ୍ଦନ, ଯୂଥ ଯୂଥ – ଦଳ ଦଳ, ଊର୍ଦ୍ଧ୍ୱ ନୟନେ – ଉପରକୁ ଅନାଇ, ସ୍ୟନ୍ଦନେ – ରଥକୁ ।

୨୧ । ପକ୍ଷୀଏ ସୂର୍ଯ୍ୟଙ୍କର ସାରଥି ଅରୁଣଙ୍କ ପୁତ୍ର ଜଟାୟୁ ପଞ୍ଚବଟୀରେ ବାସ କରୁଥିଲା । ପୂର୍ବରୁ ରାଜା ଦଶରଥଙ୍କ ସହିତ ତାର ମିତ୍ରତା ଥିଲା । ତାଙ୍କର କୁଳବଧୂ ସୀତାଙ୍କୁ ରାବଣ ଅପହରଣ କରି ନେଉଥିବାରୁ ସେ ଭୟଙ୍କର ଯୁଦ୍ଧ କରି ରାବଣର ଗତିରୋଧ କଲା ଏବଂ ରାବଣର ଅସ୍ତ୍ରାଘାତରେ କ୍ଷତବିକ୍ଷତ ହୋଇ ପଡ଼ିରହିଲା । ଶେଷରେ ରାମଚନ୍ଦ୍ରଙ୍କୁ ସୀତାଙ୍କ ସମ୍ୱାଦ ଦେଇ ଦେହତ୍ୟାଗ କଲା । ରାମଚନ୍ଦ୍ର ଏହି ପକ୍ଷୀରାଜଙ୍କର ଯଥାବିଧି ସତ୍କାର କରିଥିଲେ । ପାମର – ପାପିଷ୍ଠ ।


ପଥ ପର୍ବତଶ୍ରେଣୀ ମସ୍ତକ ଟେକି
ପାରିଲେ ନାହିଁ ବ୍ୟୋମ-ବିମାନ ଛେକି,
ମହୀବାସୀଙ୍କି ବାର୍ତ୍ତା ଦେବାର ପାଇଁ
ଦୀନ ନୟନେ ଥାଏଁ ତଳକୁ ଚାହିଁ ଗୋ ! ୨୨ |


ରଥ-ଶବଦେ ଭାଷା ହେବ ବିଫଳ
ଜାଣି ପକାଇଦେଲି ଭୁଷା ସକଳ;
ଦେଖିଲି ନଦୀମାନେ ହୋଇ ବିକଳ
ଶୀର୍ଣ୍ଣ ଶରୀରେ ଯେହ୍ନେ ହେଲେ ବିଶ୍ଚଳ ଗୋ ! ୨୩ |


ତନୁ ସଂକୋଚି ତୁଙ୍ଗ ପାଦପଚୟ
ଭିଡ଼ିଲେ ପରସ୍ପରେ ଲଭି ତା' ଭୟ,
ଅବନୀ କ୍ରମେ ହୋଇଗଲା ନୀରବ;
ଲୁଚି ରହିଲେ ମୃଗ ବିହଙ୍ଗ ସର୍ବ ଗୋ ! ୨୪ |


ପୂର୍ବ ପଶ୍ଚିମ ଯାମ୍ୟ କକୁଭକ୍ରୟ
କ୍ରମେ ଦିଶିଲା ଗାଢ଼ ନୀଳିମାମୟ,
ମହୀ ଲକ୍ଷଣ କିଛି ନ ହେଲା ଦୃଷ୍ଟ,
ତହିଁ ମଧ୍ୟକୁ ରଥ ବାହିଲା ଦୁଷ୍ଟ ଗୋ ! ୨୫ |


ଅଗ୍ରେ ଦିଶିଲା ଦିଗମୂଳ ଉଜ୍ଜ୍ୱଳ,
କ୍ରମେ ମଣିଲି ତାକୁ ବନ-ଅନଳ,
ଯେତିକି ହେଲା ରଥ ତା ପାଶ ପାଶ,
ଅସଂଖ୍ୟ ଜ୍ୟୋତିଃପୁଞ୍ଜ ହେଲା ପ୍ରକାଶ ଗୋ ! ୨୬ |

 

୨୩ । ଭାଷା ହେବ ବିଫଳ – ଶବ୍ଦ ଶୁଭିବ ନାହିଁ । ଭୂଷା – ଅଳଙ୍କାର, ଶୀର୍ଣ୍ଣ – ସରୁ, ନିଶ୍ଚଳ – ଗତିହୀନ ।

୨୪ । ତୁଙ୍ଗ – ଅତି ଉଚ୍ଚ, ନୀରବ – ଶବ୍ଦ ଶୁନ୍ୟ ।

୨୫ । ଯାମ୍ୟ – ଦକ୍ଷିଣ ଦିଗ, କୁକଭତ୍ରୟ – ତିନି ଦିଗ, ଦୁଷ୍ଟ – ଦେଖାଯିବା ।


ଭାବିଲି ନଭ ତେଜି ତାରା ସକଳ
ଦିବସେ ଛନ୍ତି ତହିଁ ଦଳକୁ ଦଳ,
ବିଧୂ ବିରହେ ତେଜି ନଭୋମଣ୍ଡଳ
ହୃଦୟେ ଜାଳୁଛନ୍ତି ବିରହାନଳ ଗୋ ! ୨୭ |


କିବା ମୋ ମର୍ତ୍ତ୍ୟଲୀଳା ହୋଇଛି ଶେଷ,
ଶମନପୁରେ ହେଉଅଛି ପ୍ରବେଶ ?
ଦେଖିଲି ମନୋହର ଅଟ୍ଟାଳୀଶ୍ରେଣୀ
ଦିଶନ୍ତି ରମ୍ୟ ହେମକଳସ ଘେନି ଗୋ ! ୨୮ |


ଦିଶିଲା କ୍ରମେ ପୁର ଅଟ୍ଟାଳୀ ବୀଥି
ନଗର ରଞ୍ଜିଛନ୍ତି ଖର-ଦୀଧିତି;
ସ୍ୱକରେ ହର୍ମ୍ୟଶିର କଳସମାନ
ରାସାଣି କରୁଛନ୍ତି ଜାଜ୍ଜ୍ୱଲ୍ୟମାନ ଗୋ ! ୨୯ |


ସେକାଳେ ମନେ ମୋର ହେଲା ବିଚାର
ଅଟଇ ଯୋଗୀ ନିଶ୍ଚେ ଶମନଚାର,
କୃତାନ୍ତ ପାଶ ଯିବି ସଦର୍ପେ ପଶି
ଉଞ୍ଚାଇ ଦୀପ୍ତ ପତି-ଭକତି-ଆସି ଗୋ ! ୩୦ |


ନଗର ପ୍ରାନ୍ତେ ଯୋଗୀ ଓହ୍ଲାଇ ରଥ
ଚାଲିଲା ଚାହିଁ ଏକ ଉଦ୍ୟାନ ପଥ,
ମଣ୍ଡିତ ପଥ ଚାରୁ ମର୍ମରୋପଳେ
ଉଦ୍ୟାନ ଶୋଭେ ନାନା କୁସୁମ ଫଳେ ଗୋ ! । ୩୧ |

 

୨୭ । ନଭ – ଆକାଶ ।

୨୮ । ଶମନପୁରେ – ଯମପୁରରେ, ମନୋହର – ସୁନ୍ଦର, ଅଟାଳୀ ଶ୍ରେଣୀ ଧାଡ଼ି ଧାଡ଼ି ପ୍ରାସାଦ, ହେମ କଳସ – ସ୍ୱର୍ଣ୍ଣକଳସ – ସ୍ୱର୍ଣ୍ଣକୁମ୍ଭ ।

୨୯ । ବୀଥି – ଧାଡ଼ି, ଖର ଦୀଧିତୀ – ସୂର୍ଯ୍ୟ, ଭସାଣି – ଉଜ୍ୱଳୀକରଣ, ଜାଜ୍ୱଲ୍ୟମାନ – ଶୋଭାଯୁକ୍ତ ।

୩୦ । କୃତାନ୍ତ – ଯମ, ଦୀପ୍ତ – ପ୍ରଜ୍ୱଳିତ ।


ଅଶୋକ ତରୁ ତହିଁ ଅଧିକତର
କୁସୁମ ପୁଞ୍ଜେ ପୁଞ୍ଜେ ଦିଶେ ସୁନ୍ଦର;
ଉଦ୍ୟାନ ମଧ୍ୟେ ଏକ ଉଜ୍ଜ୍ୱଳ ହର୍ମ୍ୟ
ବିବିଧ ରତନରେ ଦିଶଇ ରମ୍ୟ ଗୋ ! ୩୨ |


ବୋଇଲା ଯୋଗୀ ମୋତେ; 'ସେଠାରେ ରହ
ଗଣିବୁ ନାହିଁ ଚିତ୍ତେ କାନ୍ତ-ବିରହ;
କାନନବାସ-କ୍ଲେଶ ହେଲା ତୋ ଶେଷ,
ସ୍ୱରଗ ସୁଖ ଭୁଞ୍ଜ ମଣ୍ତି ଏ ଦେଶ ଗୋ ! ୩୩ |


ତିନିଭୁବନେ ଯେଉଁ ଦ୍ରବ୍ୟ ଦୁର୍ଲଭ
ବାଞ୍ଛିଲା ମାତ୍ରେ ଏବେ ହେବ ତୋ ଲଭ୍ୟ;
ସହସ୍ର ସୁକୁମାରୀ ସ୍ନେହ ପ୍ରକାଶି
ହେବେ ତୋ ଅରବିନ୍ଦ-ଚରଣେ ଦାସୀ ଗୋ ! ୩୪ |


ରତନ ବିଭୂଷିତ ସହସ୍ର ନାରୀ
ଡାକି ବୋଇଲା ଅତି ଦୃଢ଼େ ତିଆରି,
ଏହାକୁ ଜାଣି ମୋର ହୃଦୟେଶ୍ୱରୀ
ସେବି ରହିବ ହୃଦେ ଭକତି ଭରି ଗୋ ! ୩୫ |

 

୩୧ । ଉଦ୍ୟାନ – ରାବଣର ବିହାର ଉଦ୍ୟାନ, ଏହି ବଣରେ ସୀତାଙ୍କୁ ବନ୍ଦୀ କରାଯାଇଥିଲା ।

୩୨ । ଉଦ୍ୟାନ – ବଗିଚା, ହର୍ମ୍ୟ – କୋଠାଘର ।

୩୩ । କାନନ ବାସ – ବଣରେ ରହିବାର ଦୁଃଖ, ମଣ୍ଡି – ଶୋଭନ କରି ।

୩୪ । ଦୁର୍ଲଭ – ଯାହା ସହଜରେ ମିଳେ ନାହିଁ । ବାଞ୍ଛିଲା – ଇଚ୍ଛା କଲା ମାତ୍ରକେ, ଲଭ୍ୟ – ପ୍ରାପ୍ତ ହେବ, ଅରବିନ୍ଦ – ପଦ୍ମ ।

୩୫ । ତିଆରି – ସାବଧାନ କରାଇ, ହୃଦୟେଶ୍ୱରୀ – ମନର ରାଣୀ, ସେବି – ସେବା କରିବ ।


ଖଟିବ ନିତି ଏହା ମାନସ ଜାଣି
ଶୁଣାଉଥିବ ମୋର ମହିମା-ବାଣୀ,
ମୋର ସମ୍ପଦେ ଯେହ୍ନେ ମଜ୍ଜେ ତା ମନ;
ତହିଁକି କରୁଥିବ ଅତି ଯତନ ଗୋ ! ୩୬ |


ଏମନ୍ତ କହି ଯୋଗୀ ହେଲା ଅନ୍ତର
ବିସ୍ମୟେ ପୂରିଗଲା ମୋର ଅନ୍ତର,
କିଏ ସେ ଯୋଗୀ ମୋତେ ଆଣିଲା କାହିଁ;
କେଉଁ ପୂର ତା କିଛି ଜାଣିଲି ନାହିଁ ଗୋ ! ୩୭ |


କେମନ୍ତେ ହେଲି ଯୋଗୀ-ହୃଦୟେଶ୍ୱରୀ
ରହିଛି ରଘୁବଧୂ-ଶରୀର ଧରି,
ମରି ତ ନାହିଁ ମୁହିଁ, ଅଛି ସ୍ମରଣ;
କୌଶଲ୍ୟା-ସୁତ ସିନା ମୋର ଶରଣ ଗୋ ! ୩୮ |


ହୃଦୟେ କଲି ପୁଣି ଦୃଢ଼ ନିଶ୍ଚୟ
ଯେ କେହି ହେଉ ଯୋଗୀ କି ଅଛି ଭୟ ?
ଯାବତ ଜୀବନେ ମୋ ଥିବ ସ୍ଣରଣ;
କୌଶଲ୍ୟା-ସୁତ ଏକା ମୋର ଶରଣ ଗୋ ! ୩୯ |


ହେଉ ଏ ଯମାଳୟ ଅଥବା ସ୍ୱର୍ଗ
ବିହରୁଥାନ୍ତୁ ଏଥି ଦେବତା ବର୍ଗ,
କେ କରିପାରିବ ମୋ ଚିତ୍ତ ହରଣ ?
କୌଶଲ୍ୟା-ସୁତ ଏକା ମୋର ଶରଣ ଗୋ ! ୪୦ |


ସହସ୍ର ଦାସୀରେ ମୋ କି ପ୍ରୟୋଜନ
ଆଉ କି ଅଛି ମୋର ସ୍ନାନ ଭୋଜନ,
କାନନେ ଭ୍ରମୁଥିବେ ମୋ ପ୍ରାଣପତି;
ତାଙ୍କ ଚରଣେ ଏକା ରହିବ ମତି ଗୋ ! ୪୧ |

 

୩୬ । ଖଟିବ – ସେବା କରିବ, ମାନସ ଜାଣି – ମନ ଅନୁସାରେ, ମହିମା – ଗୌରବ, ମଜ୍ଜେ – ଲିପ୍ତ ରହେ ।

୩୮ । ରଘୁବଧୂ – ରଘୁବଂଶର ବୋହୂ, ରାମଚନ୍ଦ୍ରଙ୍କର ପତ୍ନୀ ।


ମଞ୍ଜୁଳ ବୀଣା ଧରି ସତେ ଭାରତୀ
ସଙ୍ଗୀତ ଯଦି ମୋର ପାଶେ କରନ୍ତି,
ମୋ କର୍ଣ୍ଣେ ହେବ କାହିଁ ତାହାର ମୂଲ୍ୟ;
କାନ୍ତ-ଶ୍ରୀମୁଖ-କଥା ପାଦକ ତୁଲ୍ୟ ଗୋ ! ୪୨ |


ଏକନ୍ତ ଭାବି ଭାବି ଶ୍ରୀପଦେ ଧ୍ୟାନ
ଦେଇ ହରାଇଦେଲି ଜୀବନଜ୍ଞାନ,
କେମନ୍ତେ କେତେ କାଳ ହେଲା ଅତୀତ;
କିଛି ନ ଜାଣେ ପତି ଚିନ୍ତା ବ୍ୟତୀତ ଗୋ ! ୪୩ |


କିନ୍ତୁ ସେ ରାଜ୍ୟେ ମୋତେ ଦିନ-ଶର୍ବରୀ
ପ୍ରତୀତ ହେଲା ଦେବ-ସମୟ ପରି,
ଦେବଭୁବନ ତାକୁ ମଣିଲି ମନେ;
ଦେବ-ସାହସ ପୂର୍ଣ୍ଣ କଲି ଜୀବନେ ଗୋ ! ୪୪ |


ଈଶ୍ୱରେ ମନାସିଲି ଦେବ ଶକତି;
ଦେବୀ-ହୃତୟୋଚିତ ପତି-ଭକତି,
ପତି ଚରଣାମୃତେ ରଖିଲି ଆଶା;
ଗଣିଲି ନାହିଁ ଆଉ କ୍ଷୁଧା ପିପାସା ଗୋ ! ୪୫ |


ବିବିଧ ଅଙ୍ଗରାଗ ବହୁ ଭୂଷଣ
ବିବିଧ ଖାଦ୍ୟ ଆଣି ସେବିକାଗଣ,
କହିଲେ କେତେ ମତେ ଚାଟୁବଚନ;
ବଳିଲା ନାହିଁ କାହିଁ ତହିଁ ମୋ ମନ ଗୋ ! ୪୬ |

 

୪୨ । ମଞ୍ଜୁଳ – ମନୋହର, ଭାରତୀ – ସରସ୍ୱତୀ ।

୪୪ । ଦେବ ସମୟ – ମନୁଷ୍ୟମାନଙ୍କର ଛଅ ମାସରେ ଦେବତାମାନଙ୍କର ଏକ ଦିନ, ପ୍ରତୀତ – ଜଣାଗଲା, ଦିନ ଶର୍ବରୀ – ଦିନ ରାତି, ମଣିଲି – ଜ୍ଞାନ କଲି ।

୪୬ । ଅଙ୍ଗରାଗ – ଶରୀର ସଜ୍ଜାଇବାର ଉପକରଣ, ଚାଟୁବଚନ – ତୋଷାମଦ ବାକ୍ୟ, ବଳିଲା ନାହିଁ – ଆକୃଷ୍ଟ ହେଲା ନାହିଁ ।


ଦାସୀଙ୍କ ବଚନରୁ ଜାଣିଲି କ୍ରମେ
ରାବଣ ତ୍ରିଭୁବନ-ଜୟୀ ବକ୍ରମେ,
ଡରନ୍ତି ସୁରପତି ଶୁଣି ତା' ନାମ;
ସିନ୍ଧୁ-ପରଖୀକୃତ ଲଙ୍କା ତା; ଧାମ ଗୋ ! ୪୭ |


ସେହି ରାଜ୍ୟକୁ ମୁହିଁ ହୋଇଛି ନୀତ
ନେଇଛି ଯୋଗୀବେଶେ ସେ ଦୁର୍ବିନୀତ,
ନବର ନଗର ତା' ଅତୁଳ ରମ୍ୟ;
ନର କିନ୍ନରଙ୍କର ଦୁରଧିଗମ୍ୟ ଗୋ ! ୪୮ |


ଯହିଁ କି ବଳିଥାଏ ତାହାର ଚିତ୍ତ
ଭୟେ କରନ୍ତି ଦେବେ ତାହା ରଚିତ,
ଆସିଲେ ଅରୁଣିମା ତାର ନୟନେ;
ବିପଦଭୟ ବ୍ରହ୍ମା କରନ୍ତି ମନେ ଗୋ ! ୪୯ |


ରାବଣ ନାମ ଶୁଣି ପାରିଲି ଜାଣି
ପିନାକୀ ଚାପେ ଭାଙ୍ଗିଥିଲା ତା ଆଣି,
ଭାବିଲି କି ସାହସ କରିଛି ଶ୍ୱାନ;
କରିବା ପାଇଁ ଯଜ୍ଞ-ଅମୃତ ପାନ ଗୋ ! ୫୦ |

 

୪୭ । ତ୍ରିଭୂବନ – ସ୍ୱର୍ଗ ମର୍ତ୍ତ୍ୟ ପାତାଳ, ବିକ୍ରମେ – ପରାକ୍ରମରେ, ସୁରପତି – ସ୍ୱର୍ଗର ରାଜା ଇନ୍ଦ୍ର, ସିନ୍ଧୁ – ସାଗର, ପରଖୀକୃତ ଗଡ଼ଖାଇ ପରି ।

୪୮ । ଦୁର୍ବିନୀତ – ଉଦ୍ଧତ, ନବର – ଉଆସ, ନଗର – ସହର, ନର – ମନୁଷ୍ୟ, କିନ୍ନର – ଦେବଯୋନି ବିଶେଷ, କୁବେରଙ୍କ ଅନୁଚର ଏବଂ ସଙ୍ଗୀତ ବିଦ୍ୟାରେ ନିପୁଣ, ଦୁରଧିଗମ୍ୟ – ଦୁର୍ଗମ ।

୫୦ । ପିନାକୀ ଚାପ – ଶିବ ଧନୁ, ଆଣି – ଗର୍ବ, ସୀତା ସ୍ୱୟମ୍ୱରରେ ରାବଣ ଶିବଧନୁ ଭାଙ୍ଗି ନ ପାରି ଅପଦସ୍ତ ହୋଇଥିଲା, ଶ୍ୱାନ – କୁକୁର ପରି ଛାର ।


ସତକୁ ସତ ଦିନେ ଆସି ଦୁର୍ମତି
ଅନଳ ତେଜେ ଉଭା ହେଲା ମୋ କତି,
ପାପ-ବଚନେ ପାପ-ମାନସେ ପାପୀ;
ବକିଲା କେତେ ଆତ୍ମଗରିମା ଜ୍ଞାପି ଗୋ ! ୫୧ |


ମୋ ଦୁଃଖ ଘନଘଟା ଲୋତକ ଧାର
ଚାହିଁ ଘୁଞ୍ଚିଲା କହି ଗର୍ବ-ଅନ୍ଧାର,
ଚମକିଗଲା ମୋର ସେ ଘନଘଟା-
ମଧ୍ୟେ ତା ଆଶା ଭୀମ ବିଦ୍ୟୁତ ଛଟା ଗୋ ! ୫୨ |


ସଖି, ମୁଁ ହେଲି ଯେଉଁ ଦିବସୁଁ ଜ୍ଞାତ
ପାପୀ ଦାନବ ଛୁଇଁଅଛି ମୋ ହାତ,
ଛୁଇଁଲା ସ୍ଥଳୁଁ ଉଠି ବ୍ୟାପି ଶରୀର;
ଦୁଃସହ ଜ୍ୱାଳା କରେ ପ୍ରାଣ ଅସ୍ଥିର ଗୋ ! ୫୩ |


ମଣଇଁ ବିଷଦିଗ୍ଧ ଶରପଟଳ-
ସଦୃଶ ଅପଘନ ଲୋମ ସକଳ,
ବ୍ୟାଧ ବିହଗାହତ ହରିଣୀଗଣ;
କି ଦୁଃଖ ଭୋଗୁଥିବେ ଭାବେ ମୋ ମନ ଗୋ ! ୫୪ |


ସହି ଯେ ଦୁର୍ବିସହ ଦୁଃଖ ମରମେ
ମତିକି ଦୃଢ଼ କରିଥାଏ ଧରମେ,
ଦୃଢ଼ ଭରସା ମୋର ଥାଏ କେବଳ;
ଅବଳା ପାଇଁ ସଦା ଧରମବଳ ଗୋ ! ୫୫ |


ନ ଜାଣି ସିନା ଥରେ ରାକ୍ଷସଧାମେ
ହସ୍ତ ବଢ଼ାଇ ଭିକ୍ଷା ଦେଲି ମୁଁ ଭ୍ରମେ,
ଏବେ କରିବ ଯଦି ବଳ ପ୍ରକାଶ;
ମାରିବି ଅବା ହେବି ତା ହସ୍ତେ ନାଶ ଗୋ ! ୫୬ |

 

୫୧ । ଜ୍ଞାପି – ଜଣାଇ ।

୫୨ । ଭୀମ – ଭୟଙ୍କର ।

୫୩ । ଦାନବ – ଅସୁର ।

୫୪ । ଅପଘନ – ଶରୀର, ବିହଗ – ବାଣ, ବ୍ୟାଧ – ଶବର ।


ଯଦ୍ୟପି ସତ୍ୟ ଅଛି ଜଗତେ ଧର୍ମ
ଦେଖିବ ଜଗତ ମୋ ଅଦ୍ଭୁତ କର୍ମ,
ପାପ-କାର୍ପାସ ହେଲେ ପର୍ବତ ସମ;
ପୁଣ୍ୟାଗ୍ନି-କଣା ତାକୁ ଦହନେ କ୍ଷମ ଗୋ ! ୫୭ |


ଦେଖ ସଜନୀ, ହୋଇ ଧରମ ଋତ
ମୋ ପ୍ରାଣେ ଢାଳିଦେଲା ଯେହ୍ନେ ଅମୃତ !
କପିଏ ଦେଇ ମୋତେ କାନ୍ତ ସମ୍ବାଦ;
ରାବଣ ସଙ୍ଗେ କରିଗଲା ବିବାଦ ଗୋ ! ୫୮ |


ଅଚିରେ ରଘୁମଣି ବାନର ବଳେ
ସେତୁ ପ୍ରସ୍ତୁତ କରି ସାଗର-ଜଳେ,
ଲଙ୍ଘି ତୁର୍ଲଂଘ୍ୟ ବାରି ଆକ୍ରମି ଲଙ୍କା;
ରାକ୍ଷସପତି-ପ୍ରାଣେ ରୋପିଲେ ଶଙ୍କା ଗୋ ! ୫୯ |


ଦୁଷ୍କର ରଣ-ଯଜ୍ଞ କଲେ ଆରମ୍ଭ
କମ୍ପିଲା ଲଙ୍କା ଶୁଣି କପି-ଆରବ,
ରାକ୍ଷସ-ବଂଶେ ଥିଲେ ଯେତେକ ବଳୀ;
ସମସ୍ତ ଆସି ହେଲେ ସେ ଯଜ୍ଞେ ବଳି ଗୋ ! ୬୦ |

 

୫୮ । ଋତ – ସତ୍ୟ, କପିଏ...ସମ୍ୱାଦ – ପବନ ସୁତ ରାମଚନ୍ଦ୍ରଙ୍କ ଦୂତ ହନୁମାନଙ୍କ ଲଙ୍କାରେ ସୀତାଙ୍କୁ ଠାବ କରି ଲଙ୍କାପୁର ଦହନ କରିଥିଲା।

୫୯ । ବଳେ – ସେନାବାହିନୀ ସାହାଯ୍ୟରେ, ସେତୁ – ବନ୍ଧ, ଦୁର୍ଲଂଙ୍ଘ୍ୟ – ଯାହାକୁ ଅତିଶୟ କଷ୍ଟରେ ଅତିକ୍ରମ କରାଯାଏ, ରାକ୍ଷସପତି – ରାକ୍ଷସମାନଙ୍କର ରାଜା ରାବଣ ।

୬୦ । ଦୁଷ୍କର – ଅତି କଷ୍ଟସାଧ୍ୟ, ବଳୀ – ଯୋଦ୍ଧା, ବଳି – ହତ୍ୟା ହେଲେ ।


ଧରମ-ପଥେ ଥିଲା କେବଳ ଜଣେ
ରହିଲା ରଘୁପତି ପଦଶରଣେ,
ଅଟଳ ଯୂପ ହେଲା ସେ ମହାଧ୍ୱରେ;
ଅଭୟ ପୁଷ୍ପମାଳା ଧରି କଣ୍ଠରେ ଗୋ ! ୬୧ |


ଯେତିକି ବହିଥିଲା ମୋ' ନେତ୍ର ନୀର
ତା କୋଟି ଗୁଣ ହେଲା ରକ୍ଷ-ରୁଧିର,
ରାବଣ ଭାସି ଶୋକସାଗରେ କ୍ରାସେ;
ପଡ଼ିଲା ପ୍ରଭୁ-ବାଣ-କୁମ୍ଭୀର-ଗ୍ରାସେ ଗୋ ! ୬୨ |


ତା' ପରେ ରଘୁପତି ମୋତେ ଅଣାଇ
ବୋଇଲେ ସ୍ନେହ ଶୂନ୍ୟ ନେତ୍ରେ ଅନାଇ,
"କୁସଙ୍ଗୁ ବଳି ନାହିଁ ଜଗତେ ପାପ;
କୁସଙ୍ଗୀ ସଙ୍ଗେ ମିଳେ ଘୋର ସନ୍ତାପ ଗୋ ! ୬୩ |


କାମାନ୍ଧ ଦାନବର ପାପ-ଭବନେ
ଥିଲ, ସ୍ପରଶିଥିବ ପାପ ତୋ ମନେ,
ନ ପାରେ କରି ତୋତେ ଆଉ ଗ୍ରହଣ;
ଗ୍ରହଣ କଲେ ହେବ ଲୋକଗର୍ହଣ ଗୋ ! ୬୪ |


ଜଳଦ ଜଳ କଲେ ନୀଚେ ଗମନ
ଆଉ କି ତାକୁ ରଖି ପାରଇ ଘନ ?
ଅନଳ-ଶିଖା-ପରି ଅନଳେ ଦହି;
ହେଲେ ସେ ଜଳ ଊର୍ଦ୍ଧ୍ୱେ ଘନେ ମିଶଇ ଗୋ ! ୬୫ |

 

୬୧ । ଯୂପ – ଯଜ୍ଞୀୟ ପଶୁବନ୍ଧନ ସ୍ତମ୍ଭ, ମହାଧ୍ୱର – ମହାଯଜ୍ଞ, ଧରମ ..ଜଣେ – ରାବଣର ଭ୍ରାତା ବିଭୀଷଣ ରାମଙ୍କ ଶରଣ ପଶିଥିଲେ ।

୬୨ । ରକ୍ଷ ରୁଧିର – ରାକ୍ଷସମାନଙ୍କର ରକ୍ତ, ତ୍ରାସେ – ଭୟରେ ।

୬୪ । ଲୋକ ଗର୍ହଣ – ଲୋକ ନିନ୍ଦା, ଅପବାଦ ।

୬୫ । ଜଳଦ – ମେଘ ।


ଭାବିଲି, ଥିଲି ସିନା ଧରି ଜୀବନ
ସେବିବି ବୋଲି ପ୍ରଭୁ ପଦ୍ମଚରଣ,
ନ ହେବି ଯଦି ପଦସ୍ପର୍ଶେ ଭୋଜନ;
ଜୀବନେ ଆଉ ମୋର କି ପ୍ରଯୋଜନ ଗୋ ! ୬୬ |


ଦହିବି ଦେହ ଚାହିଁ ଚାହିଁ ଶ୍ରୀମୁଖ
ଏଥୁଁ ଅଧିକ ମୋର କି ଅଛି ସୁଖ ?
ଦଗ୍ଧ ହେଲେ ଦେହ, ଅବଶ୍ୟ ପ୍ରାଣ
ପ୍ରଭୁ ଶ୍ରୀଅଙ୍ଗେ ଯାଇ ପାଇବ ସ୍ଥାନ ଗୋ ! ୬୭ |


ଧରମ-ବଳେ ଯେବେ ରହିବ ଦେହ
ଲଭିବି ପ୍ରଭୁଙ୍କର ଦ୍ୱିଗୁଣ ସ୍ନେହ !
ବୋଇଲି, 'ଜଳା ହେଉ ହବ୍ୟବାହନ;
କରିବ ଦାସୀ ତହିଁ ଅବଗାହନ ହେ !' ୬୮ |


ଅକୁଣ୍ଠ ଆଜ୍ଞାବହ ସକୁଣ୍ଠ-ଚିତ୍ତେ
ଲକ୍ଷ୍ମଣ ବହ୍ନି ଜାଳି ଦେଲେ ତ୍ୱରିତେ |
ଅନଳଶିଖାମାନ ବାତ କମ୍ପନେ;
ଅତି ଚଞ୍ଚଳ ହେଲେ ନଭ ଲମ୍ଫନେ ଗୋ ! ୬୯ |


ସତୃଷ୍ଣ ଦୃଷ୍ଟି ଦେଇ ମୁଖ କମଳେ
ଅନଳ ପାଶ ଯାଇ ହୃଦୟବଳେ,
ବୋଇଲି, 'ରବି-ଶଶୀ-ବାୟୁ-ଗଗନ;
ପାବକ ତୁମେ ଜାଣ ପ୍ରାଣୀଙ୍କ ମନ ହେ ! ୭୦ |


ରାଘବ ବିନା ଅନ୍ୟେ ଯଦି ମୋ ଚିତ୍ତ
ପ୍ରେମେ ଆକୃଷ୍ଟ ହୋଇଥିବ କିଞ୍ଚିତ,
ଅନଳ ପଟୁ ତୁମ୍ଭେ ସର୍ବ ଭକ୍ଷଣେ;
ଦିଅ ହେ କରି ମୋତେ ଭସ୍ମ ଏକ୍ଷଣେ ! ୭୧ |

 

୬୮ । ହବ୍ୟ ବାହନ – ଅଗ୍ନି, ଅବଗାହନ – ସ୍ନାନ, ଅଗ୍ନିପ୍ରବେଶ ।

୬୯ । ବାତ – ପବନ ।

୭୦ । ସତୃଷ୍ଣ – ତୃଣାଯୁକ୍ତ, ପାବକ – ଅଗ୍ନି ।


ହୋଇ ତ ଥିଲି ରକ୍ଷ-ନଗରେ ବନ୍ଦୀ
ସେ ଯଦି ଥିବ ମୋତେ ପାତକେ ଛନ୍ଦି,
କୋଟି ଜନମ କାନ୍ତ ପଦ-କମଳ;
ଚାହିଁବି ନାହିଁ, ମୋତେ ଦହ ଅନଳ ହେ ! ୭୨ |


ପାତକୀ ପୂଣ୍ୟବନ୍ତ ତୁମ୍ଭେ ନ ଜାଣ
ସ୍ୱଧର୍ମବଶେ ନିଅ ସଭିଙ୍କ ପ୍ରାଣ,

ଧରମ ଚିର ସତ୍ୟ ଯଦି ଜଗତେ;
ମୋ ଧର୍ମ ଅପବାଦୁଁ ରଖିବ ମତେ ହେ ! ୭୩ |


ହେ ଧର୍ମ ! ନିଜ ଗୁଣେ ରହ ମୋ ଅଙ୍ଗେ
ନ ଡରି ଅନଳରେ ପଶ ମୋ ସଙ୍ଗେ,
ଜୀବନେ ନ ପରିଲେ ମୋତେ ମରଣେ;
ସେବିକା କରି ଦେବ ପ୍ରଭୁ ଚରଣେ ହେ ! ୭୪ |


ମୋ ତନୁ ଦଗ୍ଧ ହେଲେ ହେବ ତ ଖାର
ତାହାକୁ କରାଇବ ପାଦପେ ସାର
ସେ ତରୁ କାଷ୍ଠ ଦେଇ ବର୍ଦ୍ଧକୀ ହସ୍ତେ;
କରାଇ ଦେବ ପ୍ରଭୁ ପାଦୁକା ମତେ ହେ !' ୭୫ |


ପ୍ରଭୁ ଶ୍ରୀମୁଖ ପୁନଃ ପୁନଃ ଅନାଇ
ନିଃଶଙ୍କେ ଅନଳରେ ପଶିଲି ଯାଇଁ |
ଚାହିଁ କାନ୍ଦିଲେ ରଘୁମଣି ଲକ୍ଷ୍ମଣ;
କାନ୍ଦଲେ ଘୋର ରବେ ସୈନିକଗଣ ଗୋ ! ୭୬ |

 

୭୧ । କିଞ୍ଚିତ – ଲବେ ମାତ୍ର, ପଟୁ – ଦକ୍ଷ ।

୭୫ । ସାର – ଖତ, ବର୍ଦ୍ଧକୀ – ବଢ଼େଇ, ପାଦୁକା – ଖଡ଼ମ ।

୭୬ । ନିଃଶଙ୍କେ – ଭୟଶୂନ୍ୟ ମନରେ;


ଅସଂଖ୍ୟ ନେତ୍ରେ ହେଲା ଜଳ ପ୍ରବଳ
ମଜ୍ଜାଇ ଦେଲା ମୋତେ କାରୁଣ୍ୟଜଳ,
ଅନଳ ତହିଁ ବୋଧ ହେଲା ଶୀତଳ;
ପୂରିଲା ହାହା ରବେ ନଭୋମଣ୍ଡଳ ଗୋ ! ୭୭ |


ମୋ ଅନୁକୁଳେ ହେଲା ଆକାଶ-ବାଣୀ
ସତୀତ୍ୱ ମୋର ପ୍ରଭୁ ପାରିଲେ ଜାଣି,
ଅନଳ ଧର୍ମ ବଶେ ହେଲା ନିର୍ବାଣ;
ବଞ୍ଚିଲା ଧର୍ମ-ବଳେ ତହିଁ ମୋ ପ୍ରାଣ ଗୋ ! ୭୮ |


ଦଗ୍ଧ ହୋଇଗଲା ମୋ ଦୁଃଖରାଶି
ଭାଗ୍ୟେ ମୁଁ ହେଲି ପ୍ରଭୁପୟରେ ଦାସୀ,
ଭାବିଲି; କଷ୍ଟେ ରଖିଥିବାରୁ ଜୀବ;
ଲଭିଲି ସିନା ପ୍ରଭୁ-ପଦ ରାଜୀବ ଗୋ ! ୭୯ |


ବସାଇ ମୋତେ ପ୍ରଭୁ ସ୍ୟନ୍ଦନବରେ
ଘେନି ବାନର ରକ୍ଷଦଳ ସଙ୍ଗରେ,
ବାହୁଡ଼ା-ବିଜେ କଲେ ଅଯୋଧ୍ୟା ମୁଖେ;
ଗଗନ-ପଥେ ଜୟ-ଉଲ୍ଲାସ-ସୁଖେ ଗୋ ! ୮୦ |


ହୋଇ ବିରହ-ମରୁ-ପ୍ରଦେଶ ପାର
ପାଇଲି ଶୁଷ୍କ ପ୍ରାଣେ ପ୍ରେମକୂପାର,
ଅପୂର୍ବ ସୁଖ ପ୍ରାଣେ ହେଲା ଉଦୟ;
ମଣିଲି ଜଗତକୁ ଆନନ୍ଦମୟ ଗୋ ! ୮୧ |

 

୭୬ । କାରୁଣ୍ୟ – ବିଳାପ ।

୭୮ । ନିର୍ବାଣ – ଲିଭିଗଲା ।

୭୯ । ରାଜୀବ – ପଦ୍ମ ।

୮୦ । ସ୍ୟନ୍ଦନର – ବିମାନଶ୍ରେଷ୍ଠ, ରକ୍ଷଦଳ – ରାକ୍ଷସ ଦଳ, ଉଳ୍ଲାସ – ଆନନ୍ଦ ।

୮୧ । ପ୍ରେମାକୁପାର – ପ୍ରେମ ରୂପକ ସମୁଦ୍ର, ଉଦୟ – ଜାତ ।


ଯଦ୍ୟପି ଦୁଃଖ ଥାଏ ନିଜ ଜୀବନେ
ସୁଖ ନ ଦିଏ ଦେଖା ବିଶ୍ୱଭୁବନେ,
ନିଜ ଜୀବନେ ହେଲେ ସୁଖ ଆଗତ;
ସୁଖରେ ପରିପୂର୍ଣ୍ଣ ଦିଶେ ଜଗତ ଗୋ ! ୮୨ |


ଯେ ରଥେ ପଡ଼ିଥିଲି ବିପଦ-କୂପେ,
ଚଢ଼ିଲି ସେହି ରଥେ ସମ୍ପଦ ପ୍ତୂପେ,
ଯା' ଚାହିଁ ଚାହିଁ କରିଥିଲି କ୍ରନ୍ଦନ;
ତା' ଚାହିଁ ଚାହିଁ ହେଲା ମୁଦ ବର୍ଦ୍ଧନ ଗୋ ! ୮୩ |


ରତ୍ନଦୀପିତ ରଥ ତା ଚିତ୍ରଗତି
ଉପରେ ମେଘ ତଳେ ସରିତପତି,
ସରିତ ଧରାଧର ଧରଣୀରୁହ;
ହେଲେ ମୋ ନୟନର ପୀରତିବ୍ୟୂହ ଗୋ ! ୮୪ |


ପୂର୍ବ ନିବାସ ବନସ୍ଥଳ ସକଳ
ବିହାର-କୁଞ୍ଜପୁଞ୍ଜ ରମ୍ୟ ଅଚଳ,
ଧୂମ-ଜଟିଳ ଋଷି-ଆଶ୍ରମମାନ;
ଚିତ୍ତକୁ ମୋର କରୁଥିଲେ ଆହ୍ୱାନ ଗୋ ! ୮୫ |


ବ୍ୟସ୍ତକୁନ୍ତଳା ମୁନିକୁମାରୀଗଣ
ରଥ-ନିର୍ଘୋଷ ଦୁରୁଁ କରି ଶ୍ରବଣ,
ଚକିତେ ଚାହିଁଥାନ୍ତି ଊର୍ଦ୍ଧ୍ୱ ବଦନେ;
ଜନ୍ମାଇ ପୂର୍ବ-ସୁଖ-ସ୍ମୃତି ମୋ ମନେ ଗୋ ! ୮୬ |

 

୮୩ । ମୁଦ – ଆନନ୍ଦ ।

୮୪ । ଧରାଧର – ପର୍ବତ, ସରିତ ପତି – ଶ୍ରେଷ୍ଠ ନଦୀ, ଧରଣୀରୁହ – ବୃକ୍ଷ ।

୮୫ । ଅଚଳ – ପର୍ବତ, ଧୂମ ଜଟିଳ – ଯଜ୍ଞହେତୁ ମୁନି ଆଶ୍ରମ ଧୂଆଁରେ ଶୋଭାଯୁକ୍ତ ।


ପବିତ୍ର ସ୍ନେହ ତାଙ୍କ ସମୁଦାଦର
ମୃତୁ ମଧୁର କଥା-ଲସିତାଧର,
ମମତାମୟ ଶାନ୍ତ ସରଳ ଦୃଷ୍ଟି;
କଲେ ମୋ ସ୍ମୃତିକ୍ଷେତ୍ରେ ପୀୟୁଷ ବୃଷ୍ଟି ଗୋ ! ୮୭ |


କ୍ରମଶଃ କୁମାରୀଙ୍କ ନାମ ସକଳ
କମଳରୂପେ ଫୁଟି ହେଲେ ବିମଳ,
ଘୋର-ବିରହ-ନିଶା-ତମ-ଶେଷରେ;
ସୁଖ-ଦିବସ-ମୁଖେ, ମୋ ମନ ସରେ ଗୋ ! ୮୮ |


ତାଙ୍କ ବିଗତ ଭାବ ସୌରଭରାଶି
ଆମୋଦେ ପ୍ରାଣକୁ ମୋ ଦେଲେ ଉଲ୍ଲାସି,
ବନଦର୍ଶନେ ମଲ ନୋହୁଁଣୁ ତୃପ୍ତ
ଆଗକୁ ରଥବର ଚାଲିଲା ଦ୍ରୁତ ଗୋ ! ୮୯ |


ନିସର୍ଗଶୋଭାଳୟ ସୁରମ୍ୟ ବନ
ବର୍ଜନ ନ ପାରିଲା କରି ମୋ ମନ,
ସେ ମନ ଥିଲା ପୁଣି ନଭେ ସ୍ୟନ୍ଦନେ;
ଲାଗିଲା ତେଣେ ପୁରେ ଶ୍ୱଶ୍ରୂଚରଣେ ଗୋ ! ୯୦ |


ଶ୍ୟମସୁନ୍ଦର-କାନ୍ତି କାନ୍ତକୁ ସଙ୍ଗେ
ଘେନି ଖେଳନ୍ତେ ସ୍ଥଳକ୍ରୟ ସୁରଙ୍ଗେ,
ମନ ମୋ ହେଲା ଅର୍ଦ୍ଧମଣ୍ଡଳାକାର
ନବ ନୀରଦେ ଶକ୍ରଚାପ ପ୍ରକାର ଗୋ ! ୯୧ |

 

୮୭ । ଲସିତାଧର – ଉଲ୍ଲସିତ ଅଧର, ପୀୟୁଷ – ଅମୃତ ।

୯୦ । ନିସର୍ଗ – ସ୍ୱର୍ଗୀୟ, ବର୍ଜନ – ତ୍ୟାଗ, ନଭେ – ଆକାଶରେ ।

୯୧ । କାନ୍ତ – ସ୍ୱାମୀ, ସ୍ଥଳତ୍ରୟ – ବନ, ଅଯୋଧ୍ୟା, ଆକାଶ; ସୁରଙ୍ଗେ- ଅତ୍ୟନ୍ତ କୌତୁକରେ ନବନୀରଦେ – ନୂଆ କଳାହାଣ୍ଡିଆ ମେଘରେ, ଶକ୍ରଚାପ – ଇନ୍ଦ୍ରଧନୁ ।


ପ୍ରାଣ-ପ୍ରତିମ ପୁତ୍ର ବନ-ପ୍ରୟାତ
ହେଲାରୁ ଶ୍ୱଶୁର ମୋ ଅଯୋଧ୍ୟା-ନାଥ,
ନିର୍ବାଣ କରି ଦୁଃଖେ ଜୀବନ-ଦୀପ;
ଗୀର୍ବାଣପୁର ଗଲେ ଶକ୍ର ସମୀପ ଗୋ ! ୯୨ |


ଭରତ ରାଜ୍ୟ ରାଜ-ବିହୀନ ଚାହିଁ
ବନେ ଅଇଲେ ସ୍ୱାମୀ ସମୀପ ଧାଇଁ,
କହିଲେ ଦୁଃଖେ ଯୁକ୍ତ କରପୁଟରେ;
ସେକାଳେ ଥିଲୁ ଆମ୍ଭେ ଚିତ୍ରକୂଟରେ ଗୋ ! ୯୩ |


ବହୁ ବିନୟ କରି କହିଲେ ବୀର
ସ୍ୱାମୀଙ୍କୁ ସ୍ୱାମୀ ହେବା ପାଇଁ ମହୀର,
ପ୍ରଗାଢ଼ତର କରି ପିତୃଭକତି;
ରାଘବ କଲେ ନାହିଁ ତହିଁ ସମ୍ମତି ଗୋ ! ୯୪ |


ବୋଇଲେ, ଯେଉଁ ସତ୍ୟ ନ କଲେ ଭଙ୍ଗ
ତେଜିଲେ ପଛେ ପିତା ସ୍ୱକୀୟ ଅଙ୍ଗ,
ପିତୃପାଳିତ ଧର୍ମ-ବିହଙ୍ଗୀ-ବେକ;
କେମନ୍ତେ ମୋଡ଼ିଦେବି ତେଜି ବିବେକ ହେ ! ୯୫ |


ଭରତ କାନ୍ଦି କାନ୍ଦି ପଡ଼ି ଚରଣେ

ବୋଇଲେ, 'ରଖ ମୋତେ ପଦଚାରଣେ,
ଅବନୀ ତେଜି ଅସ୍ତ-ନଗେ ଭାସ୍କର;
ଗଲେ କି ତାଙ୍କୁ ଛାଡ଼ି ପାରଇ କର ହେ ! ୯୬ |

 

୯୨ । ନିର୍ବାଣ – ମୃତ୍ୟୁ, ଗୀର୍ବାଣପୁର – ସ୍ୱର୍ଗପୁର, ଶକ୍ର – ଇନ୍ଦ୍ର ।

୯୪ । ସ୍ୱାମୀଙ୍କୁ – ରାମଚନ୍ଦ୍ରଙ୍କୁ, ସ୍ୱାମୀ – ରାଜା, ମହୀ ପୃଥିବୀ ।

୯୬ । ଅସ୍ତ ନଗେ – ଅସ୍ତପର୍ବତରେ, ଭାସ୍କର – ସୂର୍ଯ୍ୟ, କର – କିରଣ ।


ପ୍ରଭୁ ବୋଇଲେ, 'ରାତ୍ରେ ଅବନୀଦୁଃଖ
ଖଣ୍ଡନ କରିଥାନ୍ତି ଶୀତମୟୁଖ |'
ଭରତ ବିନୟରେ ଦେଲେ ଉତ୍ତର;
'ଶଶାଙ୍କ ପାଇଥାନ୍ତି ଭାସ୍କର-କର ହେ ! ୯୭ |


ରତ୍ନପାଦୁକା ଘେନି ମୋ ଶିରଦେଶ
ବହିପାରିବ ମହୀ ଯେସନେ ଶେଷ,
ମସ୍ତକେ ଶୋଭୁଥିଲେ ପାଦୁକାମଣି;
ଅରାତିକୁଳ ମୋତେ ମଣିବେ ଫଣୀ ହେ !' ୯୮ |


ପାଦୁକା ଦେଲେ ପ୍ରଭୁ ଭରତ କରେ
ଘେନିଲେ ବୀର ତାହା ସ୍ୱମସ୍ତକରେ,
ବାହୁଡ଼ି ବୀରମଣି ସାଶ୍ରୁ ଲୋଚନେ;
ଲାଗିଲେ ରାଜଲକ୍ଷ୍ମୀ-ଦୁଃଖ-ମୋଚନେ ଗୋ ! ୯୯ |


ଚଉଦ ବର୍ଷ ଶେଷେ ଆମ୍ଭର ପଥ
ଅନାଉଥିଲେ ତହିଁ ଲାଗିଲା ରଥ,
ଶାଶୁମାନଙ୍କ ପଦଧୂଳି ଗ୍ରହଣ-
କଲି ମୁଁ ରଥୁଁ କରି ଅବରୋହଣ ଗୋ ! ୧୦୦ |


ସାନୁଜ ସପତ୍ନୀକ ପ୍ରଭୁଙ୍କୁ ଚାହିଁ
ଭରତ ମୁଦ-ନଦେ ମନ ମଜ୍ଜାଇ,
ପାଦୁକା ପ୍ରତ୍ୟର୍ପଣ କରି ପୟରେ;
ପ୍ରଭୁଙ୍କୁ ପୂଜା କଲେ ଛତ୍ର ଚାମରେ ଗୋ ! ୧୦୧ |

 

୯୭ । ଶୀତମୟୁଖ – ଚନ୍ଦ୍ର, ଶେଷ – ବାସୁକୀ ।

୯୮ । ଅରାତିକୁଳ – ଶତ୍ରୁକୁଳ, ଫଣୀ – ସର୍ପପରି ଭୟଙ୍କର ।

୧୦୦ । ଅବରୋହଣ – ଓହ୍ଲାଇ ।

୧୦୧ । ସପତ୍ନୀକ – ସାବତ ମାଆର ପୁଅ, ସାନୁଜ – ସାନ ଭାଇ, ପ୍ରତ୍ୟର୍ପଣ – ଫେରାଇ ଦେଲେ ।


ମୋ କାନ୍ତ ରାଜା ହେଲେ, ମୁଁ ହେଲି ରାଣୀ
ସେବିଲି ପଦ ପ୍ରଭୁ-ମାନସ ଜାଣି,
ମୋ' ମନେ ଯେବେ ଯାହା ହୁଏ ଉଦିତ;
ସତ୍ୱରେ ହୁଏ ତାହା ସୁସମ୍ପାଦିତ ଗୋ ! ୧୦୨ |


ରାଜ-ଦମ୍ପତି ବସି ପ୍ରୀତି-ନାବରେ
ବିହାର କରୁଥିଲୁଁ ସୁଖ-ସାଗରେ,
ସମ୍ପଦ-ତରଙ୍ଗରେ ବହୁ ବତ୍ସର;
ମଜ୍ଜାଇଦେଲୁଁ ହୋଇ କୌତୁକପର ଗୋ ! ୧୦୩ |


କେ ଜାଣିଥିଲା ମୋର ଲଲାଟେ ବିହି
ଅସୀମ ଦୁଃଖ-ଲିପି ରଖିଛି ଲିହି,
ବିପଦରୂପୀ ଘୋର ବଡ଼ବାନଳ;
ଉପୁଜି ଧ୍ୱଂସ କରି ଦେବ ସକଳ ଗୋ ! ୧୦୪ |


ଦିବସ-ଶୋଭା-ଶେଷେ-ରଞ୍ଜିତ ନଭ
ପରାଏ ଭାଗ୍ୟ ଶେଷେ ହେଲା ମୋ ଗର୍ଭ,
ଦୋହଦ ପୂରଣେ ମୋ ହେଲେ ତତ୍ପର;
ପ୍ରାଣେଶ ସ୍ନେହଭରେ ଅଧିକତର ଗୋ ! ୧୦୫ |


ବିପିନ ବାନ୍ଧବୀଙ୍କ ସଙ୍ଗେ ବିପିନେ
କ୍ରୀଡ଼ନ୍ତି ବୋଲି କାନ୍ତେ କହିଲି ଦିନେ,
ସେହି ରଜନୀ ସହି, ନୋହୁ ପ୍ରଭାତ;
ଲକ୍ଷ୍ମଣ ସଙ୍ଗେ ମୋତେ ପେଷିଲେ ନାଥ ଗୋ ! ୧୦୬ |


ଲକ୍ଷ୍ମଣ ଆଣି ମତେ ଜାହ୍ନବୀ-ତୀରେ
ନାବୁଁ ଓହ୍ଲାଇ ଯାହା କହିଲେ ଧୀରେ-
କହି ନିରୁଦ୍ଧ ହେଲା ସତୀଙ୍କ କଣ୍ଠ;
କାନ୍ଦିଲେ ଚାହିଁ ଆଗେ ଭୀଷଣ କଷ୍ଟ ଯେ ! ୧୦୭ |

 

୧୦୪ । ଲଲାଟେ – ଭାଗ୍ୟରେ, ଲିହି – ନିର୍ଦ୍ଦିଷ୍ଟ କରିଅଛି, ବଡ଼ବାନଳ – ସମୁଦ୍ର ଗର୍ଭର ଅଗ୍ନି ।

୧୦୫ । ଦୋହଦ – ଗର୍ଭବତୀର ଅଭିଳାଷ ।


ଭାସିଲେ ଅନଗଳ ଲୋତକ-ଝରେ
ଧଇଲେ ମୁନିସୁତା ତାଙ୍କୁ ସତ୍ୱରେ,
କାନ୍ଦିଲେ ନଜେ ମୁଖେ ମୁଖ ଲଗାଇ;
ଶୁଣି ତାପସୀମାନେ ଆସଲେ ଧାଇଁ ଯେ ! ୧୦୮ |


ବେନଙ୍କି ଘେନି ବେଗେ କୁଟୀରେ ଯାଇ
କହିଲେ ନାନା କଥା ଚିତ୍ତ ରଞ୍ଜାଇ,
ପାଦପେ ଜଳଦାନ ପୁଷ୍ପଚୟନ-
ପ୍ରଭୁତି କଥା ନେଇ କଲେ ଶୟନ ଯେ ! ୧୦୯ |

 

୧୦୭ । ନିରଦ୍ଧ – ଆବଦ୍ଧ ।

୧୦୮ । ଅନର୍ଗଳ – ଅନବରତ ।

 

ଅଷ୍ଟମ ସର୍ଗ

କେଦାର-କାମୋଦି

ଜୀବନେ ଯଉବନ ବଢ଼ିଲା ସମ
ବସନ୍ତ ବଢ଼ି ବନେ ହେଲା ଗ୍ରୀଷମ,
ଯୁବା-ଶକତି ଯଥା ହୁଏ ପ୍ରଖରା;
ପ୍ରଚଣ୍ଡତର ହୋଇ ଆସିଲା ଖରା | ୧ |


ସୁଖ-ବିଷୟ-ଭୋଗ ତୃଷ୍ଣାର ପରି
ସଞ୍ଜାର କଲା ମୃଗତୃଷ୍ଣା ସୁନ୍ଦରୀ,
ତୂଳା ଉଡ଼ିଲା ତେଜି ଶାଳଳୀ ତରୁ;
କୃପଣ ଧନ କାଳେ ଉଡ଼େ ଖାତରୁ | ୨ |


ପଲାଶ ଅଙ୍ଗେ ନାହିଁ ପୂର୍ବ ସୁରଙ୍ଗ
ଅନିତ୍ୟ ଏହିପରି ଭବ-ପ୍ରସଙ୍ଗ,
ତାପେ ଅଧିକତର ମଲ୍ଲୀ ଫୁଟିଲା;
ଅଧିକ ବାସ ତାର ଅଙ୍ଗୁଛୁଟିଲା | ୩ |

 

୧ । ପ୍ରଖରା – ପ୍ରଖରା – ପ୍ରବଳ ।

୨ । ମୃଗତୃଷ୍ଣା – ମରୀଚିକା ।

୩ । ଅନିତ୍ୟ – ଅଳ୍ପକାଳ ସ୍ଥାୟୀ, ଭବ ପ୍ରସଙ୍ଗ – ପୃଥିବୀ ସମ୍ୱନ୍ଧୀୟ ।


ସାଧୁ-ହୃଦୟ ତାପେ ହୁଏ ଅଟଳ
ବରଞ୍ଚ ହୁଏ ଶାନ୍ତି-ଯଶ ପ୍ରବଳ,
କୁଟଜ ଅନାଇଲା ତାକୁ ହରଷେ;
ସାଧବ ପାଇ ସାଧୁ ଅବଶ୍ୟ ରସେ | ୪ |


ଏକ ହୃଦୟେ ଦୁହେଁ କଲେ ବିଚାର
ଗ୍ରୀଷମେ କରୁଥିବା ବାସ ସଞ୍ଚାର,
ବରଷା ହେଲେ ମହୀ ହେବ ଶୀତଳ;
ଶାନ୍ତି ଲଭିବେ ଜୀବଜନ୍ତୁ ସକଳ | ୫ |


କଦମ୍ବ କେତକୀ ତ ବାସ କୃପଣ
ନୁହନ୍ତି, କରିବେ ସେ ଲୋକତର୍ପଣ,
ଅର୍ପଣ କରି ଜନ-ରଞ୍ଜନ ଭାର
ତେଜିବା ହସି ହସି ତରୁ ସଂସାର | ୬ |


ଉଦ୍ଦଣ୍ଡ କମଳିନୀ ଉଞ୍ଚାଇ ମଥା
ସହର୍ଷେ ସମର୍ଥନ କରି ସେ କଥା,
ବୋଇଲା ମୁହିଁ ଥାଇ ତୁମ୍ଭର ସଙ୍ଗେ;
ଝାସିବି କାଳ-ସିନ୍ଧୁ-ତୁଙ୍ଗ-ତରଙ୍ଗେ | ୭ |


ମଲ୍ଲୀ ବୋଇଲା ତାହା ପାରିବୁ କାହିଁ ?
ତୋ କାନ୍ତ ଭାନୁ ତୋତେ ଛାଡ଼ିବେ ନାହିଁ |
ବୋଇଲା କମଳିନୀ ଘୋଟିଲେ ଘନ,
ଚାହିବେ ନାହିଁ କାନ୍ତ ମୋର ବଦନ | ୮ |


ବିପଦେ କରି କିଛି ଦିନ ଯାପନ
କରିବି ଭବ-ବ୍ରତ ଉଦ୍‍ଯାପନ;
କାନ୍ତ ମୋ ଘନ ଭେଦିପାରନ୍ତି ନାହିଁ,
ସହନ୍ତି ଦୁଃଖ ଲୋକମଙ୍ଗଳ ପାଇଁ | ୯ |

 

୪ । କୁଟଜ – କରେଇଁ ଫୁଲ, ଗିରି ମଲ୍ଲିକା ।

୬ । ଲୋକତର୍ପଣ – ଲୋକଙ୍କ ତୃପ୍ତି ସାଧନ ।

୭ । ଉଦ୍ଦଣ୍ଡ – ପ୍ରତାପୀ ।


ଅଧିକ ଦିନ କାନ୍ତ-ପ୍ରେମାନୁରାଗ
ଭୋଗ କରିବି କାହିଁ? ନାହିଁ ମୋ ଭାଗ୍ୟ,
ତାଙ୍କ ଚରଣ କରୁଥିବି ସ୍ମରଣ;
ମରଣ ନେବ ମୋତେ କରି ବରଣ | ୧୦ |


ଏ ଜନ୍ମେ କିଛିଦିନ ସହିଲେ ଦୁଃଖ
ଚାହିଁବି ପର ଜନ୍ମେ ସ୍ୱମୀ-ଶ୍ରୀମୁଖ,
ସେ କଥା ଜାନକୀଙ୍କ ଜ୍ଞାନ-ଶ୍ରବଣେ;
ପଡ଼ନ୍ତେ ଆଦରଶ ମଣି ଜୀବନେ | ୧୧ |


ବୋଇଲେ ପଦ୍ମିନୀ ଗୋ ଅଟୁ ସାଧବୀ
ଦିଶୁଛି ତୋତେ ପୁଣ୍ୟମୟୀ ପଦବୀ,
ବିଚାରେ ମୁହିଁ ତୋର ଅଟେ ଭଗିନୀ;
ତହିଁ ଉପରେ ପୁଣି ଭାଗ୍ୟ-ଭାଗିନୀ ! ୧୨ |


ତୋ ପରି ସ୍ୱାମୀ-ସ୍ନେହ ଭୋଗିଲି ବନେ
ସ୍ୱଚ୍ଛ ଅମୃତମୟ ସୁଖ ଭବନେ;
ତୋ କାନ୍ତ ପ୍ରଭାକର ଦିବସ-ନାଥ,
ସେ ବଂଶେ ଜାତ ଧରା-ନାଥ ମୋ କାନ୍ତ | ୧୩ |


କହୁଛି ଯାହା ନିଜ ଭବିଷ୍ୟ ଗତି
ଆଗୁଁ ମୁଁ ଲଭିଲିଣି ସେହି ପଦ୍ଧତି,
ଧନ୍ୟ ତୋ ହୃଦ, ଧନ୍ୟ ଧନ୍ୟ ତୁ ସତି,
ଜୀବନେ ମୋର ଦିଅ ତୋ' ଶୁଦ୍ଧ-ମତି | ୧୪ |

 

୧୨ । ପଦବୀ – ପଥ ।

୧୩ । ସ୍ୱଚ୍ଛ – ନିର୍ମଳ, ଅମୃତ – ସୁଧା ଓ ଜଳ, ପ୍ରଭାକର – ସୂର୍ଯ୍ୟ । ଧରାନାଥ ପୃଥିବୀର ରାଜା ।

୧୪ । ପଦ୍ଧତି – ମାର୍ଗ ।


ଲୋକ ବଚନ କରି ଦୁଃଖ ଅର୍ଜନ
କରିଅଛନ୍ତି କାନ୍ତ ମୋତେ ବର୍ଜନ;
ମୋ' ଭାଗ୍ୟ ପରକାଳେ ସ୍ୱାମୀ-ଦର୍ଶନେ,
କ୍ଷମ ହେବ କି? କହ ଦିବ୍ୟ ଦର୍ଶନେ | ୧୫ |


ଶୀତଳ-ଶତଦଳ-ଦଳର ତଳେ
ଘନ ଶ୍ୟାମଳ-ବକ୍ଷ-ସରସୀଜଳେ,
ମଧ୍ୟାହ୍ନ କଟାଇଲେ କୋକ-ଦମ୍ପତି,
ରାଜହଂସୀକି ସଙ୍ଗେ ଘେନି ତା' ପତି | ୧୬ |


ଚିଙ୍ଗୁଡ଼ୀ କାରଣ୍ଡବ କାଣ୍ଡରୁ ବଞ୍ଚି
କମଳ-ବନେ ଲମ୍ବ-ଲମ୍ଫନ ରଚି,
ଛତ୍ର ବିଶାଳ-ପତ୍ର-ବିପିନେ ବଣା
ହୋଇ ଅନ୍ତିମେ ହେଲା ବକ-ପାରଣା | ୧୭ |


ଉଦ୍ଦଣ୍ଡ ଶତପତ୍ର-ପତ୍ର-ଉଦରେ
ପଡ଼ି ଶଫରୀ ଲମ୍ଫ ଦିଏ ଉଦରେ,
ମଣ୍ଡୁକ କୁମୁଦିନୀ ବଙ୍କା ନାଡ଼ରେ;
ନ ବସୁଁ ଡିଆଁମାରେ ଡ଼ୁଣ୍ଡୁଭ ଡରେ | ୧୮ |

 

୧୫ । ଲେକ ବଚନ – ଲୋକାପବାଦ, ବର୍ଜନ – ପରିତ୍ୟାଗ ।

୧୬ । ଦଳ – ପତ୍ର, ମଧ୍ୟାହ୍ନ – ଦ୍ୱିପ୍ରହର, କୋକ ଦମ୍ପତି – ଚକ୍ରବାକ ଯୁଗଳ ।

୧୭ । କାରଣ୍ଡବ – ପାଣିକୁଆ,, ବିପିନେ – ବଣରେ, ବଣା – ବାଟ ଭୁଲି, ଅନ୍ତିମେ – ଶେଷରେ, ବକପାରଣା – ବଗର ଖାଦ୍ୟ ।

୧୮ । ଉଦରେ – ଗର୍ଭରେ, ଉଦରେ – ଜଳରେ, ମଣ୍ଡୁକ – ବେଙ୍ଗ, ଡୁଣ୍ଡୁଭ – ଧଣ୍ଡ ସାପ ।


ବିଷାଦେ ବସି ପିକ ରସାଳ-ଡାଳେ
କାକ କୁଲାୟ-ପାଶେ ପତ୍ର-ଉଢ଼ାଳେ,
ପିପାସା ସହି ଶ୍ରୁତିସୁଧା ନ ଢାଳେ;
ଲୁଚିଛି ଯେହ୍ନେ ଭୟ କରି ଚଣ୍ଡାଳେ | ୧୯ |


ନଚାଉ ନାହିଁ ଚମ୍ପା ବିସ୍ତାରି ପୁଚ୍ଛ
ପୁଚ୍ଛ-ମୂଳ-ସୁରଙ୍ଗ-ପାଲକ-ଗୁଚ୍ଛ,
କହଳୁ ନାହିଁ ରଙ୍ଗେ ହଲାଇ ପକ୍ଷ
ସୋଦର ଚାହିଁ କୋପେ ହୋଇ ବିପକ୍ଷ | ୨୦ |


ଯୁଝାଇଥାଏ ସିନା ତାକୁ ଆହାର
ନତୁବା ଭ୍ରାତା ରିପୁ ହୁଏ କାହାର ?
ବସିଛି ପୀନ କାୟେ ପୂର୍ଣ୍ଣ ଉଦରେ,
ବିଶାଳ ଶାଳତରୁ-ଡାଳେ ମୁଦରେ | ୨୧ |


ମଧୁକ-ବନେ ବସି ଶୁକ ସକଳେ
ଭୋଜନ-ବ୍ୟାଜେ କାଟି ମଧୁକ ଫଳ,
ଦ୍ୱିଜ-ସ୍ୱଭାବେ କରୁଛନ୍ତି ଅଙ୍କନ,
ସୂକ୍ଷ୍ମ ପଞ୍ଜିକା ଭାବୀ-ବୃଷ୍ଟି ଲକ୍ଷଣ | ୨୨ |

 

୧୯ । କୁଲାୟ – ପକ୍ଷୀମାନଙ୍କର ବସା ।

୨୦ । ଚମ୍ପା – ସମରଶୀଳ ପକ୍ଷୀବିଶେଷ । ଏହାର ଯୁଦ୍ଧ ଦେଖିବା ପାଇଁ ଲୋକେ ଆଗ୍ରହୀ ହୋଇଥିାନ୍ତି । କହଳିବା – ଏକ ଚମ୍ପା ପକ୍ଷୀ ଅନ୍ୟ ଚମ୍ପା ପକ୍ଷୀକୁ ଦେଖିଲେ ଯୁଦ୍ଧ ଉଦ୍ଦେଶ୍ୟରେ ପକ୍ଷ ଚାଳନା କରି ଯେଉଁ ମଧୁର ରବ କରିଥାଏ ।

୨୨ । ମଧୁକ – ମହୁଲ, ଦ୍ୱିଜ – ପକ୍ଷୀ, ଶୁକପକ୍ଷୀ କାଟିଥିବାର ଟୋଳକୁ (ମହୁଲ ଫୁଲ) ଦେଖି ଅନେକ ବୃଷ୍ଟି ନିର୍ଣ୍ଣୟ କରିଥାନ୍ତି ।


ତମସା-ତଟ-ବଟ-ବିଟପି-ତଳ
ନିବିଡ଼ କିଶଳୟ-ଛାୟା-ଶୀତଳ,
ତହିଁ କୁଟଜ-ବାସ-ପୂର୍ଣ୍ଣ-ଉଟଜେ
ସହଜେ ଗ୍ରୀଷ୍ମ ଶାନ୍ତି-ଚରଣେ ଭଜେ | ୨୩ |


ବାଲ୍ମୀକି ବସି ତହିଁ ଜ୍ଞାନ-ନୟନ
ଫିଟାଇ ଦେଖୁଛନ୍ତି ଶ୍ରୀରାମାୟଣ,
ତାପସ-ବୃନ୍ଦ କାହିଁ କେ ଅଧ୍ୟୟନ;
କେ କାହିଁ କରୁଛନ୍ତି ବେଦ-ଗାୟନ | ୨୪ |


ଗୁରୁ-ଗରଭ-ଭାରେ ଆଳସୀ ସୀତା
ତାପସୀ-ପରିବେଶେ ହୋଇ ବେଷ୍ଟିତା,
ନିବିଡ଼ ନିକୁଞ୍ଜରେ ପଲ୍ଲବାସନେ;
ଶାନ୍ତି ସେବନ୍ତି ବସି-ସ୍ଥିର-ଦର୍ଶନେ | ୨୫ |


ପରିଧି-ଯୁତ କି ସେ ଚନ୍ଦ୍ରମଣ୍ଡଳ
ରାକା-ବିଦାୟେ ଭଜେ ଅସ୍ତ-ଅଚଳ,
ସତୀ-ପାଣ୍ଡୁର-ଗଣ୍ଡ ସ୍ୱେଦ-ପଟଳ;
ଶିଶିର ପରା ହିମ ନୟନ-ଜଳ | ୨୬ |


ତାପସୀ ମଧ୍ୟେ ରହି ଶ୍ରୀରାମ-ରାଣୀ
ଲଙ୍କା ରାକ୍ଷସୀ-ବୃତି ସ୍ମୃତିକୁ ଆଣି,
ଭାବନ୍ତି ତାପସୀଙ୍କ ସ୍ୱର୍ଗୀୟ ଭାବ,
ରାକ୍ଷସୀ ନାରକୀୟ ମନ୍ଦ ସ୍ୱଭାବ | ୨୭ |

 

୨୩ । ନିବିଡ଼ – ସାନ୍ଧ୍ର, କିଶଳୟ – ନବପଲ୍ଳବ, ଉଟଜ – କୁଡ଼ିଆ ।

୨୬ । ରାକା – ପୂର୍ଣ୍ଣିମା ।

୨୭ । ବୃତି – ବାଡ଼, ବେଷ୍ଟନ ।


ମନେ ପଡ଼ନ୍ତେ ବୀର ବାତ ନନ୍ଦନ
ବାତଦେବଙ୍କୁ କଲେ ଅଭିନନ୍ଦନ,
ତାଳ-ବୃନ୍ତରେ ଦେବୀ ସାଦରେ ବିଞ୍ଚି;
ପ୍ରସାଦ ଲାଭ କଲେ ଶୀତଳ-ବୀଚି | ୨୮ |


ଏକାଳେ ଆଗେ ଆସି ଚିନ୍ତା-ସୁନ୍ଦରୀ
ବୋଇଲା ବଚନରେ ବିନୟ ଭରି;
"ଦେବି ଗୋ ! ଦ୍ୱାରେ ଆସି କେତେକ ଜନ;
ସତୃଷ୍ଣେ ଲୋଡ଼ୁଛନ୍ତି ତୁମ୍ଭ ଦର୍ଶନ | ୨୯ |


ବହୁତ ଦୁରୁଁ ଆସି ଅଛନ୍ତି ପରା
ଧନ୍ୟ ଦିଦୃକ୍ଷା ଗଣିନାହିଁ ଏ ଖରା,
ଦେଖିଲେ ମନେହର ରୂପ ତାଙ୍କର;
ହୃଦୟ ହୋଇଯାଏ ପ୍ରୀତି-ଆକର" | ୩୦ |


ଦେବୀ ବୋଇଲେ, "ସଖୀ, ଆଣ ସତ୍ୱର
ଧନ୍ୟ ମୋ ଭାଗ୍ୟ ! ମୋତେ ଏତେ ଆଦର,
ତାଙ୍କ ଦର୍ଶନେ ମୋର ନୟନଦ୍ୱୟ;
କରିବେ ପାପ-ତାପ ଅବଶ୍ୟ କ୍ଷୟ" | ୩୧ |


ଦେବୀ ଆଦେଶେ ଜଣେ ପ୍ରଥମେ ଆସି
ବୋଇଲା ମୃଦୁ-ମନ୍ଦ ହାସ ପ୍ରକାଶି,
ସୁଚିର-ପରିଚିତ-ବାନ୍ଧବ ପରି;
ପ୍ରଣୟ ବାକ୍ୟେ ସୁଧା ସେଚନ କରି | ୩୨ |

 

୨୮ । ବାତନନ୍ଦନ – ହନୁମାନ, ଶୀତଳ ବୀଚି – ଥଣ୍ଡା ପବନ, ତାଳବୃନ୍ତ – ଡାଳପତ୍ର ପଙ୍ଖା ।

୩୦ । ଦିଦୃଶା – ଦେଖିବାର ଇଚ୍ଛା, ଗଣିନାହିଁ – ଗଣନା କରି ନାହିଁ, ପାକର – ଖଣି ।

୩୧ । ସେଚନ – ଢାଳି ।

 

‘‘ଦେବି ଗୋ, ପୂର୍ବକଥା ଅଛି କି ମନେ ?

ଚରଣ ଦେଇଥିଲ ମୋର ସଦନେ,

ତୁମ୍ଭ ଶ୍ରୀଅଙ୍ଗ ତେଜେ ମୋ’ ଅବୟବ

ଲଭିଛ ଏହି ଦିବ୍ୟ ପ୍ରଭା-ବିଭବ। ୩୩ ।

 

ସେପ୍ରଭା ବ୍ୟପଦେଶେ ମୋର ନିର୍ଝର

ଝରନ୍ତି ଆନନ୍ଦରେ ହୋଇ ଜର୍ଜର;

କୁସୁମକୁଳ ହୋଇ ପ୍ରଫୁଲ୍ଲ –ଆସ୍ୟ

ନିନ୍ଦନ୍ତି ନନ୍ଦନକୁ ଦେଖାଇ ହାସ୍ୟ । ୩୪ ।

 

ସରିତ-ନୀର ହୋଇ ଚିରବାସିତ

ତୀରବାସିଙ୍କି କରେ ସମ୍ମୁଲ୍ଲାସିତ;

ପ୍ରୀତିପାଳିତ ତୁମ୍ଭ ମୟୁରଗଣ

ଉଚ୍ଚେ କରନ୍ତି ନିତି ଗୁଣ ଗାୟନ । ୩୫ ।

 

ତୁମ୍ଭ ଦର୍ଶନ-ଆଶା ରଖି ଅଟଳ

ଥରକୁ ଥର ଆସି ମେଘ-ପଟଳ,

ଲୋଡ଼ନ୍ତି ଭ୍ରମି ଭ୍ରମି ଦରୀକି ଦରୀ,

କାହିଁ ଅଛନ୍ତି ବୋଲି ସୀତା ସୁନ୍ଦରୀ । ୩୬ ।

 

ପୁଚ୍ଛନ୍ତି ମୋତେ ମନ୍ଦ୍ର-ଗମ୍ଭୀର-ସ୍ୱରେ,

ମାନନ୍ତି ନାହିଁ କେବେ ‘ନାହିଁ’ ଉତ୍ତରେ ।

ଖୋଜନ୍ତି ପୁଣି ଶମ୍ପା ଆଲୋକ ଧରି

ନିଶ୍ଚୟ ଅଛି ବୋଲି ସୀତା ସୁନ୍ଦରୀ । ୩୭ ।

 

୩୩ । ସଦନ – ଘର, ଅବୟବ – ଶରୀର, ବିଭବ – ସମ୍ପତ୍ତି ।

୩୪ । ଜର୍ଜର – ଜରଜର, ଆକ୍ରାନ୍ତ । ନନ୍ଦନ – ଇନ୍ଦ୍ରଙ୍କ ପ୍ରମୋଦ ଉଦ୍ୟାନ ।

୩୫ । ସମୁଲ୍ଲାସିତ – ଅତ୍ୟନ୍ତ ଆନନ୍ଦ ଦାନ କରେ ।

୩୬ । ଅଟଳ – ସ୍ଥିର, ନିଶ୍ଚୟ । ଦରୀ – ପର୍ବତ ।

୩୭ । ଶମ୍ପା – ବିଜୁଳି ।

 

ଚିହ୍ନ କି ଦେବି, ଆଜି ଏ ଭାଗ୍ୟହୀନେ ?

ଆସିଛି ଶ୍ରୀଛାମୁକୁ ଅନେକ ଦିନେ,

ତୁମ୍ଭ ଚରଣ ରଜେ ମଣ୍ଡି ମୁକୁଟ

ହୋଇଛିଁ ଭାଗ୍ୟବାନ ‘ମୁଁ ଚିତ୍ରକୂଟ’।’’ ୩୮ ।

 

ତା’ପରେ ଉଭା ଏକ ନବ ରଙ୍ଗିଣୀ,

ସ୍ୱଚ୍ଛ-ଉଜ୍ଜଳ-କାନ୍ତି ମଞ୍ଜୁ – ଅଙ୍ଗିନୀ,

ତୀବ୍ର ଆତପ-ତାପ-ଦର୍ପ-ଗଞ୍ଜିନୀ,

କାନନ-ସୁନ୍ଦରୀଙ୍କ ଚିର-ସଙ୍ଗିନୀ; । ୩୯ ।

 

ଗଳଶୋଭିତ ଗିରି ମଲ୍ଲିକା – ମାଳେ,

ମଧୁକେ ମନୋହର ଲଲାମ ଭାଲେ,

କର୍ଣ୍ଣ-ଭୂଷଣ ଜମ୍ୱୁ ନୀଳ ରତନ,

ଶକ୍ତି କରିଛି କଟି-ଭୂଷା ରଚନ; । ୪୦ ।

 

କାନନବାସୀ – ମୁନି ମନମୋହିନୀ,

ଚାରୁ-କୁଟିଳ-ନୀଳ ବେଣୀ-ଶୋଭିନୀ;

କୋମଳ କଳଭାଷେ ପ୍ରସନ୍ନ ମୁଖେ

ମଧୁରେ ଜଣାଇଲା ସତୀ-ସମ୍ମୁଖେ, । ୪୧ ।

 

‘‘ସୁଶୀଳେ, କୃତଜ୍ଞତା ଘେନ ମୋହର,

ମୁଁ ଚିରଋଣୀ ସ୍ନେହ-ଋଣେ ତୋହର;

ଶୁଝିବି ଋଣ କାହିଁ ? ନାହିଁ ମୋ ଶକ୍ତି,

କୃତାର୍ଥ କର ସତି, ଘେନି ମୋ ଭକ୍ତି । ୪୨।

 

୩୮ । ରଜ – ଧୂଳି, ଚିତ୍ରକୁଟ ରାମଗିରି ପର୍ବତ । ବନବାସ କାଳରେ ରାମଚନ୍ଦ୍ର ଏହି ପର୍ବତ ଶିଖରରେ କିଛିକାଳ ଅବସ୍ଥାନ କରିଥିଲେ ।

 

ମହୀରେ ମୋହ ପରି ନାହାନ୍ତି କେତେ ?

କେ କାହିଁ ପାଇଅଛି ତୋ କୃପା ଏତେ ?

ତୋ ଶୁଭ-ଦୃଷ୍ଟିପାତ ଲଭିଲା ଯେଣୁ;

ମୋ ବାଲି ହୋଇଅଛି ସୁବର୍ଣ୍ଣ-ରେଣୁ; । ୪୩ ।

 

କ୍ରୀଡ଼ାରେ ରଞ୍ଜିବାରୁ ତୋ ଦିବ୍ୟନେତ୍ର,

ମୋ ଉର କରିଦେଲୁ, ହୀରକ-କ୍ଷେତ୍ର;

ଥାଉଁ ଗିରୀନ୍ଦ୍ର –ସୁତା ଶ୍ରୀବିଷ୍ଣୁ ପଦୀ,

ତୋ ଦତ୍ତ ଉପାଧିରେ ମୁଁ ‘ମହାନଦୀ’ ।’’ ୪୪ ।

 

ଅଇଲା ଗୋଦାବରୀ ବିଶଦ କାୟା

ବଦନେ ପଡ଼ିଅଛି ବିଷାଦ ଛାୟା,

ବିକଳେ କରି କରି ଅଶ୍ରୁମୋଚନ,

ଅଞ୍ଚଳେ ପୋଛି ପୋଛି ପଦ୍ମଲୋଚନ । ୪୫ ।

 

ବିଚିତ୍ର ଚିତ୍ରମାନ ଉଜ୍ୱଳ ରଙ୍ଗେ

ରଞ୍ଜିତ କରି ଆଣିଥିଲା ତା ସଙ୍ଗେ,

ସତୀଙ୍କ ଅନୁମତି ନେଇ ସତ୍ୱର

ଫିଟାଇ ଦେଖାଇଲା ସ୍ତରକୁ ସ୍ତର। ୪୬ ।

 

କାହିଁ କୁସୁମାବଳୀ ବଲ୍ଲୀରୁ ଝଡ଼ି

ଖରାଂଶୁ ଖରାଂଶୁରେ ଯାଉଛି ସଢ଼ି

ପାଦପମାନେ ଶୁଷ୍କପତର ଶେଯେ

ମଳିନ ବେଶେ ରହିଛନ୍ତି ନିସ୍ତେଜେ; । ୪୭ ।

 

୪୩ । ମୋ ବାଲି..... ମହାନଦୀର ବାଲିରେ ସ୍ୱର୍ଣ୍ଣରେଣୁ ମିଳେ । ଏହାକୁ ସ୍ଥାନୀୟ ଲୋକେ ସଂଗ୍ରହ କରନ୍ତି । ମୋ ଉର... ସମ୍ୱଲପୁର ନିକଟରେ ହୀରାକୁଦ ଅବସ୍ଥିତ । ଏଠାରେ ହୀରା ମିଳେ ବୋଲି ବିଶ୍ୱାସ କରାଯାଏ ।

୪୪ । ଗିରୀନ୍ଦ୍ର ସୂତା- ହିମାଳୟ କନ୍ୟା, ଶ୍ରୀ ବିଷ୍ଣୁପଦୀ – ଗଙ୍ଗା ।

୪୭ । ଖରାଂଶୁ – ସୂର୍ଯ୍ୟ, ଖରାଂଶୁ – ପ୍ରଚଣ୍ଡ କିରଣ, ସଢ଼ି – ନଷ୍ଟ ହୋଇ ଯାଇଛି, ନିସ୍ତେଜ – ତେଜୋହୀନ ।

 

କାହାର ଶାଖାଟିଏ ହୋଇ ବିଭଙ୍ଗ

ବରଜି ପାରି ନାହିଁ ପାଦପଅଙ୍ଗ,

ତୃଣପଟଳେ ମାଗୁଅଛି ଶରଣ,

କା’ ଶିର ଚୁମ୍ୱି, କାହା ଧରି ଚରିଣ । ୪୮ ।

 

ପକ୍ଷୀ-ପୁରୀଷେ ପୂରି ପତ୍ର ସକଳ,

କାହା ଶରୀର କରୁଅଛି ଧବଳ;

କେହି ବା ଲୁତାଜାଲ ମଳିନ-ବାସ

ବଦନେ ଢାଙ୍କି ନାଶିଅଛି ଉଲ୍ଲାସ; । ୪୯ ।

 

ମଣ୍ଡୁକ ଦଳ ଚାହିଁ ବକ-ବିକ୍ରମ

ମୁହଃ ପ୍ଳବନେ ପାଉଛନ୍ତି ବିକ୍ଳମ;

କେତେ ବା ଲୁଚି ଲୁଚି ଉପଳତଳେ,

ଉଦର ତୋଷୁଛନ୍ତି ବସି ନିଶ୍ଚଳେ। ୫୦ ।

 

ବନ୍ୟ ମହିଷ କାହିଁ ଦଳକୁ ଦଳ

ପଙ୍କିଳ କରୁଛନ୍ତି ସରସୀ ଜଳ;

ରାଜୀବ-ରାଜି ହୋଇ କର୍ଦ୍ଦମ ଲିପ୍ତ

ଲୁଲାପ ପଦେ ହେଉଅଛନ୍ତି କ୍ଷିପ୍ତ । ୫୧ ।

 

କାହିଁ ବା ଅଜଗର ଆହାର ଆଶେ

ପଡ଼ିଛି କାଷ୍ଠ ସମ ସଳିଳ ପାଶେ;

ତା’ ପାଶେ ଚାହିଁ ମୃଗଯୂଥ ସରଣୀ

ଶାର୍ଦ୍ଦୂଳ ଲୁଚି ଚାଟୁଅଛି ସୃକ୍‌କଣୀ । ୫୨ ।

 

୪୮ । ବରଜି – ତ୍ୟାଗକରି ।

୪୯ । ପୁରୀଷେ – ମଳ ଦ୍ୱାରା, ମୃଦୁଃ ପ୍ଲବନ – ବାରମ୍ୱାର ଡେଇଁ କରି । ବିକ୍ଲମ – କ୍ଲାନ୍ତି ।

୫୧ । କର୍ଦ୍ଦମ – ପଙ୍କ, ଲୁଳାପ – ମହିଷ, ଯେ ସର୍ବଦା ପଙ୍କରେ ବିଳୋଡ଼ିତ ହୁଏ ।

୫୨ । ଶାର୍ଦ୍ଦୁଳ – ବାଘ, ସୃକ୍‍କଣୀ – ଓଷ୍ଠର ପ୍ରାନ୍ତଭାଗ ।

 

ପୁଣି ଦେଖିଲେ ଘୋର ଦାବ-ଦହନ

ଧୃମ-ତିମିରେ ପୂର୍ଣ୍ଣ କରି ଗହନ,

ଅସଂଖ୍ୟ-ଶାଖା ଶିଖି-ଶିଖା ପ୍ରଚଣ୍ଡ

ଡ଼େଇଁ ମିଶୁଛି ନଭେ ଖଣ୍ଡକୁ ଖଣ୍ଡ । ୫୩ ।

 

ଜ୍ୱଳନ୍ତ ପତ୍ରଚୟ ଉଠି ଗଗନ,

ଧୂମ-ବାହନେ କରୁଛନ୍ତି ଗମନ;

ଦୂର ପାଦପେ ବସି ସମ୍ୱାଦ କହି

ତା ପରେ ଦେଉଛନ୍ତି ତାପରେ ଦହି । ୫୪ ।

 

କେତେ ପତର ଊର୍ଦ୍ଧ୍ୱପଥେ ମଳିନ

ହୋଇ ଗଗନେ ହେଉଅଛନ୍ତି ଲୀନ,

ପତତ୍ରୀ କେତେ ଉଡ଼ି ପଳାନ୍ତି ନଭେ

କେତେ ବା ପଡ଼ୁଛନ୍ତି ଅନଳ ଗର୍ଭେ । ୫୫ ।

 

ମୃଗ ମହିଷ ଗଜ ଦଳକୁ ଦଳ

ଶଶ ଶୂକର ଶିବା ଭଲ୍ଳୁକ ପଲ,

ଧୂମପଟଳେ ମଜ୍ଜି ଚାହିଁ ଅନଳେ

ଅଛନ୍ତି କାନ୍ଦିଶୀକ ହୋଇ ବିକଳେ। ୫୬ ।

 

୫୩ । ଶିଖି ଶିଖା – ଅଗ୍ନିର ଶିଖା ।

୫୪ । ତା ପରେ – ତହିଁ ଉତ୍ତାରେ, ତାପରେ – ଉଷ୍ଣତାରେ, ଦହି – ପୋଡ଼ିଦେବା ।

୫୫ । ପତତ୍ରୀ – ପକ୍ଷୀ, ଅନଳ – ଅଗ୍ନି ।

୫୬ । ଶଶ – ଠେକୁଆ, ଶୂକର – ବରାହ, ଶିବା – ବିଳୁଆ, ଭଲ୍ଳୁକ – ଭାଲୁ, କାନ୍ଦିଶୀକ – ଯେ ଭୟରେ ପଲାଇବାକୁ କୌଣସି ଦିଗ ନିର୍ଣ୍ଣୟ କରିପାରେ ନାହିଁ ।

 

ଭୀତ ଚକିତ-ଚିତ୍ତ ପ୍ଳବଙ୍ଗଗଣ

ପଳାନ୍ତି ତରୁଁ ତରୁ କରି ପ୍ଳବନ;

ଶାବକ ଧରି ପୃଷ୍ଠେ କେହି ବା କକ୍ଷେ

ଦଉଡ଼ିଛନ୍ତି ଧୂମେ ସରିତ ଲକ୍ଷେ । ୫୭ ।

 

ସରିତ ସଇକତ ସ୍ରୋତ ଆକୁଳ;

ଭରି ଅଛନ୍ତି ଜନ୍ତୁ ହୋଇ ଆକୁଳ,

ବୋଇଲା ଗୋଦାବରୀ, ‘‘ଦେଖିଲୁ ବତ୍ସେ,

ଦଣ୍ଡକା ଦଶା ତୋର ଛାଡ଼ିବା ପଛେ।’’ । ୫୮ ।

 

ବୋଇଲେ ସତୀ ପର-ଦୁଃଖକାତରା,

‘‘ହା! ହା! ଦଣ୍ଡକା ମୋର କେଳି ପସରା,

ଧନ୍ୟ ହୁଅନ୍ତି କଲେ ସତ୍ୱର ବିଧି

ମୋ’ ନେତ୍ର-ନୀରେ ତୋର ଶାନ୍ତି ବିଧି ।’’ ୫୯ ।

 

ଅଯୋଧ୍ୟା ତହୁଁ ସତୀ ଛାମୁରେ ଦେଖା

କରି ପଡ଼ିଲା ରାଜଲକ୍ଷ୍ମୀର ଲେଖା,

ଶୋକ ଗଦ୍‌ଗଦ ଦୁଃଖ ବିକୃତ ସ୍ୱରେ

କମ୍ପିତ ଓଷ୍ଠେ ଲଜ୍ଜାନତ ଭାଷରେ, । ୬୦ ।

 

‘‘ସଖି, ମୁଁ ନିଶା, ତୁହି ଥିଲୁ କୌମୁଦୀ,

ଗଲୁ ମୋ ନେତ୍ର ଫୁଲ୍ଲ କୁମୁଦି ମୁଦି,

ତୋ ବିନା ନାହିଁ ଆଉ ମୋ ସୁଖ ଲେଶ,

ଧରିଛି ଭୂଷା- ହୀନା ଯୋଷାର ବେଶ। ୬୧ ।

 

୫୭ । ପ୍ଲବଙ୍ଗ – ଯେ ଡେଇଁ ଡେଇଁ ଯାଏ, ମାଙ୍କଡ଼, ପ୍ଳବନ – ଡେଇଁକରି, ଶାବକ – ଛୁଆ, କକ୍ଷେ – କାଖରେ ।

୫୮ । ଆକୁଳ – କୂଳ ପର୍ଯ୍ୟନ୍ତ, ଆକୁଳ – ବିକଳରେ ।

୫୯ । କେଳି ପସରା – କ୍ରୀଡ଼ାସମ୍ଭାର ।

୬୧ । ନିଶା – ରାତି, କୌମୁଦୀ – ଚନ୍ଦ୍ର କିରଣ, କୁମୁଦ – କଇଁଫୁଲ, ଯୋଷା – ସ୍ତ୍ରୀ ।

 

ରାଜଭବନ ଆଜି ହୋଇଛି ବନ

ତୋହୋ ବିରହ ତହିଁ ଦାବଦହନ,

ପ୍ରବେଶି, ସବୁ କରି ଦେଇଛି ନାଶ

ଅଛି କି ଆଉ ପୂର୍ବ ଶୋଭା ବିଳାସ ? । ୬୨ ।

 

ପୋଡ଼ିଛି ସମୁଲ୍ଲାସ ପଲ୍ଲବମୟ

ବିଶାଳ ସାଧୁହୃଦ ପାଦପଚୟ,

ସୁହାସ ସୁବାସିତ କୁସୁମ ବଂଶ

ଆହା ସହଜେ ତହିଁ ହୋଇଛି ଧ୍ୱଂସ !। ୬୩ ।

 

ଶାନ୍ତି-ହରିଣୀ ଯୂଥ ଧଇର୍ଯ୍ୟ-କରୀ

ବିଷାଦ-ଧୂମେ ପ୍ରାଣ ଅସ୍ଥିର କରି,

ତିତିକ୍ଷା ସରିତର ଉଦରେ ଯାଇ

ଆକଣ୍ଠ ଦେଇଛନ୍ତି ତନୁ ମଜ୍ଜାଇ । ୬୪ ।

 

ଖଳ-ହୃଦୟ ବଳବନ୍ତ ଶ୍ୱାପଦ,

ତାଙ୍କୁ ହିଁ ଛାଡ଼ି ନାହିଁ ସେହି ଆପଦ;

ଏକା ଶ୍ରୀରାମ ହୃଦ ସିନ୍ଧୁ ଅତଳ

ଗରଭେ ହୋଇଛି ତା’ ବାଡ଼ବାନଳ । ୬୫ ।

 

ରାହୁ ଗ୍ରାସିଲେ ଯଥା ଚନ୍ଦ୍ରମାଗାତ୍ର,

ତୋ ବିନା ଅଛି ନୃପ ଆକାର ମାତ୍ର;

ପୂରିଛି ତମ ମଣିମୟ ଭବନେ

ଜୀମୂତ ଯଥା ତାରାପୂର୍ଣ୍ଣ ଗଗନେ । ୬୬ ।

 

୬୪ । ତିତିକ୍ଷା – ଧୈର୍ଯ୍ୟ, ସହିଷ୍ଣୁତା ।

୬୫ । ଶ୍ୱାପଦ – ହିଂସ୍ରଜନ୍ତୁ, ଆପଦ – ବିପଦ ।

୬୬ । ତମ – ଦୁଃଖର ଅନ୍ଧକାର, ଜୀମୂତ – ମେଘ ।

 

ବିଦୀର୍ଣ୍ଣ ହୃଦେ ଛନ୍ତି ଶାଶୁଏ ବସି,

ସଲିଳ ଶୁଖିଗଲେ ଯଥା ସରସୀ;

ଫଣିନୀ ପ୍ରାଣଧନ ଯେସନ ମଣି,

ତହୁଁ ଅଧିକ ତୋତେ ଥାଆନ୍ତି ମଣି । ୬୭ ।

 

କପାଟ ପଡ଼ିଅଛି ପ୍ରମଦ-ବନେ,

ଫୁଲ ବା ପଡ଼ୁଅଛି କାହା ନୟନେ ?

ମୁସ୍ତକେ ଉଠି ଗନ୍ଧ ବଣିକ ସାଜି

ଶୁଖାଉଛନ୍ତି ଚ୍ୟୁତ କୁସୁମ ରାଜି । ୬୮ ।

 

ବଲ୍ଲୀ ବିଟପି ବୀଥି ହୋଇ ଅସୁଖୀ

ତୋତେ ସୁମରି ଯାଉଅଛନ୍ତି ଶୁଖି;

ଶଙ୍ଖମର୍ମର ମୟ ରମ୍ୟ ପଥରେ

ଆସନ କରୁଛନ୍ତି ଶୁଷ୍କ ପତରେ, । ୬୯ ।

 

ଦେବରମାନେ ମାନି ପ୍ରଭୁଙ୍କ କଥା

ବିଷାଦଭରେ ଛନ୍ତି ନୁଆଇଁ ମଥା ।

ମନ୍ତ୍ରେ ନିହତ ବୀର୍ଯ୍ୟ ଯଥା ଭୁଜଙ୍ଗ,

ଅଥବା ତୀକ୍ଷ୍‌ଣ ଶୃଣି ଭୀତ ମାତଙ୍ଗ । ୭୦ ।

 

୬୭ । ବିଦୀର୍ଣ୍ଣ – ବିଶେଷ ଭାବରେ କ୍ଷତବିକ୍ଷତ, ସରସୀ – ନଦୀ, ଫଣିନୀ – ସର୍ପ ।

୬୮ । ପ୍ରମଦ – ଆନନ୍ଦ, ହର୍ଷ, କପାଟ – ବାଡ଼, କବାଟ, ମୁସ୍ତକ – ଦୁବଘାସ, ଗନ୍ଧ ବଣିକ – ସୁଗନ୍ଧ ବସ୍ତୁର ବେପାରୀ, ଚ୍ୟୁତ କୁସୁମ – ସ୍ଥାନଭଷ୍ଟ ଫୁଲ ।

୬୯ । ବଲ୍ଳୀ – ଲତା, ବିଟପୀ ବୀଥି – ପଲ୍ଳବ ସମୂହ ।

୭୦ । ଦେବର – ଦିଅର, ମନ୍ତ୍ରେ – ମନ୍ତ୍ର ପ୍ରଭାବରେ, ନିହତ ବୀର୍ଯ୍ୟ – ବଳହୀନ, ଭୁଜଙ୍ଗ – ସର୍ପ, ଶୃଣି – ଅଙ୍କୁଶ, ମାତଙ୍ଗ – ହସ୍ତୀ ।

 

ଭଗିନୀମାନଙ୍କର ଗଣ୍ଡ ମଣ୍ଡଳ

ନିର୍ଭର କରୁଅଛି କର-କମଳ,

ହେଉଛି ଦିନୁଦିନ ତାହାଙ୍କ ତନୁ

ଅଶିତ ପକ୍ଷ ଚନ୍ଦ୍ର ସଦୃଶ ତନୁ । ୭୧ ।

 

ସଙ୍ଗୀତ-ସଙ୍ଗିନୀଏ ମୁରଜ ମୁଖ

ନ ଛୁଇଁ ନିଜେ ହୋଇଅଛନ୍ତି ମୂକ;

ଦାସୀଏ ତୋର ବାସି କୁସୁମ ପରି

ପ୍ରଗାଢ ଦୁଃଖେ ଛନ୍ତି ଜୀବନ ଧରି।’’ । ୭୨ ।

 

ନ ସାରି ପତ୍ରପାଠ ମ୍ଳାନ ରୂପସୀ

ଅଯୋଧ୍ୟା ଅବଶରେ ପଡ଼ିଲା ବସି;

ଜାନକୀ ଦୟାବତୀ ଦେଖି ତା’ ଦଶା

କ୍ଷୋଭ ସନ୍ତାପେ ଆପେ ହେଲେ ବିବଶା । ୭୩ ।

 

ହୋଇଆସିଲା ଏବେ ଦିବାବସାନ

ଅତିଥି ବାହୁଡ଼ିଲେ ଯେ’ ଯାହା ସ୍ଥାନ;

ତାପସୀମାନେ ନେଇ ସତୀଙ୍କି ରଙ୍ଗେ

ନିରତ ହେଲେ ନିଜ ନିଜ ପ୍ରସଙ୍ଗେ । ୭୪ ।

 

୭୧ । ତନୁ – ଶରୀର, ତନୁ – କ୍ଷୀଣ, ଅଶିତ ପକ୍ଷ ଚନ୍ଦ୍ର – କୃଷ୍ଣପକ୍ଷର ଚନ୍ଦ୍ର ପରି ।

୭୨ । ମୁରଜ – ବାଦ୍ୟ ବିଶେଷ ।

୭୩ । ବିବଶା – ଆବଶ, ଆର୍ତ୍ତ ।

୭୪ । ଦିବାବସାନ – ସନ୍ଧ୍ୟା, ନିରତ – ନିଯୁକ୍ତ, ନିଜ ନିଜ ପ୍ରସଙ୍ଗେ – ନିଜ ନିଜ କାର୍ଯ୍ୟରେ ।

 

ନବମ ସର୍ଗ

(ନଟବାଣୀ)

ସତୀ ଗର୍ଭଭାର ଉତ୍ତର ଉତ୍ତର,

ଗୁରୁତମ ହେଲା ଲଙ୍ଘି ଗୁରୁତର । ୧ ।

ବସିଥିଲେ ହେଲା ଉଠିବା ଦୁଷ୍କର,

ଉଠିଲେ ଦୁର୍ବହ ହେଲା କଳେବର । ୨ ।

 

ଏକାଳେ ସତୀଙ୍କି ହେବ ବୋଲି କଷ୍ଟ,

ବର୍ଷା ଆସି କଲା ନିଦାଘ ବିନଷ୍ଟ । ୩ ।

ଅବସନ୍ନ ପ୍ରାଣେ ଦେବା ପାଇଁ ବଳ

ଚୌଦିଗେ ଉଠିଲେ ଜଳଦପଟଳ । ୪ ।

 

ଊର୍ଦ୍ଧ୍ୱଦିଗେ ରୋଧ କରି ସୂର୍ଯ୍ୟାତପ,

ଟାଣିଦେଲେ ନଭେ ଶ୍ୟାମ ଚନ୍ଦ୍ରାତପ । ୫ ।

ଚନ୍ଦ୍ରାତପ ପ୍ରଭା ବିଦ୍ୟୁତ ଝଲକେ,

ଚମକାଇଦେଲା ନୟନ ପଲକେ । ୬ ।

 

୧ । ଉତ୍ତର ଉତ୍ତର – ଅଧିକରୁ ଅଧିକ ।

୨ । ଦୁଷ୍କର – ଅତି କଷ୍ଟସାଧ୍ୟ, ଦୁର୍ବହ – ଯାହା ସହିବା କଷ୍ଟ, କଳେବର – ଶରୀର ।

୩ । ନିଦାଘ – ଗ୍ରୀଷ୍ମକାଳ ।

୪ । ଅବସନ୍ନ – କ୍ଲାନ୍ତ ।

୫ । ଶ୍ୟାମ ଚନ୍ଦ୍ରାତପ – ମେଘର କଳା ଚାନ୍ଦୁଆ ।

 

ଦିଗଙ୍ଗନାମାନେ ସାଜି ନୀଳ-ବେଣୀ,

ମଣ୍ଡିଦେଲେ ତହିଁ ବକ-ମୁକ୍ତା ଶ୍ରେଣୀ । ୭ ।

ରତ୍ନାକରୁଁ ରତ୍ନ-ରେଣୁ ଉତ୍ତୋଳନ,

କରି ଦିଗପାଳେ ମଣ୍ଡଳେ ତୋରଣ । ୮ ।

 

ସ୍ୱାର୍ଥପରବଶେ ଲଜ୍ଜା ତେଜି ମନୁ,

ବାସବ ବୋଇଲେ ତାହା ମୋର ଧନୁ । ୯ ।

ନ ସହି ବୋଇଲେ ରତ୍ନାକର ପତି,

ମୋ ରତ୍ନେ ନିର୍ମିତ ରହିବ ମୋ’ କତି । ୧୦ ।

 

ଅନ୍ୟ ଦିଗପାଳେ ସାଧୁଧର୍ମ ପାଳି,

କରିଦେଲେ ତାଙ୍କୁ ବେଳେ ବେଳେ ପାଳି । ୧୧ ।

ସୁତା ଦୁଃଖ ତାପେ ତପ୍ତା ଅବନୀର

ମସ୍ତକେ ବରଷା ଢାଳିଦେଲା ନୀର । ୧୨ ।

 

ନଦୀ ସର ବନ ପର୍ବତ ନ ବାରି

ସମସ୍ତଙ୍କ ଶିରେ ଢାଳିଦେଲା ବାରି । ୧୩ ।

ତୃଣ ଶସ୍ୟାଙ୍କୁର କଦମ୍ୱ ବିକାଶ

ରୂପେ ହେଲା ମହୀ ପୁଲକ ପ୍ରକାଶ । ୧୪ ।

 

ବସୁମତୀ ବକ୍ଷ ହେଲା ଜଳମୟ,

ତମସା ବହିଲା ମାଡ଼ି କୂଳଦ୍ୱୟ । ୧୫ ।

ଜାନକୀଙ୍କି ଚାହିଁ ଆସନ୍ନ-ପ୍ରସବା

ହୃଦେ ତାଙ୍କ ମୁଦ ଉଛୁଳିଲା ଅବା । ୧୬ ।

 

୮ । ରତ୍ନାକର – ସମୁଦ୍ର, ତୋରଣ – ସିଂହଦ୍ୱାର, ଦିଗପାଳ – ଦିଗମାନଙ୍କର ରକ୍ଷକ ।

୯ । ବାସବ – ଇନ୍ଦ୍ର (ପୂର୍ବ ଦିଗପାଳ)

୧୦ । ରତ୍ନାକର ପତି – ବରୁଣ (ପଶ୍ଚିମ ଦିଗପାଳ)

୧୪ । ମହୀ – ପୃଥିବୀ, ପୁଲକ – ଆନନ୍ଦ ।

୧୬ । ମୁଦ – ଆନନ୍ଦ ।

 

 

ହୃଦ –ବହ୍ନି ତେଜି ପର୍ବତ କାନନ

ତନୁ ମାଜି ହେଲେ ପ୍ରଫୁଲ୍ଲ ଆନନ । ୧୭ ।

କେତକୀ କଣ୍ଟକ ଦୁର୍ଗ ନିବାସିନୀ

କଣ୍ଟକ ବିଗ୍ରହେ ହୋଇ ସୁହାସିନୀ । ୧୮ ।

 

କହିଲା ପରା ସେ, ବିପଦ ବନରେ

ବିବଦ୍ଧା ବୈଦେହି, ନ ଭାବ ମନରେ । ୧୯ ।

କଣ୍ଟକ ବନେ ମୁଁ ନିଜେ କଣ୍ଟକିତ,

ବାସ ଯୋଗୁଁ ହୁଏଁ ଭୁବନ-ପୂଜିତ। ୨୦ ।

 

ତାପସୀ ଗହନେ ହୋଇ ତପସ୍ୱିନୀ,

ଲୋକପୂଜନୀୟା ହେବୁ ମନସ୍ୱିନି ! ୨୧ ।

କି କରିବ ଲୋକ ଲୋଚନ ଦୂଷଣ,

ନିଜ ଗୁଣ ଯେବେ ସ୍ୱର୍ଗୀୟ ଭୂଷଣ। ୨୨ ।

 

କଣ୍ଟା ଦେଖି ଆଳି ନ କଲେ ଶରଧା,

ମୁଁ ନିକି ଛାଡ଼ିବି ସୌରଭ ସ୍ପରଧା ? ୨୩ ।

ଚାରୁ କୃଷ୍ଣଚୂଡ଼ା ଫୁଟି ସୁଶୋଭନ

ବେଶେ କଲା ମନନେତ୍ର ପ୍ରଲୋଭନ । ୨୪ ।

 

ବସନ୍ତ କାଳରୁ ଥାଇ ଗଜଦନ୍ତ

ପ୍ରାବୃଟକୁ ଦେଲା କୁସୁମ ଉଦନ୍ତ । ୨୫ ।

କମଳ ମଲ୍ଲିକା କୁଟଜ ବିଷୟ

ପ୍ରୀତିପ୍ରଦ ହେଲା ତହିଁ ଅତିଶୟ । ୨୬ ।

 

୧୭ । ହୃଦ ବହ୍ନି – ଗ୍ରୀଷ୍ମକାଳରେ ପାହାଡ଼ରେ ଜଳୁଥିବା ଅଗ୍ନି ।

୧୯ । ବିବନ୍ଧା – ଆବଦ୍ଧ ।

୨୧ । ଲୋକ ପୂଜନୀୟା – ଜଗତ ବନ୍ଦନୀୟା, ମନସ୍ୱିନୀ – ଉଦାରଚେତା ।

୨୩ । ଅଳି – ଭ୍ରମର, ସୌରଭ – ସୁବାସ ।

୨୫ । ଗଜଦନ୍ତ – ରଜନୀଗନ୍ଧା, ପ୍ରାବୃଟ – ବର୍ଷାକାଳ, ଉଦନ୍ତ – ସମ୍ବାଦ ।

 

ରତ୍ନମଣି ତାଙ୍କୁ ଯତ୍ନ କଲା ନିତି,

କିନ୍ତୁ କେ ଲଙ୍ଘିବ ବିଧାତାର ନୀତି ? ୨୭ ।

ରଖି ନ ପାରିଲା ବର୍ଷା ନିଜ ବଳେ,

ତିନିହେଁ ପଡ଼ିଲେ କାଳର କବଳେ । ୨୮ ।

 

ଏଥି ହେଲା ଏହା ସତୀଙ୍କର ଜ୍ଞେୟ,

ଆଜୀବନ ସାଧୁ ନୁହେଁ ଅବଜ୍ଞେୟ, ୨୯ ।

କୁସୁମ ମଣ୍ଡନେ ବାର୍ଷିକ ଉତ୍ସବ

ଅନୁଷ୍ଠାନ କଲେ ଯୂଈ ଲତା ସର୍ବ । ୩୦ ।

 

ସତେ କି ସତୀଙ୍କ ଚିତ୍ତ ବିନୋଦନ

ନିମିତ୍ତ ନିର୍ମିତ ସୁରଭି ସଦନ । ୩୧ ।

ଘନ-ନୀଳାମ୍ୱରା ଶ୍ରାବଣୀ ରଜନୀ

କରେ ଶିରେ ଧରି ଯୂଥିକା ରଜନୀ । ୩୨ ।

 

ଉଭାହୋଇ ସତୀ କୁଟୀର ପ୍ରାଙ୍ଗଣେ

ଉଜାଗରେ ଥାଏ ବେଦନା ହରଣେ । ୩୩ ।

ବଇଦେହୀଙ୍କର ପ୍ରସବ ଲକ୍ଷଣ

ପ୍ରକାଶିତ ହେଲା ଆସି କ୍ଷଣ କ୍ଷଣ । ୩୪ ।

 

ସତୀ କଷ୍ଟ ବହି ରାବିଲେ ଅଦୂରେ

ଅତି ଆର୍ତ୍ତସ୍ୱରେ ବିକଳେ ଦର୍ଦ୍ଦୁରେ । ୩୫ ।

ସତୀ ତୃଷ୍ଣା ନେଇ ଚାତକ ଗଗନେ

ଘନ ଘନ ଜଳ ଭିକ୍ଷା କଲା ଘନେ । ୩୬ ।

 

୨୯ । ଅବଜ୍ଞେୟ - ଖାତିର୍‍ର ଅଯୋଗ୍ୟ ।

୩୧ । ବିନୋଦନ – ଆନନ୍ଦ ପ୍ରଦାନ, ନିମିତ୍ତ – ପାଇଁ ।

୩୨ । ଶ୍ରାବଣୀରଜନୀ – ବର୍ଷାକାଳର ରାତି, ରଜନୀ – ଗଜଦନ୍ତ ପୁଷ୍ପ, ଯୂଥିକା – ଯୂଇଫୁଲ ।

୩୩ । ଉଜାଗର – ଅନିଦ୍ରା ହୋଇ, ହରଣ – ଦୂରକରିବା, ବେଦନା – ଦୁଃଖ ।

୩୫ । ଅଦୂରେ – ଅଳ୍ପଦୂରରେ, ଆର୍ତ୍ତସ୍ୱରରେ – ବିକଳ ସ୍ୱରରେ, ଦର୍ଦ୍ଦୂରେ – ବେଙ୍ଗମାନେ ।

 

ବୃଦ୍ଧା ତାପସୀଏ ସତୀ ସନ୍ନିଧାନେ

ଲାଗିଥାନ୍ତି କାଳ ଉଚିତ ବିଧାନେ । ୩୭ ।

ନିଶୀଥରେ ନିଶାମଣି ଦ୍ୟୁତିହର

ଜନ୍ମିଲେ ସତୀଙ୍କ ଯମଜ କୁମର । ୩୮ ।

 

କୁମାରଙ୍କ ତେଜ ବିଦ୍ୟୁତ ସହିତ

ମିଶି ଦଶ ଦିଗ କଲା ଆଲୋକିତ । ୩୯ ।

ହରଷେ ବାସବ କଲେ ତୋପଧ୍ୱନି,

ନ ଜାଣିଲା ଲୋକେ ବୋଇଲେ ଅଶନି । ୪୦ ।

 

ଦିଗଙ୍ଗନାଙ୍କର ହୁଳହୁଳି ସଙ୍ଗେ

ଘନ ଘଡ଼ଘଡ଼ି ମିଶିଗଲା ରଙ୍ଗେ । ୪୧ ।

ଗିରିବନ ହେଲେ କୁସୁମ ବରଷୀ,

ନାଚିଲେ କେଦାର, ସରିତ, ସରସୀ । ୪୨ ।

 

ସତୀ କୁମାରଙ୍କ ଦର୍ଶନଲୋଲୁପ

ଜୀମୂତେ ଖସିଲେ ଧରି ଧାରା ରୂପ । ୪୩ ।

ଦରଶନ ଲୁବ୍‌ଧ ହୃଦ ଉଦବେଗେ

କୂଳକୁ ଉଠିଲେ ନଦୀକୁଳ ବେଗେ । ୪୪ ।

 

୩୬ । ଘନ ଘନ – ବାରମ୍ୱାର, ଘନେ – ମେଘମାନଙ୍କୁ ।

୩୭ । ସନ୍ନିଧାନେ – ନିକଟରେ ।

୩୮ । ନିଶୀଥ – ଅର୍ଦ୍ଧରାତ୍ରି, ନିଶାମଣି – ଚନ୍ଦ୍ର, ଦ୍ୟୁତି – ତେଜ । ଯମଜ – ଯାଆଁଳା ।

୪୦ । ବାସବ – ଇନ୍ଦ୍ର, ଅଶନି – ବଜ୍ର ।

୪୧ । ଦିଗଙ୍ଗନା – ଦିଗସୁନ୍ଦରୀ ।

୪୨ । କେଦାର – ଶସ୍ୟକ୍ଷେତ୍ର, ସରିତ – ନଦୀ, ସରସୀ – ଶୁଷ୍କରିଣୀ ।

 

ସାଗର ବରଜି ପୃଥୁରୋମାଗଣ

ନଦୀ ସଙ୍ଗେ ହେଲେ ନୃତ୍ୟପରାୟଣ । ୪୫ ।

ହ୍ରଦ ସରୋବର କ୍ଷେତ୍ର ଜଳ ପୃଷ୍ଠେ

ଉଠି ମୀନଗଣ ନୃତ୍ୟ କଲେ ହୃଷ୍ଟେ । ୪୬ ।

 

ସମସ୍ତଙ୍କୁ ବଳି ଦର୍ଶନେ ଆକୁଳ

କେଉଁ ଉଠିଗଲା ତାଳତରୁ ଚୂଳ । ୪୭ ।

ବାଲ୍ମିକି ମହର୍ଷି ଆସି ତତ୍‍କ୍ଷଣ

କୁମାରଯୁଗଙ୍କୁ କଲେ ସନ୍ଦର୍ଶନ । ୪୮ ।

 

ଭାବିଲେ ଏ ଗୁରୁ ଶୁକ୍ର ଗ୍ରହ ଦ୍ୱୟ

ଏକତ୍ର ଆଶ୍ରମ ଆକାଶେ ଉଦୟ । ୪୯ ।

ମହର୍ଷି ହୃଦୟ ପ୍ରଭାତର ପରି,

ଆନନ୍ଦ କୁସୁମ ବାସେ ଗଲା ଭରି । ୫୦ ।

 

କୁଶଗୁଚ୍ଛ ମୁନିବର ହସ୍ତେ ଘେନି

ମନ୍ତ୍ରି ଅଗ୍ର ଅଧ କଲେ ଖଣ୍ଡ ବେନି । ୫୧ ।

ଅନୁକମ୍ପା କରେ କରି ସମର୍ପଣ

ବୋଇଲେ, ଶିଶୁଙ୍କୁ କର ସମ୍ମାର୍ଜନ। ୫୨ ।

 

ଅଗ୍ରଜେ ପ୍ରୟୋଗ ଅଗ୍ରଭାଗ କର,

ଅଧୋଭାଗେ ତନୁ ମାଜ ଅନୁଜର। ୫୩ ।

କଲେ ଅନୁକମ୍ପା ମୁନି ଆଜ୍ଞାମତେ

ଭୂତ-ବିନାଶିନୀ ରକ୍ଷା ସେହିମତେ । ୫୪ ।

 

୪୫ । ପୃଥିରୋମା – ମତ୍ସ୍ୟ ।

୪୬ । ହୃଷ୍ଟେ – ଆନନ୍ଦରେ ।

୪୯ । ଗୁରୁ – ବୃହଷ୍ପତି ।

୫୨ । ସମାର୍ଜନ – ଶୋଧନ ।

୫୩ । ଅଗ୍ରଜ – ଯେ ଆଗ ଜନ୍ମ ହୋଇଛି, ବଡ଼, ଅନୁଜ – ପଛରେ ଯେ ଜନ୍ମ ହୋଇଛି, ସାନ ।

 

କୁଶ ଲବ ଯୋଗେ ସମ୍ମାର୍ଜିତ ତନୁ

ସମୁଜ୍ଜ୍ୱଳ ହେଲା ଶାଣିତ ରତନୁ । ୫୫ ।

ତୃଣ ସହଯୋଗେ ଯଥା ବୃହଦ୍ଭାନୁ,

ଅବା ସିନ୍ଧୁ-ବୀଚି ମୁକ୍ତ ନବ ଭାନୁ । ୫୬ ।

 

ଜାନକୀ ଅନାନ୍ତେ କୁମରଙ୍କ ମୁଖ,

ହୃଦେ ଆସି ହେଲେ ସୁଖ ସଙ୍ଗେ ଦୁଃଖ । ୫୭ ।

ସୁଖ ବୋଇଲା, ଏ ସୂର୍ଯ୍ୟ ଚନ୍ଦ୍ର ପରି

ନନ୍ଦନଯୁଗ ଯେ ଗର୍ଭେ ଥିଲା ଧରି, ୫୮ ।

 

ଧନ୍ୟ ଧନ୍ୟ ସେହୁ ଶତବାର ଧନ୍ୟ,

ଏଥୁଁ ବଳି ଭାଗ୍ୟ ଭବେ ନାହିଁ ଅନ୍ୟ । ୫୯ ।

ଦୁଃଖ ବୋଇଲା, ଏ ନରେନ୍ଦ୍ର କୁମରେ

ଶୋଭିଥାନ୍ତି ଆଜି ମଣିମୟ ଘରେ । ୬୦ ।

 

ହୋଇଥାନ୍ତେ, ନୃପ ହୃଦ ଆନନ୍ଦନ,

ଦୀନ ଦୁଃଖୀଙ୍କର ଦାରିଦ୍ର୍ୟ ଖଣ୍ଡନ । ୬୧ ।

କେତେ ଧନ ରତ୍ନ ବସନ ଭୂଷଣ

ପାଇଥାନ୍ତେ, ଆଜି ପୁରବାସୀଗଣ । ୬୨ ।

 

ପୁର ପୂରୁଥାନ୍ତା ମଙ୍ଗଳ ନାଦରେ,

ନଭ ପୂରୁଥାନ୍ତା ମଙ୍ଗଳ ବାଦ୍ୟରେ । ୬୩ ।

ଭାଗ୍ୟ ଦୋଷେ ଆହା ତାପସ ତନୟ

ରୂପେ ଆଶ୍ରା କଲେ ତାପସ ଆଳୟ । ୬୪ ।

 

ସତୀ ନେତ୍ରୁଁ ବେନି ଧାର ଜଳ ନେଇ

ଚାଲିଗଲା ଦୁଃଖ ସୁତ ସ୍ନେହ ଦେଇ । ୬୫ ।

କୁମାରଙ୍କ ରୂପେ ସତୀଙ୍କ ହୃଦୟ

ହୋଇଗଲା ତହୁଁ ଶୁଦ୍ଧ ସୁଖମୟ । ୬୬ ।

 

୫୫ । କୁଶଗୁଚ୍ଛକୁ ଦୁଇଖଣ୍ଡ କଲେ ଅଗ୍ରଭାଗକୁ କୁଶମୁଷ୍ଟି ଏବଂ ନିମ୍ନଖଣ୍ଡକୁ ଲବ ବୋଲାଯାଏ ।

୫୬ । ବୃହଭାନୁ – ଅଗ୍ନି ।

୬୩ । ପୁର – ଅଯୋଧ୍ୟାର ରାଜପ୍ରାସାଦ ।

୬୪ । ତାପସ ଆଳୟ – ବାଲ୍ମୀକିଙ୍କ ଆଶ୍ରମ ।

 

କୁମାରଙ୍କ ବିନା ଅନ୍ୟତ୍ର ନୟନ

ଚାଲିବାକୁ ଲେଶେ ହେଲା ନାହିଁ ମନ। । ୬୭ ।

ଜନନୀ ନେତ୍ରଜ ସ୍ନେହୋଜ୍ୱଳ ରଙ୍ଗ

ରଞ୍ଜି ମୁହୁର୍ମୁହୁ କୁମାରଙ୍କ ଅଙ୍ଗ, । ୬୮ ।

 

ସେ ନେତ୍ରେ ଆଣିଲା ପ୍ରତୀତି ଏମନ୍ତ,

ସତେ ଆବିର୍ଭୂତ ନବ ପୁଷ୍ପବନ୍ତ । ୬୯ ।

ମନରେ ଆନନ୍ଦ ସ୍ଥାପି ସିଂହାସନ

ପ୍ରକାଶିଲା ନିଜ ସାର୍ବଭୌମପଣ । ୭୦ ।

 

କୁମାରଙ୍କ ନାଭି ଚ୍ଛେଦନ ସତ୍ୱର,

କଲେ ଅନୁକମ୍ପା ହୋଇ ହର୍ଷଭର । ୭୧ ।

ତଦୁତ୍ତାରେ ମନ୍ତ୍ର-ପୂତ ଜଳେ ସ୍ନାନ

କରାଇ ବିହିଲେ ସକଳ ବିଧାନ । ୭୨ ।

 

କୁମାରଙ୍କୁ ଚାହିଁ ତାପସୀ ମଣ୍ଡଳ

ଆନନ୍ଦ ଗଦ୍‌ଗଦେ କଲେ କୋଳାହଳ । ୭୩ ।

ଦଳ ଦଳ ମୁନି କୁମାର ନର୍ତ୍ତନେ

ଲାଗିଲେ ଶ୍ରୀରାମ ନାମ ସଂକୀର୍ତ୍ତନେ । ୭୪ ।

 

ଦୁର୍ଦ୍ଧର୍ଷ ଦୁର୍ଜୟ ଲବଣ ଅସୁର

ବିନାଶନ ଅର୍ଥେ ଶତ୍ରୁ ଘନ ଶୂର । ୭୫ ।

ଯିବା ପଥେ ସେହି ରାତ୍ରେ ଦୈବକ୍ରମେ

ରହିଥିଲେ ପତ ବାଲ୍ମୀକି ଆଶ୍ରମେ । ୭୬ ।

 

୬୯ । ପ୍ରତୀତି – ବିଶ୍ୱାସ, ଜ୍ଞାନ, ପୁଷ୍ପବନ୍ତ – ଚନ୍ଦ୍ରସୂର୍ଯ୍ୟ ।

୭୦ । ସାର୍ବଭୌମ – ଚକ୍ରବର୍ତ୍ତୀ ।

୭୫ । ଦୁର୍ଦ୍ଧର୍ଷ – ଦୁର୍ଜୟ – ପ୍ରବଳ ପରାକ୍ରାନ୍ତ ଓ ଅସାଧ୍ୟ, ଲବଣ ଅସୁର – ଲବଣାସୁର ମଧୁରାକ୍ଷସର ପୁତ୍ର । ଶିବଙ୍କଦତ୍ତ ତ୍ରିଶୂଳ ପ୍ରାପ୍ତ ହୋଇ କ୍ଷତ୍ରିୟକୁଳ ଧ୍ୱଂସ କଲା ଏବଂ ମୁନିଋଷିମାନଙ୍କୁ ପୀଡ଼ା ପ୍ରଦାନ କଲା । ରାମଚନ୍ଦ୍ରଙ୍କ କନିଷ୍ଠ ଶତ୍ରୁଘ୍ନ ସେହି ରାକ୍ଷସକୁ ମଧୁବନରେ ନିହତ କଲେ । ଲବଣରାକ୍ଷସ ପ୍ରତିଷ୍ଠା କରିଥିବା ମଧୁପୂରୀ ପରେ ମଥୁରା ହେଲା ବୋଲି କୁହାଯାଇଥାଏ । ଶୂର – ବୀର ।

 

ଆଶ୍ରମର ସେତ ଆନନ୍ଦ ନାଦରେ

ମଜ୍ଜିଗଲେ ଆପେ ଆନନ୍ଦ ନାଦରେ । ୭୭ ।

ସତୀଙ୍କି ପ୍ରଶଂସି ବୋଇଲେ ଉତ୍‌ଫୁଲ୍ଲେ,

‘‘ଅଟ ମା, ପାବନୀ ତୁମ୍ଭେ ରଘୁକୁଳେ । ୭୮ ।

 

ଜନନୀ ତୁମ୍ଭର ଯେଣୁ ସର୍ବଂସହା,

ନିଜେ ଅଟ ମା ଗୋ, ତେଣୁ ସର୍ବଂସହା । ୭୯ ।

ବସୁମତୀ ସୁତେ, ନିଜ ଗର୍ଭେ ବସୁ

ଥୋଇଥିଲ ଏକା ଆମ୍ଭ ଭାଗ୍ୟବଶୁଁ । ୮୦ ।

 

ଯେଉଁ ବସୁ ଆଜି ଦେଲ ରଘୁକୁଳେ,

ଶୋଭିବ ଅଯୋଧ୍ୟା ରାଜଲକ୍ଷ୍ମୀ ଚୂଳେ।’’ ୮୧ ।

ମୁନି କୁମାରଙ୍କ ଆନନ୍ଦ ଚହଳେ

ଯୋଗଦେଲେ ଖଗ ମୃଗ ଦଳେ ଦଳେ । ୮୨ ।

 

ଶ୍ରାବଣୀ ବାର୍ଷିକୀ ଭୀମା ବିଭାବରୀ

ଶେଷ ହୋଇଗଲା ମୁହୂର୍ତ୍ତକ ପରି । ୮୩ ।

ଲବଣ ଉଦ୍ଦେଶେ ସୁମିତ୍ରା ନନ୍ଦନ

ବିଜେ କଲେ କରି ମୁନିଙ୍କି ବନ୍ଦନ । ୮୪ ।

 

ଦ୍ରବ୍ୟେ ତୋଷିବାକୁ ତାପସୀ ତାପସ

ସ୍ୱଭାବେ ଚଳିଲା ସତୀଙ୍କ ମାନସ । ୮୫ ।

ସତୀଙ୍କର ମନ ଅନୁରୂପ ଧନ

କାହିଁ ? ସେ ତ ଆସି ଆଶ୍ରିଛନ୍ତି ବନ । ୮୬ ।

 

୭୬ । ପୂତ – ପବିତ୍ର ।

୭୮ । ପାବନୀ – ପବିତ୍ରକାରିଣୀ ।

୭୯ । ସର୍ବଂସହା – ପୃଥିବୀ, ସର୍ବଂସହା – ଯେ ସବୁ ସହ୍ୟ କରେ ।

୮୦ । ବସୁମତୀ – ପୃଥିବୀ, ବସୁ – ଗଣଦେବତା ବିଶେଷ ।

୮୧ । ବସୁ – ରତ୍ନ ।

୮୩ । ବିଭାବରୀ – ରାତ୍ରି ।

 

ଚନ୍ଦ୍ରିକା ବାଞ୍ଛଇ ତୋଷିବ ଜଗତ,

କିନ୍ତୁ ଗଗନରେ ମେଘ ଉପଗତ । ୮୭ ।

ଯେତେବେଳେ ସତୀ ଆସିଲେ ଭବନୁ,

ମନେ ଥିଲା ଜବେ ବାହୁଡ଼ିବେ ବନୁ । ୮୮ ।

 

ମୁନି କୁମାରୀଙ୍କ ପାଇଁ ଉପହାର

ଆଣିଥିଲେ କିଛି, ବାସ ଅଳଙ୍କାର । ୮୯ ।

ତା’ କରି ସଲଜ୍ଜେ ବିନୟେ ବଣ୍ଟନ

ତୋଷିଲେ ତାପସ ତାପସୀଙ୍କ ମନ । ୯୦ ।

 

ହୃଦ ସିନ୍ଧୁ ତାଙ୍କ ବିଧୁ କର ପରି

ଲଭି ତା ମେଲିଲା ଆନନ୍ଦ ଲହରୀ । ୯୧ ।

ସଞ୍ଚିଥିଲେ ଯାହା ଫଳ ତୃଣ ଧାନ୍ୟ

କୁରଙ୍ଗେ ବିହଙ୍ଗେ କଲେ ସମ୍ପ୍ରଦାନ । ୯୨ ।

 

 

ଭୁଞ୍ଜିଲେ ସେମାନେ ଟଣାଟଣି କରି,

କେତେ ପକ୍ଷୀ ଉଡ଼ିଗଲେ ଥଣ୍ଟେ ଧରି । ୯୩ ।

ସାର ଶାବେ ଥିଲେ ନୀଡ଼େ ମେଲି ପାଟି,

ଜନନୀ ଆହାର ଦେଲା ତାଙ୍କୁ ବାଣ୍ଟି । ୯୪ ।

 

ମୟୁର ମୟୁରୀ କରି ହର୍ଷ ରବ

ପାଦପ ଉପରେ ରଚିଲେ ତାଣ୍ଡବ । ୯୫ ।

ଦ୍ୱୀପ ଦ୍ୱୀପାନ୍ତରେ କୋକିଳ ପ୍ରଚାର

କଲାଯାଇ ସେହି ଶୁଭ ସମାଚାର । ୯୬ ।

 

୮୬ । ଆଶ୍ରିଛନ୍ତି – ଆଶ୍ରୟ ଗ୍ରହଣ କରିଛନ୍ତି ।

୮୭ । ଉପଗତ – ଉପସ୍ଥିତ ।

୯୨ । ତୃଣାଧାନ୍ୟ – ନୀବାର, ବାଳୁଙ୍ଗାଧାନ, କୁରଙ୍ଗ – ହରିଣ, ବିହଙ୍ଗ – ପକ୍ଷୀ ।

୯୫ । ତାଣ୍ଡବ – ନୃତ୍ୟ ।

 

କୈଳାସେ ଦେବାକୁ ସେ ଶୁଭ ସମ୍ୱାଦ

ରାଜହଂସ ଗଲା କରି ହର୍ଷ ନାଦ । ୯୭ ।

ଜନମାଇବାକୁ ଗଉରୀ ପ୍ରତ୍ୟୟ

ପତ୍ର ଧରିଥାଏ ବିସ କିଶଳୟ । ୯୮ ।

 

ସେ ସମ୍ୱାଦେ ଭରି ହୃଦୟେ ଉଲ୍ଲାସ,

ହରଙ୍କୁ ଜଣାଇ ତେଜି କଇଳାସ, । ୯୯ ।

ସତୀ, ହସ୍ତ ପଜା ଘେନିବା ଲାଳସେ,

ଷଷ୍ଠୀଦେବୀ ରୂପେ ଗୌରୀ ବିହାୟସେ । ୧୦୦ ।

 

କାଦମ୍ୱିନୀ ସଙ୍ଗେ ଇରମ୍ମଦ ଛଳେ

ବାଲ୍ମୀକି ଆଶ୍ରମେ ଆସିଲେ ଚଞ୍ଚଳେ । ୧୦୧ ।

ସପତ ତାପସ କୁମାରୀଙ୍କ କାୟେ

ବିରାଜି ସପତ ମାତୃକା ପରାଏ । ୧୦୨ ।

 

ଷଷ୍ଠ ଦିବସରେ ସତୀ ହସ୍ତ ପୂଜା

ସାଗ୍ରହେ ଗ୍ରହଣ କରି ବରଭୁଜା, । ୧୦୩ ।

କୁମାର ଯୁଗଳ ଅରିଷ୍ଟ ସକଳ

ନାଶି ଦେଇଗଲେ ମୃଗରାଜ ବଳ । ୧୦୪ ।

 

୯୭ । କୈଳାସ – ହିମାଳୟରେ ଶିବଙ୍କର ଅଧିଷ୍ଠାନସ୍ଥଳୀ ।

୯୮ । ଗଉରୀ – ପ୍ରତ୍ୟୟ – ପାର୍ବତୀଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ, ବିସ – ମୃଣାଳ, ପଦ୍ମନାଡ଼, କିଶଳୟ – କଅଁଳିଆ ପତ୍ର ।

୧୦୦ । ବିହାୟସ – ଆକାଶ ।

୧୦୧ । ଇରମ୍ମଦ – ବିଜୁଳି ବା ବନାଗ୍ନି ।

୧୦୨ । ସପତ – ମାତୃକା – ବ୍ରାହ୍ମୀ, ମାହେଶ୍ୱରୀ, କୌମାରୀ, ବୈଷ୍ଣବୀ, ବାରାହୀ, ଇନ୍ଦ୍ରାଣୀ, ଚାମୁଣ୍ଡା ।

୧୦୪ । ଅରିଷ୍ଟ – ଅମଙ୍ଗଳ, ମୃଗରାଜ – ସିଂହ ।

 

କ୍ରମେ ହେଲା ଏକବିଂଶତି ବାସର,

ନାମ କରଣର ଶୁଭ ଅବସର। ୧୦୫ ।

ଶୁଣିବାକୁ ସତୀ ସୁତଙ୍କର ନାମ

ଅମରେ ଆସିଲେ ତେଜି ସ୍ୱର୍ଗଧାମ । ୧୦୬ ।

 

ଅମରୀ ମଣ୍ଡଳୀ ସେହି କୁତୂହଳେ

ଗୋଡ଼ାଇଲେ ତାଙ୍କ ପଛେ ଦଳେ ଦଳେ। ୧୦୭ ।

ଶରତର ଶୁଭାଟମନ ସକାଶେ

ପଥ ଛାଡ଼ୁଥିଲା ଜଳଦ ଆକାଶେ । ୧୦୮ ।

 

ରବି ରଶ୍ମି ସହ ସହଜେ ସେ ପଥେ

ଆସିଲେ ସମସ୍ତେ ଜ୍ୟୋତିର୍ମୟ ରଥେ । ୧୦୯ ।

ଆସି ଆଶ୍ରମରେ କୁସୁମ ଉପରେ

ମନୋମୁଗ୍‌ଧକର ସୌରଭ ରୂପରେ । ୧୧୦ ।

 

ବସିଗଲେ ଦିବ୍ୟ ସୁଷମା ପ୍ରକାଶି

ବିକାଶ ବ୍ୟାଜରେ ହୋଇ ଦରହାସୀ । ୧୧୧ ।

କେତେ ବା ତାପସ ତାପସୀ ହୃଦୟ

ମଧ୍ୟେ ପଶିଗଲେ ହୋଇ ମୁଦମୟ । ୧୧୨ ।

 

ବାଲ୍ମୀକି ନିଦେଶେ ତାପସ ତାପସୀ

ଦ୍ୱିଗୁଣ ମୁଦରେ ଉପବନେ ପଶି । ୧୧୩ ।

ବିବିଧ କୁସୁମ ନବପତ୍ରମାନ

ଆଣି କଲେ ମଞ୍ଜୁମଣ୍ଡପ ନିର୍ମାଣ । ୧୧୪ ।

 

ରଜନୀ ପ୍ରଥମ ପ୍ରହରେ ଆଶ୍ରମ

ପ୍ରଦୀପ ମାଳରେ ହେଲା ମନୋରମ । ୧୧୫ ।

ପ୍ରଦୀପେ ଐଙ୍ଗୁଦ ତଇଳ ପ୍ରଚୁର

ତାପସଙ୍କ କରୁ କରୁଥାନ୍ତି ଜୂର । ୧୧୬ ।

 

୧୦୬ । ଅମର – ଦେବତାମାନେ ।

୧୦୬ । ଐଙ୍ଗୁଦ – ଇଙ୍ଗୁଦୀଫଳ, ଜୂର – ଲୁଟି ।

 

ଚୌଦିଗେ ପୁଷ୍ପିତ ପାଦପ ବଲ୍ଲରୀ

ହସୁଥାନ୍ତି ପାଇ ଆଲୋକ ଲହରୀ । ୧୧୭ ।

ଥିଲା ସେ ସମୟ ପ୍ରସୂନଙ୍କ ପର୍ବ

ବଢୁଥିଲା ଚକ୍ରବର୍ତ୍ତିନୀର ଗର୍ବ । ୧୧୮ ।

 

ସାଗରସମୂହ ଯଥା କ୍ଷୀରାର୍ଣ୍ଣବ

ବୃନ୍ଦାରକବୃନ୍ଦେ ଯେମନ୍ତ ବାସବ । ୧୧୯ ।

ଅବା ହିମାଚଳ ସମୁଚ୍ଚ ଶିଖର

ମଣ୍ଡଳେ ଯେମନ୍ତ ଗଉରୀଶଙ୍କର, । ୧୨୦ ।

 

ମୁନିବୃନ୍ଦ ମଧ୍ୟେ ମହା ତପୋଧନ

ବିଶୋଭିଲେ କରି ମଣ୍ଡପେ ଆସନ । ୧୨୧ ।

ଅଶ୍ୱିନୀକୁମାରେ ଛାୟା ସଂଜ୍ଞା ପରି

କୁମାର ଯୁଗଳ କର ପଦ୍ମେ ଧରି । ୧୨୨ ।

 

ସତୀ ଅନୁକମ୍ପା ଆସିଲେ ମଣ୍ଡପେ,

ଶୋଭା ତହିଁ ଉଭା ହୋଇଗଲା ଦର୍ପେ । ୧୧୯ ।

କୃଷ୍ଣା ତ୍ରୟୋଦଶୀ ସୁଧାକର ପାଶେ

ପ୍ରଭାତୀ ତାରକା ଉଦିତ ଆକାଶେ, । ୧୨୪ ।

 

ପ୍ରତିବିମ୍ୱ ତାଙ୍କ ସରୋବର ଗର୍ଭେ

ଘେନି ପ୍ରାଚୀ ଯେହ୍ନେ ରହିଅଛି ଗର୍ବେ । ୧୨୫ ।

ସରଳ ହୃଦୟା ପ୍ରସନ୍ନ ବଦନା

ସତୀ ସହଚରୀ ତାପସ ନନ୍ଦନା । ୧୨୬ ।

 

ଶରୀର ଆବରି ସତୀ ଦତ୍ତ ବାସେ

ସମ୍ମଦରେ ବସିଗଲେ ସତୀ ପାଶେ, । ୧୨୭ ।

ଲଭି ଉଷା ଦତ୍ତ ନବୀନ କିରଣ

ଉଷା ପାଶେ ଯଥା କମଳିନୀ ବନ । ୧୨୮ ।

 

୧୧୮ । ଚକ୍ରବର୍ତ୍ତିନୀ – ଗଜଦନ୍ତ ପୁଷ୍ପ ।

୧୧୯ । ବୃନ୍ଦାରକ – ଦେବତା ।

୧୨୭ । ସମ୍ମଦ – ଆନନ୍ଦ ।

 

 

ବେଦମତେ ହେଲା ଦେବ-ଆରାଧନା

ବାଜିଗଲା ଶଙ୍ଖ ଶିଙ୍ଗାର ବାଜଣା । ୧୨୯ ।

ଜ୍ୟେଷ୍ଠ କୁମାରକୁ ଦେଇ ଶୁଭାଶିଷ

ପ୍ରସନ୍ନେ ବୋଇଲେ ମୁନିକୁଳାଧୀଶ, । ୧୩୦ ।

 

କୁଶାଗ୍ରେ ମାର୍ଜିତ ହୋଇଅଛି ‘‘କୁଶ’’-

ନାମେ ହେବ ରିପୁକରୀନ୍ଦ୍ର ଅଙ୍କୁଶ । ୧୩୧ ।

ସେରୂପେ କନିଷ୍ଠ କୁମାରକୁ ‘‘ଲବ’’

ନାମ ଦେଲେ ମୁନି ମନୀଷି ପୁଙ୍ଗବ । ୧୩୨ ।

 

ମୁନିଗଣ କଲେ ରାମ ନାମ ଧ୍ୱନି

ବଜାଇ ମୁରଜ ମନ୍ଦିରା ଖଞ୍ଜନୀ । ୧୩୩ ।

ତାପସ କୁମାରୀମାନେ ବାଇ ବୀଣା

ଗାଇଲେ ମଧୁର ଗୀତି ସୁଧା ଜିଣା । ୧୩୪ ।

 

ସୁରଭି ସ୍ୱରୂପୀ ଅମର ଅମରୀ

ନୃତ୍ୟ କଲେ ତହିଁ ପ୍ରମୋଦେ ସଞ୍ଚରି । ୧୩୫ ।

ଚଉଦିଗେ ଥାଇ ମୃଗ ମୃଗୀଗଣ

ଚାହୁଁଥାନ୍ତି ହୋଇ ଚକିତ ନୟନ । ୧୩୬ ।

 

ଆଶ୍ରମର ମହା ଆନନ୍ଦ ଚହଳେ

ଯୋଗଦେଲା ବନ ପ୍ରତିଧ୍ୱନି ଛଳେ । ୧୩୭ ।

ସଙ୍ଗୀତେ ରତ ବା ତରୁଲତା ସର୍ବେ

ହେଲେ ବିଦ୍ୟାଧର ବିଦ୍ୟାଧାରୀ ଗର୍ବେ । ୧୩୮ ।

 

୧୩୨ । ମନୀଷୀ – ପୁଙ୍ଗବ – ଜ୍ଞାନୀଶ୍ରେଷ୍ଠ ।

୧୩୩ । ମୁରଜ – ମୃଦଙ୍ଗ, ମନ୍ଦିରା – ଝାଞ୍ଜ, ଖଞ୍ଜନୀ – ଖଞ୍ଜଣି ।

୧୩୮ । ବିଦ୍ୟାଧର – ଗନ୍ଧର୍ବ କିନ୍ନର ପ୍ରଭୃତି ସ୍ୱର୍ଗର ଗାୟକରଣ ।

 

ଆଶ୍ରମ ଉଜ୍ୱଳ ହୋଇଗଲା ମୁଦେ,

ତମ କିନ୍ତୁ ସତୀ ବଦନ କୁମୁଦେ । ୧୩୯ ।

ରହିଗଲା ଏକା ରାମଚନ୍ଦ୍ର ବିନା;

ପରବ ତାଙ୍କର ଅମାବାସ୍ୟା ସିନା । ୧୪୦ ।

 

ତମ ବଢ଼ାଇଲା ମହିମା ତାଙ୍କର,

ତମ ଯୋଗୁଁ ସିନା ଚନ୍ଦ୍ରିକା ଆଦର । ୧୪୧ ।

ଦିଶୁଥିଲୋ ସୁତ ରତନେ ସୁନ୍ଦର,

ଯଥା ରତ୍ନ ସାନୁ ଗଭୀର କନ୍ଦର । ୧୪୨ ।

 

ଋଷି ଦେବେ ମିଳି ସତୀଙ୍କ ଗୌରବ

ବୃଦ୍ଧି କଲେ ବିହି ଆନନ୍ଦ ଉତ୍ସବ । ୧୪୩ ।

 

ମହତଙ୍କ ଏହା ନୈସର୍ଗିକୀ ରୀତି,

ସୁପାତ୍ରେ ସମ୍ମାନ ଦାନେ ତାଙ୍କ ପ୍ରୀତି। ୧୪୪ ।

 

ଶେଷେ କୁମାରଙ୍କ ମଙ୍ଗଳ କାମନା

କରି ଆଶିଗଲେ ମୁନି ମହାମନା । ୧୪୫ ।

ତାପସଙ୍କ ହୃଦ କମଳେ ଆସନ

କରି ଦେବେ କଲେ ତଥାସ୍ତୁ ଭାଷଣ । ୧୪୬ ।

 

ବନ ତରୁ ଲତା ସୁଗମ୍ଭୀର ରବେ

ଉଚ୍ଚାରିଲେ ମୁଦେ ତଥାସ୍ତୁ ସରବେ । ୧୪୭ ।

ଦିଗ ବିଦିଗରୁ ଦିଗପାଳଗଣ

ତଥାସ୍ତୁ ଶବଦ କଲେ ଉଚ୍ଚାରଣ । ୧୪୮ ।

୧୪୦ । ଅଷ୍ଟମୀ, ଚତୁର୍ଦ୍ଦଶୀ, ଅମାବାସ୍ୟା, ପୂର୍ଣ୍ଣିମା ଓ ସଂକ୍ରାନ୍ତି – ଏମାନଙ୍କୁ ପର୍ବ କୁହାଯାଏ ।

୧୪୫ । ଆଶିଷିଲେ – ଆଶୀର୍ବାଦ କଲେ ।

 

ଦଶମ ସର୍ଗ

(କଲ୍ୟାଣ ପଡ଼ିତାଳ)

ସତୀ ପାଇ ଦୁଇ ପୁତ୍ର-ରତନ

ପ୍ରାଣରୁ ଅଧିକ କରି ଯତନ,

ଲାଳନ ପାଳନେ ନିହିଲେ ମନ

ଲାଗିଗଲା ଦୃଢ଼ ସ୍ନେହବନ୍ଧନ,

ଛାଡ଼ିଲେ ନାହିଁ ନିମିଷେ ପାଶ,

ମଣିଲେ ଜୀବନ-ଭାର ଉଶ୍ୱାସ ।୧।

 

ସ୍ନାନ ପାଇଁ ଦିନେ ଥରେ ମାତର

ହୁଅନ୍ତି ଯଦ୍ୟପି ପାଶୁ ଅନ୍ତର,

ଜଳ-ଜରଜର ବସନେ ବେଗେ

ଧାଇଁ ଆସିଥାନ୍ତି ଅତି ଉଦ୍‌ବେଗେ,

ପରାଣ ହେଉଥାଏ ଚଞ୍ଚଳ

ଚାହିଁବାକୁ ସୁତ-ମୁଖ-କମଳ ।୨।

 

ଶଶି-କଳା-ଗର୍ବ କରି ମର୍ଦ୍ଦନ,

ହେଲା କୁମାରଙ୍କ ଅଙ୍ଗ-ବର୍ଦ୍ଧନ,

ପୂର୍ଣ୍ଣ-ସୁଧାକର ପ୍ରାୟେ ବଦନ

ଦିନୁ ଦିନ ହେଲା ଶୋଭା-ସଦନ;

ପାରିଲେ ଚିହ୍ନି ଜନନୀ-ମୁଖ,

କୋଳେ ଉଠିବାକୁ ହେଲେ ଉନ୍ମୁଖ । ୩ ।

 

୧ । ନିହିଲେ – ନିଯୁକ୍ତ କଲେ, ନିମିଷେ – ଅତି ଅଳ୍ପକ୍ଷଣ ପାଇଁ ସୁଦ୍ଧା, ଉଶ୍ୱାସ – ହାଲୁକା ।

୩ । ମର୍ଦ୍ଦନ – ଖର୍ବକରି ; ପୂର୍ଣ୍ଣ – ସୁଧାକର – ପୂର୍ଣ୍ଣମୀର ଚନ୍ଦ୍ର, ଉନ୍ମୁଖ – ଉଦ୍ୟତ, ପ୍ରବୃତ୍ତ ।

 

ହସନ୍ତି ଅନାଇ ମାତା-ବହନ,

କୋଳ ଲୋଡ଼ି ସେହିକ୍ଷଣି କ୍ରନ୍ଦନ;

ସ୍ନେହଭରେ ମାତା ଧଇଲେ କୋଳେ,

ଦୋଳୁଥାନ୍ତି ତହିଁ ଆନନ୍ଦ ଦୋଳେ;

ଥରକୁ ଥର ବଦନ ଚାହିଁ

ହସି ହସି ଦେଉଥାନ୍ତି ହସାଇ । ୪ ।

 

୧। ଅଷ୍ଟମୀ, ଚତୁର୍ଦ୍ଦଶୀ, ଅମାବାସ୍ୟା, ପୂର୍ଣ୍ଣିମା ଓ ସଂକ୍ରାନ୍ତି-ଏମାନଙ୍କୁ ପର୍ବ ବୋଲାଯାଏ ।

 

ନ ଥିଲା ସତୀଙ୍କ ମନେ ସ୍ୱପନେ

ହାସ ଅଙ୍କୁରିବ ଦଗ୍‌ଧ-ଲପନେ;

ଅପୂର୍ବ ସୁଖର ଅପୂର୍ବ ହାସ

ସ୍ୱତଃ ଆସି ହେଇଯାଏ ପ୍ରକାଶ;

ନ ନେଲେ, କାନ୍ତ ସେ ସୁଖଭାଗ

ବୋଲି ସତୀ ନିତି ନିନ୍ଦନ୍ତି ଭାଗ୍ୟ । ୫ ।

 

ବଦନ କମଳେ-ରଦନ-ଛଳେ

ବିରାଜି ଭାରତୀ ଦେବୀ ଉଜ୍ଜ୍ୱଳେ

ପ୍ରକାଶିଲେ ନିଜ ନିସର୍ଗ-ଜ୍ୟୋତି,

ନିନ୍ଦି କୁନ୍ଦ-ଇନ୍ଦୁ-ତୁଷାର-ମୋତି;

ବାଇଲେ ବୀଣା ଆଦ୍ୟେ ମୃଦୁରେ,

ମା ମା ମା ମା ମା ମା ସ୍ୱର ମଧୁରେ ।୬।

 

ମଳୟ ରୂପେ ସେ ସ୍ୱର୍ଗୀୟ ସ୍ୱନ

ପଲ୍ଲବିତ କରେ ମାତା-ଜୀବନ,

ପ୍ରବାଳ-ପାଟଳ-ବର୍ଣ୍ଣ ସତ୍ୱରେ

ଫୁଟିପଡ଼େ ମାତା-ଓଷ୍ଠ-ଅଧରେ;

 

୫ । ନିନ୍ଦନ୍ତି – ଧିକ୍‍କାର, ନିତି – ପ୍ରତିଦିନ ।

୬ । ରଦନ – ଦାନ୍ତ, ବିରାଜି – ଶୋଭା ପାଅନ୍ତି, ମା ମା....ସା, ରି, ଗା, ମା, ପା, ଧା, ନି ମ’ଧ୍ୟରୁ ‘ମା’ ସ୍ୱର ।

 

ତହିଁରେ ଦନ୍ତ-କୁସୁମ-କଢ଼ି

କୌମୁଦୀ-କାନ୍ତିରେ ଉଠଇ ବଢ଼ି ।୭।

 

ଭାସ୍କର ପରାଏ ଭାସ୍ୱର ମନ

ଅଧିକାର କରି ଇନ୍ଦ୍ର-ଆସନ

ଅଗ୍ରସର ହୋଇ କୁବେର-କୋଷେ

ବଦନ-ପ୍ରଭାବ ବଢ଼ାଏ ତୋଷେ,

ମଣଇ ନିଜ କରେ ଜଗତ

ସୁଖ ସଉଭାଗ୍ୟ ସମୁପାଗତ । ୮ ।

 

ଦର-ବିକଶିତ କମଳ ଜାଣି

ଭାଷିଲେ କୁମାରେ ଦରୋଟି ବାଣୀ,

ସେ ଭାରତୀ ହାବ ଚାରୁ-ଚାହାଣି,

ମନୋହର-ବେଶ ଲାବଣ୍ୟ-ଠାଣି

ଦର୍ଶନେ ପ୍ରାଣ ପୁଲକେ ପୂରେ,

ମୋହ ନାଚି ଉଠେ ମାନସ-ପୁରେ । ୯ ।

 

କ୍ରମରେ କୁମାରେ ଅବନୀ ତଳେ

ବସିଲେ ଚାଲିଲେ ଜାନୁ ପ୍ରତଳେ;

ଦୂରେ ଥାଇ ଡାକି ଆହ୍ଲାଦେ ସତୀ

ବଢ଼ାଇଲେ ସେହି ଗତି-ଶକତି;

କୁମାରେ କୁତୂହଳେ ସହାସେ

ବେଗ ବେଗ ଯାନ୍ତି ଜନନୀ ପାଶେ ।୧୦।

 

୭ । ମଳୟ - ବସନ୍ତକାଳୀନ ଧୀର ସମୀରଣ, ପ୍ରବାଳ - ପୋହଳା, ପାଟଳ - ଗୋଳାପି ରଙ୍ଗ ।

୮ । ଭାସ୍କର – ସୂର୍ଯ୍ୟ, ଭାସ୍ୱର – ଉଜ୍ୱଳିତ, ଇନ୍ଦ ଆସନ – ପୂର୍ବଦିଗ, କୁବେର କୋଷେ – ଉତ୍ତର ଦିଗ, ସମୃପାଗତ – ଉପସ୍ଥିତ ।

୯ । ଦରୋଟି ବାଣୀ – ଶିଶୁର ଅଷ୍ପଷ୍ଟ କଥା, ହାବ – ଅଙ୍ଗଭଙ୍ଗୀ ।

୧୦ । ପ୍ରତଳ – ବିସ୍ତୃତାଙ୍ଗଳି ହସ୍ତ (କରତଳ) ଚାପୁଡ଼ା ।

 

 

କେତେବେଳେ କରେ ମୃତ୍ତିକା ଧରି

ଦିଅନ୍ତି ରସନା ପଙ୍କିଳ କରି

ମାତା ଧରାଇଲେ ସୁନ୍ଦର ଫଳ,

ଫିଙ୍ଗନ୍ତି ହଲାଇ ମୁଖମଣ୍ଡଳ

ସୁଚାରୁ, ଚୂର୍ଣ୍ଣକୁନ୍ତଳ ଚଳି

ଦିଶେ ଯେହ୍ନେ କଞ୍ଜ କ୍ରୀଡ଼ିତ ଅଳି ।୧୧।

 

ଉଭାହେଲେ ଧରି ଜନନୀ-କର,

ତହୁଁ ନିଜ ପଦେ କରି ନିର୍ଭର

ଗତି କଲେ କରି କର ଧାରଣ,

ନିଜେ ନିଜେ ପୁଣି ଚାଳି ଚରଣ,

ଗମନେ ପଡ଼ି କଲେ ରୋଦନ,

ତୋଷନ୍ତି ଜନନୀ ଚୁମ୍ବି ବଦନ । ୧୨ ।

 

ଡାକନ୍ତି କୁମାରେ ବନ-ବିହଙ୍ଗ

କୁତହଳେ ଚାହିଁ ସୁରମ୍ୟ ରଙ୍ଗ,

ମୟୂର-ପୁଚ୍ଛରେ ମନ ବଳାଇ

ଧାଇଁଥାନ୍ତି ତାକୁ ଧରିବା ପାଇଁ,

ଖେଳନ୍ତି ମୃଗ-ଶାବକ ଧରି

କୁସୁମେ ତା’ ବେଶ ରଚନା କରି । ୧୩ ।

 

ତାପସ-ତାପସୀ ପ୍ରଫୁଲ୍ଲ ମନେ

କୁମାରଙ୍କୁ ନେଇ ବୁଲାନ୍ତି ବନେ,

ପୁଷ୍ପମାଳ ମଣ୍ଡି ଶିରେ କପୋଳେ

ଦୋଳାନ୍ତି ପୁଷ୍ପିତ-ଲତିକା-ଦୋଳେ,

ଫୁଟାଇ ପୋଏ ଆନନ୍ଦ କଳି,

ଆଉ ଆଉ ବୋଲି କରନ୍ତି ଅଳି । ୧୪ ।

 

୧୧ । ମୃତ୍ତିକା – ମାଟି, ରସନା – ଜିଭ, ପଙ୍କିଳ – ମାଟିଆ, କଞ୍ଜ – କ୍ରୀଡ଼ିତ, ଅଳି – ପଦ୍ମରେ ଖେଳୁଥିବା ଭ୍ରମର ସଦୃଶ, ଚୂର୍ଣ୍ଣକୁନ୍ତଳ – ଚୁନି ଚୁନି କେଶ ।

 

୧। ସା, ରି, ଗା, ମା, ପା, ଧା, ନି ମଧ୍ୟରୁ ‘ମା’ ସ୍ୱର।

୨। ଇନ୍ଦ୍ରାସନ- ଇନ୍ଦ୍ରଙ୍କ ଆସନ ଓ ପୂର୍ବଦିଗ।

୩। କୁବେର-କୋଷ-କୁବେରଙ୍କ ଭଣ୍ଡାର ଓ ଉତ୍ତରଦିଗ।

୪। ହାବ-ଅଙ୍ଗଭଙ୍ଗୀ।

୫। ପ୍ରତଳ-ବିସ୍ତୃତାଙ୍ଗୃଳି ହସ୍ତ (କରତଳ)।

 

କୁମାରଙ୍କ ତନୁ ଉଜ୍ଜ୍ୱଳ ଶ୍ୟାମ

ପୁଷ୍ପ-ଦୋଳେ ହୁଏ ନେତ୍ରାଭିରାମ,

ବନଲକ୍ଷ୍ମୀ ଯେହ୍ନେ ସୁରମ୍ୟ ଦଣ୍ଡୀ,

ଗେହ୍ଲେ ଚାଲେ ହରିନ୍ମଣିରେ ମଣ୍ଡି,

ପାଦପ ଶାଖା କମ୍ପେ ଯା’ ସଙ୍ଗେ,

ଅନ୍ୟଶୋଭା ପ୍ରତି ହସେ ଭ୍ରୂଭଙ୍ଗେ । ୧୫ ।

 

୧ ପଞ୍ଚବର୍ଷ ପଞ୍ଚବକ୍ର ବିକ୍ରମେ

ସାଜି କୁମାରଙ୍କୁ ଚଳିଲେ କ୍ରମେ,

ସ୍ୱଚ୍ଛନ୍ଦେ କୁମାରେ କଲେ ଭ୍ରମଣ

୨ ସରିତ ଶାଦ୍ୱଳ ଉଦ୍ୟାନ ବନ,

ଶ୍ୱାପଦ ଆପଦକୁ କୁଞ୍ଚିତ

ନ ଗଣଇ ତାଙ୍କ ନିର୍ଭୀକ ଚିତ୍ତ । ୧୬ ।

 

କୁମାରଙ୍କ ଚୂଡ଼ାକର୍ମ ସବିଧି

ସମ୍ପାଦ ବାଲ୍ମୀକି ଜ୍ଞାନ-ବାରିଧି,

ଆଣି ସୁଦୁର୍ଗମ ବିଦ୍ୟା-କାନନ-

ମଧ୍ୟେ କରିଦେଲେ ପଞ୍ଚ-ଆନନ,

କୁମାରେ ତହିଁ କରି ସଞ୍ଚାର

ଅଜ୍ଞାନ-ମାତଙ୍ଗ କଲେ ସଂହାର । ୧୭ ।

 

୧୫ । ହରିନ୍ମଣି – ମରକତ ମଣି, ସବୁଜ ବର୍ଣ୍ଣ ପ୍ରସ୍ତର ବିଶିଷ୍ଟ ।

୧୬ । ପଞ୍ଚବକ୍ର – ସିଂହ, ଶାଦ୍ୱଳ – ନବତୃଣ ଦ୍ୱାରା ହରିଦବର୍ଣ୍ଣ ସ୍ଥାନ ।

୧୭ । ଚୂଡ଼ାକର୍ମ – କେଶମଣ୍ଡନରୂପ ସଂସ୍କାର, ସବିଧ – ସାମାଜିକ ନିୟମ ଅନୁସାରେ, ସମ୍ପାଦି – ସାଧନ କରି, ବାରିଧି – ସାଗର, ସଞ୍ଚାର – ଭ୍ରମଣ, ମାତଙ୍ଗ – ହସ୍ତୀ, ପଞ୍ଚ ଆନନ – ଏଠାରେ ଲବକୁଶଙ୍କୁ ପଞ୍ଚାନନ ଅର୍ଥାତ୍‍ ସିଂହ ବୋଲି ତର୍କଣା କରାଯାଇଛି ।

 

ରସ-ରତ୍ନ-ମୟ କାବ୍ୟ-ଶିଖରୀ,

ବିରାଜନ୍ତି ଯହିଁ ରାମ-କେଶରୀ,

ରାବଣ-ବାରଣ-ରକତ-ଧାର

ଝରଇ ଝର୍ଝର-ନିର୍ଝରାକାର,

କାନ୍ଦନ୍ତି ସିଂହୀ କନ୍ଦରେ ରହି

ଦନ୍ତି-ଦନ୍ତାଘାତ-ବେଦନା ସହି । ୧୮ ।

 

କୁମାରଙ୍କୁ ସେହି ଗିରି-ଶିଖର

ଚଢ଼ାଇ କୌଶଳେ ଋଷି-ଶେଖର

ଖେଳାନ୍ତେ ହରିଣ-ଶାବକ କରି,

ଖେଳିଲେ କୁମାରେ ଶାର୍ଦ୍ଦୂଳ ପରି;

ରାମଙ୍କୁ କଲେ ମୃଗେନ୍ଦ୍ର ଜ୍ଞାନ,

ଜନକ ନ ଚିହ୍ନି ସିଂହ-ସନ୍ତାନ । ୧୯ ।

 

କରନ୍ତି ଜନନୀ-ପାଶେ ଗାୟନ

ମହର୍ଷି-ରଚିତ ସେ ରାମାୟଣ,

ତାନ-ଲୟ-ସ୍ୱରେ ବୀଣା ବଜାଇ,

ରାମ-ଭକ୍ତି-ରସେ ମନ ମଜ୍ଜାଇ,

ଦିଅନ୍ତି ଚାଳି ନୟନ ଶିର,

ପ୍ରେମ-ତରଙ୍ଗରେ ହୋଇ ଅସ୍ଥିର ।୨୦।

 

ତର୍ଜନ, ଗର୍ଜନ, ବିଳାପ, ହାସ

ଗାନେ ଗାନେ ହେଉଥାଏ ପ୍ରକାଶ,

ଫୁଲିଉଠେ ବକ୍ଷ ବାହୁ-ଯୁଗଳ,

ବେଳେ ବେଳେ ବହେ ନୟନ-ଜଳ;

ପ୍ରାଣରେ କାବ୍ୟ-ଭାବ ତଡ଼ିତ

ହୋଇଯାଉଥାଏ ଗାଢ଼େ ଜଡ଼ିତ । ୨୧ ।

 

୧୮ । ଶିଖରୀ – ପର୍ବତ, ବିରାଜନ୍ତି – ଶୋଭା ପାଆନ୍ତି, ବାରଣ – ହସ୍ତୀ ।

୨୧ । ଜଡ଼ିତ – ଲାଗି ଯାଉଥାଏ ।

 

ବାଳ-ରସନାରେ ନବ୍ୟା ଭାରତୀ

ନିର୍ମଳା ଉଜ୍ଜ୍ୱଳା ମଞ୍ଜୁ ମୂରତି

ବିରଚି ବିଚିତ୍ର ମଧୁର ଲାସ୍ୟ

ବିତରଣ କରୁଥାନ୍ତି ଉଲ୍ଲାସ,

ଉଲ୍ଲାସ ହାଇ ଜୀମୂତାକାର

ପ୍ରାଣେ ପ୍ରାଣେ ମୁଞ୍ଚେ ଅମୃତାସାର । ୨୨ ।

 

ଜାନକୀ ସହିତ ତାପସୀମାନେ

ବିଶୁଦ୍ଧ ସଙ୍ଗୀତ-ପୀୟୂଷ-ପାନେ

ହରଷ, ବିଷାଦ, ଶାନ୍ତି, ସନ୍ତାପ,

ସୁଖ, ଦୁଃଖ ଲଭୁଥାନ୍ତି ଅମାପ;

ଆନନ୍ଦ, କ୍ଷୋଭେ ହୃଦୟ ଦ୍ରବି

ଲୋଚନୁ ଲୋତକ ପଡ଼ଇ ସ୍ରବି । ୨୩ ।

 

ଯେଉଁ ସୀତା ରାମାୟଣ-ନାୟକ-

୩ ରାଘବ-ହୃଦୟ-ହାର-ନାୟକ,

ସେ ଯେ କୁମାରଙ୍କ ଗର୍ଭ-ଧାରିଣୀ,

ଭାଗୀରଥୀ-ତୀର-ବନ-ଚାରିଣୀ,

କୁମାରେ ତାହା ଜାଣନ୍ତି ନାହିଁ,

ମହର୍ଷି-ନିଷେଧ ଥିଲା ଲୁଚାଇ । ୨୪ ।

 

ରାମ-ସୀତା-ଗୁଣ-ଗୌରବମାନ

ଅତି କୁତୂହଳେ କରନ୍ତି ଗାନ,

ଶୁଣି ସତୀମଣି ହୋଇ ଲଜ୍ଜିତ

କରୁଥାନ୍ତି ସୁଖେ ମନ ମଜ୍ଜିତ;

ସତର୍କେ ଆତ୍ମଗୋପନ କରି

ହରନ୍ତି ସମୟ ତାପସୀ ପରି ।୨୫।

 

୨୨ । ଜୀମୂତ – ମେଘ ।

୨୩ । ସ୍ରବି – ଝରିଯାଏ । ଦ୍ରବି – ବିଗଳିତ ହୋଇଯାଏ ।

୨୪ । ନାୟକ – ହାର ମଧ୍ୟସ୍ଥ ମଣି, ନିଷେଦ – ମନା ।

 

୧। ପଞ୍ଚବକ୍ତ-ସିଂହ।

୨। ଶାଦ୍ୱଳ-ନବତୃଣଦ୍ୱାରା ହରିଦ୍‌ବର୍ଣ୍ଣ ସ୍ଥାନ।

୩। ନାୟକ-ହାର-ମଧ୍ୟ ମଣି।

 

ରମ୍ୟ ରାମାୟଣ କରି ଶ୍ରବଣ

ମୁଗ୍‌ଧ ମୃଗେ ଥାନ୍ତି ଡେରି ଶ୍ରବଣ,

୧ ନିଶ୍ଚଳ ଲୋଚନେ ଡବିତ୍‌ଥ ପରି

ଆହାର ବିହାର ତୃଷା ବିସ୍ମରି

ବିହଙ୍ଗବୃନ୍ଦ ହୋଇ ନୀରବ

ହୃଦେ ଭରୁଥାନ୍ତି ଶ୍ରୂତି-ବିଭବ । ୨୬ ।

 

ବିଟପିଏ ପର୍ଣ୍ଣ-କୁଣ୍ଡ-କବରୀ-

ଗରଭେ କୁସୁମ-ସ୍ତବକ ଭରି

ଅନୁଗାନେ ହେଉଥାନ୍ତି ନିରତ,

ଅଭିନୟେ ଚାଳି ବଲ୍ଲରୀ-ହସ୍ତ;

ପ୍ରମୋହେ ଗଡ଼ିଯାଏ ତମସା,

ଅପୂର୍ବ ପ୍ରମୋଦେ ହୋଇ ବିବଶା । ୨୭ ।

 

ବହିଯାଏ ମହୀ-ଉରେ ଅମୃତ

କରି ଧନ୍ୟବାଦ-ନାଦରେ ନୃତ୍ୟ;

ଆସି ଚଉଦିଗ କାନନବାସୀ

ଯାନ୍ତି ସେ ଅମୃତ-ସ୍ରୋତରେ ଭାସି,

ଅଶେଷ ଶ୍ରୁତି-ବିବରେ ପୂରି

ସ୍ରୋତ ପ୍ଳାବିଦିଏ ଅମର-ପୁରୀ । ୨୮ ।

 

ବ୍ରହ୍ମା, ଇନ୍ଦ୍ର, ରୁଦ୍ର ଶୁଣି ସେ ଗାନ

କରୁଥାନ୍ତି ଧନ୍ୟବାଦ ପ୍ରଦାନ;

୨ ଉଦୀଚୀ ପ୍ରତୀଚୀ ପ୍ରାଚୀ ଅବାଚୀ

ଦିଗ-ସୀମନ୍ତିନୀ ଉଠନ୍ତି ନାଚି;

ପକାଇ ଗାନ ଗର୍ବ-ପସରା

ନାଚନ୍ତି ଗନ୍ଧର୍ବ ସଙ୍ଗେ ଅପ୍‌ସରା । ୨୯ ।

 

୨୬ । ଶ୍ରବଣ – କର୍ଣ୍ଣ, ଡବିତ୍‍ଥ – କାଷ୍ଠମୟ ମୃଗ । ବିସ୍ମରି – ଭୁଲିଯାଇ ।

୨୮ । ମହୀଉରେ – ପୃଥିବୀ ବକ୍ଷରେ ।

୨୯ । ଉଦୀଚୀ – ଉତ୍ତର ଦିଗ ; ପ୍ରତୀଚୀ – ପଶ୍ଚିମ ଦିଗ ; ପ୍ରାଚୀ – ପୂର୍ବଦିଗ ; ଅବାଚୀ – ଦକ୍ଷିଣଦିଗ ; ସୀମନ୍ତନୀ – ଦିଗସୁନ୍ଦରୀଗଣ ।

 

ଲୋକେ ଲୋକେ ଭ୍ରମି ଭ୍ରମି ନାରଦ

ମୁକ୍ତକଣ୍ଡେ ବ୍ୟକ୍ତ କଲେ ଆନନ୍ଦ,

ପ୍ରଶଂସି ବାଲ୍ମୀକି କବିତା-ରସ,

ଶ୍ରୀରାମ-ଜାନକୀ-ବିଶୁଦ୍ଧ-ଯଶ;

ଗାୟନ ତାଙ୍କ କୁମରଙ୍କର

୩ ପୀୟୂଷ-ବରକ୍ଷୀ ବଲ୍ଲକୀ-ସ୍ୱର ।୩୦।

 

ନିଜ ବୀଣା ଯାର ବିଶ୍ୱ-ବିଦିତ

ବାଳକ-ବୀଣାରେ ହୋଇ ମୋଦିତ,

ପ୍ରଚାରିଲେ ତାକୁ ବୋଲି ଉତ୍ତମ,

ଧନ୍ୟ ଧନ୍ୟ ସେହି ମୁନି-ସତ୍ତମ,

ପ୍ରଫୁଲ୍ଲେ ପର-ପ୍ରଶଂସା ଗାଇ

ସ୍ୱକୀୟ ମହିମା ଦେଲେ ବଢ଼ାଇ । ୩୧ ।

 

ନିଜ ଗୁଣ ଥାଉଁ ପର ସଦଗୁଣ-

ପ୍ରଶଂସାରେ ଜନ ହୋଇ ନିପୁଣ

ନିଜ ଗୁଣ ତରୁ କରେ ଫଳିତ,

ଧନୁର୍ଗୁଣେ ସିନା ଶର ଚାଳିତ;

ପବନ ବହି ପ୍ରସୂନ-ବାସ

ଜଗତେ ଅଧିକ ଦିଏ ଉଲ୍ଲାସ । ୩୨ ।

 

କୁମାରଙ୍କ ଏକାଦଶ ହାୟନ

ବୟସରେ ହେଲା ଉପନୟନ

ତହିଁପରେ କରି ବେଦାଧ୍ୟୟନ

ଲଭିଲେ କୁମାରେ ଜ୍ଞାନ-ନୟନ,

ବେଦଜ୍ଞ ପୁତ୍ର-ପ୍ରତିଭା ଦେଖି

ବୈଦେହୀ ଦିଅନ୍ତି ଦୁଃଖ ଉପେକ୍ଷି ।୩୩।

 

୩୦ । ଲୋକେ ଲୋକେ – ସ୍ୱର୍ଗଲୋକ ପରି ବିଭିନ୍ନ ଭୁବନରେ, ବଲ୍ଲକୀ – ବୀଣା ।

୩୩ । ହାୟନ – ବର୍ଷ, ଉପନୟନ – ବ୍ରତ ଅନୁଷ୍ଠାନ ।

 

୪ ତପନ-ତନୟା-ଜଳେ ଅରୁଣ-

କିରଣ ପରାୟେ ନବ ତରୁଣ-

ମନୋହର ଛବି, ଆଣି ବରୁଣ-

୫ ଭଣ୍ଡାର-ରତନ-ମୟୂଖ ଋଣ,

କୁମାରଯୁଗ ଶ୍ୟାମ-ଶରୀରେ

ବିଚିତ୍ର କୌଶଳେ ମଣ୍ଡିଲା ଧୀରେ । ୩୪ ।

 

ଜ୍ଞାନ-ସମ୍ମାର୍ଜିତ ଭାଷା ତାଙ୍କର

ହେଲା ଶ୍ରୁତି-ହୃଦ-ପବିତ୍ର-କର,

ବ୍ୟବହାର ହୋଇ ଭାଷାନୁଗତ

ଚରିତ୍ରେ ରଚିତ ହେଲା ଦେବତ୍ୱ;

 

୧। ଡବିତ୍‌ଥ-କାଷ୍ଠମୟ ମୃଗ।

୨। ଉଦୀଚୀ-ଉତ୍ତର ଦିଗ। ପ୍ରତୀଚୀ-ପଶ୍ଚିମ ଦିଗ। ପ୍ରାଚୀ-ପୂର୍ବଦିଗ। ଅବାଚୀ-ଦକ୍ଷିଣ ଦିଗ।

୩। ବଲ୍ଲକୀ-ବୀଣା।

୪। ତପନତନୟା-ଯମୁନା।

୫। ମୟୂଖ-କିରଣ।

 

ପ୍ରଦୀପ୍ତ ମନ-ବଚନ-ଅଙ୍ଗ,

ସୃଜିଲେ ଜୀବନେ ପ୍ରଭା-ତରଙ୍ଗ । ୩୫ ।

ଜନନୀ-ଜୀବନ ସୁଖ-ଆଲୋକେ

ପୂରିଯାଏ ପୁତ୍ର-ପଠିତ-ଶ୍ଳୋକେ,

ଅଧିକୁ ଅଧିକ ମନୋରଞ୍ଜନୀ

ହେଉଥାଏ ଶୋକ-ସ୍ମୃତି-ରଜନୀ;

ବୁଝଇ ଦୁଃଖୀ ସୁଖର ମୂଲ୍ୟ,

ଚିର-ସୁଖି-ସୁଖ ତହିଁ ଅତୁଲ୍ୟ । ୩୬ ।

 

କୁମାରଙ୍କ ନବ ପ୍ରଫୁଲ୍ଲ ରୂପ

ମାତା-ନେତ୍ର ମଣେ ରତନ-ସ୍ତୂପ,

ପୁତ୍ର-ପରଶଂସ ମାତା-ଶ୍ରବଣେ

୧ ପରିଣତ ହୁଏ ସୁଧା-ସ୍ରବଣେ;

ତହିଁକି ସ୍ୱାମୀ-ସୁଯଶଃ-ଶ୍ରେଣୀ

ସତୀ-ପକ୍ଷେ ହେଲା ସ୍ୱର୍ଗ-ନିଶ୍ରେଣୀ । ୩୭ ।

 

୩୪ । ତପନ ତନୟା – ଯମୂନା, ମୟୁଖ – କିରଣ ।

୩୭ । ସ୍ରବଣ – ଝରଣ ।

 

ଯେଉଁ ଦିନୁ ସୁତେ ଜନନୀ-ଅଙ୍କ

ତେଜି ବିହରିଲେ ହୋଇ ନିଃଶଙ୍କ,

ସେଦିନୁ ଜାନକୀ ତପସ୍ୟା-ବ୍ରତ

ଅନୁଷ୍ଠାନ କଲେ ଅନବରତ,

ସମର୍ପି ମନ ସ୍ୱାମୀ-ଚରଣେ

ଲାଗିଲେ ଜୀବନ ଶେଷ କରଣେ । ୩୮ ।

 

ନିଦାଘ ସରିତ-ସ୍ରୋତ-ସଦୃଶ

ସତୀପ୍ରାଣ ହୋଇ ଆସିଲା କୃଶ,

ଅସିତ ପକ୍ଷର ଶଶାଙ୍କ ପରି

ଲକ୍ଷ୍ୟ କଲା ମୃତ୍ୟୁ ଅମା-ଶର୍ବରୀ,

ସ୍ୱାମୀଙ୍କି ମଣି ଦିନେଶ ସମ,

୨ ଆଶା କଲା ତହିଁ ହେବ ସଙ୍ଗମ । ୩୯ ।

 

ଭାବୁଥାନ୍ତି, ‘‘ଥରେ କେଉଁ ଉପାୟେ

ଦୃଷ୍ଟି ଦେଇ ସ୍ୱାମୀ-ପବିତ୍ର-ପାଏ

ସମର୍ପଣ କରି ପୁତ୍ର-ଯୁଗଳ

ଦିଅନ୍ତି ଭାଙ୍ଗି ମୋ ତନୁ-ଅର୍ଗଳ;

ପରାଣ-ମୃଗ ଯାଇ ସତ୍ୱର

ସେ ମୁକ୍ତି-ବିପିନେ କରନ୍ତା ଘର’’ । ୪୦ ।

 

୩୯ । ଅମାବାସ୍ୟାରେ ସୂର୍ଯ୍ୟ ଚନ୍ଦ୍ର ସଙ୍ଗମ ହୁଏ, ଏହି ହେତୁ ତାକୁ ସୂର୍ଯ୍ୟେନ୍ଦୁସଙ୍ଗମ କହନ୍ତି ।

 

ଏକାଦଶ ସର୍ଗ

ଏକ ଦିନ ଦିନନାଥ ପୃଥ୍ୱୀ-ପ୍ରଦକ୍ଷିଣ-

ଶ୍ରମ-କ୍ଳମେ ଅବୟବ-ତେଜ କରି କ୍ଷୀଣ । ୧ ।

ପଶ୍ଚିମ-ଜଳଧି-ନୀଳ ସଲିଳରେ ସ୍ନାନ-

ଲାଳସାରେ ଯାଇ ଗାଢ଼େ ହେଲେ ମଜ୍ଜମାନ । ୨ ।

 

ମୂରୁଛି ନ ପାରି ନାଥେ ହୋଇ ଅତି ଦୀନ,

ମୁହୂର୍ତ୍ତେ ନ ରହି ତାଙ୍କ ପଛେ ଗଲା ଦିନ। । ୩ ।

ନ ଜାଣଇ ପତି ବିନା ପତ୍ନୀର ଯେ ଦଶା,

ସରଳା ନଳିନୀ ବାଳା ନ ଛାଡ଼ିଲା ବସା। । ୪ ।

 

କ୍ଷଣମାତ୍ରେ ଲୁଟି ତାର ରଙ୍ଗବାସ କୋଷ

ରଜନୀ ପାଇଡ଼ା କଲା ଗଗନେ ପ୍ରଦୋଷ। । ୫ ।

ସୁକୁମାରୀ ନଳିନୀର ଚାହିଁ ଅପମାନ

୩ ତ୍ରପାରେ ଶିରୀଷ-ତରୁ ହେଲା ମ୍ରିୟମାଣ। । ୬ ।

 

ଭାନୁ-ଅସ୍ତେ ବୃହଭାଦ୍ଭାନୁ କରି ଆରାଧନା

ସ୍ମରିଲେ ମହେଶ-କୃପା ମୁନି ମହାମନା । ୭ ।

୧ । ଦିନନାଥ – ସୂର୍ଯ୍ୟ ।

୨ । ଜଳଧି – ସମୁଦ୍ର ।

୫ । ପ୍ରଦୋଷ – ସନ୍ଧ୍ୟା, ପାଇଡ଼ା – ପାଏଡ଼ା, ଦେବତା ଓ ରାଜାମାନେ ବିଜେ ହେବା ସମୟରେ ରାସ୍ତାରେ ପ୍ରସାରିତ ବସ୍ତ୍ର ।

୬ । ତ୍ରପା – ଲଜ୍ଜା, ମ୍ରିୟମାଣ – ଝାଉଁଳି ପଡ଼ିଲା ।

୭ । ଭାନୁ – ସୂର୍ଯ୍ୟ, ବୃହଭାନୁ – ଅଗ୍ନି, ଆରାଧନା – ପୂଜା, ମହେଶ – ଶିବ ।

 

ବସିଥାନ୍ତି ଆଶ୍ରମରେ ମଣ୍ଡି କୁଶାସନ,

ଭାବୁଥାନ୍ତି ମନେ ମନେ ରାମ-ସୁଶାସନ । ୮ ।

ତହିଁ ସଙ୍ଗେ କୁମାରଙ୍କ ଯୋଗ୍ୟତା ବିଷୟ,

କିରୂପେ ଘଟିବ ପିତା-ପୁତ୍ର-ପରିଚୟ। । ୯ ।

 

ଧନୁର୍ବେଦ ରାଜଧର୍ମ ଶିକ୍ଷାର ଦୁଆରେ

ଉପଗତ ହୋଇଛନ୍ତି ଏକାଳେ କୁମାରେ। । ୧୦ ।

ତାପସଙ୍କ ସଙ୍ଗେ ଯେବେ ବନେ ଥିବେ ରହି

ମୂଲ୍ୟମୟ ସମୟଟି ବୃଥା ଯିବ ବହି। । ୧୧ ।

 

ରାଜପୁତ୍ର ରାଜଧର୍ମେ ନ ହେଲେ ନିପୁଣ,

ବନ୍ଧ୍ୟ ତରୁ ପରି ବ୍ୟର୍ଥ ହେବ ସର୍ବଗୁଣ। । ୧୨ ।

ବୀରପୁତ୍ର ନ ଲଭିଲେ ବୀରତ୍ୱ-ଭୂଷଣ,

ବୀରବଂଶ ପ୍ରତି ହେବ ଦୁଃସହ ଦୂଷଣ। । ୧୩ ।

 

୧। ସ୍ରବଣ-ଝରଣ।

୨। ଅମାବାସ୍ୟାରେ ସୂର୍ଯ୍ୟ-ଚନ୍ଦ୍ରର ସଙ୍ଗମ ହୁଏ, ଏହେତୁ ତାକୁ ସୂର୍ଯ୍ୟେନ୍ଦୁ ସଙ୍ଗମ କହନ୍ତି।

୩। ତ୍ରପା-ଲଜ୍ଜା।

 

କେ କହିବ କୋଶଳର ରାଜସିଂହାସନ

ନ ଲୋଡ଼ିବ ଦିନେ ରାମ-ଦାୟାଦ-ରତନ । ୧୪ ।

ତେତେବେଳେ ରାଜମାନ ରକ୍ଷଣ-କ୍ଷମତା

ନ ଥିଲେ ପଡ଼ିବ ଫୁଟି ନୀତି-ଅଧମତା। । ୧୫ ।

 

ଆଦର୍ଶବିହୀନେ ତହିଁ କେମନ୍ତେ କୁଶଳ

ହେବେ ଥାଇ କାନନରେ କୁମାରଯୁଗଳ? । ୧୬ ।

ବିଶେଷତଃ ରଘୁବଂଶ-ନୃପେ ଦାନ-ବୀର,

ସେ ଆଦର୍ଶ ଦେବ କାହିଁ ଋଷିର କୁଟୀର? । ୧୭ ।

 

ଅବିକଳ ରାମରୂପ, ପ୍ରତିବିମ୍ବ ପରି

କୁମାରଯୁଗଳ ଛନ୍ତି ଅବୟବ ଧରି। । ୧୮ ।

ଚାହିଁଲେ ଚିହ୍ନିବେ ରାମ ନିଜର ନନ୍ଦନ,

ଶତ୍ରୁଘନ କରିଦେବେ ସନ୍ଦେହ ଖଣ୍ଡନ। । ୧୯ ।

 

୧୨ । ବନ୍ଧ୍ୟ ତରୁ – ଅଫଳନ୍ତି ବୃକ୍ଷ ।

୧୩ । ଦୂଷଣ – ନିନ୍ଦା ।

୧୪ । କୋଶଳ – ଅଯୋଧ୍ୟା, ଦାୟାଦ – ଉତ୍ତରାଧିକାରୀ ।

୧୮ । ପ୍ରତିବିମ୍ୱ - ଛାୟା ।

 

କୁମାରଙ୍କୁ ନେଇ ଦେଲେ କରିବେ ଗ୍ରହଣ,

ତା’ହେଲେ ନ ହେବ ଆଉ ଆମ୍ଭର ଗର୍ହଣ । ୨୦ ।

କିନ୍ତୁ ସେ ତ ଏକାମାତ୍ର ଅପବାଦ ଭୟେ

ପତିବ୍ରତା ଜାଣି ଜାଣି ନିଷ୍ଠୁର ହୃଦୟେ । ୨୧ ।

 

୧ ଦୋହଦିନୀ ଦୟିତାକୁ ବିପିନେ ପ୍ରେରଣ

୨ କରିଛନ୍ତ ଛଳ କରି ଦୋହଦ-ପୂରଣ। । ୨୨ ।

୩ ସନ୍ତାନ-ମମତା ତାଙ୍କ ହୃଦୟେ ସମ୍ଭବ

ବାର ବର୍ଷ ପରେ ହେବା ନୁହଇ ସମ୍ଭବ। । ୨୩ ।

 

ପୁତ୍ର-ସ୍ନେହ ଅର୍ପିଛନ୍ତି ପ୍ରକୃତିଙ୍କ ପ୍ରତି,

ନିଶ୍ଚୟ ଲୋଡ଼ିବେ ତାଙ୍କ ସମ୍ମତି ସମ୍ପ୍ରତି। । ୨୪ ।

ନିଜର ବିଶ୍ୱାସ ପ୍ରତି ଆସ୍ଥା ନାହିଁ ଯାର,

କି ହେବ ବୁଝାଇ ଆମ୍ଭେ କହିଲେ ହଜାର। । ୨୫ ।

 

୪ ଏ ବିଷୟ ବିଧିସୁତ ଲକ୍ଷ୍ମଣ ସହିତ

ପରାମର୍ଶ କରିବାର ଅବଶ୍ୟ ବିହିତ। । ୨୬ ।

ଏ ସମୟେ ରାଜଦୂତ ଯୋଡ଼ି କରପତ୍ର

ପ୍ରଣମି ବାଲ୍ମୀକି କରେ ଦେଲା ଏକ ପତ୍ର । ୨୭ ।

 

ପାଠ କରି ମୁନିବର ହେଲେ ଅବଗତ

ଆବିଷ୍କୃତ ହୋଇଅଛି ବାଞ୍ଛାସିଦ୍ଧି-ପଥ। । ୨୮ ।

କରିଛନ୍ତି ରାମଚନ୍ଦ୍ର ରାଜା ନିମନ୍ତ୍ରଣ

ଅନୁଷ୍ଠିତ-ଅଶ୍ୱମେଧ-ଯଜ୍ଞର କାରଣ। । ୨୯ ।

 

୨୦ । ଗର୍ହଣ – ନିନ୍ଦା ।

୨୨ । ଦୋହଦିନୀ – ଗର୍ଭବତୀ, ଦୟିତା – ସ୍ତ୍ରୀ, ଛଳକରି – କପଟ କରି । ଦୋହଦ – ଗର୍ଭିଣୀର ସ୍ପୃହା ।

୨୩ । ସମ୍ଭବ – ଜାତ ।

୨୪ । ପ୍ରକୃତି – ପ୍ରଜା ।

୨୬ । ବିଧ୍ୟସୁତ – ବିଶିଷ୍ଟ, ବିହତ – ରଚିତ ।

୨୮ । ଅବଗତ – ଜାଣିପାରିଲେ ।

 

ଭାବିଲେ ମୁନୀନ୍ଦ୍ର, ବିଧି ହୋଇ ଅନୁକୂଳ

ଭାବନା-ସାଗର ପାଶେ ଦେଖାଇଲେ କୂଳ । ୩୦ ।

ଯଜ୍ଞ-ଦରଶନ ପାଇଁ ମୁନିପୁତ୍ର ବେଶେ

କୁମାରଙ୍କୁ ଘେନିଯିବା ଶିଷ୍ୟ ବ୍ୟପଦେଶେ ! । ୩୧ ।

 

କୁଶ ଲବ ଯଜ୍ଞକ୍ଷେତ୍ରେ ବୁଲି ସ୍ଥାନ ସ୍ଥାନ

କରିବେ ନବୀନ କାବ୍ୟ ରାମାୟଣ ଗାନ । ୩୨।

ରାମ-କଥା କରି ପ୍ରୀତି-ପୀୟୂଷ-ବର୍ଷଣ

ନିଶ୍ଚୟ କରିବ ଜନ-ମନ ଆକର୍ଷଣ । ୩୩ ।

 

ଶ୍ରୀରାମ ସଦୃଶ ଦେଖି କୁମାରଙ୍କୁ ଜନେ

ରମ-ପୁତ୍ର ବୋଲି ନିଶ୍ଚେଁ ବିଚାରିବେ ମନେ । ୩୪ ।

ନିଜେ ରାମଚନ୍ଦ୍ର ନିଜ ପ୍ରତିବିମ୍ବ ରୂପେ

ହୃଦୟ ମଜ୍ଜାଇ ଦେବେ ପ୍ରୀତି-ସୁଧା-କୂପେ । ୩୫ ।

 

ରାମ ହେଲେ କୁମାରଙ୍କୁ ଗ୍ରହଣେ କୁଣ୍ଠିତ,

କଉଶଲ୍ୟା ନ ହେବେ କି ଅବନୀ-ଲୁଣ୍ଠିତ? । ୩୬ ।

କରି ନାହିଁ ବୈଦେହୀଙ୍କି ରାବଣ ସ୍ପରଶ,

ରାମାୟଣେ ଶୁଣି ସର୍ବେ ଲଭିବେ ହରଷ । ୩୭ ।

 

ଅନଳରେ ହୋଇଛନ୍ତି ସତୀ ପରୀକ୍ଷିତ,

ଶୁଣିଲେ ନ ହେବ କାହା ତନୁ କଣ୍ଟକିତ? । ୩୮ ।

ପ୍ରକାଶିବ ରାମାୟଣ ଭାରତୀ-ଆଲୋକ,

ଅପବାଦ-ତମ ଛାଡ଼ି ଦେବ ତିନି ଲୋକ । ୩୯ ।

 

ଏହି ରୂପେ ମନେ ମନେ ଭାବି ମୁନିବର,

ଅତୀବ ହରଷେ ହେଲେ ପ୍ରଫୁଲ୍ଲ-ଅନ୍ତର । ୪୦ ।

ବିଶ୍ରାମ ଆଦେଶେ ଦେଇ ଦୂତେ ମିଷ୍ଟଭାଷେ

ଶିଷ୍ୟଗଣେ ନିୟୋଜିଲେ ଚରଚା ସକାଶେ । ୪୧ ।

 

ଜନନୀ ନିକଟେ ଯାଇ ହର୍ଷେ ମୁନିବର

ଜଣାଇଲେ ଅଶ୍ୱମେଧ-ଯଜ୍ଞର ଖବର । ୪୨ ।

 

୧। ଦୋହଦିନୀ-ଗର୍ଭବତୀ। ଦୟିତା-ଭାର୍ଯ୍ୟା।

୨। ଦୋହଦ-ଗର୍ଭିଣୀର ସ୍ପୃହା।

୩। ସମ୍ଭବ-ଜାତ। ୪। ବିଧିସୁତ-ବଶିଷ୍ଠ।

 

ଆସିଅଛି ରାମଦୂତ ଧରି ନିମନ୍ତ୍ରଣ,

ଶିଷ୍ୟଗଣ ଘେନି କାଲି କରିବି ଗମନ । ୪୩ ।

ତହିଁ ସଙ୍ଗେ କୁଶ ଲବ ଯିବେ ଯଥାଶିଷ୍ୟ

ଦେଖିବେ ବହୁତ ମୁନି ଲଭିବେ ଆଶିଷ । ୪୪ ।

 

ମହର୍ଷି ପ୍ରସ୍ତାବ ସତୀ କରି ସମର୍ଥନ,

କୁମାରଙ୍କ ଭାର ଗାଢ଼େ କଲେ ସମର୍ପଣ । ୪୫ ।

୧ ତହୁଁ ଋଷି ଅନ୍ତେବାସୀମାନଙ୍କୁ କହିଲେ,

ଅଶ୍ୱମେଧ ଦେଖିଯିବା ଯାମିନୀ ପାହିଲେ । ୪୬ ।

 

୨ କୁଶ ଲବ ସହିତରେ ସତୀର୍ଥ ସକଳ

ସଜ ହୋଇ ଧରିଥିବ ପାଥେୟ ସମ୍ବଳ । ୪୭ ।

ବାବା କୁଶ ଲବ ବୀଣା ସଙ୍ଗେ ଥିବ ଧରି,

ସଫଳ କରିବ ଶିକ୍ଷା ସୁସଙ୍ଗୀତ କରି । ୪୮ ।

 

ଯେଉଁ ରାମ ରାମାୟଣ-କାବ୍ୟର ନାୟକ

ହୋଇଛନ୍ତି ତୁମ୍ଭ ହୃଦ-ଆନନ୍ଦ-ଦାୟକ । ୪୦ ।

ସେହି ରାମ କରୁଛନ୍ତି ଏହି ମହାଯାଗ,

ଆସିବେ ବହୁତ ଦେଶୁ ବହୁ ମହାଭାଗ । ୫୦ ।

 

୪୧ । ନିୟୋଜିଲେ – ନିଯୁକ୍ତ କଲେ, ଚରଚା – ଅଭ୍ୟର୍ଥନା ।

୪୬ । ଅନ୍ତେବାସୀ – ଶିଷ୍ୟ, ଯାମିନୀ – ରାତି ।

୪୭ । ସତୀର୍ଥ – ସହଧ୍ୟାୟୀ, ପାଥେୟ – ପଥିକର ବାଟରେ ଆବଶ୍ୟକ ପଦାର୍ଥ ।

୫୦ । ମହାଭାଗ – ଗୁଣଯୁକ୍ତ ବ୍ୟକ୍ତି ।

 

ଆସିଥିବେ ବିଭୀଷଣ ଲଙ୍କା-ଅଳଙ୍କାର

ଅସୁର-ସଂହତି ସହ ସିନ୍ଧୁ ହୋଇ ପାର । ୫୧ ।

୩ ଭଲ ଭଲ ଭଲ୍ଲ କପି ଅଙ୍ଗଦ-ପ୍ରମୁଖ,

ଆସିବେ ସୁଗ୍ରୀବ ସଙ୍ଗେ ହର୍ଷେ ମାଜି ମୁଖ । ୫୨ ।

 

ମଣନ୍ତି ଯେ ଲୋଷ୍ଟ୍ରଖଣ୍ଡ ସମ ସାନୁମାନ

ଅମିତ-ବିକ୍ରମ-ଶାଳୀ ବୀର ହନୁମାନ । ୫୩ ।

ମୁଦେ ହୃଦେ ଘେନି ସୀତାଦତ୍ତ ମୋତିହାର

କରୁଥିବେ ତହିଁ ସିଂହ ସଦୃଶ ବିହାର । ୫୪ ।

 

୪ ବିବିଧ-ପାଳକ-ମାଳେ ମଣ୍ଡି କଳେବର

ଆସିଥିବେ ଗୁହ ସଙ୍ଗେ ଅସଂଖ୍ୟ ଶବର । ୫୫ ।

ଯେ ଦୁର୍ଲଭ ରାଜଲକ୍ଷ୍ମୀ-ପ୍ରେମ ଆଲିଙ୍ଗନ

ଭ୍ରାତୃଭକ୍ତି ବଳେ ହେଳେ କରି ଉଲ୍ଲଙ୍ଘନ । ୫୬ ।

 

ଅଗ୍ରଜ-ପାଦୁକା ଥୋଇ ରାଜ-ସିଂହାସନେ

ଯାପିଲେ ଚଉଦ ବର୍ଷ ଫଳମୂଳାସନେ । ୫୭ ।

ଜୀବନ ଉନ୍ନତ କଲେ ବାନ୍ଧି ଜଟାଜୂଟ,

ଉର୍ଦ୍ଧ୍ୱମୁଖେ ଚାହେଁ ଯାହା ହିମାଚଳକୂଟ । ୫୮ ।

 

ସେ ଭରତ ଥିବେ ତହିଁ ରାମେ ଅନୁସରି,

୫ ବିଷ୍ଣୁ ପଦେ ବିଧୁତୁଲ୍ୟ କୀର୍ତ୍ତିକାନ୍ତି ଧରି । ୫୯ ।

କ୍ଷଣଜନ୍ମା ଲକ୍ଷଣଙ୍କୁ ଦେଖିବ ତହିଁରେ,

ଯା’ ସମ ଦ୍ୱିତୀୟ ଜଣେ ନାହାନ୍ତି ମହୀରେ । ୬୦ ।

 

୫୨ । ଅଙ୍ଗଦ – କିସ୍କିନ୍ଧ୍ୟା ରାଜା ବାଲିର ପୁତ୍ର, ସୁଗ୍ରୀବ – ବନବାସ କାଳରେ ରାମଚନ୍ଦ୍ରଙ୍କର ମିତ୍ର, ପରେ କିସ୍କିନ୍ଦାର ରାଜା ।

୫୩ । ଲୋଷ୍ଟ୍ରଖଣ୍ଡ – ପଥର ଖଣ୍ଡେ, ସାନୁମାନ – ପର୍ବତ, ହନୁମାନ – ରାମଙ୍କ ଦୂତ ।

୫୫ । ପାଳକ – ପକ୍ଷିଲୋମ, ଗୁହ – ଗୁହକ ଶୃଙ୍ଗବେରପୁରର ଶବର ରାଜା । ସେ ଥିଲେ ରାମଚନ୍ଦ୍ରଙ୍କର ପରମ ବନ୍ଧୁ । ବନବାସ କାଳରେ ଗୁହକ ରାମଚନ୍ଦ୍ରଙ୍କୁ ଆତିଥ୍ୟ ପ୍ରଦାନ କରି ଗଙ୍ଗା ପାରିହେବା ପାଇଁ ସାହାର୍ଯ୍ୟ କରିଥିଲେ ।

 

ନିଜେ ବଜ୍ରଧର ଯାର ଭୟରେ ଚଳିତ,

ତା’ ଦର୍ପ ସେ କରିଛନ୍ତି ପୟରେ ଦଳିତ । ୬୧ ।

ମେଘନାଦ-ବଧ-ବାର୍ତ୍ତା ହୋଇ କାଳାନଳ

ରାବଣ-ହୃଦୟେ ପଶି ଜଳିଲା ପ୍ରବଳ । ୬୨ ।

 

ତହିଁ ସଙ୍ଗେ ଅଙ୍ଗ-ବଳ ଆହୁତି ପ୍ରଦାନ

କରି ଉଗ୍ରତର କଲା ରାକ୍ଷସ-ପ୍ରଧାନ । ୬୩ ।

ତହିଁ ତପ୍ତ କରି ତାର ପ୍ରଦୀପ୍ତ ଶକତି

ନିକ୍ଷେପିଲା ଧରି କୋପେ ସଉମିତ୍ର ପ୍ରତି । ୬୪ ।

 

୬ ଶକତି-ଆଘାତ-ଜାତ କ୍ଷତର ଲକ୍ଷଣ

ବକ୍ଷେ ପୃଷ୍ଠେ ବହି ସାର୍ଥନାମା ସେ ଲକ୍ଷ୍ମଣ । ୬୫ ।

ଅକ୍ଷିରେ ଦେଖିବ ଯାହା ଦେଖିଛ ଅକ୍ଷରେ,

ଗାଇବ ସଭିଙ୍କ କତା ସର୍ବ ସମକ୍ଷରେ । ୬୬ ।

 

ସଙ୍ଗୀତ ଶୁଣିବେ ଶତ ଶତ ନରପତି,

ତପଃପ୍ରଭାପୂର୍ଣ୍ଣତନୁ ଶତ ଶତ ଯତି । ୬୭ ।

କେହି ପଚାରିଲେ ତହିଁ ତୁମ୍ଭ ପରିଚୟ,

ବୋଲିବ, ‘‘ବାଲ୍ମୀକି-ଶିଷ୍ୟ ଆମ୍ଭେ ଭ୍ରାତୃଦ୍ୱୟ’’ । ୬୮ ।

 

ରାଜା ରାମଚନ୍ଦ୍ର ଯେବେ କରିବେ ଆହ୍ୱାନ

କରିବ ଛାମୁରେ ତାଙ୍କ ରାମାୟଣ ଗାନ । ୬୯ ।

ପଚାରିଲେ ପରିଚୟ ଘେନି କୌତୂହଳ

ବୋଲିବ, ‘‘ବାଲ୍ମୀକି-ଶିଷ୍ୟ ସୋଦରଯୁଗଳା’’ । ୭୦ ।

 

୬୧ । ବଜ୍ରଧର – ଇନ୍ଦ୍ର, ଯାର ଭୟରେ ... ରାବଣର ଜ୍ୟେଷ୍ଠପୁତ୍ର ଇନ୍ଦ୍ରଜିତ ଭୟରେ; ମେଘନାଦ – ଇନ୍ଦ୍ରଜିତ ।

୬୪ । ସଉମିତ୍ର – ଲକ୍ଷ୍ମଣ ।

୬୫ । ଲକ୍ଷଣ – ଚିହ୍ନ ।

 

ଧନ ଦେଲେ ଲୋଭ ତେଜି ବୋଲିବ ବିନୟେ,

‘‘କି କରିବୁଁ ଧନ ନେଇ ତାପସ-ନିଳୟେ?’’ । ୭୧ ।

ତେଣେ ଶୁଣି ମୁନି-ମୁଖୁଁ ଅଶ୍ୱମେଧ-କଥା

ବୈଦେହୀ-ହୃଦୟେ ହେଲା ଆକସ୍ମିକ ବ୍ୟଥା । ୭୨ ।

 

୧। ଅନ୍ତେବାସୀ-ଶିଷ୍ୟ। ୨। ସତୀର୍ଥ-ସହାଧ୍ୟାୟୀ।

୩। ଭଲ୍ଲ-ଭଲ୍ଲୁକ। ୪। ପାଳକ-ପକ୍ଷିଲୋମ।

୫। ବିଷ୍ଣୁପଦ-ଆକାଶ। ୬। ଲକ୍ଷଣ-ଚିହ୍ନ।

 

ଭାବିଲେ ନିଶ୍ଚୟ ରଘୁକୂଳ ଚୂଡ଼ାମଣି

ଅଙ୍କେ ବସାଇଲେ ଆଣି ଦ୍ୱିତୀୟା ରମଣୀ । ୭୩ ।

ଧନ୍ୟ ସେହି ଭାଗ୍ୟବତୀ, ଫଳିଲେ ତା’ ତପ

ପାଦପେ ସଗର-ବଂଶ-ସିନ୍ଧୁ-ସୀତାତପ । ୭୪ ।

 

କାହିଁ କେଉଁରୂପେ କଲା କି ଘୋର ତପସ୍ୟା,

ତପସ୍ୟାକୁ ତାର ମୋର ବଳୁଛି ଲାଳସା । ୭୫ ।

କିଏ କହିଦେବ ସେହି ତପର ନିୟମ,

ନିଶ୍ଚୟ କରିବି ତହୁଁ ତପ ଗୁରୁତମ । ୭୬ ।

 

କେ ଜାଣିବ ତାହା ପୂର୍ବତପ ବିବରଣ,

ଜାଣିଥିବେ ବଶିଷ୍ଠାଦି ମହାଋଷିଗଣ । ୭୭ ।

ନ ହେଲେ କି କଲେ ତାକୁ ରାଜ୍ଞୀ ମନୋନୀତ?

ତାଙ୍କ ମତେ ହୋଇଥିବେ ପ୍ରଭୁ ପରିଣୀତ । ୭୮ ।

 

ଉପାୟେ ଆଣିବି ସେହି ନିଗୂଢ଼ ମନ୍ତର,

ବିଚାରି ଲେଖିଲେ ସତୀ ବିନୟ ପତର । ୭୯ ।

‘‘ଶରଣ-ବତ୍ସଳ-ଧ୍ୱଜ ରିପୁ-ଗଜାଙ୍କୁଶ,

୧ ଦୁଃଖ-ଗିରି-ବଜ୍ର ଯହିଁ ଦେଖନ୍ତି ବିଦୁଷ । ୮୦ ।

 

୬୧ । ନିଳୟେ – ଘରେ ।

୬୩ । ଅଙ୍କେ – କୋଳରେ, ଦ୍ୱିତୀୟା ରମଣୀ – ଦ୍ୱିତୀୟଥର ବିବାହ କରିବା ।

୭୪ । ଶୀତାତାପ – ଶୀତଳତା ଓ ଉଷ୍ଣତା ।

୭୫ । ଲାଳସା – ଇଚ୍ଛା, ଅଭିଳାଷ ।

୭୮ । ପରିଣୀତ – ବିବାହ କରିବା ।

୭୯ । ନିଗୂଢ଼ – ଗୋପନୀୟ ।

 

ରାଜାରାଜେଶ୍ୱରଙ୍କ ସେ ପଦପଦ୍ମ ଦ୍ୱନ୍ଦେ

ଦୀନ ଭିଖାରିଣୀ ଦୂରୁ ନତଶିରେ ବନ୍ଦେ । ୮୧ ।

କରିବାକୁ ମଧୁ-ଆଶା-ତିମିର-ଭେଦନ

କାତରେ କାନ୍ତାରେ ଥାଇ କରେ ନିବେଦନ । ୮୨ ।

 

ମହାରାଜ ମହାଯଜ୍ଞେ ହୋଇଛ ଦୀକ୍ଷିତ,

୨ ନବ-ବାମା ହେଉଥିବ ବାମାଙ୍କେ ବୀକ୍ଷିତ । ୮୩ ।

ମୁଗ୍‌ଧ-ବଧୂ ମୁଗ୍‌ଧ ହେବ ବୋଲି ଶତ ଗୁଣ

ବଢ଼ିଯାଉଥିବ ତୁମ୍ଭ ସକଳ ସଦ୍‌ଗୁଣ । ୮୪ ।

 

ଆଚରିତ ମହାଯଜ୍ଞେ କରିବ ପ୍ରଦାନ

୩ ଅଶେଷ ରତନ ଧନ କ୍ଷୌମ ବସ୍ତ୍ରମାନ । ୮୫ ।

ସିଦ୍ଧ-କାମ ହେବେ ତହିଁ ଅର୍ଥୀ ସମୁଦୟ,

ମୋ ମାନସେ ଭିକ୍ଷା ଏକ ହୋଇଛି ଉଦୟ । ୮୬ ।

 

ଏ ଛାର ଭିକ୍ଷାରେ ନାଥ, ନ ହେବ କୃପଣ,

ଦୟା-ରତ୍ନମୟ-ଦାନ-ବାରିଧି ଆପଣ । ୮୭ ।

ମୁଁ କିଏ, ତା’ ଜାଣିବାର ନୁହେଁ ଆବଶ୍ୟକ

ସଦା ତୁମ୍ଭେ, ତାପସଙ୍କ ଅଶାନ୍ତି-ନାଶକ । ୮୮ ।

 

୮୦ । ବିଦୁଷ – ପଣ୍ଡିତ ।

୮୨ । କାତରେ – ଅତ୍ୟନ୍ତ ଭୟରେ, କାନ୍ତାରେ – ଦୁର୍ଗମ ପଥ, ନିବେଦନ – ପ୍ରାର୍ଥନା ।

୮୩ । ବୀକ୍ଷିତ – ଦୃଷ୍ଟ ।

୮୫ । କ୍ଷୌମ – ପଟ୍ଟବତ୍ସ ।

୮୬ । ଅର୍ଥୀ – ପ୍ରାର୍ଥୀ ।

 

ତାପସଙ୍କୁ କିଛି ତୁମ୍ଭ ନ ଥାଏ ଅଦେୟ,

ମୁହିଁ ତପସ୍ୱିନୀ ମୋତେ ନ କରିବ ହେୟ । ୮୯ ।

ଯେ ହୋଇଛି ଆଜି ତୁମ୍ଭ ଅଙ୍କର ଭାଜନ,

ଭକ୍ତିଭରେ ଦେଖୁଥିବେ ଜଗତର ଜନ । ୯୦ ।

 

ପୂର୍ବେ ସେହୁ କରିଥିଲେ କେଉଁ ଘୋର ତପ,

କେଉଁଠାରେ କେତେ କାଳ କେଉଁ ମନ୍ତ୍ର ଜପ । ୯୧ ।

ଏହା ମାତ୍ର ପ୍ରଭୋ, ମୋତେ ଦେବଟି ଜଣାଇ

ଅନ୍ୟ କିଛି ଧନେ ମୋର ପ୍ରୟୋଜନ ନାହିଁ । ୯୨ ।

 

କୋଟି ଅଶ୍ୱମେଧେ ଯେତେ ଧନ ହୁଏ ଦାନ

ତହିଁରୁ ଅଧିକ ତାହା ହେବ ମୋର ଜ୍ଞାନ । ୯୩ ।

ଆଉ ଏକ କଥା ମାତ୍ର ଅଛି ଅନୁରୋଧ,

ଦୁଃଖିନୀର ପୁତ୍ରଯୁଗ ଅତ୍ୟନ୍ତ ଅବୋଧ । ୯୪ ।

 

ନାହିଁ ତାଙ୍କ ପିତୃ କୋଳ-ଆରୋହଣ ଭାଗ୍ୟ,

ନ ଜାଣନ୍ତି ଜନ୍ମକାଳୁ ପିତୃ-ଅନୁରାଗ । ୯୫ ।

ଜାଣିଛନ୍ତି ଜନନୀର ଜୀବନ କନ୍ଦାଇ

ବୀଣା-ତନ୍ତ୍ରୀ-ସହକାରେ ରାମାୟଣ ଗାଇ । ୯୬ ।

 

କିଏ ନ କାନ୍ଦିବ ବହି ମାନବ-ହୃଦୟ?

ତରୁଲତାଚୟ ଯହିଁ ହୁଅନ୍ତି ଅଥୟ । ୯୭ ।

ତୁମ୍ଭର ଚରିତେ ନିଜେ ହୋଇ ବିମୋହିତ

ଯାଉଛନ୍ତି ଶିଶୁଦ୍ୱୟ ମହର୍ଷି ସହିତ । ୯୮ ।

 

କରିବାକୁ ତୁମ୍ଭ ପଦ-ପଙ୍କଜ-ଦର୍ଶନ

ମନ ତାଙ୍କ ନେଉଅଛି କରି ଆକର୍ଷଣ । ୯୯ ।

ଶୁଣାଇବେ ତୁମ୍ଭ ଗତ ଦୁଃଖର କାହାଣୀ,

ଯା’ ଶୁଣିଲେ ଦୁଃଖିନୀର ହୃଦ ହୁଏ ହାଣି । ୧୦୦ ।

 

ନ ଶୁଣିଲେ ତହିଁ ପ୍ରତି ଧାଉଁଥାଏ ମନ,

ନ ହୁଅଇ କରି ତାର ଔତ୍ସୁକ୍ୟ-ଦମନ । ୧୦୧ ।

ଧୀରବର, ସେ କଥାକୁ ଘେନି ତୁମ୍ଭ ଶ୍ରୁତି

ଆଣିବ ଯଦ୍ୟପି ଦୀନା ବୈଦେହୀର ସ୍ମୃତି । ୧୦୨ ।

୧୦୧ । ଔତ୍ସୁକ – ଆଗ୍ରହ ।

 

ବୈଦେହୀର ପ୍ରଣୟକୁ ମଣିବ ସ୍ୱପନ

ଚାହିଁ ନବ-ପ୍ରଣୟିନୀ-ପ୍ରଫୁଲ୍ଲ-ଲପନ’’ । ୧୦୩ ।

ଲେଖୁଥାନ୍ତି ପତ୍ର ସତୀ ହୃଦୟ-ବିକଳେ,

ପତ୍ର ଧୌତ ହେଉଥାଏ ନୟନର ଜଳେ । ୧୦୪ ।

 

ଆଉ କି ଲେଖିବି ବୋଲି ଭାବୁଥିଲେ ବସି

ଆସିଗଲେ କୁଶ ଲବ ମୁଦେ ହସି ହସି । ୧୦୫ ।

ବୋଇଲେ, ‘‘ଗୋ ମାତଃ, ଧନ୍ୟ ଧନ୍ୟ ରଘୁପତି

ଧନ୍ୟ ତାଙ୍କ ପ୍ରଣୟିନୀ ସତୀ ଭାଗ୍ୟବତୀ । ୧୦୬ ।

 

ଅଶ୍ୱମେଧ କରୁଛନ୍ତି କୌଶଲ୍ୟା-ନନ୍ଦନ,

ଦୂତ ଏକ ଆସିଅଛି ଧରି ନିମନ୍ତ୍ରଣ । ୧୦୭ ।

ଦୂତକୁ ପଚାରି ଯାହା ହେଲୁ ଅବଗତ,

ରାମଚନ୍ଦ୍ର ଯୋଗୁଁ ଆଜି ଧନ୍ୟ ଏ ଜଗତ । ୧୦୮ ।

 

ଜନ-ଅପବାଦ ରାମ କଲେ ବିଭଞ୍ଜନ

ପ୍ରାଣ-ପ୍ରଣୟିନୀ ସୀତା କରି ବିସର୍ଜନ । ୧୦୯ ।

ଅଶ୍ୱମେଧ-ଯଜ୍ଞେ ସହଧର୍ମିଣୀ ସକାଶେ

କାନକୀ ଜାନକୀ ରାମ ରଖିଛନ୍ତି ପାଶେ । ୧୧୦ ।

 

ଥିଲା କି ଜନନୀ, ତାଙ୍କୁ ଦୟିତା ଦୁର୍ଲ୍ଲଭ?

ଅନ୍ୟ ଜାୟା ନ ଇଚ୍ଛିଲେ ଜାନନୀ-ବଲ୍ଲଭ । ୧୧୧ ।

କାହିଁ ଗଲେ ଜାନକୀ ମା, ନ ଥିବେ ଜୀବନେ

ନ ପାରିଲୁଁ ଜାଣି ସେହି କଥା ରାମାୟଣେ । ୧୧୨ ।

 

୧୦୯ । ବିଭଞ୍ଜନ – ଭଗ୍ନ ।

୧୧୦ । କାନକୀ – ସ୍ୱର୍ଣ୍ଣମୟୀ ।

୧୧୧ । ଦୟିତା – ସ୍ତ୍ରୀ, ଜାୟା – ସ୍ତ୍ରୀ ।

 

ଯିବୁଁ ମା, ଦେଖିବୁଁ ରାମ କମଳ-ପୟର,

ସଙ୍ଗେ ନେବି ବୋଲି କହୁଛନ୍ତି ମୁନିବର।’’ । ୧୧୩ ।

କୁମାରଙ୍କ ବାଣୀ-ସୁଧା-ସାଗର-ଲହରୀ

ସତୀ-ଜୀବନକୁ ଦେଲା ନିମଜ୍ଜିତ କରି । ୧୧୪ ।

 

ହୃଦ ହୋଇଥିଲା ଯେହ୍ନେ ତପ୍ତ ବାଲିମୟ।

ପ୍ଳାବିଦେଲା ରାମ-ପ୍ରୀତି-ପୟୋଦର ପୟ । ୧୧୫ ।

ମନେ ମନେ ବୋଇଲେ, ‘‘ହା! ମୁଁ ଚିରପାପିନୀ,

ଲେଖୁଥିଲି ଭାଷା ପ୍ରଭୁ-ହୃଦୟ-ତାପିନୀ । ୧୧୬ ।

 

ମୁଁ ସିନା ଅବଳା ଅତି ଦୁର୍ବଳ-ହୃଦୟା,

ଅନନ୍ତ ଅଗାଧ ମୋର ପ୍ରଭୁଙ୍କର ଦୟା । ୧୧୭ ।

ଅପରାଧ କ୍ଷମ ନାଥ, କ୍ଷମାର-ସାଗର,

ବିଧି କଲା ମୋତେ ତୁମ୍ଭ ହୃଦୟର ଗର।’’ । ୧୧୮ ।

 

ବୋଇଲେ ଲୁଚାଇ ପତ୍ର ପ୍ରକାଶି ହରଷ,

‘‘ଯାଅ ବତ୍ସେ, ଦେଖି ରାଜ-ପୟର-ସାରସ । ୧୧୯ ।

କହୁଥିଲେ ତାତ, ତହିଁ କରିବ ସଙ୍ଗୀତ,

ସ୍ୱଭାବେ ଅଟଇ ତା’ ତ ପୀୟୂଷ-ସମ୍ମିତ । ୧୨୦ ।

 

ପୂଣ୍ୟମୟ ଯଜ୍ଞ-କ୍ଷେତ୍ରେ ହୋଇ ସୁଧା-ସ୍ରୋତ

ହୃଦୟେ ହୃଦୟେ ହୋଇଯିବ ଓତପ୍ରୋତ । ୧୨୧ ।

ଡାକିଲେ ରାଘବ ଯିବ ତାଙ୍କ ସନ୍ନିଧାନେ,

ବନ୍ଦିବ ଚରଣେ ଭକ୍ତିପୂର୍ଣ୍ଣ ପ୍ରଣିଧାନେ । ୧୨୨ ।

 

ଦେଖିବ ତହିଁରେ ତାଙ୍କ ଅବରଜତ୍ରୟ,

ତାଙ୍କ ପଦେ ପ୍ରଣମିବ ଦେଖାଇ ବିନୟ । ୧୨୩ ।

ରାଜମାତାଙ୍କର ପୂତ-ଚରଣ-କମଳ-

ରଜ ଶିରେ ଘେନି ପ୍ରାଣ କରିବ ସଫଳ । ୧୨୪ ।

 

ଜାନକୀ-ଭଗିନୀ ତିନି ଥିବେ ତାଙ୍କ ପାଶେ,

ବନ୍ଦିବ ଚରଣ ତାଙ୍କ ଜାନକୀ-ବିଶ୍ୱାସେ । ୧୨୫ ।

ପଚାରିବେ କେହି ଯେବେ କାହାର ନନ୍ଦନ,

ଉତ୍ତରେ ବୋଲିବ, ‘‘ଆମ୍ଭେ ତପସ୍ୱିନୀ-ଧନ’’ । ୧୨୬ ।

 

କୁମାରଙ୍କୁ ହୃଷ୍ଟ କଲା ମାତାଙ୍କ ବଚନ,

ନବ କୌତୂହଳେ ତାଙ୍କ ପୂର୍ଣ୍ଣ ହେଲା ମନ । ୧୨୭ ।

ଭୋଜନେ ଶୟନେ ଆଉ ନ ହେଲା ଆଦର,

ହୃଦେ ନୃତ୍ୟ ହେଲା ରାମ-ପ୍ରଶଂସା-ବାଦର । ୧୨୮ ।

 

ରାମ-କଥା କୁହାକୁହି କରି ପରସ୍ପର

ନିଦ୍ରା-ଅଭିଭୂତ ହେଲେ ଉଭୟ ସୋଦର । ୧୨୯ ।

ଜାନକୀ-ଜୀବନ ପତି-ଭକ୍ତିନଦୀ-ରୟେ

ଭାସୁଥାଏ, ଭ୍ରମୁଥାଏ ଆବର୍ତ୍ତେ ଅଥୟେ । ୧୩୦ ।

 

କୋଳେ ଆଣିବାକୁ ତାକୁ ନିଦ୍ରାର ଶକତି

ନ ହେବାରୁ ଜଣାଇଲା ଯୋଗମାୟା କତି । ୧୩୧ ।

ବୋଇଲା, ‘‘ଦେବି ଗୋ, ଆଜି ଜାନକୀ ଜୀବନ

କରିଛି ମାନବୀ-ହୃଦ-ସୀମାକୁ ଲଙ୍ଘନ । ୧୩୨ ।

 

ବାର ବର୍ଷ ହେଲା ଶଯ୍ୟା ପ୍ଳାବି ନେତ୍ରନୀରେ

ଥରେ ହେଲେ ଆସୁଥିଲା ମୋକୋଳକୁ ଧୀରେ । ୧୩୩ ।

ଆଜି ଯେତେ ସୁମଧୁରେ କରୁଛିଁ ଆହ୍ୱାନ,

ନ ଶୁଣି କରୁଛି ସ୍ୱର୍ଗ-ରାଜ୍ୟକୁ ପ୍ରୟାଣ । ୧୩୪ ।

 

ନୟନ-ପ୍ରତିମା ତାର ଯେ ବେନି କୁମର,

ଏହିକ୍ଷଣି ହୋଇଯିବେ ନୟନୁ ଅନ୍ତର । ୧୩୫ ।

ଦଶ ଦିଗ ହେବ ତାକୁ ଅନ୍ଧକାରମୟ,

ଏ ଜୀବନେ ନାହିଁ ତାର ସୁଖ-ସୂର୍ଯ୍ୟୋଦୟ । ୧୩୬ ।

 

ପତି-ପ୍ରାଣା ହୋଇ ତାର ହେଲା କେଉଁ ଫଳ?

ଦେଖୁ ତ ଦୁଃଖିନୀ କର ଭବିଷ୍ୟ ଉଜ୍ଜ୍ୱଳ । ୧୩୭ ।

ପ୍ରାଣ-ଆଳବାଳେ ନେତ୍ର-ଜଳ କରି ଦାନ

ଅବଳା ରଚିଲା ପତି-ଭକତି-ଉଦ୍ୟାନ । ୧୩୮ ।

 

ନ ଫୁଟିଲା ଫୁଲ ତହିଁ ନ ଫଳିଲା ଫଳ,

କହ ତ ଜୀବନ ହେବ କି ଘୋର ବିକଳ?’’ । ୧୩୯ ।

ଯୋଗମାୟା ଆଜ୍ଞାଦେଲେ, ‘‘ଚାଲଲୋ ସଜନି,

ଶେଷ ହୋଇ ଆସିଲାଣି ଶୀତଳା-ରଜନୀ । ୧୪୦ ।

 

ଏବେ ଯାଉଁ ବେଗେ ଦୁହେଁ ସତୀ-ସନ୍ନିକଟ,

କରିଦେବା ତା’ ଭବିଷ୍ୟ ରହସ୍ୟ-ପ୍ରକଟ।’’ । ୧୪୧ ।

ନିଦ୍ରା ସହ ଯୋଗମାୟା ଆସିଲେ ସତ୍ୱରେ

ପଶିଲେ ଜାନକୀ-ପୂର୍ଣ୍ଣ-କୁଟୀର-ଭିତରେ । ୧୪୨ ।

 

ସ୍ୱର୍ଗୀୟ –ଜ୍ୟୋତିରେ ହେଲା କାନନ ଉଜ୍ଜ୍ୱଳ,

ସ୍ୱର୍ଗୀୟ ସୌରଭରେ ପୂର୍ଣ୍ଣ ହେଲା ମହୀତଳ । ୧୪୩ ।

ସୌରଭେ ଜାନକୀ-ପ୍ରାଣ ହେଲା ପୁଲକିତ,

ପ୍ରଭା ପ୍ରଭାବରେ ହେଲା ନେତ୍ର ନିମୀଳିତ । ୧୪୪ ।

 

ଦିଶିଲା ଜାନକୀ ହୋଇଛନ୍ତି ଜ୍ୟୋତିର୍ମୟୀ,

ତାଙ୍କ ଜ୍ୟୋତି ଆଲୋକିତ କରୁଅଛି ମହୀ । ୧୪୫ ।

ଜ୍ୟୋତିର୍ମୟ ରାମଚନ୍ଦ୍ର ରତ୍ନ-ସିଂହାସନେ

ବସିଛନ୍ତି ଘେନି ତାଙ୍କୁ ପ୍ରସନ୍ନ ଆନନେ । ୧୪୬ ।

 

ରାମଚନ୍ଦ୍ର-କୋଳେ କୁଶ, ସୀତାକୋଳେ ଲବ,

ଛତ୍ର ଧରି ପାଶେ ଉଭା ଊର୍ମିଳା-ବଲ୍ଲଭ । ୧୪୭ ।

ଚନ୍ଦ୍ରିକା-ଧବଳ-ଚାରୁ-ଚାମର ଚାଳନ।

କରନ୍ତି ଭରତ କରି ସ୍ୱଧର୍ମ-ପାଳନ । ୧୪୮ ।

 

ଶିଖଣ୍ଡି-ଶିଖଣ୍ଡ-ଜାଲେ ରଚିତ ବ୍ୟଜନ

କରେ ଧରି ଶତ୍ରୁ ଘନ କରନ୍ତି ବୀଜନ । ୧୪୯ ।

ସଭିଙ୍କ ଜୀବନ-ଜ୍ୟୋତି ଭବିଷ୍ୟ-ମୁଖରେ

ସ୍ରୋତସ୍ୱତୀ-ସ୍ରେତାରୂପେ ବହୁଛି ପ୍ରଖରେ । ୧୫୦ ।

 

କୋଟି କୋଟି ନର-ନାରୀ ମହାତୀର୍ଥ ଜ୍ଞାନ

କରି ସେ ପବିତ୍ର-ସ୍ରୋତେ କରୁଛନ୍ତି ସ୍ନାନ । ୧୫୧ ।

ଚାଲିଛି ସୁଦୂର-କାଳ-ସିନ୍ଧୁ ପ୍ରତି ଧାର

ବେଳୁ ବେଳ କରି ନିଜ ଆକାର ପ୍ରସାର । ୧୫୨ ।

 

ଉପରୁ ଅମରଗଣ ବିଦ୍ୟାଧରଗଣ

କରୁଥାନ୍ତି ମନୋହର କୁସୁମ ବର୍ଷଣ । ୧୫୩ ।

ଅମର ଅସୁର ନାଗ ନର ଅପସରା

‘‘ଜୟ ସୀତା-ରାମ’’ ନାଦେ ପୂରାଇଲେ ଧରା । ୧୫୪ ।

 

ଘରେ ଘରେ ପ୍ରାଣେ ପ୍ରାଣେ ନଗରେ ନଗରେ

ନଦୀ-ନାବେ ସିନ୍ଧୁ-ପୋତେକନ୍ଦରେକନ୍ଦରେ । ୧୫୫ ।

ରଜନୀ ବାସରେ ସନ୍ଧ୍ୟା ପ୍ରଭାତ ସମୟେ,

ସୁଖେ ଦୁଃଖେ ଧନୀ ଧନ-ହୀନର ହୃଦୟେ । ୧୫୬ ।

 

ଉଚ୍ଚାରିତ ହେଉଅଛି ‘‘ଜୟ ସୀତା-ରାମ’’,

ଚାହିଁ ମୁଗ୍‌ଧ ହେଲେ ସତୀ-ଲଳନା-ଲଲାମ । ୧୫୭ ।